ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ପ୍ରୟାଗରାଜରୁ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର


ଜନଭାଗୀଦାରୀ ମାଧ୍ୟମରେ ଗୋଟିଏ ମାସ ମଧ୍ୟରେ ୭୫ ଲକ୍ଷ କିଗ୍ରା ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରି ରେକର୍ଡ କରିବ ଭାରତ : ଶ୍ରୀ ଅନୁରାଗ ଠାକୁର

Posted On: 01 OCT 2021 6:48PM by PIB Bhubaneshwar

ପ୍ରମୁଖ ବୈଶିଷ୍ଟ୍ୟ

 

  • ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉତ୍ତର ପ୍ରଦେଶ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ନନ୍ଦ ଗୋପାଳ ଗୁପ୍ତା ଏବଂ ଉତ୍ତର ପ୍ରଦେଶ  କ୍ରୀଡ଼ା ଓ ଯୁବ କଲ୍ୟାଣ, ପଞ୍ଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ  ଶ୍ରୀ ଉପେନ୍ଦ୍ର ତିୱାରୀ କାର୍ଯ୍ୟକ୍ରମରେ ଉପସ୍ଥିତ
  • ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯିବ, ମୁଖ୍ୟତଃ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ସଂଗ୍ରହ ନିମନ୍ତେ          ଜନଭାଗିଦାରୀ ସୁନିଶ୍ଚିତ କରାଯିବ

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ  ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଠାକୁରଙ୍କ ସମେତ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉତ୍ତର ପ୍ରଦେଶ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ନନ୍ଦ ଗୋପାଳ ଗୁପ୍ତା ଏବଂ ଉତ୍ତର ପ୍ରଦେଶ କ୍ରୀଡ଼ା ଓ ଯୁବ କଲ୍ୟାଣ, ପଞ୍ଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ  ଶ୍ରୀ ଉପେନ୍ଦ୍ର ତିୱାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ କ୍ରୀଡ଼ା ବିଭାଗ ସଚିବ ଶ୍ରୀମତୀ ଉଷା ଶର୍ମା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଅନୁରାଗ ଠାକୁ କହିଥିଲେ ଯେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଲାଗି ସଙ୍ଗମ ସହର ଠାରୁ ଶ୍ରେଷ୍ଠ ସ୍ଥାନ ଅନ୍ୟତ୍ର ନାହିଁ। ଏଠାରୁ ଦିଆଯାଇଥିବା ବାର୍ତ୍ତା ସାରା ଦେଶକୁ ଅନୁପ୍ରାଣିତ କରିବ। ଇତିହାସରେ ପ୍ରୟାଗରାଜର ଏକ  ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ପୁଣିଥରେ ଏହି ଠାରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛତା ଅଭିଯାନ ବିଶ୍ୱର ସର୍ବବୃହତ ଅଭିଯାନ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପହିଲା ଠାରୁ ଅକ୍ଟୋବର ୩୧, ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଶ୍ରୀ ଠାକୁର ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ଠାକୁର କହିଥିଲେ ଯେ, ଆମେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଶକୁ ଉପନିବେଶ ଶାସନ କବଳରୁ ମୁକ୍ତି ଦେଇଥିଲେ, ବର୍ତ୍ତମାନ ଦେଶର ଯୁବପିଢ଼ି ଦେଶକୁ ଆବର୍ଜନାରୁ ମୁକ୍ତି ଦେବେ। ସ୍ୱାଧୀନତା ସଂଗ୍ରାମୀମାନେ ‘ବଳିଦାନ’ ଦେଇଥିଲେ, ଆମେ ଆପଣଙ୍କୁ ‘ଯୋଗଦାନ’ ଦେବାକୁ ଅନୁରୋଧ କରୁଛୁ ବୋଲି ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଅନୁରୋଧ କରି ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ।

ଶ୍ରୀ ଠାକୁର ଆହୁରି କହିଥିଲେ ଯେ, ମହାତ୍ମା ଗାନ୍ଧୀଜୀ ସ୍ୱାଧୀନତା ପୂର୍ବରୁ ସ୍ୱଚ୍ଛତା ପାଇଁ ବାର୍ତ୍ତା ଦେଇଥିଲେ। ଏହାର ଦୀର୍ଘଦିନ ପରେ ଏବେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସ୍ୱଚ୍ଛତା ଅଭିଯାନର ବାର୍ତ୍ତା ଦେଇଛନ୍ତି। ମାତ୍ର ତିନି ବର୍ଷର ସ୍ୱଳ୍ପ ଅବଧି ମଧ୍ୟରେ, ସାରା ଦେଶରେ ଶୌଚାଳୟ ନିର୍ମାଣ କରାଯାଇଥିବା ଶ୍ରୀ ଠାକୁର ଦୋହରାଇଥିଲେ। ଶ୍ରୀ ଠାକୁର ଆହୁରି ସୂଚନା ଦେଇଥିଲେ ଯେ, ସାରା ଦେଶରୁ ଆବର୍ଜନା, ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜ୍ୟ ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା, ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ସେମାନଙ୍କୁ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟରେ ନିୟୋଜିତ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ସେ ଆହୁରି କହିଥିଲେ ଯେ, ଏହି ବିଶାଳ ଅଭିଯାନ ମାଧ୍ୟମରେ ନାଗରିକମାନଙ୍କ ସହାୟତା ଓ ସ୍ୱେଚ୍ଛାକୃତ ଅଂଶଗ୍ରହଣ ମାଧ୍ୟମରେ ୭୫ କିଗ୍ରା ବର୍ଜ୍ୟବସ୍ତୁ, ମୁଖ୍ୟତଃ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇ ସେଗୁଡ଼ିକୁ ନଷ୍ଟ କରାଯିବ। ଏହି କାର୍ଯ୍ୟକ୍ରମ ପରେ, ଶ୍ରୀ ଅନୁରାଗ ଠାକୁର ସ୍ୱଚ୍ଛତାର ବାର୍ତ୍ତା ଦେଇ ସଙ୍ଗମ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ।

