ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ(ଏନ୍‌ଏଚ୍‌ଏ)ର ଘୋଷଣା


ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଏଚଏଫ୍‌ଆର୍‌ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟସେବା କେନ୍ଦ୍ର ସଂଯୁକ୍ତ

Posted On: 06 JUL 2022 5:05PM by PIB Bhubaneshwar

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍‌)ଅନ୍ତର୍ଗତ ହେଲ୍‌ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ(ଏଚଏଫ୍‌ଆର୍‌)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର( ହେଲଥ୍ କେୟାର ଫ୍ୟାସିଲିଟି) ସଫଳତାର ସହ ସଂଯୁକ୍ତ ହୋଇଛି । ଏହି ଐତିହାସିକ ସଫଳତା ଦେଶରେ ଡିଜିଟାଲ ହେଲ୍‌ଥ ପ୍ଲାଟଫର୍ମ ଓ ସେବାକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ନେଶନାଲ ହେଲଥ ଅଥରିଟି (ଏନଏଚ୍‌ଏ)ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି । 

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ । ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫ୍ୟାସିଲିଟି ରେଜିଷ୍ଟ୍ରୀ ବା ଏଚଏଫ୍‌ଆର୍ ତିଆରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ସେଗୁଡିକୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡା ଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ହସ୍‌ପିଟାଲ, କ୍ଲିନକ୍‌, ଡାଇଗ୍ନୋଷ୍ଟିକ କେନ୍ଦ୍ର ଓ ଇମେଜିଂ ସେଣ୍ଟ ଆଦି ଅନ୍ତର୍ଭୁକ୍ତ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶରେ ଏକ ପୂର୍ଣ୍ଣାଙ୍ଗ ଅନ୍‌ଲାଇନ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟରେ କାମ କରୁଛି । ଏହି ପ୍ଳାଟଫର୍ମରେ ସମସ୍ତ ତଥ୍ୟ ଯେପରି ନିର୍ବିଘ୍ନରେ ଜନସାଧାରଣ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃକ୍ରିୟା (ଇଣ୍ଟର ଅପରେବିଲିଟି)କୁ ସହଜ ଓ ସୁଗମ କରିବ । ଏଥିପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବିଲ୍‌ଡିଂ ବ୍ଲକ ଓ ଇଣ୍ଟରଅପରେବଲ ଏପିଆଇଜ୍ (ଆପ୍ଲିକେସନ ପ୍ରୋଗାମିଂ ଇଣ୍ଟରଫ୍ରେସ)ବିକଶିତ କରିଛି । ଏହା ମାଧ୍ୟମରେ ଡିଜିଟାଲ ସ୍ୱାସ୍ଥ୍ୟସେବା ଓ ଯତ୍ନ ସଂକ୍ରାନ୍ତ ଅନୁଭୂତି ଓ ଉପଲବ୍ଧି ସବୁ ସମ୍ପୃକ୍ତ ପକ୍ଷଙ୍କୁ ସହଜରେ ଯୋଗାଇ ଦେଇ ହେବ । ଏହା ମାଧ୍ୟମରେ ଚିକିତ୍ସା ସୁବିଧା, ଚିକିତ୍ସା କେନ୍ଦ୍ର, ରୋଗୀ ଓ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ବିଷୟରେ ସବିଶେଷ ତଥ୍ୟ ସହଜରେ ମିଳିପାରିବ । ଯେଉଁ ଟେକ୍‌ନିକାଲ ବିଲ୍‌ଡିଂ ବ୍ଲକ ସବୁ ତିଆରି ହେଊଛି ସେଥିମଧ୍ୟରୁ ଅନ୍ୟତମ ହେଲା ହେଲ୍‌ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ । 

