ସ୍ଵତନ୍ତ୍ର ସେବା ଓ ଫିଚର

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଆଇଏମ୍‌ପିଏସ୍‌ର ଥରକେ କାରବାର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ୨୦୨୧-୨୨ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ୯.୫ ଶତାଂଶ ହେବାର ଆଶା


ବ୍ୟବସାୟ, ଅସଂଗଠିତ କ୍ଷେତ୍ରକୁ ସହାୟତା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ ପେମେଣ୍ଟର ସୁବିଧା ପହଞ୍ଚାଇବାକୁ ବିଭିନ୍ନ ପଦକ୍ଷେପ ଘୋଷଣା

Posted On: 08 OCT 2021 1:20PM by PIB Bhubaneshwar

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସୁଧହାରକୁ ଅପରିବର୍ତ୍ତିତ ରଖିଛି । ବିଶେଷକରି ରେପୋ ରେଟକୁ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ୪ଶତାଂଶରେ ଅପରିର୍ତ୍ତିତ ରଖାଯାଇଛି । ସେହିଭଳି ରିଭର୍ସ ରେପୋ ରେଟ୍  ମଧ୍ୟ ୩. ୩୫ ଶତାଂଶରେ ଅପରିବର୍ତ୍ତିତ ରହିଛି । ଛଜଣିଆ ବିତ୍ତନୀତି(ମନିଟାରୀ ପଲିସି) କମିଟିର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ହାର ୯.୫ ଶତାଂଶ ରହିବା ଘେନି ଅନୁମାନ କରାଯାଉଛି ।

ଶ୍ରୀ ଦାସ କହିଛନ୍ତି ଯେ ଦେଶର ଅର୍ଥନୀତି ଉପରେ କରୋନା ମହାମାରୀର ଯେଉଁ ପ୍ରଭାବ ପଡିଛି ତାହାକୁ ଲାଘବ କରିବା ପାଇଁ ଯେତେଦିନ ଆବଶ୍ୟକ ପଡିବ ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ସାହାଯ୍ୟ ସହଯୋଗ  ଯୋଗାଇବାକୁ ଏମ୍‌ପିସି ନିଷ୍ପତ୍ତି ନେଇଛି । ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚିବା ଯାଏ ଏହି ନୀତି ଅବ୍ୟାହତ ରହିବ । ତେବେ ମୁଦ୍ରାସ୍ପୀତି ଯେପରି ଏହି ସମୟରେ ନିୟନ୍ତ୍ରଣରୁ ବାହରକୁ ନ ଯାଏ, ତାହାକୁ ମଧ୍ୟ ନିଶ୍ଚିତ କରାଯିବ ।

ମହାମାରୀ ଆରମ୍ଭ ହେବା ପରଠାରୁ ଦେଶର ଅର୍ଥନୀତିକୁ ନିୟନ୍ତ୍ରଣରେ ରଖିବା ଏବଂ ପରିସ୍ଥିତିର ମୁକାବିଲା କରିବାକୁ ରିଜର୍ଭ ବ୍ୟାଙ୍କ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ଦାସ ଏହି ଅବସରରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରିଜର୍ଭବ୍ୟାଙ୍କ ୨୦୨୧-୨୨ଆର୍ଥିକ ବର୍ଷର ପ୍ରଥମ ଛମାସ ମଧ୍ୟରେ ଓପନ ମାର୍କେଟ ଅପରେସନ ମାଧ୍ୟମରେ ୨. ୩୭ଲକ୍ଷ କୋଟି ଟଙ୍କା ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରାଇଛି । ୨୦୨୦-୨୧ ଆର୍ôଥକ ବର୍ଷରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥ ବ୍ୟବସ୍ଥାରେ ମୋଟ ୩. ୧ ଲକ୍ଷ କୋଟି ଟଙ୍କା ପ୍ରବେଶ କରାଇଥିଲା । ଏହି ଅବସରରେ ଶ୍ରୀ ଦାସ କ୍ଷୁଦ୍ର ବ୍ୟବସାୟ ଓ ଅସଂଗଠିତ କ୍ଷେତ୍ରକୁ ସାହାଯ୍ୟ କରିବାକୁ ଅତିରିକ୍ତ ସହାୟତା ପଦକ୍ଷେପମାନ ଘୋଷଣା କରିଛନ୍ତି ।

