ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗରୁଡ ଏରୋସ୍ପେସ୍ ଦ୍ୱାରା ୧୦୦ କିଷାନ ଡ୍ରୋନ୍ ଉଡାଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ପାଠ

Posted On: 19 FEB 2022 11:54AM by PIB Bhubaneshwar

ନମସ୍କାର

ଯଦି ନୀତିଗୁଡିକ ଠିକ୍ ହୋଇଥାଏ, ତା’ହେଲେ ଦେଶ ଶିଖରକୁ ଛୁଇଁ ପାରିବ । ଆଜିର ଦିନ ଏହାର ବହୁତ ବଡ ଉଦାହରଣ ଅଟେ । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଦେଶରେ ଯେତେବେଳେ ଡ୍ରୋନ୍‌ର ନାମ ନିଆ ଯାଉଥିଲା, ସେତେବେଳେ ଲାଗୁଥିଲା ଯେ ଏହା ସେନା ସହିତ ଯୋଡି ହୋଇ ରହିଥିବା ଏକ ପ୍ରଯୁକ୍ତି ବିଦ୍ୟା । ଏହା ଶତ୍ରୁମାନଙ୍କୁ ମୁକାବିଲା କରିବାରେ ବ୍ୟବହୃତ ହେଉଥିବା ଗୋଟିଏ ଜିନିଷ । ଏହି ନିର୍ଦ୍ଦିଷ୍ଟ ବ୍ୟବହାରର ସୀମା ପର୍ଯ୍ୟନ୍ତ ଆମର ଚିନ୍ତା ପ୍ରସାରିତ ଥିଲା । କିନ୍ତୁ ଆଜି ଆମେ ମାନେସରରେ କିଷାନ ଡ୍ରୋନ୍ ସହିତ ସମ୍ପର୍କିତ ସୁବିଧା ଗୁଡିକର ଉନ୍ମୋଚନ କରିଛେ । ଏହା ଏକବିଂଶ ଶତାବ୍ଦୀର ଆଧୁନିକ କୃଷି ବ୍ୟବସ୍ଥା ଦିଗରେ ଏକ ନୂତନ ଅଧ୍ୟାୟ ଅଟେ । ମୋର ବିଶ୍ୱାସ ଅଛି ଯେ, ଏହି ଆରମ୍ଭ କେବଳ ଡ୍ରୋନ୍ କ୍ଷେତ୍ରରେ ବିକାଶର ମାଇଲ୍ ଖୁଂଟ ସ୍ଥାପନ କରିବ ନାହିଁ, ଏଥିରେ ସମ୍ଭାବନା ଗୁଡିକର ଅସୀମ ଦ୍ୱାର ଉନ୍ମୋଚିତ ହେବ । ମୋତେ ଏହା ମଧ୍ୟ କୁହାଯାଇଛି ଯେ, ଗରୁଡ ଏରୋସ୍ପେସ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ‘ଭାରତରେ ପ୍ରସ୍ତୁତ’ (ମେଡ୍ ଇନ୍ ଇଣ୍ଡିଆ) ଡ୍ରୋନ୍ ତିଆରି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏଥିରେ ଅନେକ ଯୁବକଙ୍କୁ ନୂତନ ରୋଜଗାର ଏବଂ ନୂତନ ସୁଯୋଗ ମିଳିବ । ମୁଁ ସେଥିପାଇଁ ଗରୁଡ ଏରୋସ୍ପେସ୍‌ର ଟିମ୍ (ଦଳ)କୁ, ସମସ୍ତ ନବଯୁବକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଦେଶ ନିମନ୍ତେ ଏହି ସମୟ ‘ସ୍ୱାଧୀନତାର ଅମୃତ ମହୋତ୍ସବର ସମୟ’ ଅଟେ । ଏହା ଯୁବା ଭାରତର ସମୟ ଏବଂ ଭାରତର ଯୁବକ ମାନଙ୍କର ସମୟ ଅଟେ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯେଉଁ ସଂସ୍କାର ଅଣା ଯାଇଛି, ତାହା ଯୁବକମାନଙ୍କୁ ଏବଂ ଘରୋଇ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ । ଡ୍ରୋନ୍‌କୁ ନେଇ ଭାରତ ଆଶଙ୍କା ଭିତରେ ସମୟ ନଷ୍ଟ କରି ନାହିଁ । ଆମେ ଯୁବ ପ୍ରତିଭାମାନଙ୍କ ଉପରେ ଭରସା ରଖିଛୁ ଏବଂ ନୂତନ ଚିନ୍ତାଧାରା ସହିତ ଆଗକୁ ବଢ଼ିଛୁ ।