ଶ୍ରୀ ଠାକୁର କହିଥିଲେ କେବଳ ସ୍ଲୋଗାନ୍ ଯଥେଷ୍ଟ ନୁହେଁ, ତୃଣମୂଳସ୍ତରରେ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି। ମନୋଭାବରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆବର୍ଜନା କାରଣରୁ ରୋଗ ବୃଦ୍ଧି ପାଇଥାଏ, ଲୋକମାନଙ୍କ ମନରେ ଏହି ଭାବନା ଜାଗ୍ରତ ହେଲେ ଅଭିଯାନ ସଫଳ ହୋଇପାରିବ। ସେ ଆହୁରି କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ହେଉ କିମ୍ବା ସ୍ୱଚ୍ଛତା ସଂଗ୍ରାମ ଯୁବକମାନେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି ଏବଂ ମୋର ବିଶ୍ୱାସ ରହିଛି ଯେ ଏଥର ମଧ୍ୟ ଯୁବକମାନେ ପରିବର୍ତ୍ତନର ଅଗ୍ରଦୂତ ସାଜିବେ।

ଯୁବ ବ୍ୟାପାର ବିଭାଗ ସଚିବ ଶ୍ରୀମତି ଉଷା ଶର୍ମା କହିଥିଲେ ଯେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ଗ୍ରାମାଞ୍ଚଳକୁ ରଖାଯାଇଛି, ତେବେ ଧାର୍ମିକ ଅନୁଷ୍ଠାନ, ଶିକ୍ଷକ, କର୍ପୋରେଟ ସଂସ୍ଥା, ଟିଭି ଓ ଚଳଚ୍ଚିତ୍ର ଅଭିନେତା, ମହିଳା ଗୋଷ୍ଠୀ ଏବଂ ଅନ୍ୟମାନଙ୍କୁ ଏଥିରେ ସମ୍ପୃକ୍ତ କରାଯିବ। ଏହି ଜନ ଆନ୍ଦୋଳନ ପ୍ରତି ସେମାନେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ସେମାନଙ୍କର ଯୋଗଦାନ ଦେବେ। ଐତିହାସିକ/ପ୍ରସିଦ୍ଧ ସ୍ଥାନ, ପର୍ଯ୍ୟଟନ ସ୍ଥଳୀ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ଜାତୀୟ ରାଜପଥ, ଶିକ୍ଷାନୁଷ୍ଠାନ ଭଳି ଭିଡ଼ ଅଞ୍ଚଳରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ।

ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ଅକ୍ଟୋବର ପହିଲା ୨୦୨୧ ଠାରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦେଶର ୭୪୪ ଟି ଜିଲ୍ଲାର ୬ ଲକ୍ଷ ଗ୍ରାମରେ ଆୟୋଜନ କରାଯିବ। ନେହରୁ ଯୁବା କେନ୍ଦ୍ର ସଂଗଠନ (ଏନୱାଇକେଏସ) ଅନୁମୋଦିତ ଯୁବ କ୍ଲବ ଏବଂ ଜାତୀୟ ସେବା ଯୋଜନା ଅନୁମୋଦନ ପ୍ରାପ୍ତ ସଂସ୍ଥାନ ଗୁଡ଼ିକ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏଥିରେ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଏବଂ ଏହାର ସମାଧାନ ପାଇଁ ସେମାନଙ୍କର ସଂକଳ୍ପ ପ୍ରତିଫଳିତ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2014ରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ନୂତନ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ଆଗେଇ ଚାଲିଛି। ସ୍ୱଚ୍ଛତା ଅଭିଯାନରେ ଆମେ ସମସ୍ତେ ଯୋଗ ଦେବା ଲାଗି ପୁଣି ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। ଯୁବପିଢ଼ି, ଦେଶର ନାଗରିକ ଏବଂ ସମସ୍ତ ଅଂଶୀଦାରମାନଙ୍କ ମିଳିତ ପ୍ରୟାସ ବଳରେ ଭାରତ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମାର୍ଗରେ ଅଗ୍ରସର ହେବ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ଉନ୍ନତ ଜୀବନ ଧାରଣ ନିମନ୍ତେ ପରିବେଶ ସୃଷ୍ଟି କରିବ।

 

*******

P.S.



(Release ID: 1760206) Visitor Counter : 198