ସେଗୁଡିକ ହେଲା

୧)ଇମିଡିଏଟ୍ ପେମେସର୍ଭିସ ଟ୍ରାଞ୍ଜାକସନ(ଆଇଏମ୍‌ପିଏସ୍‌) ଥରକେ କାରବାର ସୀମା ଦୁଇଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗ୍ରାହକଙ୍କ ସୁବିଧା ପାଇଁ ଏହା ହୋଇଛି । ଏହା ଫଳରେ ଘରୋଇ ୨୪ଘଣ୍ଟିଆ ପାଣ୍ଠି ତୁରନ୍ତ ପ୍ରେରଣ ଅଧିକ ସୁବିଧା ହେବ ।

୨)କ୍ଷୁଦ୍ର ବିର୍ତ୍ତୀୟ ବ୍ୟାଙ୍କଗୁଡିକ ପାଇଁ ୧୦ହଜାର କୋଟି ଟଙ୍କାର ଅନ-ଟପ୍ ସ୍ପେଶାଲ ଲିକ୍ୟୁଡିଟି ଲଙ୍ଗଟର୍ମ ରେପୋ ଅପରେସନ୍ସ(ଏସ୍‌ଏଲ୍‌ଟିଆର୍‌ଓ)  ସୁବିଧାକୁ ୨୦୨୧ ଡିସେମ୍ବର ୩୧ଯାଏ ବଢାଇ ଦିଆଯାଇଛି ।

୩) ସର୍ବଭାରତୀୟ ସ୍ତରରେ ରିଟେଲ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଏବେ ଅଫଲାଇନରେ କରିହେବ । ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ କିମ୍ବା ସେବା ସୀମିତ ସେସବୁ ଇଲାକାରେ ଏହି ସୁବିଧା ମିଳିବ ।

୪)ଆଇଏମ୍‌ପିଏସ୍ ଟ୍ରାଞ୍ଜାକସନ ସୀମାକୁ ଦୁଇଲକ୍ଷରୁ ପାଞ୍ଚଲକ୍ଷକୁ ବୃଦ୍ଧି କରାଯିବ ।

୫) ସବୁ ପ୍ରଚଳିତ ଓ ନୂଆ ପେମେଣ୍ଟ ସିଷ୍ଟମର ଜିଓ ଟ୍ୟାଗିଙ୍ଗ୍‌କୁ ସମ୍ପ୍ରସାରିତ କରାଯାଇ ସେସବୁକୁ ପେମେଣ୍ଟ ଆକ୍‌ସେପ୍ଟାନ୍ସ ଭିତ୍ତିଭୂମି ସହ ଯୋଡାଯିବ ।

୬) ରିଜର୍ଭ ବ୍ୟାଙ୍କର ରେଗୁଲେଟରୀ ସାଣ୍ଡବକ୍ସରେ ଥିବା ନୂଆ ଠକେଇ ଦୂରୀକରଣ (ଫଡ୍ ପ୍ରିଭେନସନ) କୋହର୍ଟ ଫିନ୍‌ଟେକ୍ ଇକୋସିଷ୍ଟମ୍ ଅଧିକ ଗତି ଓ ସୁବିଧା ଯୋଗାଇବ ।

୭)ରାଜ୍ୟମାନଙ୍କ ପାଇଁ ଓଭରଡ୍ରାଫ୍ଟ ବ୍ୟବସ୍ଥାକୁ ଉଦାରବାଦୀ କରିବାକୁ ୱେଜ ଆଣ୍ଡ ମିନ୍ସ ସୀମା ବୃଦ୍ଧି ନିଷ୍ପତ୍ତି ୨୦୨୨ ମାର୍ଚ୍ଚ ୩୧ ଯାଏ ଅବ୍ୟାହତ ରହିବ ।

୮) ଅଗ୍ରାଧିକାର କ୍ଷେତ୍ରକୁ ୨୦୨୨ ମାର୍ଚ୍ଚ ୩୧ଯାଏ ଋଣ ଯୋଗାର ଅବ୍ୟାହତ ରହିବ ଏବଂ ତଦନୁସାରେ ଏନ୍‌ବିଏଫସିଗୁଡିକୁ ଶ୍ରେଣୀବଦ୍ଧ ଋଣ ଯୋଗାଣ ସେ ଯାଏ ବନ୍ଦ ହେବ ନାହିଁ ।

