ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ରୁଷିଆ ଏକବିଂଶ ବାର୍ଷିକ ଶିଖର ସମ୍ମିଳନୀ

Posted On: 06 DEC 2021 10:28PM by PIB Bhubaneshwar

ରୁଷିଆର ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନ୍ ଭାରତର  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକବିଂଶ  ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଚଳିତ ଡିସେମ୍ବର ୬ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ ।

୨-ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭାରତ ଆସିଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ଓ ହାର୍ଦ୍ଦିକ ପରିବେଶରେ ରୁଷ ରାଷ୍ଟ୍ରପତି ଶ୍ରୀ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମଧ୍ୟରେ ଏହି ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇଥିଲା । ଦୁଇଦେଶ ମଧ୍ୟରେ ଯେଉଁ ସ୍ୱତନ୍ତ୍ର ଓ ବିଶେଷାଧିକୃତ ରଣକୌଶଳାତ୍ମକ ଅଂଶୀଦାରୀ (ସ୍ପେଶାଲ ଆଣ୍ଡ ପ୍ରିଭିଲେଜ୍‌ଡ ଷ୍ଟାଟେଜିକ୍ ପାର୍ଟନରସିପ୍‌) ରହିଛି ତାହା କୋଭିଡ ମହାମାରୀର ଆହ୍ୱାନ ସତ୍ୱେ ସନ୍ତୋଷଜନକଭାବେ ଆଗେଇ ଚାଲିଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ।

            ଡିସେମ୍ବର  ୨୦୨୧ରେ ନୂଆଦିଲ୍ଲୀଠାରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ୨+୨ ବୈଠକ ଏବଂ ସାମରିକ ଓ ସାମରିକ-ବୈଷୟିକ ସହଯୋଗ ସଂକ୍ରାନ୍ତ ଆନ୍ତଃ ସରକାରୀ ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିବାରୁ ଦୁଇ ନେତା ଏହାକୁ ସ୍ୱାଗତ କରିଥିଲେ ।

୩-ଦୁଇ ଦେଶ ମଧ୍ୟରେ ଅର୍ଥନୀତିକ ସହଯୋଗକୁ ଅଧିକ ବଢାଇବା ଉପରେ ଦୁଇ ନେତା ଗୁରୁତ୍ୱ ଆରୋପ କରିବା ସହ ଅଭିବୃଦ୍ଧିଶୀଳ କ୍ଷେତ୍ରକୁ ଚିହ୍ନଟ କରି ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅବ୍ୟାହତ ରଖିବାକୁ ଜୋର ଦେଇଥିଲେ । ପାରସ୍ପରିକ ପୁଞ୍ଜିନିବେଶର ସଫଳତା ଘେନି ଉଭୟ ସନ୍ତୋଷ ପ୍ରକଟ କରିବା ସହ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ରାଜି ହୋଇଛନ୍ତି । ଏହି ଆଲୋଚନା ଅବସରରେ ଉତ୍ତର-ଦକ୍ଷିଣ ଟ୍ରାନ୍ସପୋର୍ଟ କରିଡର (ଆଇଏନ୍‌ଏସ୍‌ଟିସି)ର ଗୁରୁ୍‌ତ୍ୱ ଏବଂ ପ୍ରସ୍ତାବିତ ଚେନ୍ନାଇ-ଭ୍ଲାଡିଭଷ୍ଟକ ମାରିଟାଇମ୍ କରିଡର ପ୍ରସଙ୍ଗ ଉତ୍‌ଥାପିତ ହୋଇଥିଲା । ରୁଷର ବିଭିନ୍ନ ଅଞ୍ଚଳ ବିଶେଷକରି ସେ ଦେଶର ଦୂର-ପ୍ରାଚ୍ୟ ଇଲାକା ସହ ଭାରତୀୟ ରାଜ୍ୟ ସମୂହଙ୍କର ଅନ୍ତଃ ଆଞ୍ଚଳିଳ ସହଯୋଗ ବୃଦ୍ଧି ଉପରେ ଦୁଇନେତା ଗୁରୁତ୍ୱ ଦେଇଥିଲେ । କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଦୁଇ ଦେଶଙ୍କର ମିଳିତ ପ୍ରୟାସ ଏବଂ ଅତି ଜଟିଳ ସମୟରେ ଦୁଇପକ୍ଷ ପରସ୍ପରକୁ ମାନବିକତା ଦୃଷ୍ଟିରୁ ଯେଉଁସବୁ ସାହାଯ୍ୟ ସହଯୋଗ କରିଛନ୍ତି ତାହାକୁ ଉଭୟ ନେତା ତାରିଫ କରିଥିଲେ ।

