ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଫଗାନିସ୍ତାନ ପ୍ରସଙ୍ଗରେ ଏସସିଓ- ସିଏସଟିଓ ଆଉଟରିଚ୍ ସମିଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

Posted On: 17 SEP 2021 10:10PM by PIB Bhubaneshwar

ମହାମହିମ,

 

ଆଫଗାନିସ୍ତାନ ପରିସ୍ଥିତି ଉପରେ ଏସସିଓ ଏବଂ ସିଏସଟିଓ ମଧ୍ୟରେ ସ୍ୱତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରହମୋନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

 

ଆଫଗାନିସ୍ତାନରେ ସଦ୍ୟ ସଂଘଟିତ ଘଟଣାଗୁଡ଼ିକ ଆମ ଭଳି ପଡ଼ୋଶୀ ଦେଶଗୁଡ଼ିକ ଉପରେ ବ୍ୟାପକ ପ୍ରଭାବ ପକାଇବ ।

 

ଏବଂ, ଏହି ପ୍ରସଙ୍ଗ ଉପରେ ଆଞ୍ଚଳିକ ଗୁରୁତ୍ୱ ଓ ସହଯୋଗ ସୃଷ୍ଟି କରାଯିବା ଦରକାର ।

 

ଏହି ପରିପ୍ରେକ୍ଷୀରେ, ଆମକୁ ଚାରୋଟି ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ।

 

ପ୍ରଥମ ପ୍ରସଙ୍ଗ ହେଉଛି ଯେ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତରଣ ସାମଗ୍ରିକ ଦୃଷ୍ଟିକୋଣରୁ ହୋଇନାହିଁ, ଏବଂ କୌଣସି ବୁଝାମଣା ବିନା ଏହା ଘଟିଛି ।

 

ନୂଆ ବ୍ୟବସ୍ଥାର ଗ୍ରହଣୀୟତା ପ୍ରସଙ୍ଗରେ ଏହା ଅନେକ ପ୍ରଶ୍ନ ଉଠାଉଛି ।

 

ମହିଳା ଓ ସଂଖ୍ୟାଲଘୁଙ୍କ ସମେତ ଆଫଗାନ ସମାଜର ସମସ୍ତ ବର୍ଗଙ୍କ ପ୍ରତିନିଧିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

 

ଏବଂ ତେଣୁ, ବିଶ୍ୱ ସମୁଦାୟ ମିଳିତ ଭାବେ ଭଲ କରି ଚିନ୍ତା କରିବା ପରେ ଏଭଳି ନୂଆ ବ୍ୟବସ୍ଥାକୁ ମାନ୍ୟତା ଦେବା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।

 

ଏହି ପ୍ରସଙ୍ଗରେ ଜାତିସଂଘର କେନ୍ଦ୍ରୀୟ ଭୂମିକାକୁ ଭାରତ ସମର୍ଥନ ଜଣାଉଛି ।

 

ଦ୍ୱିତୀୟତଃ, ଆଫଗାନିସ୍ତାନରେ ଯଦି ଅସ୍ଥିରତା ଏବଂ କଟ୍ଟରବାଦ ଜାରି ରୁହେ, ସାରା ବିଶ୍ୱରେ ଏହା ଆତଙ୍କବାଦ ଓ କଠୋରପନ୍ଥୀ ବିଚାରଧାରାକୁ ଉତ୍ସାହିତ କରିବ ।

 

ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟ ହିଂସାକୁ ମାଧ୍ୟମ କରି କ୍ଷମତାସୀନ ହେବା ପାଇଁ ଉତ୍ସାହିତ ହେବେ ।

 

ଅତୀତରେ ଆମର ସମସ୍ତ ରାଷ୍ଟ୍ର ଆତଙ୍କବାଦର ଶିକାର ହୋଇସାରିଛି ।

 

ଏବଂ ତେଣୁ, ଅନ୍ୟ ଦେଶକୁ ଆତଙ୍କବାଦ ପ୍ରସାର ଲାଗି ଆଫଗାନିସ୍ତାନ ଅଞ୍ଚଳକୁ ଯେମିତି ବ୍ୟବହାର କରା ନଯାଏ, ତାହାକୁ ଆମ ସମସ୍ତଙ୍କୁ ମିଳିତ ଭାବେ ସୁନିଶ୍ଚିତ କରାଇବାକୁ ପଡ଼ିବ । ଏହି ପ୍ରସଙ୍ଗରେ ଏସସିଓ ସଦସ୍ୟମାନେ କଠୋର ଓ ସହମତ ମାନଦଣ୍ଡ ବିକାଶ କରିବା ଆବଶ୍ୟକ ।

 

ଭବିଷ୍ୟତରେ, ଏହିସବୁ ମାନଦଣ୍ଡ ଅନ୍ତର୍ଜାତୀୟ ଆତଙ୍କବାଦ ନିରୋଧ ସହଯୋଗ ପାଇଁ ଏକ ସାଧନ ସାଜିପାରିବ ।

 

ଆତଙ୍କବାଦ ଅଭିମୁଖେ ଶୂନ-ସହନଶୀଳତାର ସିଦ୍ଧାନ୍ତ ଉପରେ ଏହି ମାନଦଣ୍ଡ ପ୍ରସ୍ତୁତ ହେବା ଆବଶ୍ୟକ ।

 

