ପ୍ରତିରକ୍ଷା ମନ୍ତ୍ରଣାଳୟ

ଅଗ୍ନିପଥ ଯୋଜନା ପାଇଁ ବୟସରେ ରିହାତି ବ୍ୟବସ୍ଥା ଯୁବକମାନଙ୍କ ପାଇଁ ସରକାରଙ୍କ ଚିନ୍ତାକୁ ଦର୍ଶାଉଛି : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ


ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଯୁବକମାନଙ୍କୁ ସଶସ୍ତ୍ର ବଳରେ ସାମିଲ୍ ହେବା ତଥା ଦେଶର ସେବା କରିବା ପାଇଁ ଆହ୍ବାନ କରିଛନ୍ତି

Posted On: 17 JUN 2022 2:19PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କହିଛନ୍ତି ଯେ ଅଗ୍ନିପଥ ଯୋଜନା ଭାରତୀୟ ଯୁବକମାନଙ୍କ ପାଇଁ ସଶସ୍ତ୍ର ବଳରେ ସାମିଲ୍ ହେବା ଏବଂ ନିଜର ମାତୃଭୂମିର ସେବା କରିବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଜାମ୍ମୁ-କାଶ୍ମୀରର ଦୁଇ ଦିନିଆ ପରିଦର୍ଶନରେ ଆସିଥିବା ଶ୍ରୀଯୁକ୍ତ ରାଜନାଥ ସିଂ ଏକ ବାର୍ତ୍ତାରେ କହିଛନ୍ତି ଯେ ଅନେକ ଯୁବକମାନଙ୍କୁ ସଶସ୍ତ୍ର ବଳରେ ସାମିଲ୍ ହେବାର ସୁଯୋଗ ମିଳି ପାରି ନାହିଁ କାରଣ ଗତ ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା କରାଯାଇ ପାରି ନାହିଁ। ସେ କହିଛନ୍ତି ଯେ ଯୁବକମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ସରକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁସାରେ 2022 ରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଅଗ୍ନିବୀରଙ୍କ ଚୟନ ପାଇଁ ବୟସ ସୀମା 21 ରୁ ବଢ଼ାଇ 23 ବର୍ଷ କରି ଦେଇଛନ୍ତି। 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୟସ କୋହଳ କରିବା ଏହି ବିଷୟର ସଙ୍କେତ ଅଟେ ଯେ ସରକାରଙ୍କୁ ଦେଶର ଯୁବକମାନଙ୍କର ଚିନ୍ତା ରହିଛି। ସୈନ୍ୟ ବ୍ୟାପାର ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନା ଖୁବ୍ ଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଆମେ ଯୁବକମାନଙ୍କୁ ସଶସ୍ତ୍ର ବଳରେ ସାମିଲ୍ ହେବା ଏବଂ ଅଗ୍ନିପଥ ମାଧ୍ୟମରେ ଦେଶର ସେବା କରିବା ପାଇଁ ଆମନ୍ତ୍ରଣ କରୁଛୁ। 

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପହଲଗାଓଁ ରେ ଜବାହାର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ ଏଣ୍ଡ ୱିଣ୍ଟର ସ୍ପୋର୍ଟସ (ଜେଆଇଏମ୍ ଆଣ୍ଡ ଡବ୍ଲୁଏସ୍) ର 9ମ କାର୍ଯ୍ୟକାରୀ ପରିଷଦ ଏବଂ 4ର୍ଥ ସାଧାରଣ ସଭା ବୈଠକରେ ଯୋଗ ଦେଇଥିଲେ। ଶ୍ରୀ ରାଜନାଥ ସିଂ ଏବଂ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ବୈଠକ ସମୟରେ ସଂସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ତଥା ବକେୟା ସମସ୍ୟାର ତୁରନ୍ତ ସମାଧାନ ସୁନିଶ୍ଚିତ କରିବାର ଉପାୟ ଉପରେ ବିଚାର ବିମର୍ଷ କରାଯାଇଛି। 

