ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା ଉପକୂଳରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ

प्रविष्टि तिथि: 18 MAY 2022 1:02PM by PIB Bhubaneshwar

ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି ପରୀକ୍ଷଣ ସମ୍ପାଦନ କରାଯାଇଥିଲା । ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ବୈମାନିକ ପରୀକ୍ଷା ବା ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିଲା । ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ବଦେଶୀ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ। 

ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା । ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିଶନ ଆକଳନକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ କାର୍ଯ୍ୟକାରୀ କରିଥିଲା । ଏହାର ସବୁ ଉପ-ପ୍ରଣାଳୀ ସନ୍ତୋଷଜନକ ପ୍ରଦର୍ଶନ କରିଥିଲା । ପରୀକ୍ଷଣ ରେଞ୍ଜର ବିଭିନ୍ନ ସ୍ଥାନରେ ଏବଂ ଇମ୍ପାକ୍ଟ ପଏଣ୍ଟରେ ଲାଗିଥିବା ସେନ୍ସର କ୍ଷେପଣାସ୍ତ୍ରର ଗତିପଥକୁ ନିରୀକ୍ଷଣ କରିଥିଲା ଏବଂ ସବୁ ଘଟଣାକ୍ରମକୁ ରେକର୍ଡ କରିଥିଲା । 

ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ନୂଆ ଜ୍ଞାନକୌଶଳ ଖଞ୍ଜା ଯାଇଛି । ଏଥିରେ ହେଲିକପ୍ଟର ପାଇଁ ସ୍ବଦେଶୀ ଭାବେ ବିକଶିତ ଏକ ଲଞ୍ଚର୍‌ ସଂଯୋଗ କରାଯାଇଛି । କ୍ଷେପଣାସ୍ତ୍ରର ମାର୍ଗଦର୍ଶୀ ପ୍ରଣାଳୀରେ ଅତ୍ୟାଧୁନିକ ନାଭିଗେସନ ବ୍ୟବସ୍ଥା ଓ ସମନ୍ବିତ ଏଭିଓନିକ୍ସ ଖଞ୍ଜା ହୋଇଛି । ଆଜିର ଫ୍ଲାଇଟ୍‌ ଟେଷ୍ଟ ସମୟରେ ଡିଆରଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । 

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନା ଏବଂ ଆଜିର ଫ୍ଲାଇଟ୍‌ ଟେଷ୍ଟରେ ସମ୍ପୃକ୍ତ ଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ବଦେଶୀ ଡିଜାଇନ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ବିକାଶ କ୍ଷେତ୍ରରେ ଭାରତ ଉଚ୍ଚ ସ୍ତରୀୟ ସାମର୍ଥ୍ୟ ହାସଲ କରିଛି । 

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ସଫଳ ମିଶନରେ ସାମିଲ ଥିବା ପ୍ରକଳ୍ପ ଟିମ୍‌କୁ ଏହି ପରୀକ୍ଷଣ ପାଇଁ ପ୍ରଶଂସା କରିଛନ୍ତି । ପ୍ରକଳ୍ପ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ଭାରତୀୟ ନୌସେନା ଏବଂ ନୌସେନା ବିମାନ ପରୀକ୍ଷଣ ସ୍କ୍ବାଡର୍ଣ୍ଣଙ୍କୁ ପ୍ରଶଂସା କରିଛନ୍ତି । ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବାରା ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ସୁଦୃଢ଼ ହେବ ।

 

******

P.S.


(रिलीज़ आईडी: 1826318) आगंतुक पटल : 298
इस विज्ञप्ति को इन भाषाओं में पढ़ें: Bengali , English , Gujarati , Urdu , हिन्दी , Marathi , Tamil , Telugu , Malayalam