ଏଚ୍‌ଏଫ୍‌ଆର୍‌ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଏନ୍‌ଏଚଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି- “ଆମର ଲକ୍ଷ୍ୟ ହେଲା ଏକ ବିଶ୍ୱସନୀୟ ଜାତୀୟ ପ୍ଳାଟଫର୍ମ ତିଆରି କରିବା, ଯେଉଁଠୁ ରୋଗୀ ପଞ୍ଜୀକୃତ ଚିକିତ୍ସିକ, ଚିକିତ୍ସା ସୁବିଧା ଓ କେନ୍ଦ୍ର ସମ୍ପର୍କରେ ସମଗ୍ର ଦେଶରେ ଯେକୌଣସି ଅଞ୍ଚଳରୁ ସହଜରେ ସୂଚନା ପାଇପାରିବେ ।” 

 “ଏ କ୍ଷେତ୍ରରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନକାରୀ ଅନୁଷ୍ଠାନ/ ସଂସ୍ଥାଙ୍କଠାରୁ ଉତ୍ସାହଜନକ ସହଯୋଗ ପାଉଛୁ । ସେମାନେ ବିଶେଷ ଆଗ୍ରହର ସହିତ ଏଥିରେ ସାମିଲ ହେଉଛନ୍ତି । ଏହି ପ୍ରକ୍ରିୟାରେ ଅନେକ ସରକାରୀ ଓ ବେସରକାରୀ ଚିକିତ୍ସା ପ୍ରଦାନକାରୀ ସଂସ୍ଥା/ସଂଗଠନ ଜାତୀୟ ହେଲ୍‌ଥ ରେଜିଷ୍ଟ୍ରୀରେ ସାମିଲ ହୋଇଛନ୍ତି । ରୋଗୀ ସହଜରେ ଏବିଡିଏମ୍ ନେଟୱାର୍କକୁ ସର୍ଚ୍ଚ କରି ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ପ୍ରକାର ଚିକିତ୍ସା ସୁବିଧା ସମ୍ପର୍କରେ ତଥ୍ୟ ପାଇପାରିବେ । ଏସବୁ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାସବୁ ଏବିଡିଏମ୍ ସହିତ ସହବନ୍ଧିତ ଏବଂ ପଞ୍ଜୀକୃତ । ଏସବୁ କେନ୍ଦ୍ରରେ ଏଲୋପାଥି ଭଳି ଆଧୁନିକ ଚିକିତ୍ସାଠାରୁ ଆରମ୍ଭ କରି ଆୟୁର୍ବେଦ, ଦନ୍ତଚିକିତ୍ସା, ହୋମିଓପାଥି, ଫିଜିଓଥେରାପୀ, ୟୁନାନୀ, ସିଦ୍ଧ କିମ୍ବା ସୋୱା ରିଗ୍‌ପା ଭଳି ଚିକିତ୍ସା ସୁବିଧା ଏସବୁ ପଞ୍ଜୀକୃତ ଚିକିତ୍ସାଳୟ/ ହସ୍‌ପିଟାଲରେ ଉପଲବ୍ଧ ।” 

ସେ ଆହୁରି କହିଛନ୍ତି ଯେ ଆମେ ମଧ୍ୟ ରୋଗୀ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବିଶେଷଜ୍ଞ ଓ ପେସାଦାରଙ୍କ ପାଇଁ ରେଜିଷ୍ଟ୍ରୀରେ “ଆଭା” ନମ୍ବରର ବ୍ୟବସ୍ଥା କରିଛୁ । ରୋଗୀ ଏହି ନମ୍ବର ମାଧ୍ୟମରେ ଚିକିତ୍ସକ, ନର୍ସ ଓ ପାରାମେଡିକାଲ କର୍ମୀ ତଥା ପେସାଦାରଙ୍କ ସହିତ ଯୋଗାଯୋଗ କରିପାରିବେ । ଏହି ଜାତୀୟ ରେଜିଷ୍ଟ୍ରୀ ଦେଶରେ ଉନ୍ନତମାନର ଚିକିତ୍ସା ସୁବିଧା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ ବୋଲି ଡକ୍ଟର ଶର୍ମା କହିଛନ୍ତି ।