ପ୍ରତିରକ୍ଷା ମନ୍ତ୍ରୀ ନିଜର ସମ୍ବୋଧନରେ ପ୍ରଶିକ୍ଷକ ଏବଂ ଇନଷ୍ଟ୍ରକଟରଙ୍କୁ କଠୋର ପ୍ରଶିକ୍ଷଣ ମାନକ, ଉତ୍କୃଷ୍ଟ ପରିଚାଳନା, ସମର୍ପଣ ତଥା ପ୍ରଯୁକ୍ତି ଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ଫଳରେ ଏହା ଦେଶରେ ଅଗ୍ରଣୀ ସଂସ୍ଥା ମାନଙ୍କ ମଧ୍ୟରେ ଗୋଟିଏ ଭାବରେ ଜେଆଇଏମ୍ ଓ ଡବ୍ଲୁଏସ ନିଜକୁ ପ୍ରମାଣିତ କରିପାରିଛି। ସେ କହିଛନ୍ତି ଯେ ପର୍ବତାରୋହଣ ଏବଂ ଏଥି ସମ୍ପର୍କିତ କାର୍ଯ୍ୟକ୍ରମ କେବଳ ଶାରିରୀକ ଦକ୍ଷତା ବୃଦ୍ଧି କରେ ନାହିଁ ବରଂ ଏହା ମାନସିକ କ୍ଷମତାରେ ମଧ୍ୟ ଉନ୍ନତି ଆଣିଥାଏ। 

ଶ୍ରୀ ରାଜନାଥ ସିଂହ ଏହିସବୁ କାର୍ଯ୍ୟକ୍ରମରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଉଥିବାରୁ ଏହାର ପ୍ରଶଂସା କରିଛନ୍ତି ଯେଉଁଥିରେ ପୂର୍ବରୁ କେବଳ ପୁରୁଷ ମାନେ ସାମିଲ୍ ହେଉଥିଲେ। ସେ ସେହିସବୁ ଦିବ୍ୟାଙ୍ଗଜନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଯେଉଁମାନେ କୌଶଳ ତଥା ଉତ୍ସାହ ସହିତ ପର୍ବତାରୋହଣ ଅଭିଯାନକୁ ସଫଳତାର ସହିତ ସମ୍ପାଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ପର୍ବତାରୋହୀ ସୁଶ୍ରୀ ଅରୁଣିମା ସିହ୍ନାଙ୍କ ନାମ ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି ଯିଏ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ମାଉଣ୍ଟ ଏଭରେଷ୍ଟ ଉପରେ ବିଜୟ ହାସଲ କରିଥିବା ପ୍ରଥମ ଦିବ୍ୟାଙ୍ଗ ମହିଳା ହୋଇପାରିଛନ୍ତି। ସେ କହିଛନ୍ତି ଯେ, ଏହି କାରଣରୁ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ଯେ ଏହି ସଂସ୍ଥାରେ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଦସ୍ୟତାକୁ ବୃଦ୍ଧି କରାଯିବା ଆବଶ୍ୟକ। 

ଏହା କହିବା ସହିତ ବିଭିନ୍ନ କ୍ଷେତ୍ରରେ ସାର୍ବଜନିକ-ଘରୋଇ ଭାଗିଦାରୀରେ ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ ଦେଶର ବିକାଶକୁ ଏକ ନୂତନ ଶକ୍ତି ପ୍ରଦାନ କରିଛି, ପ୍ରତିରକ୍ଷା ମନ୍ତ୍ରୀ ଜେଆଇଏମ୍ ଆଣ୍ଡ ଡବ୍ଲୁଏସକୁ ଏହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବା ପାଇଁ ଘରୋଇ କ୍ଷେତ୍ର ସହିତ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଘରୋଇ କ୍ଷେତ୍ରରେ ଅନେକ ପ୍ରଯୁକ୍ତି, ବିଶେଷଜ୍ଞତା ଏବଂ ନୂତନତା ରହିଛି ଯାହା ସାର୍ବଜନିକ କ୍ଷେତ୍ରରେ ଉପଲବ୍ଧ ନାହିଁ। ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଘରୋଇ କ୍ଷେତ୍ର ସହିତ ସହଭାଗୀତା ଦ୍ବାରା ଜେଆଇଏମ୍ ଆଣ୍ଡ ଡବ୍ଲୁଏସକୁ ଲୋକମାନଙ୍କ ସହିତ ସାମିଲ୍ ହୋଇପାରିବ, ବିଶେଷ କରି ଯୁବକମାନଙ୍କୁ ପର୍ବତାରୋହଣ ପରି କାର୍ଯ୍ୟକ୍ରମ ସହିତ ସାମିଲ୍ କରିବା ଏବଂ ସ୍ଥାନୀୟ ସମୃଦ୍ଧି ସୁନିଶ୍ଚିତ କରିବାରେ ସହାୟତା ମିଳିବ ବୋଲି ସେ କହିଛନ୍ତି। 

