ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ମୁମ୍ବାଇରେ ୪୦ତମ ‘ହୁନର ହାଟ’ ଉଦ୍‌ଘାଟିତ



ଏହି ହାଟରେ ଦେଶରେ ୩୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ଏକହଜାର କାରିଗର ଯୋଗ ଦେଇଛନ୍ତି

ହୁନର ହାଟ ଭଳି ପ୍ରୟାସ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ ସୁଦୃଢ ହେଉଛି: ଅନୁରାଗ ଠାକୁର

ହୁନର ହାଟ ଉଦ୍ୟମ ମାଧ୍ୟମରେ କାରିଗର  ଓ ଶିଳ୍ପୀଙ୍କ ପାଇଁ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି: କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭି

Posted On: 17 APR 2022 3:21PM by PIB Bhubaneshwar

 

କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମୁମ୍ବାଇଠାରେ ୪୦ତମ  ହୁନର ହାଟକୁ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ର  ସଂଖ୍ୟାଲଘୁ ବ୍ୟାପାର  ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।

ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହିତ କରିବାକୁ ଏହି ହୁନରହାଟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସର ଏମ୍‌ଏମ୍‌ଆର୍‌ଡିଏ ମୈଦାନରେ ଆୟୋଜିତ ହୋଇଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଏହି ହାଟ ଚଳିତମାସ  ୨୭ତାରିଖ ଯାଏ ଚାଲିବ ।

ଏହାକୁ ଉଦ୍‌ଘାଟନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ହୁନର ହାଟଆୟୋଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ ପ୍ରକ୍ରିୟା ମଜବୁତ ହେଉଛି । ଏହି ୪୦ତମ ହୁନରହାଟରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏକହଜାରରୁ ଅଧିକ କାରିଗର ଓ ଶିଳ୍ପୀ ୪୦୦ଷ୍ଟଲ ଖୋଲିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ପ୍ରତିଭାର ଅଭାବ ନାହିଁ । ସଙ୍କଟ ସମୟରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ  ଭାରତ କିପରି ଗ୍ରହଣ କରି କାର୍ଯ୍ୟ କଲା ସେ କଥା ସେ ସ୍ମରଣ କରାଇଥିଲେ । ସେ କହିଥିଲେ ଯେ ଆମେ ଏକ ଅତ୍ୟନ୍ତ ଜଟିଳ କ୍ଷଣରେ ଦେଶରେ ପିପିଇ କିଟ୍ସ, ମାସ୍କ ଓ ଭେଣ୍ଟିଲେଟର ଆଦି ଉତ୍ପାଦନ କରିବା ଆରମ୍ଭ କରିଥିଲୁ ।

ମନ୍ତ୍ରୀ ଶ୍ରୀ ଠାକୁର ମଧ୍ୟ ଏହି ଅବସରରେ ସରକାରଙ୍କ ଗୋଟିଏ ଜିଲ୍ଳା ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ସାମଗ୍ରୀ ପ୍ରସ୍ତୁତ କରିବାକୁ ହୋଇଥିବା ଯୋଜନା ମାଧ୍ୟମରେ ଲୋକଙ୍କୁ ରୋଜଗାରର ସୁଯୋଗ ମିଳିବା ସହିତ ଆଖାପାଖର ଅନେକ ଲୋକଙ୍କୁ ପରୋକ୍ଷ କର୍ମନିଯୁକ୍ତି ମିଳିଲା । ଫଳରେ ମହାମାରୀ ଭଳି ସଙ୍କଟ କାଳରେ ଲୋକେ ସ୍ଥାନୀୟଭାବେ ରୋଜଗାରର ସୁଯୋଗ ପାଇଥିଲେ ।

ସମଗ୍ର ବିଶ୍ୱର ଅର୍ଥନୀତି ମହାମାରୀ ଯୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ ଭାରତରେ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ଓ ରୋଜଗାର ସୁବିଧା ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି।

