ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

କ୍ୟାବିନେଟ ମଞ୍ଜୁରି : ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ ସ୍ବନିଧି) ଯୋଜନାର ଅବଧି ମାର୍ଚ୍ଚ ୨୦୨୨ ଠାରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା

Posted On: 27 APR 2022 4:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାକୁ  ମାର୍ଚ୍ଚ ୨୦୨୨ ଠାରୁ ଆସନ୍ତା ୨୦୨୪ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରଖାଯିବ । ଉଠାଦୋକାନୀ ଏବଂ ସେମାନଙ୍କ ପରିବାରକୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ ଦେବା, ଡିଜିଟାଲ ନେଣଦେଣକୁ ବଢ଼ାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି  ।

ପିଏମ ସ୍ବନିଧି ଯୋଜନାରେ ଉଠାଦୋକାନୀମାନଙ୍କୁ ବିନା କୌଣସି ବନ୍ଧକରେ ଶସ୍ତା ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା । ଆଜି ଯୋଜନା ସମ୍ପ୍ରସାରଣ ଲାଗି କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଋଣ ପାଇଁ ମୋଟ ଅର୍ଥରାଶି ପରିମାଣକୁ ୮ ହଜାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାଫଳରେ ଅଧିକ ସଂଖ୍ୟାରେ ଉଠାଦୋକାନୀଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହୋଇପାରିବ । ଏହି ଆର୍ଥିକ ପ୍ରୋତ୍ସାହନ ଜରିଆରେ ସେମାନେ ନିଜର ବ୍ୟବସାୟ ବଢ଼ାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ ।

ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଉଠାଦୋକାନୀମାନଙ୍କ ପାଇଁ କ୍ୟାଶବ୍ୟାକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ବଜେଟ୍‌ ପରିମାଣ ବୃଦ୍ଧି କରାଯାଇଛି ।

କ୍ୟାବିନେଟଙ୍କ ମଞ୍ଜୁରି ଫଳରେ ଦେଶର ସହରାଞ୍ଚଳରେ ଥିବା ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି ।

ପିଏମ-ସ୍ବନିଧି ଯୋଜନାରେ ଅଧୀନରେ ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିପାରିଛି । ୨୫ ଏପ୍ରିଲ, ୨୦୨୨ ସୁଦ୍ଧା ଏହି ଯୋଜନାରେ ୩୧ ଲକ୍ଷ ୯ ହଜାର ଋଣ ଆବେଦନକୁ ମଞ୍ଜୁରି ମିଳିଛି । ଏହା ବ୍ୟତୀତ ୨ ହଜାର ୯୩୧ କୋଟି ଟଙ୍କାର ୨୯ ଲକ୍ଷ ୬୦ ହଜାର ଋଣ ବିତରଣ କରାଯାଇଛି । ଦ୍ବିତୀୟ ଋଣ ଦୃଷ୍ଟିରୁ ଦେଖିଲେ ଏବେ ସୁଦ୍ଧା ୨ ଲକ୍ଷ ୩୦ ହଜାର ଋଣ ମଞ୍ଜୁର ହୋଇଛି । ୧.୯ ଲକ୍ଷ ଋଣ ପାଇଁ ୩୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଉଠାଦୋକାନୀ ହିତାଧିକାରୀମାନେ ୧୩.୫ କୋଟି ଟଙ୍କାରୁ ଅଧିକ ଡିଜିଟାଲ ନେଣଦେଣ କରିଛନ୍ତି । ଏଥିପାଇଁ ସେମାନଙ୍କୁ ୧୦ କୋଟି ଟଙ୍କାର କ୍ୟାଶବ୍ୟାକ ମିଳିଛି । ସବସିଡି ସୁଧ ଆକାରରେ ୫୧ କୋଟି ଟଙ୍କା ପରିଶୋଧ କରାଯାଇଛି ।

ଜୁନ୍‌ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେତେବେଳେ କ୍ଷୁଦ୍ର ବ୍ୟବସାୟୀମାନେ ମହାମାରୀ ଏବଂ ତତ୍‌ସମ୍ବନ୍ଧୀୟ ପରିସ୍ଥିତି କାରଣରୁ ଆର୍ଥିକ ଚାପରେ ରହିଥିଲେ । ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟ ନେଇ ଏହି ଯୋଜନାର ପ୍ରସ୍ତାବିତ ସୁଧାର ଆବଶ୍ୟକ ଥିଲା । ଏବେ ପିଏମ-ସ୍ବନିଧି ଋଣ ଯୋଜନାର ଅବଧି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଉଠାଦୋକାନୀମାନଙ୍କୁ ଔପଚାରିକ ଋଣ ଉପଲବ୍ଧ ହୋଇପାରିବ । ଉଠାଦୋକାନୀମାନେ ଋଣ ଅର୍ଥ ସହିତ ବ୍ୟବସାୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ । ଡିଜିଟାଲ କାରବାର ବୃଦ୍ଧି ପାଇବ । ଋଣ ପ୍ରଦାନକାରୀ ସଂସ୍ଥାନରେ ଫସି ରହିଥିବା ଋଣ ହ୍ରାସ ପାଇବ । ଉଠାକୋଦାନୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ ।

 

**********

P.S.



(Release ID: 1820725) Visitor Counter : 146