ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ

Posted On: 24 JUL 2022 7:32PM by PIB Bhubaneshwar

ପ୍ରିୟ ଦେଶବାସୀ

ନମସ୍କାର,

  1. ଆଜକୁ ପାଞ୍ଚ ବର୍ଷ ପୂର୍ବରୁ, ଆପଣମାନେ ସମସ୍ତେ ମୋ ଉପରେ ଅପାର ଭରସା ବ୍ୟକ୍ତ କରିଥିଲେ ଏବଂ ନିଜ ନିର୍ବାଚିତ ଜନ-ପ୍ରତିନିଧିମାନଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବେ ବାଛିଥିଲେ। ଆଜି ମୋ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଛି। ଏହି ଅବସରରେ ମୁଁ ଆପଣମାନଙ୍କ ସହିତ କିଛି କଥା ବାଣ୍ଟିବା ଲାଗି ଚାହୁଁଛି ।
  2. ସର୍ବପ୍ରଥମେ, ମୁଁ ଆପଣମାନଙ୍କୁ, ସବୁ ଦେଶବାସୀ ଏବଂ ଆପଣମାନଙ୍କ ଲୋକ ପ୍ରତିନିଧିମାନଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ସମୟରେ, ନାଗରିକମାନଙ୍କ ସହ ହୋଇଥିବା ବାର୍ତ୍ତାଳାପ ଏବଂ ଜନସମ୍ପର୍କ ମୋତେ ନିରନ୍ତର ପ୍ରେରଣା ଦେଇ ଆସଛି । ଛୋଟ ଛୋଟ ଗାଁରେ ରହୁଥିବା ଆମ ଚାଷୀ ଏବଂ ଶ୍ରମିକ ଭାଇ-ଭଉଣୀ, ନୂଆ ପିଢ଼ିର ଜୀବନକୁ ସମ୍ଭାଳିଥିବା ଆମର ଶିକ୍ଷକ, ଆମ ଐତିହ୍ୟକୁ ସମୃଦ୍ଧ କରିଥିବା କଳାକାର, ଆମ ଦେଶର ବିଭିନ୍ନ ଦିଗକୁ ଅଧ୍ୟୟନ କରୁଥିବା ବିଦ୍ବାନ, ଦେଶର ସମୃଦ୍ଧି ବଢ଼ାଉଥିବା ଉଦ୍ୟମୀ, ଦେଶବାସୀଙ୍କ ସେବା କରୁଥିବା ଡାକ୍ତର ଏବଂ ନର୍ସ, ରାଷ୍ଟ୍ର ନିର୍ମାଣରେ ସଂଲଗ୍ନ ବୈଜ୍ଞାନିକ ଏବଂ ଇଞ୍ଜିନିୟର, ଦେଶର ନ୍ୟାୟ ବ୍ୟବସ୍ଥାରେ ଯୋଗଦାନ ଦେଉଥିବା ନ୍ୟାୟଧୀଶ ଏବଂ ଅଧିବକ୍ତା, ପ୍ରଶାସନିକ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରୁଥିବା ପ୍ରଶାସନିକ ଅଧିକାରୀ, ପ୍ରତ୍ୟେକ ବର୍ଗକୁ ବିକାଶ ସହ ଯୋଡ଼ିବା ଲାଗି କାର୍ଯ୍ୟରତ ଆମର ସାମାଜିକ କର୍ମୀ, ଭାରତୀୟ ସମାଜରେ ଆଧ୍ୟାତ୍ମିକ ପ୍ରବାହକୁ ବଜାୟ ରଖୁଥିବା ସବୁ ସମ୍ପ୍ରଦାୟର ଆଚାର୍ଯ୍ୟ ଏବଂ ଗୁରୁଜନ, ଆପଣମାନେ ସମସ୍ତେ ମୋତେ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଲାଗି ଭରପୂର ସହଯୋଗ ଦେଇଛନ୍ତି । ସଂକ୍ଷେପରେ କହିଲେ ସମାଜର ସବୁ ବର୍ଗ ଠାରୁ ମୋତେ ସମ୍ପୂର୍ଣ୍ଣ ସହଯୋଗ, ସମର୍ଥନ ଏବଂ ଆଶୀର୍ବାଦ ମିଳିଛି ।
  3. ମୋର ମନ-ମସ୍ତିଷ୍କରେ ସେ ସବୁ କ୍ଷଣ ବିଶେଷ ଭାବେ ଆଙ୍କି ହୋଇ ରହିବ ଯେତେବେଳେ ମୁଁ ମୋ ସେନା, ଅର୍ଦ୍ଧସାମରିକ ବାହିନୀ, ତଥା ପୁଲିସର ସାହସୀ ଯବାନଙ୍କୁ ଭେଟିଥିଲି । ସେମାନଙ୍କ ମଧ୍ୟରେ ଦେଶପ୍ରେମର ଅଦ୍ଭୂତ ଭାବନା ଦେଖିବାକୁ ମିଳିଥାଏ । ନିଜ ବିଦେଶ ଯାତ୍ରା ସମୟରେ, ଯେତେବେଳେ ବି ପ୍ରବାସୀ ଭାରତୀୟଙ୍କୁ ମୁଁ ଭେଟିଛି, ପ୍ରତ୍ୟେକ ଥର ମୋତେ ମାତୃଭୂମି ପ୍ରତି ସେମାନଙ୍କ ଗଭୀର ସ୍ନେହ ଏବଂ ଆପଣାପଣ ଅନୁଭୂତ ହୋଇଛି । ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ସମାରୋହ ସମୟରେ, ମୋତେ ଅନେକ ଅସାଧାରଣ ପ୍ରତିଭାଙ୍କ ସହ ଭେଟିବା ଲାଗି ସୁଯୋଗ ମିଳିଲା । ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସମର୍ପଣ, ପରିଶ୍ରମ ଏବଂ ଦୃଢ଼ ନିଷ୍ଠା ସହିତ ଏକ ଉନ୍ନତ ଭାରତ ନିର୍ମାଣରେ ସକ୍ରିୟ ରହିଛନ୍ତି ।
  4. ଏହିପରି ଭାବେ, ଅନେକ ଦେଶବାସୀଙ୍କୁ ଭେଟିବା ପରେ ମୋ ମନରେ ବିଶ୍ବାସ ଆହୁରି ସୁଦୃଢ଼ ହୋଇଥିଲା ଯେ ଆମ ନିଷ୍ଠାବାନ ନାଗରିକମାନେ ହିଁ ବାସ୍ତବରେ ରାଷ୍ଟ୍ର-ନିର୍ମାତା ଅଟନ୍ତି । ସେମାନେ ସମସ୍ତେ ଭାରତକୁ ଉନ୍ନତ କରିବା ଲାଗି ପ୍ରୟାସରତ ଅଛନ୍ତି । ଏପରି ସବୁ ନିଷ୍ଠାବାନ ଦେଶବାସୀଙ୍କ ହାତରେ ଆମ ମହାନ ଦେଶର ଭବିଷ୍ୟତ ସୁରକ୍ଷିତ ରହିଛି ।

