ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି ୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ବିଶ୍ୱ ଅର୍ଥନୀତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: ୩୦ ଅକ୍ଟୋବର ୨୦୨୧, ୧୧.୫୫ ପିଏମ୍‌, ପିଆଇବି ଦିଲ୍ଲୀ

Posted On: 30 OCT 2021 11:55PM by PIB Bhubaneshwar

ମହାମାନ୍ୟଗଣ,

କରୋନା ବୈଶ୍ୱିକ ମହାମାରୀ ବିରୋଧରେ ଲଢିବା ପାଇଁ ଆମେ ଏକ ବିଶ୍ୱ- ଏକ ସ୍ୱାସ୍ଥ୍ୟର ଲକ୍ଷ୍ୟ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛୁ ।

ଭବିଷ୍ୟତରେ ଏଭଳି କୌଣସି ବି ସଙ୍କଟର ମୁକାବିଲା କରିବା ପାଇଁ ଏହି ଲକ୍ଷ୍ୟ ବିଶ୍ୱର ବହୁତ ବଡ ଶକ୍ତି ଭାବେ ଉଭା ହୋଇପାରେ ।

ମହାମାନ୍ୟଗଣ,

ବିଶ୍ୱ ଭେଷଜଶାଳାର ଭୂମିକା ନିର୍ବାହନ ପୂର୍ବକ ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧ ପହଂଚାଇଛି ।

ଏଥିସହ ଆମେ ପ୍ରତିଷେଧକ ଗବେଷଣା ଏବଂ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ମଧ୍ୟ ଆମର ସମସ୍ତ ସାମର୍ଥ୍ୟର ଉପଯୋଗ କରିଛୁ ।

ଖୁବ କମ୍ ସମୟ ମଧ୍ୟରେ, ଆମେ ଭାରତରେ ଶହେ କୋଟିରୁ ଅଧିକ ଡୋଜ ଟିକା ଲଗାଇ ସାରିଛୁ ।

ବିଶ୍ୱର ଏକ ଷଷ୍ଠାଂଶ ଜନସଂଖ୍ୟା ମଧ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣ କରି ଭାରତ ବିଶ୍ୱକୁ ମଧ୍ୟ ସୁରକ୍ଷିତ କରିବାରେ ନିଜର ଯୋଗଦାନ ଦେଇଛି, ଏବଂ ଭୂତାଣୁର ଅଧିକ ମ୍ୟୁଟେସନର ସମ୍ଭାବନାକୁ ମଧ୍ୟ ହ୍ରାସ କରିଛି ।

ମହାମାନ୍ୟଗଣ,

ଏହି ମହାମାରୀ ସମଗ୍ର ବିଶ୍ୱକୁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ପ୍ରତି ସତର୍କ କରାଇଛି ।

ଏପରି ସ୍ଥିତିରେ ଭାରତ, ଏକ ବିଶ୍ୱସନୀୟ ନିର୍ମାଣ ପେଣ୍ଠ ଭାବରେ ଉଭା ହୋଇଛି ।

ଏଥିପାଇଁ ଭାରତ ସାହସପୂର୍ଣ୍ଣ ଅର୍ଥନେତିକ ସଂସ୍କାରଗୁଡିକୁ ନୂତନ ଗତି ପ୍ରଦାନ କରିଛି ।

ଆମେ ବ୍ୟବସାୟ ବାବଦ ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରିଛୁ ଏବଂ ପ୍ରତ୍ୟେକ ସ୍ତରରେ ନବସୃଜନକୁ ଆଗକୁ ବଢାଇଛୁ ।

ମୁଁ ଜି-୨୦ ଦେଶଗୁଡିକୁ ଆମନ୍ତ୍ରଣ କରୁଛି, ଯେ ନିଜର ଆର୍ଥିକ ପୁନରୁଦ୍ଧାର ଏବଂ ଯୋଗାଣ ଶୃଙ୍ଖଳର ବିବିଧକରଣରେ ଭାରତକୁ ନିଜର ଭରସାଯୋଗ୍ୟ ଅଂଶୀଦାର କରନ୍ତୁ ।