ସ୍କିଲ ଇଣ୍ଡିଆକାର୍ଯ୍ୟକ୍ରମ ମାଧ୍ୟମରେ ଭାରତକୁ ଦକ୍ଷ ଓ କୁଶଳୀ କରିବାକୁ ପ୍ରଧାନମନ୍ତ୍ରୀ କିପରି ଉଦ୍ୟମ କରୁଛନ୍ତି ଶ୍ରୀ ଠାକୁର ସମ୍ପର୍କରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଲୋକଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ କୁଶଳୀ କରିବାର ଅର୍ଥ ସେମାନେ ଚାକିରି ପଛରେ ନ ଧାଇଁ ନିଜେ କିଛି କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରର ସୁଯୋଗ ଦେଇପାରିବେ । ସେ କହିଥିଲେ ଯେ ପୂର୍ବରୁ ଆମ ସଂସ୍କୃତି ଓ ଶିକ୍ଷା ଶ୍ରମର ଗୌରବ ଓ ମର୍ଯ୍ୟାଦା ଉପରେ ବିଶେଷ ଦୃଷ୍ଟି କେନ୍ଦ୍ରୀତ କରି ନ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବେ ଶ୍ରମର ମୂଲ୍ୟ ଓ ମର୍ଯ୍ୟାଦା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଏହି ଅବସରରେ ସେ ତେଜସ୍‌ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଦକ୍ଷ ଓ କୁଶଳୀ ଲୋକଶକ୍ତି ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଇବ । ବର୍ଷକ ମଧ୍ୟରେ ୩୦ହଜାର କୁଶଳୀ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଯିବ ।

ସେ କହିଥିଲେ ଯେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲ ସହ ଯୋଗସୂତ୍ର ରକ୍ଷା କରି ସେଠାକାର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଏକ୍ସପୋକୁ ଆଣି ଆବର୍ଜନାରୁ କିପରି ଅତି ସୁନ୍ଦର ସାମଗ୍ରୀ ନିର୍ମାଣ କରାଯାଇପାରିବ ତାହାର ପ୍ରଦର୍ଶନୀ ବୁଲାଇ ଦେଖାଇବା ଉଚିତ । ଭବିଷ୍ୟତରେ ଆୟୋଜିତ ହେବାକୁ ଥିବା ହୁନର ହାଟରେ ସ୍ୱଳ୍ପ ମିଆଦି ସ୍କିଲ ଟ୍ରେନିଂ କୋର୍ସ ପ୍ରବର୍ତ୍ତନ  କରିବା କଥା ସଂଖ୍ୟାଲଘୁ ମନ୍ତ୍ରଣାଳୟ ଚିନ୍ତା କରିବା ଉଚିତ ବୋଲି ଶ୍ରୀ ଠାକୁର ପରାମର୍ଶ ଦେଇଥିଲେ । 

ଏହି ହୁନର ହାଟରେ ଖୋଲିଥିବା ଷ୍ଟଲଗୁଡିକରେ ସାମଗ୍ରୀ ଓ ତାହାର ବିଶେଷତ୍ୱ ସମ୍ପର୍କରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ଠାକୁର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ  ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଏହା ଦ୍ୱାରା ଲୋକଙ୍କ ପାଖରେ ସମ୍ପୃକ୍ତ ସାମଗ୍ରୀ ସମ୍ପର୍କରେ ସୂଚନା ପହଞ୍ଚିବ ଏବଂ ଏହାର ଆଦର ବଢିବା ସହିତ ସେସବୁକୁ ମାନ୍ୟତା ମିଳିବ । ଏହି ସବୁ ସାମଗ୍ରୀକୁ ମୁମ୍ବାଇର ଉଦ୍ୟୋଗଜଗତ କିଣି ଦୀପାବଳୀ ଓ ଅନ୍ୟାନ୍ୟ ଉତ୍ସବରେ ଉପହାହର ଆକାରରେ ସ୍ୱଦେଶୀ ସାମଗ୍ରୀକୁ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଦୀପାବଳୀ ଆହୁରି ୫-୬ ମାସ ଅଛି । ତଥାପି ଉଦ୍ୟୋଗଜଗତ ନିଜର ଉପହାର ପାଇଁ ଏବେଠୁ ବରାଦ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

 