ଏହିସବୁ ଏଭଳି ଏକ ଆଚାର ସଂହିତା ହେବା ଆବଶ୍ୟକ, ଯାହା ସୀମାପାର ଆତଙ୍କବାଦ ଓ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଭଳି କାର୍ଯ୍ୟକଳାପକୁ ରୋକିପାରିବ ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ବ୍ୟବସ୍ଥା ମଧ୍ୟ ହୋଇପାରିବ ।

 

ମହାମହିମ,

 

ଆଫଗାନିସ୍ତାନରେ ଘଟୁଥିବା ଘଟଣା ସହ ଜଡ଼ିତ ତୃତୀୟ ପ୍ରସଙ୍ଗ ହେଉଛି ଅନିୟନ୍ତ୍ରିତ ନିଶାଦ୍ରବ୍ୟ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ମାନବ ଚାଲାଣ ।

 

ଆଫଗାନିସ୍ତାନରେ ବିପୁଳ ସଂଖ୍ୟକ ବିକଶିତ ଅସ୍ତ୍ରଶସ୍ତ୍ର ରହିଛି । ଏଗୁଡ଼ିକ ଯୋଗୁ ସମଗ୍ର ଅଞ୍ଚଳରେ ଅସ୍ଥିରତା ବଢ଼ିବା ନେଇ ଆଶଙ୍କା ଉପୁଜିପାରେ ।

 

ଏହିସବୁ ଘଟଣାର ତଦାରଖ ଏବଂ ସୂଚନା-ବିନିମୟ ବୃଦ୍ଧି କ୍ଷେତ୍ରରେ ଏସସିଓର ଆରଏଟିଏସ ବ୍ୟବସ୍ଥା ଏକ ଗଠନମୂଳକ ଭୂମିକା ନିର୍ବାହ କରିପାରେ ।

 

ଚଳିତମାସରୁ, ଏସସିଓ-ଆରଏଟିଏସ କାଉନସିଲର ଭାରତ ଅଧ୍ୟକ୍ଷତା କରୁଛି । ଉକ୍ତ ପ୍ରସଙ୍ଗରେ ପ୍ରୟୋଗାତ୍ମକ ସହଯୋଗ ନିମନ୍ତେ ଆମେ ପ୍ରସ୍ତାବଗୁଡ଼ିକୁ ବିକଶିତ କରିଛୁ ।

 

ଚତୁର୍ଥ ପ୍ରସଙ୍ଗ ହେଉଛି ଆଫଗାନିସ୍ତାନରେ ସାଙ୍ଘାତିକ ମାନବ ସଂକଟ ଦେଖାଦେଇଛି ।

 

ଆର୍ଥିକ ଓ ବାଣିଜ୍ୟ ପ୍ରବାହରେ ବ୍ୟାଘାତ ଯୋଗୁ ଆଫଗାନ ଲୋକଙ୍କର ଅର୍ଥନୈତିକ କ୍ଷୟକ୍ଷତି ବୃଦ୍ଧି ପାଇବାରେ ଲାଗିଛି ।

 

ସମାନ ସମୟରେ, ସେମାନଙ୍କ ପାଇଁ କୋଭିଡ ଚ୍ୟାଲେଞ୍ଜ ମଧ୍ୟ ଏକ ଅବସାଦର କାରଣ ସାଜିଛି ।

 

ବିକାଶ ଓ ମାନବୀୟ ସହାୟତା କ୍ଷେତ୍ରରେ ବର୍ଷ ବର୍ଷ ଧରି ଆଫଗାନିସ୍ତାନର ଏକ ବିଶ୍ୱସ୍ତ ସହଯୋଗୀ ରହିଆସିଛି ଭାରତ । ଭିତ୍ତିଭୂମିଠାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ, ଆମେ ଆଫଗାନିସ୍ତାନର ପ୍ରତିଟି ଅଂଶରେ ଆମର ଯୋଗଦାନ ଦେଇଛୁ ।

 

ଏମିତି କି ଆଜି, ଆମେ ଆମର ଆଫଗାନ ବନ୍ଧୁମାନଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ଯୋଗାଇବାକୁ ଆଗ୍ରହ ରଖିଛୁ ।

 

ଆଫଗାନିସ୍ତାନରେ ଯେମିତି ମାନବୀୟ ସହାୟତା ଅବାଧରେ ପହଞ୍ଚେ, ତାହାକୁ ସୁନିଶ୍ଚିତ କରିବା ସକାଶେ ଆମକୁ ମିଳିମିଶି କାମ କରିବାକୁ ହେବ ।

 

ମହାମହିମ,

ଶତାବ୍ଦୀ ଶତାବ୍ଦୀ ଧରି ଆଫଗାନ ଓ ଭାରତୀୟ ଲୋକମାନେ ଏକ ସ୍ୱତନ୍ତ୍ର ସମ୍ପର୍କ ବିନିମୟ କରୁଛନ୍ତି ।

 

ଆଫଗାନ ସମାଜକୁ ସହାୟତା ପାଇଁ ପ୍ରତ୍ୟେକ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପଦକ୍ଷେପ କ୍ଷେତ୍ରରେ ଭାରତ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ।

 

ଧନ୍ୟବାଦ ।

 

ଦ୍ରଷ୍ଟବ୍ୟ: ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣର ଅନୁମାନିତ ଅନୁବାଦ । ମୂଳ ଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଛି ।

 

 

SR



(Release ID: 1756207) Visitor Counter : 173