ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିକସ ବିଜନେସ ଫୋରମ ୨୦୨୨ର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2022 9:37PM by PIB Bhubaneswar

ମହାମହୀମ,

ବ୍ରିକସ ବ୍ୟବସାୟିକ ଉଦ୍ୟୋଗର ନେତୃବୃନ୍ଦ,

ନମସ୍କାର!

ବି୍ରକସର ସ୍ଥାପନ ଏହି ବିଶ୍ୱାସ ସହ ହୋଇଥିଲା ଯେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର ଏହା ସମୂହ ବୈଶ୍ୱିକ ଅଭିବୃଦ୍ଧି ଇଞ୍ଜିନ ଭାବେ ଉଭା ହୋଇପାରିବେ ।

ଆଜି ଯେବେ ପୂରା ବିଶ୍ୱ କୋଭିଡ ପରବର୍ତ୍ତୀ ସୁଧାର ଉପରେ ଗୁରୁତ୍ୱ ଦେଉଛି, ସେତେବେଳେ ବ୍ରିକସ ଦେଶଗୁଡ଼ିକର ଭୂମିକା ଆଉଥରେ ପୁଣି ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ ।

ବନ୍ଧୁଗଣ,

ମହାମାରୀରୁ ଉତ୍ପନ୍ନ ଆର୍ଥିକ ସମସ୍ୟାଗୁଡ଼ିକ ସହ ମୁକାବିଲା ପାଇଁ ଆମେ ଭାରତରେ ‘ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ’ର ମନ୍ତ୍ରକୁ ଆପଣାଇଥିଲୁ ।

ଏବଂ ଏହି ଆଭିମୁଖ୍ୟର ପରିଣାମ ଭାରତୀୟ ଅର୍ଥ ବ୍ୟବସ୍ଥାର କାର୍ଯ୍ୟଧାରାରୁ ସ୍ପଷ୍ଟ ହେଉଛି ।

ଏ ବର୍ଷ ଆମେ ୭.୫% ଅଭିବୃଦ୍ଧି ନେଇ ଆଶା କରୁଛୁ, ଯାହା ଆମକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଛି ।

ବିକାଶଶୀଳ ନୂଆ ଭାରତରେ ସବୁ କ୍ଷେତ୍ରରେ ଟ୍ରାନ୍ସଫର୍ମେଟିଭ ପରିବର୍ତ୍ତନ ହେବାରେ ଲାଗିଛି ।

ଆଜି ମୁଁ ୪ଟି ପ୍ରମୁଖ ପଦକ୍ଷେପ ଉପରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି ।

ପ୍ରଥମେ, ଭାରତର ବର୍ତ୍ତମାନ ଅର୍ଥନୈତିକ ସୁଧାରତାର ଏକ ପ୍ରମୁଖ ସ୍ତମ୍ଭ ପ୍ରଯୁକ୍ତି-କୈନ୍ଦି୍ରକ ଅଭିବୃଦ୍ଧି ହୋଇଛି ।

ଆମେ ସବୁ କ୍ଷେତ୍ରରେ ଅଭିନବକରଣକୁ ସମର୍ଥନ ଦେଉଛୁ ।

ଆମେ ମହାକାଶ, ନୀଳ ଅର୍ଥନୀତି, ସବୁଜ ଉଦଜାନ, ସ୍ୱଚ୍ଛ ଶକ୍ତି, ଡ୍ରୋନ, ଜିଓ-ସ୍ପାସିଆଲ, ଡାଟା, ଭଳି ଅନେକ କ୍ଷେତ୍ରରେ ଅଭିନବକରଣ-ଅନୁକୂଳ ନୀତି ପ୍ରସ୍ତୁତ କରିଛୁ ।

ଆଜି ଭାରତରେ ଅଭିନବକରଣ ପାଇଁ ବିଶ୍ୱରେ ସବୁଠୁ ଉତ୍ତମ ଇକୋ-ସିଷ୍ଟମ ରହିଛି, ଯାହା ଭାରତୀୟ ଷ୍ଟାର୍ଟଅପର ବର୍ଦ୍ଧିତ ସଂସ୍ଥ୍ୟାରେ ଦେଖାଯାଉଛି ।

ଭାରତର ୭୦,୦୦୦ରୁ ଅଧିକ ଷ୍ଟାର୍ଟଅପରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ରହିଛି, ଏବଂ ଏଗୁଡ଼ିକର ସଂଖ୍ୟା ନିରନ୍ତର ଭାବେ ବଢ଼ିବାରେ ଲାଗିଛି ।

