କ୍ୟାବିନେଟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେଏୱାଇ) ଯୋଜନାର ଅବଧି ଆଉ ୬ ମାସ ବଢ଼ିଲା


ଏପ୍ରିଲରୁ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ମିଳିବ ମାଗଣା ଖାଦ୍ୟଶସ୍ୟ

ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଉପକୃତ ହେବେ ଗରିବ ଓ ବଞ୍ଚିତ ଜନସାଧାରଣ

ପିଏମଜିକେୱାଇ ଯୋଜନା ପାଇଁ ଖର୍ଚ୍ଚ ହେବ ପ୍ରାୟ ୩.୪ ଲକ୍ଷ କୋଟି ଟଙ୍କା

୧,୦୦୦ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ପରିମାଣର ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯିବ

Posted On: 26 MAR 2022 7:27PM by PIB Bhubaneshwar

ସମାଜର ଗରିବ ଏବଂ ବଞ୍ଚିତ ବର୍ଗଙ୍କ ସମସ୍ୟା ବିଷୟରେ ଚିନ୍ତା କରି କେନ୍ଦ୍ର ସରକାର ଆଉ ଏକ ସମ୍ବେଦନଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେଏୱାଇ)ର ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଆସନ୍ତା ମାସ ଅର୍ଥାତ୍‌ ଏପ୍ରିଲରୁ ଆରମ୍ଭ କରି ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ଷଷ୍ଠ ଥର ପାଇଁ ପିଏମ-ଜିକେଏୱାଇ ଯୋଜନାର ଅବଧି ସମ୍ପ୍ରସାରଣ କରିଛନ୍ତି । ଏଥର ଯୋଜନା ଅବଧି ଅତିରିକ୍ତ ୬ ମାସ ବଢ଼ିଛି ।

ମାର୍ଚ୍ଚ ୨୦୨୨ରେ ପିଏମ-ଜିକେଏୱାଇ ଯୋଜନାର ପଞ୍ଚମ ପର୍ଯ୍ୟାୟ ଅବଧି ଶେଷ ହେଉଥିଲା। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୦୨୦ ଠାରୁ ପିଏମ-ଜିକେଏୱାଇ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଏହା ହେଉଛି ବିଶ୍ବର ସବୁଠୁ ବଡ଼ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ।

ଏବେ ସୁଦ୍ଧା ସରକାର ଏହି ଯୋଜନାରେ ପାଖାପାଖି ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଯୋଜନାର ଅବଧିକୁ ଆଗକୁ ୬ ମାସ ପାଇଁ ବଢ଼ାଇବା ଲାଗି କେନ୍ଦ୍ର ସରକାର ଅତିରିକ୍ତ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଫଳରେ ସରକାର ପିଏମ-ଜିକେଏୱାଇ ଯୋଜନାରେ ମୋଟ ୩ ଲକ୍ଷ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ସାରା ଭାରତରେ ପ୍ରାୟ ୮୦ ହଜାର ହିତାଧିକାରୀ ଏହି ଯୋଜନାର ଲାଭ ପାଇବେ ଏବଂ ପୂର୍ବପରି ଭାରତ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।

ଯଦିଓ ଏବେ କୋଭିଡ-୧୯ ମହାମାରୀର ପ୍ରକୋପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଏବଂ ଆର୍ଥିକ କାର୍ଯ୍ୟକଳାପ ଧୀରେ ଧୀରେ ଗତିଶୀଳ ହେଉଛି, ତଥାପି ପିଏମ-ଜିକେଏୱାଇ ଯୋଜନାର ଅବଧି ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ସୁଧାର ସମୟରେ ଦେଶର ଗରିବ ପରିବାରଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ହୋଇପାରିବ ଏବଂ କେହି ପରିବାର ଉପବାସରେ ରହିବେ ନାହିଁ ।