ପ୍ରିୟ ଦେଶବାସୀ

  1. ନିଜର ଏହି ଅନୁଭୂତିକୁ ରୋମନ୍ଥନ କରୁଥିବା ସମୟରେ ପ୍ରାୟତଃ ମୋତେ ମୋ ପିଲା ଦିନ ମନେ ପଡ଼ିଥାଏ । ଗୁରୁତ୍ବପୂର୍ଣ୍ଣ ଐତିହାସିକ ଘଟଣା ଆମ ବ୍ୟକ୍ତିଗତ ଜୀବନକୁ କିଭଳି ପ୍ରଭାବିତ କରିଥାଏ ସେ ସ୍ମୃତି ଜୀବନ୍ତ ହୋଇଉଠେ ।
  2. ମୋର ଛୋଟ ଗାଁରେ ଯେତେବେଳେ, ଜଣେ ସାଧାରଣ ବାଳକର ଦୃଷ୍ଟିରେ ମୁଁ ମୋ ଜୀବନକୁ ବୁଝିବା ଲାଗି ଚେଷ୍ଟା କରୁଥିଲି, ସେତେବେଳେ ଦେଶକୁ ସ୍ବାଧୀନତା ମିଳିବାର ମାତ୍ର କିଛି ବର୍ଷ ହୋଇଥିଲା । ଦେଶର ପୁନଃନିର୍ମାଣ ପାଇଁ ଲୋକମାନଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଦେଖିବାକୁ ମିଳୁଥିଲା । ସେମାନଙ୍କ ଆଖିରେ ନୂଆ ସ୍ବପ୍ନ ଥିଲା । ମୋର ମନ-ମସ୍ତିଷ୍କରେ ମଧ୍ୟ ଏକ ଅସ୍ପଷ୍ଟ ପରିକଳ୍ପନା ଉଙ୍କି ମାରୁଥିଲା ଯେ, ମୁଁ ବି ଦିନେ ମୋ ଦେଶ ନିର୍ମାଣରେ ଯୋଗଦାନ କରିପାରିବି । କଚ୍ଚା ଘରେ ଚଳୁଥିବା ଏକ ପରିବାରରେ ମୋ ଭଳି ସାଧାରଣ ବାଳକ ପାଇଁ ଆମ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ବିଷୟରେ ସୂଚନା ପାଇବା ଲାଗି କଳ୍ପନା କରିବା କଷ୍ଟକର ଥିଲା । କିନ୍ତୁ ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଯେ ଏଥିରେ ପ୍ରତ୍ୟେକ ନାଗରିକ ପାଇଁ ଏପରି ମାର୍ଗ ପ୍ରଶସ୍ତ ହୋଇଛି ଯାହା ଉପରେ ଚାଲି ସେ ଦେଶର ଭାଗ୍ୟ ଗଢ଼ିବାରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରିବ । କାନପୁର ଦେହାତ ଜିଲ୍ଲାର ପରୌଁଖ ଗାଁର ଅତି ସାଧାରଣ ପରିବାରରେ ବଡ଼ ହୋଇଥିବା ସେହି ରାମନାଥ କୋବିନ୍ଦ ଆଜି ଆପଣମାନଙ୍କୁ, ସବୁ ଦେଶବାସୀଙ୍କୁ ଉଦବୋଧନ ଦେଉଛି, ଏଥିପାଇଁ ମୁଁ ମୋ ଦେଶର ଜୀବନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାର ଶକ୍ତିକୁ ଶତପ୍ରଣାମ କରୁଅଛି ।
  3. ଯେହେତୁ ମୁଁ ନିଜ ଗାଁ ବିଷୟରେ ଉଲ୍ଲେଖ କରିଛି, ତେଣୁ ମୁଁ ଏ କଥା ମଧ୍ୟ ଉଲ୍ଲେଖ କରିବାକୁ ଚାହିଁବି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟରେ ନିଜ ପୈତୃକ ଗାଁ ଗସ୍ତ କରିବା ଏବଂ ନିଜ କାନପୁର ବିଦ୍ୟାଳୟରେ ବୟୋବୃଦ୍ଧ ଶିକ୍ଷକମାନଙ୍କ ପାଦ ଛୁଇଁ ଆଶୀର୍ବାଦ ଦେବା ମୋ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତରେ ସବୁବେଳେ ସାମିଲ ହୋଇ ରହିବ । ଚଳିତ ବର୍ଷ ମାନନୀୟ ପ୍ରଧାନମନ୍ତ୍ରୀ ଆମ ଗାଁ ପରୌଁଖ ଆସିଥିଲେ ଏବଂ ସେ ମୋ ଗାଁ ମାଟିର ମାନ ବଢ଼ାଇଥିଲେ । ନିଜର ମୂଳଦୁଆ ସହ ଯୋଡ଼ି ହୋଇ ରହିବା ଭାରତୀୟ ସଂସ୍କୃତିର ବିଶେଷତ୍ବ । ମୁଁ ଯୁବପିଢ଼ିଙ୍କୁ ଏହି ଅନୁରୋଧ କରିବି ଯେ ନିଜ ଗାଁ କିମ୍ବା ନଗର ତଥା ନିଜ ବିଦ୍ୟାଳୟ ତଥା ଶିକ୍ଷକମାନଙ୍କ ସହ ଯୋଡ଼ି ହୋଇ ରହିବାର ଏ ପରମ୍ପରାକୁ ସେମାନେ ଆଗେଇ ନେଇ ଚାଲନ୍ତୁ ।