୯) ଏନବିଏଫସି ଗୁଡିକ ପାଇଁ ଇଣ୍ଟରନାଲ ଆମ୍ବୁସମ୍ୟାନ ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସମ୍ପୃକ୍ତ କରାଯିବ । ଏଥିପାଇଁ ଆବଶ୍ୟକ ଇଂଟରଫେସ ଯୋଗାଇ ଦେଇ ଆଭ୍ୟନ୍ତରୀଣ ଆପତ୍ତି ଅଭିଯୋଗର ସମାଧାନ ବ୍ୟବସ୍ଥାକୁ ସୁଦୃଢ କରାଯିବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଜି ଘୋଷିତ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ  ଓ ଅସଂଗଠିତ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ତଥା ଇଣ୍ଟରନେଟ୍‌ର ବିଶେଷ ସୁବିଧା ନ ଥିବା ଦୂରଦୂୂରାନ୍ତ କ୍ଷେତ୍ରରେ ଲୋକେ ବିଶେଷ ଉପକୃତ ହେବେ । ଇଣ୍ଟରନେଟ ନ ଥିବା  ଅଞ୍ଚଳରେ ଲୋକେ ଡିଜିଟାଲ ପେମେଣ୍ଟର ସୁବିଧା ପାଇବେ ।

ସେହିଭଳି ରାଜ୍ୟମାନଙ୍କରେ ଓଭରଡ୍ରାଫ୍ଟ ଆବଶ୍ୟକତା ପୂରଣ ପାଇଁ ୱେଜ ଆଣ୍ଡ ମିନ୍ସର ମଧ୍ୟବର୍ତ୍ତୀକାଳୀନ ଅଗ୍ରୀମ ଉଠାଣ ସମୟ ମିଆଦକୁ ୨୦୨୨ ମାର୍ଚ୍ଚ ୩୧ଯାଏ ବୃଦ୍ଧି କରାଯାଇଛି । ସେପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ ଏ ବାବଦ ପ୍ରତ୍ୟେକ ୫୧,୫୬୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିପାରିବେ । ମହାମାରୀର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅଧିକ ଅର୍ଥ ଦରକାର କରୁଥିବାରୁ ଏହି ନିଷ୍ପତ୍ତି ଦ୍ୱାରା ସେମାନେ ଉପକୃତ ହେବେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ।

ସେ କହିଛନ୍ତି ଯେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ଏବେ ହ୍ରାସ ପାଉଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପନିପରିବାରର ମୂଲ୍ୟ ବୃଦ୍ଧିକୁ ରୋକିବାକୁ ଉଦ୍ୟମ କରାଯାଇଛି ।

୨୦୨୧-୨୨ରେ ସିପିଆଇ ମୁଦ୍ରାସ୍ଫୀତି ୫.୩% ରହିବ ବୋଲି ଅନୁମାନ କରାଯାଉଛି । ଦ୍ୱିତୀୟ ତ୍ରୈମାସିକରେ ଏହା ୫.୧%, ତୃତୀୟ ତ୍ରୈମାସିକରେ ୪.୫%, ଚତୁର୍ଥ ତ୍ରୈମାସିକରେ ୫.୮% ଏବଂ ପ୍ରଥମ ତ୍ରୈମାସିକ (୨୦୨୨-୨୩)ରେ ୫.୨% ହିସାବ କରାଯାଉଛି ।

ସେହିପରି ଆକଳନ ଅନୁସାରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୨୦୨୧-୨୨ରେ ୯.୫% ହାରରେ ବଢିବ । ଏହା ଦ୍ୱିତୀୟ ତ୍ରୈମାସିକରେ ୭.୯%, ତୃତୀୟ ତ୍ରୈମାସିକରେ ୬.୮%, ଚତୁର୍ଥ ତ୍ରୈମାସିକରେ ୬.୧% ଏବଂ ୨୦୨୨-୨୩ର ପ୍ରଥମ ତ୍ରୈମାସିକରେ -୧୭.୨% ହେବ ବୋଲି ଆଶା କରାଯାଉଛି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପୂର୍ଣ୍ଣାଙ୍କ ଭାଷଣ ନିମ୍ନ ଭିଡିଓରେ ଉପଲବ୍ଧ  ।

 

****

 

TM / SLP



(Release ID: 1762513) Visitor Counter : 194