ପ୍ରତିରକ୍ଷା ମନ୍ତ୍ରୀ ସଂସ୍ଥାର ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ବିଶେଷ କରି ଯୁବକମାନଙ୍କୁ ପର୍ବତାରୋହଣ ଏବଂ ଶୀତକାଳୀନ ଖେଳ ସହିତ ପରିଚିତ କରାଇବା ତଥା ସେମାନଙ୍କ ମନରେ ଦେଶ ଭକ୍ତି, ସାହସ ଏବଂ ଶକ୍ତିର ସଞ୍ଚାର କରିବା ପାଇଁ ଆହ୍ବାନ କରିଛନ୍ତି। ସେ କହିଲେ ଯେ ଏହାଦ୍ବାରା କେବଳ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ବଢ଼ିବ ନାହିଁ ବରଂ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ ଯଦ୍ବାରା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ। ସେ କହିଛନ୍ତି ଯେ ଏହାଦ୍ବାରା ସ୍ଥାନୀୟ ଲୋକାମାନଙ୍କର ଭାଗିଦାରୀ ମଧ୍ୟ ବଢ଼ିବ ଏବଂ ସେମାନଙ୍କୁ ନିଜର ସଂସ୍କୃତି ସହିତ ସାମିଲ୍ ହେବାର ସୁଯୋଗ ମିଳିବ।

ଶ୍ରୀ ରାଜନାଥ ସିଂ ଜାତୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ ସୀମାବର୍ତ୍ତି କ୍ଷେତ୍ରର ବିକାଶ କରିବା ପାଇଁ ସରକାରଙ୍କ ସଙ୍କଳ୍ପକୁ ଦୋହରାଇଛନ୍ତି ଏବଂ କହିଛନ୍ତି ଯେ ଜେଆଇଏମ୍ ଆଣ୍ଡ ଡବ୍ଲୁଏସ୍ ପରି ସଂସ୍ଥା ଏହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ତଥା ଦେଶର ପ୍ରଗତିରେ ଯୋଗଦାନ କରିବାରେ ସହୟତା କରିପାରେ। ପରିବେଶ ସୁରକ୍ଷାର ମହତ୍ତ୍ବ ଉପରେ ଗୁରୁତ୍ବ ପ୍ରଦାନ କରି ସେ ଜେଆଇଏମ୍ ଆଣ୍ଡ ଡବ୍ଲୁଏସ ପରି ସଂସ୍ଥା ପରିବେଶ ପ୍ରତି ସମ୍ବେଦନଶୀଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକୃତିକୁ ସଂରକ୍ଷିତ କରିବାରେ ଯୋଗଦାନ କରିବା ପାଇଁ ଆହ୍ବାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିଜର ଅଭିଭାଷଣର ସମାପନ ଅବସରରେ କହିଛନ୍ତି ଯେ ଆଗାମୀ ସମୟରେ ଜେଆଇଏମ୍ ଆଣ୍ଡ ଡବ୍ଲୁଏସ ଦୁନିଆଁର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଗୋଟିଏ ହେବ। 

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସଂସ୍ଥାରେ କର୍ଣ୍ଣଲ କେଏସ୍ ମଲ୍ ବୋଲ୍‌ଡର କ୍ଲାଇମ୍ବିଂ ୱାଲ୍ ଓ ହିମାଲୟାନ ମ୍ୟୁଜିୟମର ଉଦ୍‌ଘାଟନ କରିଛନ୍ତି। ଜେଆଇଏମ୍ ଆଣ୍ଡ ଡବ୍ଲୁଏସର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ପ୍ରକୃତି ସହିତ ପରିଚିତ କରାଇବା ଏବଂ ସାହସିକ ଖେଳ ମାଧ୍ୟମରେ ତାଙ୍କର ବ୍ୟକ୍ତିତ୍ବ, ଚରିତ୍ର ତଥା ଆତ୍ମବିଶ୍ବାସର ବିକାଶ କରିବା। 

BS



(Release ID: 1834923) Visitor Counter : 170