ପ୍ରିୟ ଦେଶବାସୀ,

  1. ଏବେ ସବୁ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଆସନ୍ତା ମାସ ଆମେ ସମସ୍ତେ ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ । ଆମେ ୨୫ ବର୍ଷର ଅବଧିର ସେହି ‘ଅମୃତ କାଳ’ରେ ପ୍ରବେଶ କରିବା, ଯାହାକି ସ୍ବାଧୀନତାର ଶତାବ୍ଦୀ ବର୍ଷ ଅର୍ଥାତ୍‌ ୨୦୪୭ରେ ସମ୍ପୂର୍ଣ୍ଣ ହେବ । ଏହି ବିଶେଷ ଐତିହାସିକ ବର୍ଷ ଆମ ଗଣତନ୍ତ୍ରର ପ୍ରଗତି-ପଥରେ ମାଇଲ ଖୁଣ୍ଟ ଭଳି । ଆମ ଗଣତନ୍ତ୍ରର ଏହି ବିକାଶ ଯାତ୍ରା, ଦେଶର ସ୍ବର୍ଣ୍ଣିମ ସମ୍ଭାବନାକୁ କାର୍ଯ୍ୟରୂପ ଦେଇ ବିଶ୍ବ ସମୁଦାୟ ଆଗରେ ଏକ ଶ୍ରେଷ୍ଠ ଭାରତକୁ ଉପସ୍ଥାପନ କରିବାର ଏକ ଯାତ୍ରା ।
  2. ଆଧୁନିକ କାଳରେ, ଆମ ଦେଶର ଏହି ଗୌରବ ଯାତ୍ରାର ଆରମ୍ଭ ବ୍ରିଟିଶ ଶାସନ ସମୟରେ ରାଷ୍ଟ୍ରବାଦୀ ଭାବନାର ଜାଗରଣ ଏବଂ ସ୍ବାଧୀନତା ସଂଗ୍ରାମ ସହିତ ହୋଇଥିଲା । ଉନବିଂଶ ଶତାବ୍ଦୀରେ ସାରା ଦେଶରେ ପରାଧିନତା ବିରୋଧରେ ଅନେକ ବିଦ୍ରୋହ ହୋଇଥିଲା । ଦେଶବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରୁଥିବା ଏପରି ବିଦ୍ରୋହର ଅଧିକାଂଶ ନାୟକମାନଙ୍କ ନାମକୁ ଲୋକମାନେ ଭୁଲି ଯାଇଥିଲେ । ଏବେ ସେମାନଙ୍କର ବୀର-ଗାଧାକୁ ଆଦରପୂର୍ବକ ସ୍ମରଣ କରାଯାଉଛି । ଉନବିଂଶ ଶତାବ୍ଦୀର ଶେଷ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ବର୍ଷରେ ନବୀନ ଜନ-ଚେନନାର ସଞ୍ଚାର ହେଉଛି । ସ୍ବାଧୀନତା ସଂଗ୍ରାମରେ ଅନେକ ଧାରା ପ୍ରବାହିତ ହେଉଥିଲା।