ମହାମାନ୍ୟଗଣ,

ସମ୍ଭବତଃ ଜୀବନର ଏପରି କୌଣସି ସ୍ତର ନାହିଁ ଯେଉଁଠାରେ କୋଭିଡ କାରଣରୁ ବାଧା ଆସିନାହିଁ ।

ଏଭଳି ବିକଟ ପରିସ୍ଥିତିରେ ମଧ୍ୟ ଭାରତର ଆଇଟି-ବିପିଓ କ୍ଷେତ୍ରକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ବାଧା ଆଣିବାକୁ ଦେଇନାହିଁ, ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ସମଗ୍ର ବିଶ୍ୱକୁ ସହାୟତା ଯୋଗାଇ ଦେଇଛି ।

ମୁଁ ଖୁସି ଯେ, ଯେତେବେଳେ ଦେଖାସାକ୍ଷାତ ସମୟରେ ଆପଣମାନଙ୍କ ଭଳି ନେତାମାନେ ଏହି କଥାର ପ୍ରଶଂସା କରନ୍ତି ଯେ, ଭାରତ କିଭଳି ଭାବରେ ଏକ ବିଶ୍ୱସ୍ତ ଅଂଶୀଦାରର ଭୂମିକା ନିର୍ବାହ କରିଛି, ଏହା ଆମର ଯୁବପିଢୀକୁ ମଧ୍ୟ ନୂତନ ଉତ୍ସାହରେ ଭରିଦିଏ ।

ଏବଂ ଏହା ଏଥିପାଇଁ ହୋଇଛି, କାରଣ ଭାରତ ସମୟ ଅପଚୟ ନକରି ଯେ କୌଣସି ସ୍ଥାନରୁ ମଧ୍ୟ କାର୍ଯ୍ୟ କରିବା ଭଳି ଅଭୂତପୂର୍ବ ସଂସ୍କାର ଆଣିଛି ।

ମହାମାନ୍ୟଗଣ,

ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବା ପାଇଁ ୧୫ ପ୍ରତିଶତ ସର୍ବନିମ୍ନ କର୍ପୋରେଟ ଟିକସ ହାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ।

ମୁଁ ନିଜେ ୨୦୧୪ରେ ଜି-୨୦ ବୈଠକରେ ଏ ବିଷୟରେ ପରାମର୍ଶ ଦେଇଥିଲି । ମୁଁ ଜି-୨୦କୁ କୃତଜ୍ଞତା ଜଣାଉଛି ଯେ ଏହା ଏ ଦିଗରେ ବାସ୍ତବ ଅଗ୍ରଗତୀ କରିଛି ।

ଆର୍ଥିକ ପୁନରୁଦ୍ଧାର ପାଇଁ ଅନ୍ତରାଷ୍ଟ୍ରୀୟ ଗମନାଗମନ ବୃଦ୍ଧି କରିବା ଆବଶ୍ୟକ ଅଟେ ।

ଏଥିପାଇଁ ଆମକୁ ଭିନ୍ନ-ଭିନ୍ନ ଦେଶର ପ୍ରତିଷେଧକ ପ୍ରମାଣପତ୍ରକୁ ପରସ୍ପର ମାନ୍ୟତା ଦେବା ସୁନିଶ୍ଚିତ କରିବାକୁ ପଡିବ ।

ମହାମାନ୍ୟଗଣ,

ଭାରତ ଏହାର ବୈଶ୍ୱିକ ଦାୟିତ୍ୱକୁ ନେଇ ସର୍ବଦା ଗମ୍ଭୀର ରହିଆସିଛି ।

ମୁଁ ଆଜି ଜି-୨୦ର ଏହି ମଂଚରେ, ଆପଣ ସମସ୍ତଙ୍କୁ ଏହା ଜଣାଇବାକୁ ଚାହୁଁଛି ଯେ ଆସନ୍ତା ବର୍ଷ ବିଶ୍ୱ ପାଇଁ ୫୦୦ କୋଟିରୁ ମଧ୍ୟ ଅଧି ଡୋଜର ଟିକା ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ ରହିଛି ।

ଭାରତର ଏହି ପ୍ରତିଶୃତିବଦ୍ଧତା ଦ୍ୱାରା କରୋନା ବୈଶ୍ୱିକ ସଂକ୍ରମଣର ମୁକାବିଲା କରିବାରେ ବହୁତ ବଡ ସହାୟତା ମିଳିବ ।

ଏଥିପାଇଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ ଟିକାକୁ ଶୀଘ୍ର ମାନ୍ୟତା ଦେବାର ଆବଶ୍ୟକତା ରହିଛି ।

ଧନ୍ୟବାଦ!

***

JP



(Release ID: 1768562) Visitor Counter : 152