ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ଅଡିଟ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ


“ସିଏଜି ବନାମ ସରକାର ମାନସିକତା ବଦଳିଛି । ଏବେ ଅଡିଟ୍ ମୂଲ୍ୟ ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଭାବେ ବିବେଚିତ ହେଉଛି”

“ଆମେ ପୂର୍ବ ସରକାରର ସତ୍ୟାସତ୍ୟ ଦେଶ ଆଗରେ ଅତ୍ୟନ୍ତ ସଚ୍ଚୋଟତାର ସହ ଉପସ୍ଥାପନ କରିଛୁ । ସମସ୍ୟାବଳୀକୁ ଚିହ୍ନଟ କରିବା ପରେ ଆମେ ସେସବୁର ସମାଧାନ ପନ୍ଥା ବାହାର କରିବୁ”

“କଣ୍ଟାକ୍ଟଲେସ କଷ୍ଟମସ୍‌, ଅଟୋମେଟିକ ରିନିୱାଲସ୍‌, ଫେସ୍‌ଲେସ୍ ଆସେସମେଣ୍ଟସ୍‌, ଅନଲାଇନ୍ ଆପ୍ଲିକେସନ୍ସ ଆଦି ବ୍ୟବସ୍ଥା ସେବା ଯୋଗାଣରେ ଉପଯୋଗ ହେଉଛି । ଏସବୁ ସଂସ୍କାର ଅନାବଶ୍ୟକ ସରକାରୀ ହସ୍ତକ୍ଷେପର ଅବସାନ ଘଟାଇଛି”

“ଆଧୁନିକ ପଦ୍ଧତି ଓ ବ୍ୟବସ୍ଥା ଅବଲମ୍ବନ କରି ସିଏଜି ଦ୍ରୁତଗତିରେ ବଦଳିଛି । ଆଜି ଆପଣ ଅତ୍ୟାଧୁନିକ ଆନାଲିଟିକ୍ସ ଟୁଲ୍ସ ଭୂସ୍ଥାନିକ ତଥ୍ୟାବଳୀ ଓ ଉପଗ୍ରହଚିତ୍ର ଆଦିକୁ ବ୍ୟବହାର କରୁଛନ୍ତି”

“ଏକ ବିଂଶ ଶତାବ୍ଦୀରେ, ଡାଟା ହିଁ ସୂଚନା, ଆଗାମୀ ଦିନରେ ଆମ ଇତିହାସ ଡାଟା ମାଧ୍ୟମରେ ଦେଖାଯିବ ଓ ବୁଝିହେବ । ଭବିଷ୍ୟତରେ ଡାଟା ହିଁ ଇତିହାସକୁ ନିର୍ଦ୍ଧାରଣ କରିବ”