  3. ୧୯୧୫ ମସିହାରେ ଯେତେବେଳେ ଗାନ୍ଧୀଜୀ ସ୍ବଦେଶ ଫେରିଲେ, ସେତେବେଳେ ଦେଶରେ ରାଷ୍ଟ୍ରୀୟତା ଭାବନା ଆହୁରି ପ୍ରଖର ହେଉଥିଲା । ଅନେକ ମହାନ ଜନନାୟକଙ୍କ ଉଜ୍ଜ୍ବଳ ଆକାଶ-ଗଙ୍ଗା ଭଳି ପ୍ରକାଶ ଆମ ଦେଶକୁ ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶକରେ ପ୍ରାପ୍ତ ହେଲା, ଏହା ବିଶ୍ବ ଇତିହାସରେ ଅତୁଳନୀୟ ଥିଲା । ଯେଉଁଠି ଗୋଟିଏ ପଟେ ଆଧୁନିକ ଯୁଗର ଜଣେ ‘ଋଷି’ଙ୍କ ଭଳି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ଆମ ସାଂସ୍କୃତିକ ଐତିହ୍ୟ ବଳରେ ଦେଶବାସୀଙ୍କୁ ପୁଣିଥରେ ଯୋଡ଼ୁଥିଲେ, ଅନ୍ୟପଟେ ବାବାସାହେବ ଭୀମରାଓ ଆମ୍ବେଦକର ସମାନତାର ଆଦର୍ଶ ପାଇଁ ଏପରି ତର୍କ ରଖିଥିଲେ ଯାହା ଅଧିକାଂଶ ବିକଶିତ ଦେଶରେ ମଧ୍ୟ  ଦେଖିବାକୁ ମିଳିନଥିଲା । ତିଳକ ଓ ଗୋଖଲେଙ୍କ ଠାରୁ ଆରମ୍ଭ କରି ଭଗତ ସିଂ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପର୍ଯ୍ୟନ୍ତ; ଜବାହରଲାଲ ନେହରୁ, ସର୍ଦ୍ଦାର ପଟେ ଏବଂ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଠାରୁ ଆରମ୍ଭ କରି ସରୋଜିନୀ ନାଇଡ଼ୁ ଏବଂ କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ପର୍ଯ୍ୟନ୍ତ – ଏପରି ଅନେକ ମହାପୁରୁଷ କେବଳ ଗୋଟିଏ ଲକ୍ଷ୍ୟ ପାଇଁ ତତ୍ପର ହେବା, ମାନବତାର ଇତିହାସରେ ଅନ୍ୟତ୍ର ଦେଖିବାକୁ ମିଳିନାହିଁ ।
  4. ମୋ ମସ୍ତିଷ୍କରେ ଆହୁରି ଅନେକ ମହାପୁରୁଷଙ୍କ ନାଁ ଉଙ୍କି ମାରୁଛି, କିନ୍ତୁ ମୋ କହିବାର ତାତ୍ପର୍ଯ୍ୟ ହେଉଛି ସ୍ବାଧୀନ ଭାରତର ବିଭିନ୍ନ ପରିକଳ୍ପନାରେ ସମ୍ପନ୍ନ ଅନେକ ମହାନ ନେତାମାନେ ଭାରତର  ସ୍ବାଧୀନତା ପାଇଁ ତ୍ୟାଗ ଓ ବଳିଦାନର ଅଦ୍ଭୂତ ଉଦାହରଣ ପ୍ରସ୍ତୁତ କରିଯାଇଛନ୍ତି । ଏଥିରେ ଆଦୌ ସନ୍ଦେହ ନାହିଁ ଯେ ସ୍ବାଧୀନତା ସଂଗ୍ରାମ ଉପରେ ଗାନ୍ଧୀଜୀଙ୍କ ପରିବର୍ତ୍ତନକାରୀ ବିଚାରର ପ୍ରଭାବ ସବୁଠୁ ଅଧିକ ପଡ଼ିଥିଲା ଏବଂ ଏହି ସମୟରେ ସେ କୋଟି କୋଟି ଦେଶବାସୀଙ୍କ ଜୀବନଧାରାକୁ ନୂଆ ମାର୍ଗ ଦେଖାଇଥିଲେ ।