ପିଏମ-ଜିକେଏୱାଇର ସମ୍ପ୍ରସାରିତ ଅବଧି ସମୟରେ ହିତାଧିକାରୀମାନଙ୍କୁ ପ୍ରତି ମାସରେ ପ୍ରତି ପରିବାରର ଜଣେ ସଦସ୍ୟ ପିଛା ଅତିରିକ୍ତ ୫ କିଗ୍ରା ମାଗଣା ରାସନ ଯୋଗାଇ ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ରେ ମିଳୁଥିବା ସାଧାରଣ ଖାଦ୍ୟଶସ୍ୟ କୋଟା ଠାରୁ ଅତିରିକ୍ତ ଏହି ଖାଦ୍ୟଶସ୍ୟ ମିଳିବ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଗରିବ ପରିବାର ସାଧାରଣ ପରିମାଣ ଅପେକ୍ଷା ପ୍ରାୟ ଦୁଇ ଗୁଣା ଖାଦ୍ୟଶସ୍ୟ ପାଇବେ ।

ଏଠାରେ ସୂଚନାଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟ ପିଏମ-ଜିକେଏୱାଇ ଯୋଜନା ଅଧୀନରେ ସରକାର ପ୍ରାୟ ୭୫୯ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ମାଗଣାରେ ଯୋଗାଇ ଦେଇଛନ୍ତି । ଷଷ୍ଠ ପର୍ଯ୍ୟାୟରେ ଯୋଜନାର ସମ୍ପ୍ରସାରଣ ଫଳରେ ସରକାର ଆଉ ୨୪୪ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେବେ । ଏହାପରେ ପିଏମ-ଜିକେଏୱାଇ ଯୋଜନା ଅଧିନରେ ମୋଟ ଖାଦ୍ୟଶସ୍ୟ ବିତରଣ ପରିମାଣ ବର୍ତ୍ତମାନ ୧,୦୦୩ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିବ ।

ଏବେ ପ୍ରବାସୀ ଶ୍ରମିକ କିମ୍ବା ଏକ ରାଷ୍ଟ୍ର ଏକ ରାସନ କାର୍ଡର ଯେକୌଣସି ହିତାଧିକାରୀ ରାସନ କାର୍ଡ ପୋର୍ଟେବଲିଟୀ ଜରିଆରେ ଏହି ଯୋଜନାର ଲାଭ ପାଇପାରିବେ । ସେମାନେ ଦେଶବ୍ୟାପୀ ରହିଥିବା ପ୍ରାୟ ୫ ଲକ୍ଷ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରୁ ରାସନ ସଂଗ୍ରହ କରିପାରିବେ । ଏବେ ସୁଦ୍ଧା ୬୧ କୋଟି ପୋର୍ଟେବିଲିଟୀ କାରବାର ଜରିଆରେ ଘର ଠାରୁ ଦୂରରେ ରହିଥିବା ହିତାଧିକାରୀମାନେ ଉପକୃତ ହୋଇପାରିଛନ୍ତି ।

ମହାମାରୀ ପ୍ରକୋପ ସତ୍ତ୍ବେ ସରକାର ଚାଷୀମାନଙ୍କ ଠାରୁ ସର୍ବକାଳୀନ ରେକର୍ଡ ପରିମାଣର ଖାଦ୍ୟଶସ୍ୟ କ୍ରୟ କରିବା ଏବଂ ଚାଷୀମାନଙ୍କୁ ସର୍ବାଧିକ ପରିମାଣର ଅର୍ଥ ପଇଠ କରିବା ଯୋଗୁ ଦେଶର ଗରିବ ଜନସାଧାରଣଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ସମ୍ଭବ ହୋଇପାରିଛି । ଚାଷ ଜମିରେ ରେକର୍ଡ ପରିମାଣର ଫସଲ ଉତ୍ପାଦନ ପାଇଁ ଭାରତୀୟ ଚାଷୀ-ଅନ୍ନଦାତାମାନେ ପ୍ରଶଂସାର ପାତ୍ର । 

 

*********

P.S



(Release ID: 1810083) Visitor Counter : 216