Posted On: 16 NOV 2021 11:32AM by PIB Bhubaneshwar

ଆଜି ପ୍ରଥମ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି  କାର୍ଯ୍ୟକ୍ରମରେ ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ (ସିଏଜି) ଶ୍ରୀ ଗିରିଶଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ସିଏଜି କେବଳ ଦେଶର ହିସାବପତ୍ର ରଖୁନାହିଁ, ରାଷ୍ଟ୍ରର ଉତ୍ପାଦକତା ଓ ଦକ୍ଷତା ବୃଦ୍ଧିରେ ମୂଲ୍ୟ ମିଶ୍ରଣ କରି ଏହାକୁ ଅଧିକ ଋଦ୍ଧିମନ୍ତ କରୁଛି । ଅତଏବ ଅଡିଟ୍ ଦିବସରେ ବିଚାର ଆଲୋଚନା ଓ ତତ୍‌ସଂକ୍ରାନ୍ତ କାର୍ଯ୍ୟକ୍ରମ ଆମ ଉନ୍ନତି ଓ ଦକ୍ଷତା ବୃଦ୍ଧିର ଏକ ଅଂଶବିଶେଷ । ସିଏଜି ଏକ ଅନୁଷ୍ଠାନ ଓ ଏହାର ଗୁରୁତ୍ୱ ଯଥେଷ୍ଟ ବଢିଛି । ସମୟକ୍ରମେ ଏହା ନିଜ ଅଧିକାର ଓ ଦାୟିତ୍ୱ କ୍ଷେତ୍ରରେ ଏକ ଉଚ୍ଚ ପରମ୍ପରା ଓ ଉତ୍ତରଦାୟିତ୍ୱତ୍ତରସୃଷ୍ଟି କରିଛି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଓ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ମହାନ୍ ନେତାଗଣ ଆମକୁ ବୃହତ୍ ଲକ୍ଷ୍ୟ ନିର୍ଦ୍ଧାରଣ କରି ତାହାକୁ ହାସଲ କରିବାର କୌଶଳ ଶିଖାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକଦା ସମୟ ଥିଲା, ଯେତେବେଳେ ଦେଶରେ ସରକାରୀ ଖର୍ଚ୍ଚର ହିସାବପତ୍ର (ଅଡିଟିଂ) କରିବା କାମକୁ ଆଶଙ୍କା ଓ ଭୟ ମଧ୍ୟରେ ଦେଖାଯାଉଥିଲା । ଆମ ବ୍ୟବସ୍ଥାର ସାଧାରଣ ମନୋଭାବ ଓ ବିଚାର ଥିଲା, “ସିଏଜି ବନାମ ସରକାର ।ଆଜି କିନ୍ତୁ ସେହି ମନୋଭାବ ବଦଳି ଯାଇଛି । ଏବେ ଅଡିଟକୁ ମୂଲ୍ୟ ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଭାବେ ବିଚାର କରାଯାଉଛି ।

ପ୍ରଧାମମନ୍ତ୍ରୀ କହିଥିଲେ, ପୂର୍ବରୁ ବ୍ୟାଙ୍କ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବରୁ ବିଭିନ୍ନ ପ୍ରକାର ତ୍ରୁଟିପୂର୍ଣ୍ଣ ନୀତିକୁ ପାଳନ କରାଯାଉଥିଲା । ଏହାଫଳରେ ବ୍ୟାଙ୍କଗୁଡିକର ଏନ୍‌ପିଏ ବଢିବାକୁ ଲାଗିଲା । ଆପଣମାନେ ଭଲଭାବେ ଜାଣନ୍ତି, ଅତୀତରେ ବ୍ୟାଙ୍କ ସମୂହଙ୍କ ଅଚଳ ସମ୍ପତ୍ତି (ଏନ୍‌ପିଏ) ଜନିତ ତଥ୍ୟକୁ ଗୁପ୍ତ ରଖାଯାଉଥିଲାଏ ସମ୍ପର୍କରେ ପୂର୍ବ ସରକାରର ସବୁ କର୍ମ ଅପକର୍ମ ବାବଦ ସତ୍ୟାସତ୍ୟକୁ ଆମେ ଅତ୍ୟନ୍ତ ସଚ୍ଚୋଟତାର ସହ ଦେଶ ଆଗରେ ଉପସ୍ଥାପନ କରିଛୁ । ଯେତେବେଳେ ସମସ୍ୟାବଳୀକୁ ଆମେ ଚିହ୍ନଟ କରିବୁ, ସେତେବେଳେ ଆମେ ସମାଧାନର ସୂତ୍ର ବାହାର କରିବୁ ।

ଅଡିଟରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଆମେ ଆଜି ଏପରି ଏକ ବ୍ୟବସ୍ଥା କରୁଛୁ ଯେଉଁଥିରେ ସରକାର ସର୍ବମ୍‌ବିଚାର ଗୁରୁତ୍ୱ ହରାଉଛି । ଏହାର ଅର୍ଥ ସବୁକଥାରେ ସରକାରଙ୍କ ହସ୍ତକ୍ଷେପ କ୍ରମଶଃ କମୁଛି ଏବଂ ଆପଣଙ୍କ କାମ ସହଜ ହେଉଛି । ଏହା ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ନୀତିରେ କରାଯାଉଛି । କଣ୍ଟାକ୍ଟଲେସ କଷ୍ଟମ୍ସ, ଅଟୋମେଟିକ୍ ରିନ୍ୟୁଆଲ୍ସ, ଫେସଲେସ୍ ଆସେସମେଣ୍ଟ, ଅନ୍‌ଲାଇନ୍ ଆପ୍ଲିକେସନ୍ସ ଆଦି ସେବା ଯୋଗାଣ ପାଇଁ ପ୍ରବର୍ତ୍ତିତ ହୋଇଛି । ଏସବୁ ସଂସ୍କାର ସବୁ କଥାରେ ଅନାବଶ୍ୟକ ସରକାରୀ ହସ୍ତକ୍ଷେପର ଅବସାନ ଘଟାଇଛିବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଫାଇଲ ବୋଝରେ ଗଡବଡିଆ ସିଏଜିର ଯେଉଁ ହସ୍ତକ୍ଷେପବାଦୀ, ବ୍ୟସ୍ତବହୁଳ ଭାବମୂର୍ତ୍ତି ଥିଲା ତାହାର ଅବସାନ ଘଟିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଧୁନିକ ପଦ୍ଧତି ଓ ସାଧନକୁ ଉପଯୋଗ କରି ସିଏଜି ଦପ୍ତର ନିଜକୁ ଖୁବ୍ ଶୀଘ୍ର ବଦଳାଇପାରିଛି । ଆଜି ଆପଣମାନେ ଉନ୍ନତ ଆନାଲିଟିକ୍ସ ଟୁଲ୍ସ, ଜିଓ ସ୍ପେସିଆଲ(ଭୂ-ସ୍ଥାନିକ) ଡାଟା ଓ ଉପଗ୍ରହ ଚିତ୍ରମାନ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଡିଟର୍ସମାନଙ୍କୁ କହିଥିଲେ ।

ଭାରତ ସମ୍ମୁଖୀନ ହୋଇଥିବା ଶତାବ୍ଦୀର ସବୁଠୁ ବଡ ମହାମାରୀ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ମୁକାବିଲାରେ ଦେଶର ପ୍ରଦର୍ଶନ ଅସାଧାରଣ ରହିଛି । ଏବେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଅଳ୍ପ କେଇ ସପ୍ତାହ ପୂର୍ବରୁ ଏକଶହ କୋଟିରୁ ଅଧିକ କରୋନା ଟିକା ଡୋଜ୍ ପ୍ରଦାନ କରି ଦେଶ ଏକ ନୂଆ ସଫଳତା ହାସଲ କରିଛି । ଏହି ମହାନ୍ ଲଢେଇ ସମୟରେ ସରକାର ଗ୍ରହଣ କରିଥିବା ନୀତି ଓ ଅଭ୍ୟାସକୁ ସିଏଜି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ  ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ପୁରୁଣା କାଳରେ ସୂଚନା ସବୁ କାହାଣୀ ଆକାରରେ ପ୍ରସାରିତ ହେଉଥିଲା । କାହାଣୀ ମାଧ୍ୟମରେ ଇତିହାସ ରଚନା କରାଯାଉଥିଲା । ଏବେ କିନ୍ତୁ ଏକବିଂଶ ଶତାବ୍ଦୀରେ ଡାଟା ହିଁ ସୂଚନା ଏବଂ ଆଗାମୀ ଦିନରେ ଆମର ଇତିହାସ ଡାଟା ମାଧ୍ୟମରେ ଦେଖାଯିବ ଓ ବୁଝିହେବ । ଭବିଷ୍ୟତରେ ଡାଟା ହିଁ ଇତିହାସକୁ ନିର୍ଦ୍ଧାରଣ କରିବ ବୋଲି ସେ କହିଥିଲେ ।

 

*****

TM / SLP

 



(Release ID: 1772465) Visitor Counter : 165