ଏଥର ବଜେଟ୍‌ରେ ହୋଇଥିବା ଘୋଷଣା ଗୁଡିକରୁ ଆରମ୍ଭ କରି ନୀତିଗତ ନିଷ୍ପତି ଗୁଡିକରେ ଦେଶ ଖୋଲାଖୋଲି ଭାବେ ପ୍ରଯୁକ୍ତି ଏବଂ ନବୋନ୍ମେଷକୁ ପ୍ରାଥମିକତା ଦେଇଛି । ଏହାର ପରିଣାମ ଆଜି ଆମ ଆଗରେ ଅଛି । ବର୍ତମାନ ଆମେ ସମସ୍ତେ ଦେଖୁଛେ ଯେ ଡ୍ରୋନ୍‌ର କେତେ ପ୍ରକାରର ବ୍ୟବହାର ହେବାରେ ଲାଗିଛି । ଏବେ ବିଟିଂ ରିଟ୍ରିଟ୍ ସମୟରେ ସମଗ୍ର ଦେଶ ଏକ ହଜାର ଡ୍ରୋନ୍‌ର ସୁନ୍ଦର ପ୍ରଦର୍ଶନ ଦେଖିଲା ।

ଆଜି ସ୍ୱାମୀତ୍ୱ ଯୋଜନା ଅଧୀନରେ ଗ୍ରାମ ଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି, ଘର ଗୁଡିକର ହିସାବ କିତାବ ପ୍ରସ୍ତୁତ ହେଉଛି । ଡ୍ରୋନ୍ ମାଧ୍ୟମରେ ଔଷଧ ମଧ୍ୟ ଯୋଗାଣ କରାଯାଉଛି । ଦୁର୍ଗମ ଅଂଚଳରେ ଟୀକା ପହଂଚି ପାରୁଛି । କେତେକ ସ୍ଥାନରେ କୃଷିକ୍ଷେତ୍ରରେ ଔଷଧ ସିଂଚନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । କିଷାନ ଡ୍ରୋନ୍ ଏବେ ଏହି ଦିଗରେ ନୁତନ ଯୁଗର ବିପ୍ଳବାତ୍ମକ ଆରମ୍ଭ ଅଟେ । ଉଦାହରଣ ସ୍ୱରୂପ, ଆଗାମୀ ସମୟରେ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସହାୟତାରେ କୃଷକ ନିଜ କୃଷିକ୍ଷେତ୍ରରୁ ସତେଜ ପନିପରିବା, ଫଳ, ଫୁଲକୁ ବଜାରକୁ ପଠେଇ ପାରିବ । ମତ୍ସ୍ୟ ଚାଷ ସହିତ ସମ୍ପୃକ୍ତ ଲୋକମାନେ ପୋଖରୀ, ନଦୀ ଏବଂ ସମୁଦ୍ରରୁ ସିଧାସଳଖ ସତେଜ ମାଛକୁ ବଜାରକୁ ପଠେଇ ପାରିବେ । କମ୍ ସମୟରେ ଅତି କମ୍ ପରିମାଣର କ୍ଷତି ସହିତ ମାଛ ଧରାଳୀ ମାନଙ୍କର, କୃଷକ ମାନଙ୍କର ସାମଗ୍ରୀ ବଜାରରେ ପହଂଚିଲେ ମୋର କୃଷକ ଭାଇ- ଭଉଣୀ, ମୋର ମାଛଧରାଳୀ ଭାଇ ଭଉଣୀମାନଙ୍କୁ ସହାୟତା ମିଳିପାରିବ, ସେମାନଙ୍କର ଆୟ ବୃଦ୍ଧି ପାଇବ । ଏଭିଭଳି ଅନେକ ଅନେକ ସମ୍ଭାବନା ଆମ ଆଗରେ ରହିଛି । 