ପ୍ରିୟ ଭାଇ ଓ ଭଉଣୀମାନେ

  1. ଗଣତନ୍ତ୍ରର ଯେଉଁ ମାର୍ଗରେ ଆମେ ଆଜି ଆଗକୁ ବଢ଼ୁଛୁ ତାହାର ରୂପ-ରେଖ ଆମ ସମ୍ବିଧାନ ସଭା ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଏହି ସଭାରେ ସାରା ଦେଶରୁ ପ୍ରତିନିଧିତ୍ବ କରୁଥିବା ଅନେକ ମହାନୁଭବମାନଙ୍କ ମଧ୍ୟରେ ହଂସାବେନ ମେହତା, ଦୁର୍ଗାବାଈ ଦେଶମୁଖ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଳିନୀଙ୍କ ସମେତ ୧୫ ଜଣ ମହିଳା ସାମିଲ ଥିଲେ । ସମ୍ବିଧାନ ସଭାର ସଦସ୍ୟମାନଙ୍କ ଅମୂଲ୍ୟ ଯୋଗଦାନରେ ନିର୍ମିତ ଭାରତର ସମ୍ବିଧାନ, ଆମ ପ୍ରକାଶ-ସ୍ତମ୍ଭ ହୋଇ ରହିଛି ଏବଂ ଏଥିରେ ନିହୀତ ଆଦର୍ଶ, ଚିରକାଳରୁ ସଂରକ୍ଷିତ ଭାରତୀୟ ଜୀବନ-ମୂଲ୍ୟର ଅଂଶବିଶେଷ ହୋଇ ରହିଛି ।
  2. ସମ୍ବିଧାନକୁ ଅଙ୍ଗୀକୃତ କରାଯିବା ସହିତ ଗୋଟିଏ ଦିନ ପୂର୍ବରୁ ସମ୍ବିଧାନ ସଭାରେ ନିଜର ସମାପନ ବକ୍ତବ୍ୟରେ, ଡକ୍ଟର ଆମ୍ବେଦକର ଗଣତନ୍ତ୍ରର ସାମାଜିକ ଏବଂ ରାଜନୈତିକ ଦିଗ ମଧ୍ୟରେ ରହିଥିବା ଫରକକୁ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ ଆମେ କେବଳ ରାଜନୈତିକ ଗଣତନ୍ତ୍ରକୁ ନେଇ ସନ୍ତୁଷ୍ଟ ହେବା ଉଚିତ୍‌ ନୁହେଁ । ମୁଁ ତାଙ୍କର ଉକ୍ତିକୁ ଆଜି ଆପଣମାନଙ୍କ ଆଗରେ ବ୍ୟକ୍ତ କରିବା ଲାଗି ଚାହୁଁଛି । ସେ କହିଥିଲେ, ‘‘ଆମେ ଆମ ରାଜନୈତିକ ଗଣତନ୍ତ୍ରକୁ ଏକ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଉଚିତ୍‌ । ସାମାଜିକ ଗଣତନ୍ତ୍ର ଉପରେ ଆଧାରିତ ନହେଲେ ରାଜନୈତିକ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ । ସାମାଜିକ ଗଣତନ୍ତ୍ରର ଅର୍ଥ କ’ଣ? ଏହାର ଅର୍ଥ ହେଉଛି ଜୀବନର ସେହି ପଦ୍ଧତି ଯାହା ସ୍ବାଧୀନତା, ସମାନତା ଏବଂ ବନ୍ଧୁତାକୁ ଜୀବନର ସିଦ୍ଧାନ୍ତ ରୂପେ ମାନ୍ୟତା ଦେଇଥାଏ । ସ୍ବାଧୀନତା, ସମାନତା ଏବଂ ବନ୍ଧୁତାର ଏହି ସିଦ୍ଧାନ୍ତକୁ ଏକ ତ୍ରିମୂର୍ତ୍ତିର ଭିନ୍ନ ଭିନ୍ନ ଭାଗ ରୂପରେ ଦେଖିବା ଉଚିତ୍‌ ନୁହେଁ । ଏମାନଙ୍କ ତ୍ରିମୂର୍ତ୍ତିର ବାସ୍ତବ ଅର୍ଥ ହେଉଛି, ଏଥିମଧ୍ୟରୁ କୌଣସି ଗୋଟିଏ ଭାଗକୁ ପରସ୍ପର ଠାରୁ ଅଲଗା କଲେ ଗଣତନ୍ତ୍ରର ବାସ୍ତବିକ ଉଦ୍ଦେଶ୍ୟ ସମାପ୍ତ ହୋଇଯାଏ।’’

