ଅର୍ଥ ମନ୍ତ୍ରଣାଳୟ

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ସମସ୍ତ ସରକାରୀ ବ୍ୟାଙ୍କ ପକ୍ଷରୁ ଆସନ୍ତାକାଲି ସବୁ ଜିଲ୍ଲାରେ ଆୟୋଜିତ ହେବ ଋଣ ସମ୍ପର୍କ କାର୍ଯ୍ୟକ୍ରମ

Posted On: 07 JUN 2022 7:12AM by PIB Bhubaneshwar

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଆସନ୍ତାକାଲି, ୮ ଜୁନ, ୨୦୨୨ରେ ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକ ଏବଂ ଜନସାଧାରଣଙ୍କ ଋଣ ସୁବିଧା ସଂକ୍ରାନ୍ତ ସମସ୍ତ ସମସ୍ୟା ଦୂର କରାଯିବ । ଏଥିସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକୃତ କରାଯିବ । ସବୁ ସରକାରୀ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଦ୍ବାରା ଏହିସବୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୬ରୁ ୧୨ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଆଇକନିକ ସପ୍ତାହ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପରିକଳ୍ପନା କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ।

ଆଜାଦୀ କା ଅମୃତ ମହୋତ୍ସବର ସମାରୋହରେ ବ୍ୟାଙ୍କ କର୍ମଚାରୀ, ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ବହୁ ସଂଖ୍ୟାରେ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ସବୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିଗୁଡ଼ିକୁ କୁହାଯାଇଛି । ଏହି କମିଟିଗୁଡ଼ିକ ଋଣ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିବେ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଭଳି ଜନ ସୁରକ୍ଷା ଯୋଜନାରେ ଗ୍ରାହକମାନଙ୍କୁ ସାମିଲ କରିବେ, ଗ୍ରାହକଙ୍କୁ ବ୍ୟାଙ୍କ ସେବା ସମ୍ପର୍କରେ ସଚେତନ କରିବେ ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିବେ । ଏଥିସହିତ ବିଭିନ୍ନ ବ୍ୟାଙ୍କ ଶାଖାଗୁଡ଼ିକ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଭଲ କାମକୁ ମାନ୍ୟତା ଦେବା ଲାଗି ସେମାନଙ୍କୁ କୁହାଯାଇଛି।

 

*********

PS



(Release ID: 1831747) Visitor Counter : 232