ମୁଁ ବହୁତ ଖୁସି ଯେ, ଦେଶରେ ଅନେକ କମ୍ପାନୀ ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି । ଭାରତରେ ଡ୍ରୋନ୍ ଷ୍ଟାର୍ଟ- ଅପ୍‌ର ଏକ ନୂତନ ପାରିବେଶିକ ବ୍ୟବସ୍ଥା (ଇକୋ ସିଷ୍ଟମ୍‌) ପ୍ରସ୍ତୁତ ହେଉଛି । ଏବେ ଦେଶରେ ୨୦୦ରୁ ଅଧିକ ଡ୍ରୋନ୍ ଷ୍ଟାର୍ଟ-ଅପ୍ କାମ କରୁଛି । ବହୁତ ଶୀଘ୍ର ଏହାର ସଂଖ୍ୟା ହଜାର ହଜାର ସଂଖ୍ୟାରେ ପହଂଚିଯିବ । ଏହା ଫଳରେ ରୋଜଗାର ନିମନ୍ତେ ଲକ୍ଷ ଲକ୍ଷ ସୁଯୋଗ ସୃଷ୍ଟି ହେବ । ମୋର ବିଶ୍ୱାସ ଯେ, ଆଗାମୀ ସମୟରେ ଭାରତର ଏହି ବର୍ଦ୍ଧିତ ସାମର୍ଥ୍ୟ ସାରା ଦୁନିଆକୁ ଡ୍ରୋନ୍ କ୍ଷେତ୍ରରେ ଏକ ନୂତନ ନେତୃତ୍ୱ ପ୍ରଦାନ କରିବ । ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ମୋର ବହୁତ ବହୁତ ଶୁଭ କାମନା । ନବ ଯୁବକ ମାନଙ୍କର ସାହସକୁ ମୋର ଅନେକ ଶୁଭ କାମନା । ଆଜି ଯେଉଁ ଷ୍ଟାର୍ଟ-ଅପ୍‌ର ଦୁନିଆ ଠିଆ ହୋଇଛି, ନବ ଯୁବକମାନେ ସାହସ ଦେଖାଉଛନ୍ତି, ବିପଦକୁ ନିଜ ଉପରକୁ ନେଉଛନ୍ତି । ମୁଁ ସେଥିପାଇଁ ବହୁତ ବହୁତ ଶୁଭ କାମନା ଜଣାଉଛି । ଏବଂ ଭାରତ ସରକାର ନୀତିଗୁଡିକ ଦ୍ୱାରା ନିରନ୍ତର ଭାବେ ଆପଣମାନଙ୍କ ସହିତ ରହି, କାନ୍ଧକୁ କାନ୍ଧ ମିଶେଇ ଆପଣମାନଙ୍କୁ ଆଗକୁ ବଢ଼ିବାରେ କୌଣସି ବାଧା ଆସିବାକୁ ଦେବେ ନାହିଁ । ମୁଁ ବହୁତ ବହୁତ ଶୁଭ କାମନା ଜଣାଉଛି । ଅଶେଷ ଧନ୍ୟବାଦ । 

***

SSP

 

 

 



(Release ID: 1799619) Visitor Counter : 186