ପ୍ରିୟ ଦେଶବାସୀ,

  1. ଜୀବନ-ମୂଲ୍ୟର ଏହି ତ୍ରିମୂର୍ତ୍ତି ଆଦର୍ଶ-ଯୁକ୍ତ, ଉଦାରତା-ପୂର୍ଣ୍ଣ ଏବଂ ପ୍ରେରଣାଦାୟକ ଅଟେ । ଏହି ତ୍ରିମୂର୍ତ୍ତିକୁ ଅମୂର୍ତ୍ତ ଅବଧାରଣା ବୋଲି ଭାବିନେବା ଭୁଲ ହେବ । କେବଳ ଆଧୁନିକ ନୁହେଁ ବରଂ ଆମ ପ୍ରାଚୀନ ଇତିହାସ ମଧ୍ୟ ଏହି କଥାର ସାକ୍ଷୀ ରହିଛି ଯେ ଏହି ତିନୋଟି ଜୀବନ-ମୂଲ୍ୟ ଆମ ଜୀବନର ସତ୍ୟତା ଅଟେ; ଏଗୁଡ଼ିକୁ ହାସଲ କରାଯାଇପାରିବ, ଏବଂ ବସ୍ତୁତଃ ଏସବୁ ବିଭିନ୍ନ ଯୁଗରେ ହାସଲ ମଧ୍ୟ କରାଯାଇଛି । ଆମର ପୂର୍ବଜ ଏବଂ ଆମର ଆଧୁନିକ ରାଷ୍ଟ୍ରନିର୍ମାତାମାନେ ନିଜର କଠିନ ପରିଶ୍ରମ ଏବଂ ସେବା ଭାବନା ଦ୍ବାରା ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ବନ୍ଧୁତାର ଆଦର୍ଶକୁ ଚରିତାର୍ଥ କରିଥିଲେ । ଆମକୁ କେବଳ ସେମାନଙ୍କ ପଦଚିହ୍ନ ଉପରେ ଚାଲିବାକୁ ହେବ ଏବଂ ଆଗକୁ ବଢ଼ିବାକୁ ହେବ ।
  2. ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନର ସନ୍ଦର୍ଭରେ ଏକ ସାଧାରଣ ନାଗରିକ ପାଇଁ ଏପରି ଆଦର୍ଶଗୁଡ଼ିକର ଅର୍ଥ କ’ଣ? ମୁଁ ଭାବୁଛି ଯେ ସେସବୁ ଆଦର୍ଶର ପ୍ରମୁଖ ଲକ୍ଷ୍ୟ ସାଧାରଣ ବ୍ୟକ୍ତିଙ୍କ ପାଇଁ ସୁଖମୟ ଜୀବନ ମାର୍ଗ ପ୍ରଶସ୍ତ କରିବା । ଏଥିପାଇଁ, ସର୍ବପ୍ରଥମେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରାଯିବା ଉଚିତ୍‌ । ଏବେ ସମ୍ବଳର ଅଭାବ ନାହିଁ । ପ୍ରତ୍ୟେକ ପରିବାର ନିକଟରେ ଭଲ ବାସଗୃହ, ପିଇବା ପାଣି ଏବଂ ବିଦ୍ୟୁତ ସୁବିଧା ଯେପରି ଉପଲବ୍ଧ ହୋଇପାରିବ – ସେ ଦିଗରେ ଆମେ କାମ କରୁଛୁ । ଏ ପରିବର୍ତ୍ତନ, ଦ୍ରୁତ ବିକାଶ ଏବଂ ସମ୍ପୂର୍ଣ୍ଣ ଭେଦଭାବ ମୁକ୍ତ ସୁଶାସନ ଦ୍ବାରା ସମ୍ଭବ ହୋଇପାରିଛି ।
  3. ମୌଳିକ ଆବଶ୍ୟକତାକୁ ଉପଲବ୍ଧ କରାଇବା ପରେ, ଏହା ସୁନିଶ୍ଚିତ କରିବା ଉଚିତ୍‌ ଯେ ପ୍ରତ୍ୟେକ ନାଗରିକ ଯେପରି ଭାବେ ନିଜ କ୍ଷମତାର ଉପଯୋଗ କରି ଖୁସିର ସୁଯୋଗ ଖୋଜି ପାରିବ ଏବଂ ନିଜର ନିତାନ୍ତ ବ୍ୟକ୍ତିଗତ ଗୁଣର ସମୁଚିତ ଉପଯୋଗ କରି ନିଜର ଭାଗ୍ୟ ନିର୍ମାଣ କରିବ । ଏ ଦିଗରେ ଆଗକୁ ବଢ଼ିବା ଲାଗି ଶିକ୍ଷା ହିଁ ଏକ ମୁଖ୍ୟ ସାଧନ । ମୁଁ ଭାବୁଛି ଯେ ‘ଜାତୀୟ ଶିକ୍ଷା ନୀତି’ ଯୁବ ଭାରତୀୟଙ୍କ ପାଇଁ ନିଜ ପରମ୍ପରା ସହ ଯୋଡ଼ି ହେବା ଏବଂ ଏକବିଂଶ ଶତାବ୍ଦୀରେ ନିଜ ପଦ ପ୍ରସାରିତ କରିବାରେ ବେଶ ସହାୟକ ସାବ୍ୟସ୍ତ ହୋଇପାରିବ । ସେମାନଙ୍କର ବିକାଶମାନ ଭବିଷ୍ୟତ ପାଇଁ ଭଲ ସ୍ବାସ୍ଥ୍ୟ ସେବା ଜରୁରି ଅଟେ । କୋଭିଡ ବିଶ୍ବ ମହାମାରୀ ସାର୍ବଜନୀନ ସ୍ବାସ୍ଥ୍ୟ ସେବାର ମୌଳିକ ଭିତ୍ତିଭୂମିରେ ଆହୁରି ଅଧିକ ସୁଧାର ଆବଶ୍ୟକତାକୁ ରେଖାଙ୍କିତ କରିଛି । ଖୁସିର କଥା ଯେ ସରକାର ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଲାଭ ଉଠାଇ ଆମ ଦେଶବାସୀ ସକ୍ଷମ ହୋଇପାରିବେ ଏବଂ ଆର୍ଥିକ ସୁଧାରର ଲାଭ ଉଠାଇ ନିଜ ଜୀବନ ନିର୍ମାଣ ପାଇଁ ସର୍ବୋତ୍ତମ ମାର୍ଗ ଆପଣାଇପାରିବେ । ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବା ଲାଗି ଆମ ଦେଶ ସକ୍ଷମ ହେଉଛି, ଏହା ମୋର ଦୃଢ଼ ବିଶ୍ବାସ ।

