ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ହିମାଚଳ ପ୍ରଦେଶର ଶିମଲା ଠାରେ ୩୧ ମେ, ୨୦୨୨ରେ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ


ସାରା ଦେଶର ବିଭିନ୍ନ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମେଳନରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ଓ ନିର୍ବାଚନ ପ୍ରତିନିଧିଗଣ

Posted On: 28 MAY 2022 7:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ବରୂପ ଭାରତ ସରକାରଙ୍କ ନଅଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ପ୍ରାୟ ୧୬ଟି ଯୋଜନା ଓ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ । ‘‘ଗରିବ କଲ୍ୟାଣ ସମ୍ମେଳନ’’ ନାମକ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ସିମଲା ଠାରେ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିସାନ ସମ୍ମାନ ନିଧିର ୧୧ତମ କିସ୍ତି ଆକାରରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ଜାରି କରିବେ । ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କେଭିକେ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ଆୟୋଜନ କରାଯିବ । ଏହି ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ହିତାଧିକାରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ।

ଦେଶବ୍ୟାପୀ ଏସବୁ ଯୋଜନାର କୋଟି କୋଟି ହିତାଧିକାରୀ ରହିଛନ୍ତି । ଦେଶର ଜନସଂଖ୍ୟାର ସବୁଠୁ ଗରିବ ବର୍ଗଙ୍କ ସବୁ ଜଟିଳ ସମସ୍ୟା ସମାଧାନ ଦିଗରେ ଏହି ଯୋଜନା ଓ କାର୍ଯ୍ୟକ୍ରମ ସବୁ ସହାୟକ ହେଉଛି । ଆବାସ, ପାନୀୟ ଜଳ ଉପଲବ୍ଧତା, ଖାଦ୍ୟ, ସ୍ବାସ୍ଥ୍ୟ ସେବା ଓ ପୋଷଣ, ଜୀବନଜୀବିକା ଏବଂ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଦି କ୍ଷେତ୍ରରେ ଗରିବମାନଙ୍କୁ ସହାୟତା ମିଳୁଛି । ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଯୋଜନାରେ ସମନ୍ବୟର ସମ୍ଭାବନା ଉଜାଗର ହୋଇପାରିବ ଏବଂ ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସହାୟତା ମିଳିବ । ଏଥିସହିତ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଗରିକଙ୍କ ଆଶାଆକାଂକ୍ଷା ଜାଣିବା ଲାଗି ଏପରି କାର୍ଯ୍ୟକ୍ରମ ଏକ ସୁଯୋଗ ଆଣି ଦେବ । ଏହି ସମ୍ମେଳନକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକକ ଦେଶବ୍ୟାପୀ ମତବିନିମୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି ଯାହାକି ଦେଶର ସବୁ ଜିଲ୍ଲାରେ ଆୟୋଜନ କରାଯିବ । ଏଥିରେ ହିତାଧିକାରୀଙ୍କ ଜୀବନରେ ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା କରିବେ ।

କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ରାଜ୍ୟ/ଜିଲ୍ଲା/କେଭିକେ କାର୍ଯ୍ୟକ୍ରମ ପୂର୍ବାହ୍ନ ୯.୪୫ରେ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ଏସବୁ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହ ଯୋଡ଼ାଯିବ । ଦୂରଦର୍ଶନ ଏବଂ ଏହାର ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ମାଇ ଗଭ୍‌ ଜରିଆରେ ଜାତୀୟ କାର୍ଯ୍ୟକ୍ରମର ୱେବକାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଲୋକମାନେ ଆଗୁଆ ନିଜର ପଞ୍ଜୀକରଣ କରାଇବେ । ଅନ୍ୟ ସୋଶଲ ମିଡିଆ ଚ୍ୟାନେଲ ଯଥା ୟୁଟ୍ୟୁବ, ଫେସବୁକ, ଟୁଇଟ୍ଟର, ଇନଷ୍ଟାଗ୍ରାମ୍‌ ଆଦିରେ ଏହାକୁ ଦେଖିହେବ ।

ଏହି ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ନାଗରିକଙ୍କ ଜୀବନକୁ ସହଜ କରୁଥିବା ଏସବୁ ଯୋଜନାର ଜନ-କୈନ୍ଦ୍ରିକ ଦୃଷ୍ଟିକୋଣ ପ୍ରତିଫଳିତ ହେବା ସହିତ ଜନସାଧାରଣଙ୍କ ଆଶାଆକାଂକ୍ଷା ସମ୍ପର୍କରେ ସରକାର ଅବଗତ ହୋଇପାରିବେ, ଯାହାଫଳରେ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରାରେ କେହି ଜଣେ ଯେମିତି ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ ।

 

ଯୋଜନା/କାର୍ଯ୍ୟକ୍ରମର ତାଲିକା

  1. ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)
  2. ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି
  • III. ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା
  1. ପୋଷଣ ଅଭିଯାନ
  2. ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା
  3. ସ୍ବଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)
  4. ଜଳ ଜୀବନ ମିଶନ ଓ ଅମୃତ
  5. ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା
  • IX. ଏକ ରାଷ୍ଟ୍ର ଏକ ରାସନ କାର୍ଡ
  1. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
  • XI. ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା
  1. ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର
  2. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

 

*****

P.S.



(Release ID: 1829068) Visitor Counter : 159