ଦ୍ୱିତୀୟତଃ, ମହାମାରୀ ବେଳେ ମଧ୍ୟ ଭାରତ ‘ଇଜ ଅଫ ଡୁଇଙ୍ଗ ବିଜନେସ’କୁ ସୁଧାରିବା ପାଇଁ ଅନେକ ପ୍ରୟାସ ଜାରି ରଖିଛି ।

ବ୍ୟବସାୟରେ ଅନୁପାଳନ ବୋଝ କମ୍ କରିବା ପାଇଁ ହଜାର ହଜାର ନିୟମରେ ସଂଶୋଧନ ଅଣାଯାଇଛି ।

ସରକାରୀ ନୀତି ଓ ପଦ୍ଧତିରେ ଅଧିକ ପାରଦର୍ଶିତା ଏବଂ ସ୍ଥିରତା ଆଣିବା ପାଇଁ ବଡ଼ ଧରଣର କାମ ଜାରି ରହିଛି ।

ତୃତୀୟତଃ,

ଭାରତରେ ଭିତ୍ତିଭୂମିକୁ ବ୍ୟାପକ ସ୍ତରରେ ସୁଧାର ବି କରାଯାଉଛି ଏବଂ ତାହାର ସମ୍ପ୍ରସାରଣ ମଧ୍ୟ ହେଉଛି । ଏଥିପାଇଁ ଭାରତ ଏକ ଜାତୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ।

ଏବଂ ଆମର ଜାତୀୟ ଭିତ୍ତିଭୂମି ପାଇପଲାଇନ ଆଧାରରେ ୧.୫ ଟ୍ରିଲିୟନ ଡଲାର ନିବେଶ ସୁଯୋଗ ରହିଛି ।

ଏବଂ ଚତୁର୍ଥରେ,

ଭାରତରେ ଆଜି ଯେଉଁଭଳି ଡିଜିଟାଲ ପରିବର୍ତ୍ତନ ହେଉଛି, ଏହା ବିଶ୍ୱରେ ପ୍ରଥମେ କଦାପି ଦେଖିବାକୁ ମିଳି ନଥିଲା ।

୨୦୨୫ ସୁଦ୍ଧା ଭାରତୀୟ ଡିଜିଟାଲ ଅର୍ଥନୀତିର ମୂଲ୍ୟ ୧ ଟି୍ରଲିୟନ ଡଲାରରେ ପହଞ୍ଚିଯିବ ।

ଡିଜିଟାଲ କ୍ଷେତ୍ରର ଅଭିବୃଦ୍ଧି ଦ୍ୱାରା ମହିଳାମାନଙ୍କ ଭାଗୀଦାରିକୁ ପ୍ରୋତ୍ସାହନ ମିଳିଛି ।

ଆମର ଆଇଟି କ୍ଷେତ୍ରରେ କାମ କରୁଥିବା ୪.୪ ନିୟୁତ ପେସାଦାରଙ୍କ ମଧ୍ୟରେ ପାଖାପାଖି ୩୬% ମହିଳା ।

ପ୍ରଯୁକ୍ତିଭିତ୍ତିକ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସର୍ବାଧିକ ଲାଭ ମଧ୍ୟ ଆମର ଗ୍ରାମୀଣ ମହିଳାମାନଙ୍କୁ ମିଳୁଛି ।

ବ୍ରିକସ ମହିଳା ବ୍ୟବସାୟ ସଂଘ ଭାରତରେ ହେଉଥିବା ଏହି ପରିବର୍ତ୍ତନ ଉପରେ ଏକ ଅଧ୍ୟୟନ କରିପାରେ ।

ଏହିଭଳି ଭାବେ ଅଭିନବକରଣ କୈନ୍ଦି୍ରକ ସୁଧାର ଉପରେ ଆମେ ଏକ ଉପଯୋଗୀ ଆଲୋଚନା କରିପାରିବା ।

ଆମର ଷ୍ଟାର୍ଟଅପଗୁଡ଼ିକ ମଧ୍ୟରେ ନିୟମିତ ବିନିମୟ ପାଇଁ ବ୍ରିକସ ବିଜନେସ ଫୋରମ ଏକ ପ୍ଲାଟଫର୍ମ ବିକାଶ କରିପାରେ ବୋଲି ମୁଁ ପରାମର୍ଶ ଦେଉଛି ।

ମୁଁ ନିଶ୍ଚିତ ଯେ ଆଜିର ବ୍ରିକସ ବିଜନେସ ଫୋରମର ଆଲୋଚନା ଅତ୍ୟନ୍ତ ଲାଭଦାୟକ ହେବ ।

ଏଥିପାଇଁ ମୁଁ ଆପଣମାନଙ୍କୁ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

 

SR


(ରିଲିଜ ଆଡି: 1836407) ପରିଦର୍ଶକ କାଉଣ୍ଟର : 223