ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆୟୁଷ୍ମାନ ଭାରତ ପିଏମ-ଜୟର ସ୍ବାସ୍ଥ୍ୟ ଲାଭ ପ୍ୟାକେଜରେ ସଂଶୋଧନ କଲେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ

ପ୍ରାୟ ୪୦୦ ଚିକିତ୍ସା ପଦ୍ଧତିରେ ଦର ସଂଶୋଧିତ

ସଂଶୋଧିତ ପ୍ୟାକେଜରେ ବ୍ଲାକ୍ ଫଙ୍ଗସ୍ ସଂକ୍ରାନ୍ତ ନୂତନ ପ୍ୟାକେଜ୍ ସାମିଲ ହେଲା

ଅଙ୍କୋଲୋଜୀ ପାଇଁ ସଂଶୋଧିତ ପ୍ୟାକେଜ୍ ଦେଶରେ ହିତାଧିକାରୀଙ୍କୁ କ୍ୟାନ୍ସର ଚିକିତ୍ସା ପାଇଁ ବିଶେଷ ସହାୟକ ହେବ : ଶ୍ରୀ ମନସୁଖ ମାଣ୍ଡଭ୍ୟ

Posted On: 05 OCT 2021 6:16PM by PIB Bhubaneshwar

ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏଓ୍ବାଇ) କାର୍ଯ୍ୟକାରୀ କରୁଥିବା ପ୍ରମୁଖ ସଂସ୍ଥାନ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ପକ୍ଷରୁ ଏହି ଯୋଜନା ଅଧୀନରେ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ (ଏଚବିପି)ରେ ସଂଶୋଧନ କରାଯାଇଛି। ପିଏମ-ଜେଏଓ୍ବାଇ ଅଧୀନରେ କେତେକ ସ୍ବାସ୍ଥ୍ୟ ପ୍ୟାକେଜ ଦର ୨୦ ପ୍ରତିଶତରୁ ୪୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପ୍ରାୟ ୪୦୦ଟି ପଦ୍ଧତିରେ ଦର ସଂଶୋଧନ କରାଯାଇଛି ଏବଂ ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ସଂକ୍ରାନ୍ତ ଏକ ନୂଆ ଅତିରିକ୍ତ ଚିକିତ୍ସା ପରିଚାଳନା ପ୍ୟାକେଜ୍‌କୁ ଏଥିରେ ସାମିଲ କରାଯାଇଛି। ଏହି ନୂଆ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ ୨.୨ ନଭେମ୍ବର, ୨୦୨୧ ଠାରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଏଥିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଆୟୁଷ୍ମାନ ଭାରତ ପିଏମ-ଜେଏଓ୍ବାଇ ଅଧୀନରେ ହିତାଧିକାରୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପଞ୍ଜିକୃତ ଡାକ୍ତରଖାନାଗୁଡ଼ିକ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ୍ ୨.୨ ମାଧ୍ୟମରେ ଆହୁରି ସୁଦୃଢ଼ ହେବେ। ତେଣୁ ଏହି ସଂଶୋଧିତ ପ୍ୟାକେଜକୁ ମୁଁ ସ୍ବାଗତ କରୁଛି। ଅଙ୍କୋଲୋଜୀ ପାଇଁ ସଂଶୋଧିତ ପ୍ୟାକେଜ ଦେଶରେ ହିତାଧିକାରୀମାନଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ। ସେହିପରି ବ୍ଲାକ୍ ଫଙ୍ଗସ ସଂକ୍ରାନ୍ତ ନୂଆ ପ୍ୟାକେଜ୍ ହିତାଧିକାରୀମାନଙ୍କୁ ବର୍ତ୍ତମାନ ସମୟରେ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରିବ। ମୁଁ ନିଶ୍ଚିତ ଯେ, ଏହି ଯୁକ୍ତିଯୁକ୍ତ ସ୍ବାସ୍ଥ୍ୟ ପ୍ୟାକେଜ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବା ଯୋଜନାରେ ସୁଧାର ଆଣିବ। ଫଳରେ ହିତାଧିକାରୀମାନଙ୍କର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ।”

ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଆର. ଏସ. ଶର୍ମା ଆଶ୍ବାସନା ଦେଇ କହିଛନ୍ତି ଯେ, ସ୍ବାସ୍ଥ୍ୟ ଲାଭ ପ୍ୟାକେଜ ମାଷ୍ଟରକୁ ଯୁକ୍ତିଯୁକ୍ତ କରିବା ଲାଗି ଅଂଶୀଦାରମାନଙ୍କ ଠାରୁ ଏନଏଚଏ ଲଗାତାର ମତାମତ ସଂଗ୍ରହ କରିଆସୁଛି। ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଏବି ପିଏମ-ଜେଏଓ୍ବାଇ ଯୋଜନା ଆରମ୍ଭ ହେବା ପରଠାରୁ ଅଧିକ ରୋଗଗୁଡ଼ିକୁ ସାମିଲ କରିବା ଲାଗି ନୂଆ ପ୍ୟାକେଜ୍ ସାମିଲ କରାଯାଉଛି ଏବଂ ପ୍ୟାକେଜର ନିୟମିତ ଦର ମଧ୍ୟ ସଂଶୋଧନ କରାଯାଉଛି। ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଲାଗି ଜରୁରି ପରିବର୍ତ୍ତନ କରାଯାଉଛି। ପୋର୍ଟେବଲିଟି କ୍ଷେତ୍ରରେ ସମସ୍ୟା ଦୂର କରିବା ଲାଗି ଟ୍ରାଞ୍ଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ଟିଏମଏସ)ରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ପୂର୍ବ ସ୍ବାସ୍ଥ୍ୟ ଲାଭ ପ୍ୟାକେଜକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି (ଏସଏଚଏ)ଗୁଡ଼ିକ ବର୍ତ୍ତମାନ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ ୨.୨କୁ ଗ୍ରହଣ ଏବଂ କାର୍ଯ୍ୟକାରୀ କରିପାରିବେ। ଶ୍ରୀ ଶର୍ମା ଆହୁରି କହିଥିଲେ ଯେ, ଅଂଶୀଦାର ଏବଂ ବିଶିଷ୍ଟ ଡାକ୍ତରୀ ଶିକ୍ଷାନୁଷ୍ଠାନଗୁଡ଼ିକର ବରିଷ୍ଠ ପ୍ରାଧ୍ୟାପକମାନଙ୍କ ସହିତ ଏନଏଚଏ ଲଗାତାର ମତ ବିନିମୟ କରୁଛି।

ନିମ୍ନୋକ୍ତ ବର୍ଗରେ ଏନଏଚଏ ପକ୍ଷରୁ ଦର ସଂଶୋଧନ କରାଯାଇଛି:

  • ରେଡିଏସନ ଅଙ୍କୋଲୋଜି ପଦ୍ଧତି,
  • ଡେଙ୍ଗୁ, ଗମ୍ଭୀର ଜ୍ୱର ଜନିତ ଅସୁସ୍ଥତା ଆଦି ପଦ୍ଧତି ଭଳି ଚିକିତ୍ସା ପରିଚାଳନା ପଦ୍ଧତି,
  • ବ୍ଲାକ ଫଙ୍ଗସ ପାଇଁ ସର୍ଜିକାଲ ପ୍ୟାକେଜ୍ ଚିକିତ୍ସା,
  • ଡାହାଣ/ବାମ ହୃତପିଣ୍ଡ କ୍ୟାଥେରାଇଜେସନ୍, ପିଡିଏ କ୍ଲୋଜର, ଆର୍ଥୋଡେସିସ, କୋଲେସିଷ୍ଟେକ୍ଟୋମୀ, ଆପେଣ୍ଡିସେକ୍ଟୋମୀ ଆଦି

 

ଚିକିତ୍ସା ପରିଚାଳନା ପଦ୍ଧତି ଅଧୀନରେ ଭେଣ୍ଟିଲେଟର ଥିବା ଆଇସିୟୁ ପାଇଁ ଦରେ ଶତପ୍ରତିଶତ ସଂଶୋଧନ କରାଯାଇଛି। ବିନା ଭେଣ୍ଟିଲେଟରରେ ଆଇସିୟୁ ପାଇଁ ଦର ୧୩୬ ପ୍ରତିଶତ କରାଯାଇଛି। ଏଚଡିୟୁ ପାଇଁ ଦର ୨୨ ପ୍ରତିଶତ ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ ରୁଟିନ୍ ଓ୍ବାର୍ଡ ପାଇଁ ଦର ୧୭ ପ୍ରତିଶତ ସଂଶୋଧନ କରାଯାଇଛି।