୪- ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ମଧ୍ୟ କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ପୁନରୁ୍‌ଦ୍ଧାର ଓ ଆଫାଗାନିସ୍ଥାନ ବିଷୟ ସ୍ଥାନ ପାଇଥିଲା । ଆଫଗାନିସ୍ଥାନ ଘେନି ଦୁଇ ଦେଶର ଦୃଷ୍ଟିକୋଣ ଓ ଚିନ୍ତା ସମାନ । ଆଫଗାନିସ୍ଥାନର କଥାବାର୍ତ୍ତା ସହଯୋଗ କରିବା ପାଇଁ ଦୁଇଦେଶର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ସ୍ତରରେ ଯେଉର୍ଁ କାର୍ଯସୂଚୀ ଓ ଯୋଜନା ପ୍ରସ୍ତୁତ ହୋଇଛି ତାହାକୁ ଦୁଇନେତା ପ୍ରଶଂସା କରିଥିଲେ । ଉଭୟ ନେତା କହିଥିଲେ ଯେ ଭାରତ ଓ ରୁଷିଆ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସମାନ ଦୃଷ୍ଟିକୋଣ ରଖିଛନ୍ତି । ଜାତିସଂଘର ନିରାପତ୍ତା  ଜାତିସଂଘ ନିରାପତ୍ତା  ପରିଷଦ ସମେତ  ବହୁ ପାକ୍ଷିକ ମଞ୍ଚରେ ଦୁଇ ଦେଶ ନିଜର ପାରସ୍ପରିକ ସହଯୋଗକୁ ଆହୁରି ନିବିଡ ଓ ମଜବୁତ କରିବାକୁ ଏକମତ । ଭାରତ ଏବେ ନିରାପତ୍ତା ପରିଷଦର ଅସ୍ଥାୟୀ ସଭ୍ୟପଦ ପାଇବା ସହିତ ୨୦୨୧ ବର୍ଷ ପାଇଁ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷ ପଦ ସଫଳତାର ସହିତ ନିର୍ବାହ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରୁଷିଆ ରାଷ୍ଟ୍ରପତି ଶ୍ରୀ ପୁଟିନ ଅଭିନନ୍ଦନ ଜଣାଇଥିଲେ । ଏବେ ରୁଷିଆ ଆର୍କିଟିକ୍ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଯୋଗୁଁ ରାଷ୍ଟ୍ରପତି ପୁଟିନକୁ ମଧ୍ୟ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

୫-ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ଆଲୋଚନା ପରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି । ଏହି ଘୋଷଣା ନାମାର ନାମ ରଖାଯାଇଛି, “ଇଣ୍ଡିଆ-ରୁଷିଆ : ପାର୍ଟନରସିପ୍ ଫର ଫିସ୍‌, ପ୍ରଗ୍ରେସ ଆଣ୍ଡ ପ୍ରସ୍ପରିଟି” (ଭାରତ-ରୁଷିଆ:ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଅଂଶୀଦାରୀ) । ଏଥିରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ଏହାର ଭବିଷ୍ୟତର ଯଥାର୍ଥ ଉଲ୍ଲେଖ ରହିଛି । ରାଷ୍ଟ୍ରପତି ଶ୍ରୀ ପୁଟିନଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ ବିଷୟରେ ଚୁକ୍ତି ଓ ବୁଝାମଣାପତ୍ରମାନ ସ୍ୱାକ୍ଷରିତ ହୋଇଛି । ସେଥିମଧ୍ୟରେ ବାଣିଜ୍ୟ, ଊର୍ଜା, ବିଜ୍ଞାନ ଓ ପ୍ରଯୁକ୍ତି, ବୌଦ୍ଧିକ ସ୍ୱତ୍ୱାଧିକାର, ମହାକାଶ ଓ ବାହ୍ୟ ଅନ୍ତରୀକ୍ଷ, ଭୂତାତ୍ୱିକ ଅନୁସନ୍ଧାନ, ସାଂସ୍କୃତିକ ବିନିମୟ ଓ ଶିକ୍ଷା ଆଦି ଅନ୍ତର୍ଭୁକ୍ତ । ଏହା ଆମ ଦ୍ୱିପାକ୍ଷିକ ସମ୍ପର୍କର ଏକ ବହୁମୁଖୀ ପ୍ରତିଫଳନ ।

୬-୨୦୨୨ରେ ଭାରତ ଓ ରୁଷିଆ ମଧ୍ୟରେ ଯେଉଁ ଦ୍ୱାବିଂଶ ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହେବ ସେଥିରେ ଯୋଗଦେବା ପାଇଁ ରୁଷିଆ ଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କୁ ଶ୍ରୀ ପୁଟିନ ନିମନ୍ତ୍ରଣ କରିଛନ୍ତି ।

 

****

TM / SLP



(Release ID: 1779931) Visitor Counter : 204