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭି ଏହି ହୁନର ହାଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଏହାର  ଆୟୋଜନ କରୁଛି । ଏହି ହାଟରେ ଲୋକେ ଏକ ଭାରତ ଶ୍ରେଷ୍ଠ ଭାରତର ଅନୁଭବ ପାଇପାରିବେ । ଏଥିରେ ବିବିଧତା ମଧ୍ୟରେ ଏକତାର ସାରମର୍ମ ରହିଛି । କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କଟକ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସଂସ୍କୃତି ଓ ଶିଳ୍ପ କାରିଗରୀର ଅନୁଭବ ଏହି ହାଟରେ ମିଳିପାରିବ । ଗତ ସାତବର୍ଷ ମଧ୍ୟରେ ହୁନର ହାଟ ମାଧ୍ୟମରେ ଦେଶର ନ ଲକ୍ଷରୁ ଅଧିକ କାରିଗର ଓ ଶିଳ୍ପୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି ବୋଲି ସେ କହିଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ସଂସଦ ସଦସ୍ୟ ଶ୍ରୀ ପ୍ରକାଶ ଜାୱଡେକର ଏହି କାର୍ଯ୍ୟକ୍ରମରେ ଦେଶର ଲୁକ୍କାୟିତ ପ୍ରତିଭା ଏବଂ ଶିଳ୍ପ କାରିଗରୀର ମହତ୍ୱ ସମ୍ପର୍କରେ କହିଥିଲେ । ଏଭଳି ହାଟର ସୁଯୋଗ ନେବାକୁ ସେ କାରିଗର ଓ ଶିଳ୍ପୀମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ଏହି ହାଟ ବୁଲି ଦେଖିବା ଓ କିଣାକିଣି କରିବାକୁ ପ୍ରବେଶ ଫି ନାହିଁ । ଏଥିରେ ବେଷ୍ଟ ଫ୍ରମ ଦି ୱେଷ୍ଟ’, ‘ଭୋକାଲ ଫର ଲୋକାଲ ’, ବିଷୟବସ୍ତୁ ଗୁରୁତ୍ୱ ପାଇଛି  ଓ ସାମଗ୍ରୀଗୁଡିକ ତଦନୁସାରେ ନିର୍ମିତ । ପ୍ଲାଷ୍ଟିକ, କାଗଜ, ପ୍ଲାଏ, କାଠ, କାଚ, ସେରାମିକ୍‌, ଝୋଟ, ତୁଳା, ପଶମ, କଦଳୀ ପଟୁଆ, ଆଖୁମଣ୍ଡ, କୁଣ୍ଡା ଓ ଧାନ ଏବଂ ଗହମ କୁଟା, ରବର, ଲୁହା, ପିତଳ ଆଦିରେ ପ୍ରସ୍ତୁତ ସାମଗ୍ରୀ ଏହି ହୁନର ହାଟରେ ଉପଲବ୍ଧ ।

ବିଶ୍ୱକର୍ମା ବାଟିକା:- ଏହି ହୁନର ହାଟର ପ୍ରମୁଖ ଆକର୍ଷଣ ହେଉଛି ବିଶ୍ୱକର୍ମା ବାଟିକା । ପାରମ୍ପାରିକ ସାମଗ୍ରୀ କିପରି ନିର୍ମିତ ହୁଏ ତାହା ଏହିଠାରେ କାରିଗର ଓ ଶିଳ୍ପୀମାନେ ପ୍ରଦର୍ଶନ କରୁଛନ୍ତି । ଏହାଛଡା ହାଟର ମେରା ଗାଓଁ, ମେରା ଦେଶନାମରେ ଏକ ଥେମାଟିକ୍ ଫୁଡକୋର୍ଟ ରହିଛି । ଏଠାରେ ୬୦ରୁ ଅଧିକ ଫୁଡ୍ ଷ୍ଟଲରେ ଦେଶର ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ପରିବେଷଣର ବ୍ୟବସ୍ଥା ଅଛି ।

ପ୍ରତିଦିନ ସନ୍ଧ୍ୟା ଛଟାରୁ ରାତି ଦଶଟା ପର୍ଯ୍ୟନ୍ତ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ହୁନର ହାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା କରାଯାଇଛି । ଏହାଛଡା ଏଠାରେ ଲେଜର ଲାଇଟ ଶୋର ଆୟୋଜନ ହୋଇଛି । ଏହି ହାଟକୁ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଦେଖି ହେବ ।

 ଯୋଗାଯୋଗ ..... https://hunarhaat.org/ and https://gem.gov.in/

*****

TKM /SLP



(Release ID: 1817614) Visitor Counter : 180