 ଏଚଏଫ୍‌ଆର୍‌ରେ ପଞ୍ଜୀକରଣ ଦ୍ୱାରା ସ୍ୱାସ୍ଥ୍ୟାସେବା ପ୍ରଦାନକାରୀ ହସ୍‌ପିଟାଲ ଓ କ୍ଲିନିକ ଆଦି ଏକ୍ ବିଶ୍ୱସନୀୟ ଜାତୀୟ ପ୍ଲାଟଫର୍ମରେ ସ୍ଥାନିତ ହେବାର ସୁଯୋଗ ପାଇବେ । ଏହା ମାଧ୍ୟମରେ ସେସବୁ ଏବିଡିଏମ୍ ଅନୁକୂଳ ସଫ୍ଟଓୟାର ସଲ୍ୟୁସନ୍ସ ସହିତ ସମ୍ପୃକ୍ତ ହୋଇ ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବେ । ଏହାଫଳରେ ଜନସାଧାରଣ ଭରସାଯୋଗ୍ୟ ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟ ସହଜରେ ପାଇପାରିବେ । ଏଥିପାଇଁ ଖୁବ୍ ଶୀଘ୍ର ଏକ ୟୁନିଫାଏଡ୍ ହେଲ୍‌ଥ ଇଣ୍ଟରଫେସ୍ ଆରମ୍ଭ ହେବ । ସମ୍ପୃକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା  https://facility.abdm.gov.in/ ୱେବସାଇଟ୍ କିମ୍ବା ହେଲଥ୍ ଟେକ୍ ପ୍ଲେୟାରଙ୍କ ଭଳି ବିଭିନ୍ନ ଇଣ୍ଟ୍ରିଗ୍ରେଟରଙ୍କ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ ।

 ଏଯାଏ ପଞ୍ଜୀକୃତ ଓ ପ୍ରମାଣିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/ସଂଗଠନ ମଧ୍ୟରୁ ୯୭% ସରକାରୀ କ୍ଷେତ୍ରର । ଏଥିରେ ସର୍ବାଧିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ସଂସ୍ଥା/ ସଂଗଠନ ରହିଛନ୍ତି । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏଡିଏମ୍ ପବ୍ଲିକ ଡ୍ୟାଶବୋର୍ଡ https:// dashboard.abdm.gov.in/abdm/ରୁ ମିଳିପାରିବ । ଏହି ଜାତୀୟ ସ୍ତରର ରେଜିଷ୍ଟ୍ରୀରୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ତଥ୍ୟ ଦୈନିକ, ମାସିକ ଓ ସାମଗ୍ରିକ ଧାରା ଅନୁସାରେ ମିଳିପାରିବ । ରେଜିଷ୍ଟ୍ରୀର ଅନ୍ତର୍ଭୁକ୍ତ ହୋଇଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ କେନ୍ଦ୍ରକୁ ଏକ ୟୁନିକ ଆଇଡେଣ୍ଟିଫାୟାର ପ୍ରଦାନ କରାଯାଇଛି । ଏହାକୁ ବ୍ୟବହାର କରି ଏବିଡିଏମ୍ ବ୍ୟବସ୍ଥାରେ ଥିବା ଦେଶର ସବୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/କେନ୍ଦ୍ରଙ୍କ ବିଷୟରେ ତଥ୍ୟ ଜାଣିହେବ ଏବଂ ସେସବୁର ଅବସ୍ଥିତି ସମ୍ପର୍କରେ ରୋଗୀ ସୂଚନା ପାଇପାରିବେ । ଏହି ୟୁନିକ୍ ଆଇଡେଣ୍ଟିଫାୟରକୁ ସମ୍ପୃକ୍ତ କେନ୍ଦ୍ର/ସଂସ୍ଥାର ସମ୍ମତିକ୍ରମେ ଅନ୍ୟମାନେ ବ୍ୟବହାର କରିପାରିବେ । କେଉଁଠି କି ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ତାହା ଏହା ଦ୍ୱାରା ସହଜରେ ଜାଣିହେବ । ଏବିଡିଏମ୍ ଅନୁକୂଳ ସଲ୍ୟୁସନ୍ସ ଏ ସଂକ୍ରାନ୍ତ ସମସ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ରୋଗୀ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଯୋଗାଇ ଦେବ । 

 

****

TKM/SLP



(Release ID: 1839704) Visitor Counter : 129