ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ଜନସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଓ ଟିକାକରଣ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର


ଦୈନିକ ସମୀକ୍ଷା ସହିତ ଜିଲ୍ଲାସ୍ତରୀୟ ସାପ୍ତାହିକ ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ଜନସଂଖ୍ୟାଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବା ଲାଗି ପରାମର୍ଶ

କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅକସ୍ମାତ୍‌ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଲାଗି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯିବ

କୋଭିଡ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରାଯିବ

प्रविष्टि तिथि: 27 DEC 2021 9:20PM by PIB Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ପାଞ୍ଚଟି ରାଜ୍ୟ ହେଲେ ଉତ୍ତରାଖଣ୍ଡ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ପଞ୍ଜାବ। ବୈଠକରେ ଏସବୁ ରାଜ୍ୟରେ କୋଭିଡ-୧୯କୁ ପ୍ରତିହତ ଓ ପରିଚାଳନା ପାଇଁ ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ଟିକାକରଣର ସ୍ଥିତି ସମୀକ୍ଷା କରାଯାଇଥିଲା।

ଉତ୍ତରାଖଣ୍ଡ ଏବଂ ଗୋଆ ପ୍ରଥମ ଓ ଦ୍ଵିତୀୟ ଡୋଜ୍‌ ଟିକାକରଣରେ ଜାତୀୟ ହାରକୁ ଅତିକ୍ରମ କରିସାରିଛନ୍ତି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଣିପୁରରେ କୋଭିଡ ୧୯ ଟିକାକରଣ ଜାତୀୟ ହାର ଠାରୁ କମ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୨ କୋଟି ୩୮ ଲକ୍ଷ ଡୋଜ୍‌ କୋଭିଡ ପ୍ରତିଷେଧକ ଟିକା ଦିଆଯାଇସାରିଛି, ଏଥିମଧ୍ୟରୁ ୮୩ କୋଟି ୮୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୫୮ କୋଟି ୫୮ ଲକ୍ଷ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ୍‌ ଟିକା ଦିଆଯାଇଛି।

ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ କୋଭିଡ-୧୯ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍‌ ଟିକାକରଣକୁ ଦ୍ରୁତ ଗତିରେ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାଛଡ଼ା ଯେଉଁମାନଙ୍କର ଦ୍ଵିତୀୟ ଡୋଜ୍‌ ଟିକା ନେବାର ଅବଧି ହୋଇସାରିଛି, ତୁରନ୍ତ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଏହି ଉଦ୍ଦେଶ୍ୟ ଲାଗି ଜିଲ୍ଲାସ୍ତରୀୟ ସାପ୍ତାହିକ ଟିକାକରଣ କାର୍ଯ୍ୟକାରିତା ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଦୈନିକ ଆଧାରରେ କାର୍ଯ୍ୟକାରିତା ସ୍ଥିତି ସମୀକ୍ଷା ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସଂକ୍ରମିତଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ସେମାନଙ୍କର ଚିକିତ୍ସା ଲାଗି ଜନ ସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ନମୁନା ପରୀକ୍ଷଣକୁ ଅଧିକ ମାତ୍ରାରେ ବଢ଼ାଇବା ଲାଗି ପରାମର୍ଶ ଦିଆଯାଇଥିଲା। କମ ନମୁନା ପରୀକ୍ଷା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ଯେପରି ହଠାତ୍‌ ବୃଦ୍ଧି ନପାଇବ ତାହା ସୁନିଶ୍ଚିତ କରିବା ଲାଗି କୁହାଯାଇଥିଲା।

କୋଭିଡ ଉପଯୁକ୍ତ ବ୍ୟବହାର ଯେପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ନିମନ୍ତେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ କୁହାଯାଇଥିଲା।

‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କୋଭିଡ-୧୯ ମହାମାରୀ ପରିଚାଳନା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ସହାୟତା ଯୋଗାଇ ଦିଆଯିବ।

 

*********

P.S.


(रिलीज़ आईडी: 1785662) आगंतुक पटल : 266
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Punjabi , Telugu