ବର୍ତ୍ତମାନ ଆୟୁଷ୍ମାନ ଭାରତ ପିଏମ-ଜେଏଓ୍ବାଇ ଅଧୀନରେ ୧୬୬୯ ଚିକିତ୍ସା ପଦ୍ଧତିକୁ ସାମିଲ କରାଯାଇଛି, ଏଥିମଧ୍ୟରୁ ୧୦୮୦ଟି ସର୍ଜିକାଲ ଏବଂ ୫୮୮ଟି ମେଡ଼ିକାଲ ଏବଂ ଗୋଟିଏ ଅନିର୍ଦ୍ଦିଷ୍ଟ ପ୍ୟାକେଜ୍ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ଦେଶରେ କାର୍ଯ୍ୟକାରୀ ହେଉଥିବା ଆୟୁଷ୍ମାନ ଭାରତ ପିଏମ-ଜେଏଓ୍ବାଇ ଅଧୀନରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି। ଉପାନ୍ତ ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ମାଗଣା ଏବଂ ସୁଲଭ ଚିକିତ୍ସା ସେବା ଯୋଗାଇ ଦେବା ମଧ୍ୟ ଏହି ଯୋଜନାର ଉଦ୍ଦେଶ୍ୟ।

୨୦୧୮ରେ ମୋଟ୍ ୧୩୯୩ଟି ପ୍ୟାକେଜ୍ ସହ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ୍ ୧.୦ ସହିତ ଆୟୁଷ୍ମାନ ଭାରତ ପିଏମ-ଜେଏଓ୍ବାଇର ଶୁଭାରମ୍ଭ କରାଯାଇଥିଲା। ୨୦୧୧ ସାମାଜିକ-ଆର୍ଥିକ ଜନଗଣନା ଅନୁଯାୟୀ ୧୦.୭୪ କୋଟି ଗରିବ ଏବଂ ଦୁର୍ବଳ ପରିବାର (୫୩ କୋଟିରୁ ଅଧିକ ହିତାଧିକାରୀ) ମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଏବଂ ନଗଦମୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଯୋଜନା ଅଧୀନରେ ୨୪ ହଜାର ପଞ୍ଜିକୃତ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଡାକ୍ତରଖାନାର ଏକ ବଡ଼ ନେଟଓ୍ବର୍କ ରହିଛି। ଯୋଜନା ଆରମ୍ଭ ହେବା ଦିନ ଠାରୁ ଏହି ଡାକ୍ତରଖାନାଗୁଡ଼ିକ ଜରିଆରେ ୨.୨ କୋଟି ଯୋଗ୍ୟ ଏବି-ପିଏମ ଜେଏଓ୍ବାଇ ହିତାଧିକାରୀମାନଙ୍କୁ ମାଧ୍ୟମିକ, ତୃତୀୟକ ଏବଂ ଡେ’ କେୟାର ପଦ୍ଧତିରେ ବିଭିନ୍ନ ରୋଗ ଓ ଅସୁସ୍ଥତା ନିମନ୍ତେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛି। ସ୍ବାସ୍ଥ୍ୟ ଲାଭ ପ୍ୟାକେଜ ବା ଏଚବିପି ହେଉଛି ଆୟୁଷ୍ମାନ ଭାରତ ପିଏମ-ଜେଏଓ୍ବାଇ ଯୋଜନାର ଦୃଢ଼ ମୂଳଦୁଆ। ଏହା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ସେବା ପରିସରକୁ ବୃଦ୍ଧି କରିବା ସହିତ ସେମାନଙ୍କୁ ଅତିରିକ୍ତ ଆର୍ଥିକ ବ୍ୟୟ ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ। ତେଣୁ ହିତାଧିକାରୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ କରାଉଥିବା ତଥା ଅଧିକ ସଂଖ୍ୟାରେ ଏବଂ ମାତ୍ରାରେ ଦେଖିବାକୁ ମିଳୁଥିବା ରୋଗକୁ ସାମିଲ କରିବା ଲାଗି ଏଚବିପିକୁ ଡିଜାଇନ୍ କରାଯାଇଛି।

 

*********

 

P.S.

 



(Release ID: 1761315) Visitor Counter : 182