ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅହିଂସା ଯାତ୍ରା ସଂପନ୍ନତା ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଏକ ଭାରତ ଶ୍ରେଷ୍ଠ ଭାରତ ଏକ ଆଧ୍ୟାତ୍ମିକ ସଂକଳ୍ପ; “ବସୁଧୈବ କୁଟୁମ୍ବକମ୍‌” ପରମ୍ପରାର ସମ୍ପ୍ରସାରଣ ନିମନ୍ତେ ତେରାପନ୍ଥକୁ ପ୍ରଶଂସା

“ଯେକୌଣସି କୁଅଭ୍ୟାସରୁ ଦୂରେଇ ରହିଲେ ପ୍ରକୃତ ଆତ୍ମସମୀକ୍ଷା ସମ୍ଭବ”

Posted On: 27 MAR 2022 4:26PM by PIB Bhubaneshwar

“ସରକାରଙ୍କ ଦ୍ୱାରା ସବୁ କାର୍ଯ୍ୟ କରାଇବା ଭାରତର ପ୍ରବୃତ୍ତି ନୁହେଁ, ଏଠାରେ ସରକାର, ସମାଜ ଓ ଆଧ୍ୟାତ୍ମିକ ଗୁରୁମାନଙ୍କ ସଦାସର୍ବଦା ସମାନ ଭୂମିକା ଥାଏ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭.୩.୨୦୨୨) ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାର୍ତ୍ତା ଦେଇ ଶ୍ୱେତାମ୍ବର ତେରାପନ୍ଥଙ୍କ ଅହିଂସା ଯାତ୍ରା ସମ୍ପନ୍ନତା ସମାରୋହକୁ ସମ୍ବୋଧନ କରିଛନ୍ତି ।

ପ୍ରଥମରୁ ପ୍ରଧାନମନ୍ତ୍ରୀ ଭାରତୀୟ ସାଧୁସନ୍ଥମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହଜାର ହଜାର ବର୍ଷର ପରମ୍ପରା ଉପରେ ଗୁରୁତ୍ୱ ଆରୋପ କରି ଏହା ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି ବୋଲି କହିଥିଲେ । ସେ ବିଶେଷକରି ଶ୍ୱେତାମ୍ବର ତେରାପନ୍ଥ କିପରି ଆଳସ୍ୟ ପରିହାରକୁ ଏକ ସଂକଳ୍ପଭାବେ ଗ୍ରହଣ କରିଛି ତା’ର ଉଦାହରଣ ଦେଇଥିଲେ । ତିନିଟି ଦେଶରେ ଆଚାର୍ଯ୍ୟ ମହେଶରମଣଜୀ ଅଠର ହଜାର କିଲୋମିଟର ପଦଯାତ୍ରା କରିଥିବାରୁ ସେ ସାଧୁବାଦ ଜଣାଇଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତକୁ ଏକ ଆଧ୍ୟାତ୍ମିକ ସଂକଳ୍ପଭାବେ ବିବେଚନା କରିବା ତଥା ‘ବସୁଧୈବ କୁଟୁମ୍ବକମ୍‌’ ପରମ୍ପରାର ସମ୍ପ୍ରସାରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ୱେତାମ୍ବର ତେରାପନ୍ଥଙ୍କ ସହ ନିଜର ଦୀର୍ଘଦିନ ସମ୍ପର୍କର ସ୍ମରଣ କରି କହିଥିଲେ ଯେ ‘ୟେ ତେରାପନ୍ଥ ହେ, ୟେ ମେରା ପନ୍ଥ ହେ, ଏହି ତେରାପନ୍ଥ ମୋର ପଥ ।

ପ୍ରଧାନମନ୍ତ୍ରୀ ପଦଯାତ୍ରାର ମହତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ୨୦୧୪ ମସିହାରେ ଲାଲକିଲ୍ଲାରୁ ଯେଉଁ ପଦଯାତ୍ରାର ଶୁଭାରମ୍ଭ ହେଉଥିଲା ତାର ଅପୂର୍ବ ସଂଯୋଗ ଏହି ଯେ ସେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଭାବେ ସେହିବର୍ଷ ନୂତନ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ଥିଲା ଜନସେବା ଓ ଜନକଲ୍ୟାଣର ଯାତ୍ରା । ପ୍ରଧାନମନ୍ତ୍ରୀ ମଧ୍ୟ ପଦଯାତ୍ରାର ବାର୍ତ୍ତା, ନୈତିକତା, ଉତ୍ସର୍ଗ ଓ ଶାନ୍ତିପୂର୍ଣ୍ଣ ସହବାସ୍ଥାନର ପ୍ରଶଂସା କରିଥିଲେ । ଯେକୌଣସି କୁ-ଅଭ୍ୟାସଠାରୁ ଦୂରେଇ ରଖିବା ହିଁ ପ୍ରକୃତ ଆତ୍ମସମୀକ୍ଷା ବୋଲି କହିଥିଲେ ।କୁଅଭ୍ୟାସଠାରୁ ମୁକ୍ତି ରହିଲେ ଆତ୍ମା-ପରମାତ୍ମାର ମିଳନ ଘଟି ସର୍ବଜନ କଲ୍ୟାଣ ସମ୍ଭବ ହେବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଦେଶ ସମାଜଠାରୁ କର୍ତ୍ତବ୍ୟବୋଧ ଆଶା କରିବା ସହ ଦେଶ ମଧ୍ୟ ନିଜକୁ ଆଗେଇ ନେଉଛି । ଦେଶ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ସହ ଆଗକୁ ବଢୁଛି । ସରକାରଙ୍କ ଦ୍ୱାରା ସବୁ କାମ କରାଇବା ଭାରତର ପ୍ରବୃତ୍ତି କେବେ ବି ନ ଥିଲା । ଏଠାରେ ସରକାର, ସମାଜ ଓ ଧାର୍ମିକ ଗୁରୁଙ୍କର ସବୁବେଳେ ସମାନ ଭୂମିକା ରହିଛି । ଏହାର ସଂକଳ୍ପଗୁଡିକୁ ସାକାର କରିବା ନିମନ୍ତେ ଦେଶ ଏହି ଉତ୍ସାହକୁ ଉପଜୀବ୍ୟ କରି କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି।

ଶେଷରେ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଗୁରୁମାନଙ୍କୁ ଦେଶକୁ ଆଗେଇ ନେବା ପାଇଁ ଉଦ୍ୟମ ଓ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ ।

 

*****

SM / SP


(Release ID: 1810316) Visitor Counter : 245