ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

28 ଡିସେମ୍ବରରେ କାନପୁର ମେଟ୍ରୋ ରେଲ୍ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ଏହି ପ୍ରକଳ୍ପ ମାଧ୍ୟମରେ ସହରାଞ୍ଚଳ ଗମନାଗମନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଧ୍ୟାନ ପ୍ରଦାନ କରୁଛନ୍ତି

ଆଇଆଇଟି କାନପୁର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଓ ବ୍ଲକଚେନ୍ ଆଧାରିତ ଡିଜିଟାଲ୍ ଡିଗ୍ରୀର ଶୁଭାରମ୍ଭ କରିବେ

ଅନୁଷ୍ଠାନ ଦ୍ବାରା ବିକଶିତ ଇନ-ହାଉସ୍ ବ୍ଲକଚେନ୍ ପରିଚାଳିତ ପ୍ରଯୁକ୍ତି ମାଧ୍ୟମରେ ଛାତ୍ରମାନଙ୍କୁ ଡିଜିଟାଲ୍ ଡିଗ୍ରୀ ପ୍ରଦାନ କରାଯିବ

ବିନା-ପାଙ୍କି ମଲ୍‌ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 26 DEC 2021 4:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ 28 ଡିସେମ୍ବର, 2021ରେ ଅପରାହ୍ନ 1.30 ଘ.ରେ କାନପୁର ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିବା ପାଇଁ କାନପୁର ପରିଦର୍ଶନ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ମଧ୍ୟ ବିନା-ପାଙ୍କି ମଲ୍‌ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 11 ଘ. ରେ ଆଇଆଇଟି କାନପୁରର 54ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। 

ସହରାଞ୍ଚଳ ଗମନାଗମନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଧ୍ୟାନ ପ୍ରଦାନ କରୁଛନ୍ତି। କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସଂପୂର୍ଣ୍ଣ ହୋଇଥିବା ସେକ୍ସନର ଉଦଘାଟନ ଏହି ଦିଗରେ ଆଉ ଏକ ପଦକ୍ଷେପ। ସମାପ୍ତ ହୋଇଥିବା 9 କିଲୋମିଟର ଲମ୍ବା ସେକ୍ସନଟି ଆଇଆଇଟି କାନପୁରରୁ ମୋତି ଜେଲ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିବେ ଏବଂ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନାଗର ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ। କାନପୁରରେ ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଲମ୍ବ 32 କିମି ଏବଂ ଏହାକୁ 11,000 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ କରାଯାଉଛି। 

 

ପ୍ରଧାନମନ୍ତ୍ରୀ ବିନା-ପାଙ୍କି ମଲ୍ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବେ। 356 କିମି ଲମ୍ବା ପ୍ରକଳ୍ପର ବାର୍ଷିକ ପ୍ରାୟ 3.45 ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ରହିଛି। ମଧ୍ୟପ୍ରଦେଶର ବିନା ରିଫାଇନାରୀରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ଏହି ପ୍ରକଳ୍ପ 1500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି। ଏହା ସହାୟତାରେ ଏହି ଅଞ୍ଚଳରେ ବିନା ରିଫାଇନାରୀରୁ ପେଟ୍ରୋଲିୟମ ଉତ୍ପାଦ ସହଜରେ ଉପଲବ୍ଧ ହୋଇପାରିବ। 

ଆଇଆଇଟି କାନପୁରର 54 ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ ସମସ୍ତ ଛାତ୍ରଙ୍କୁ ନ୍ୟାସନାଲ୍‌ ବ୍ଲକ୍ ଚେନ୍ ପ୍ରୋଜେକ୍ଟ ଅନ୍ତର୍ଗତ ଇନଷ୍ଟିଚ୍ୟୁଟରେ ବିକଶିତ ଏକ ଇନ୍-ହାଉସ୍ ବ୍ଲକ୍ ଚେନ୍-ଟେକ୍ନୋଲୋଜି ମାଧ୍ୟମରେ ଡିଜିଟାଲ୍ ଡିଗ୍ରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ ଡିଗ୍ରୀର ଶୁଭାରମ୍ଭ କରିବେ। ଏହି ଡିଜିଟାଲ୍ ଡିଗ୍ରୀଗୁଡିକ ସାରା ବିଶ୍ବରେ ଯାଞ୍ଚ କରାଯାଇପାରିବ ଏବଂ ଏହାର ନକଲ କରାଯାଇ ପାରିବ ନାହିଁ। 

BS



(Release ID: 1785379) Visitor Counter : 175