ପ୍ରିୟ ଦେଶବାସୀ

  1. ନିଜ କାର୍ଯ୍ୟକାଳର ପାଞ୍ଚ ବର୍ଷ ସମୟରେ ମୁଁ ନିଜର ସମ୍ପୂର୍ଣ୍ଣ ଯୋଗ୍ୟତା ବଳରେ ନିଜ ଦାୟିତ୍ବ ନିର୍ବାହ କରିଛି । ମୁଁ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଏସ. ରାଧାକୃଷ୍ଣନ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ମହାପୁରୁଷଙ୍କ ଉତ୍ତରାଧିକାରୀ ହୋଇଥିବା ଦୃଷ୍ଟିରୁ ଅତ୍ୟନ୍ତ ସଚେତନ ରହିଥିଲି । ଯେତେବେଳେ ମୁଁ ରାଷ୍ଟ୍ରପତି ଭବନରେ ପ୍ରବେଶ କରି, ସେତେବେଳେ ମୋର ତତ୍କାଳୀନ ପୂର୍ବସୂରୀ, ଶ୍ରୀ ପ୍ରଣବ ମୁଖାର୍ଜୀ ମଧ୍ୟ ମୋ କର୍ତ୍ତବ୍ୟ ବିଷୟରେ ମୋତେ ବୁଦ୍ଧିମତ୍ତାପୂର୍ଣ୍ଣ ପରାମର୍ଶ ଦେଇଥିଲେ । ତଥାପି, ଯେତେବେଳେ ମୋ ମନରେ କୌଣସି ପ୍ରକାର ସଂଶୟ ଉତ୍ପନ୍ନ ହେଲା, ସେତେବେଳେ ମୁଁ ଗାନ୍ଧୀଜୀଙ୍କର ଏବଂ ତାଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିବା ମୂଳ-ମନ୍ତ୍ରର ସାହାରା ନେଇଥିଲି । ଗାନ୍ଧୀଜୀଙ୍କ ପରାମର୍ଶ ଅନୁଯାୟୀ ସବୁଠୁ ଭଲ ମାର୍ଗଦର୍ଶୀ ସିଦ୍ଧାନ୍ତ ଥିଲା ଯେ ଆମେ ସମସ୍ତେ ଗରିବ ବ୍ୟକ୍ତିର ମୁହଁକୁ ମନେ ପକାଇବା ଏବଂ ନିଜକୁ ଏହି ପ୍ରଶ୍ନ ପଚାରିବା ଯେ ଆମେ ଯେଉଁ ପଦକ୍ଷେପ ଗ୍ରହଣ କରୁଛୁ, ତାହା କ’ଣ ସେହି ଗରିବ ପାଇଁ ସହାୟକ ହେବ? ମୁଁ ଗାନ୍ଧୀଜୀଙ୍କ ଏହି ସିଦ୍ଧାନ୍ତ ଉପରେ ଅତୁଟ ବିଶ୍ବାସକୁ ଦୋହରାଇ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ପ୍ରତିଦିନ, କିଛି ମିନିଟ୍‌ ପାଇଁ ହେଉ ପଛେ, ଗାନ୍ଧୀଜୀଙ୍କ ଜୀବନ ଏବଂ ଶିକ୍ଷା ଉପରେ ନିଶ୍ଚିତ ଭାବେ ବିଚାର କରନ୍ତୁ ।

ପ୍ରିୟ ଦେଶବାସୀ

  1. ଆମ ସମସ୍ତଙ୍କ ପାଇଁ ମା’ ଭଳି ପୂଜନୀୟା ପ୍ରକୃତି, ଗଭୀର ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛି । ଜଳବାୟୁ ପରିବର୍ତ୍ତନର ସଙ୍କଟ ଆମ ପୃଥିବୀର ଭବିଷ୍ୟତ ପାଇଁ ଗମ୍ଭୀର ବିପଦ ସାଜିଛି । ଆମେ ଆମ ପିଲାମାନଙ୍କ ପାଇଁ ନିଜର ପରିବେଶ, ଆମ ଭୂମି, ବାୟୁ ଏବଂ ପାଣିକୁ ସଂରକ୍ଷିତ କରି ରଖିବା ଆବଶ୍ୟକ । ନିଜର ଦିନଚର୍ଯ୍ୟାରେ ତଥା ଦୈନନ୍ଦିନ ଜୀବନରେ ବିଭିନ୍ନ ଜିନିଷ ବ୍ୟବହାର କରିବା ସମୟରେ ଆମକୁ ଆମ ବୃକ୍ଷ, ନଦୀ, ସମୁଦ୍ର ଏବଂ ପାହାଡ଼ ସହିତ ଅନ୍ୟ ସବୁ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଅତ୍ୟନ୍ତ ସତର୍କ ରହିବାର ଆବଶ୍ୟକତା ରହିଛି । ପ୍ରଥମ ନାଗରିକ ଭାବେ, ଯଦି ନିଜ ଦେଶବାସୀଙ୍କୁ ମୋର ଗୋଟିଏ ପରାମର୍ଶ ଦେବାର ଥାଏ, ତା’ହେଲେ ମୁଁ ଏହି ପରାମର୍ଶ ହିଁ  ଦେବି ।
  2. ନିଜ ବକ୍ତବ୍ୟକୁ ସମାପ୍ତ କରି ମୁଁ ପୁଣିଥରେ ସବୁ ଦେଶବାସୀଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି । ଭାରତ ମାତାକୁ ସାଦର ପ୍ରମାଣ କରି ମୁଁ ଆପଣମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରୁଛି ।

ଧନ୍ୟବାଦ,

ଜୟ ହିନ୍ଦ!

 

********

P.S.

 


(Release ID: 1844486) Visitor Counter : 195