ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ସାରା ଦେଶର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଙ୍ଗନୱାଡ଼ିକ କର୍ମୀମାନଙ୍କୁ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଅବିଶ୍ରାନ୍ତ ଭାବେ କରୁଥିବା ପ୍ରୟାସ ନିମନ୍ତେ ଦେଲେ ଧନ୍ୟବାଦ ଓ ପୋଷଣ ୨.୦ ନିମନ୍ତେ ଲୋଡ଼ିଲେ ପରାମର୍ଶ

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଇରାନୀ ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ “ପୋଷଣ ବାଟିକା” ଗଠନ ନିମନ୍ତେ ଦେଲେ ଆହ୍ୱାନ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଏଥିପାଇଁ କଲେ ଗୁରୁତ୍ୱାରୋପ

Posted On: 03 SEP 2021 6:00PM by PIB Bhubaneshwar

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଆଜି ସାରା ଦେଶର ଅଙ୍ଗନୱାଡ଼ି କର୍ମୀଙ୍କୁ ପୋଷଣ ମାସପାଳନର ଅଂଶବିଶେଷ ସ୍ୱରୂପ ସମ୍ବୋଧିତ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବକାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସେପ୍ଟେମ୍ବର ମାସକୁ ସାରା ଦେଶରେ ପୋଷଣ ମାସଭାବେ ପାଳନ କରାଯାଉଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀମତୀ ଇରାନୀ ଅଙ୍ଗନୱାଡ଼ି କର୍ମୀ (ଏଡବ୍ଲୁଡବ୍ଲୁ) ଏବଂ ଅଙ୍ଗନୱାଡ଼ି ସହାୟିକାମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ତଥା ଅବିଶ୍ରାନ୍ତ ପ୍ରୟାସ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ବିଶେଷ କରି କୋଭିଡ଼ ୧୯ ମହାମାରୀ କାଳରେ ଦେଶର ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ସେମାନଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଉଲ୍ଲେଖ କରିଥିଲେ । ପୋଷଣ ୨.୦ ଯୋଜନାକୁ କିଭଳି ଭାବେ ସେମାନଙ୍କ କାର୍ଯ୍ୟକ୍ରମରେ ସୁଚାରୁରୂପେ ସାମିଲ କରାଯାଇପାରିବ ସେଥି ନିମନ୍ତେ ସେ ସେମାନଙ୍କର ମତାମତ ଓ ପରାମର୍ଶ କାମନା କରିଥିଲେ ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସମସ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ବାଟିକା” (ପୁଷ୍ଟି ଉଦ୍ୟାନ) ସ୍ଥାପନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ପୋଷଣ ମାସ ପାଳନ ଅବସରରେ ଏଭଳି ବାଟିକା ସ୍ଥାପନ ନିମନ୍ତେ ସେ ଆହ୍ୱାନ ଜଣାଇଥିଲେ । ବିଶେଷ କରି ପୋଷଣ ମାସ ପାଳନ ଅବସରରେ ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଏହା ସୁନିଶ୍ଚିତ କରିବା ସକାଶେ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ଇରାନୀ ଆଶ୍ୱାସନା ଦେଇ କହିଲେ ଯେ କେନ୍ଦ୍ର ସରକାର ଏହି ପରିପ୍ରେକ୍ଷୀରେ ସକଳ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇଦେବେ ଏବଂ ପୋଷଣ ବାଟିକା ପ୍ରସ୍ତୁତ କରିବା ଦିଗରେ ସେମାନଙ୍କର ଅଧିକାରୀମାନେ କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଇରାନୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଏବଂ ଅଭିଯାନ ହେଉଛି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ । ବିଶେଷ କରି ମହିଳା ଏବଂ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଦେଶର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ସବୁ ପ୍ରକାର ଅତ୍ୟାଧୁନିକ ସଂସାଧନ ଓ ସହଯୋଗ ଯୋଗାଇ ଦେବା ସକାଶେ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଲେ ଯେ ପୋଷଣ ୨.୦ ମାଧ୍ୟମରେ ଦେଶର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସକ୍ରିୟ (ସକ୍ଷମ ଅଙ୍ଗନୱାଡ଼ି) କରାଯିବ ଏବଂ ସେଠାରେ ଉତ୍ତମ ସଂସାଧନ ଉପଲବ୍ଧ କରାଯିବ । ଏହା ଫଳରେ ମହିଳା ଓ ଶିଶୁମାନଙ୍କ ସମସ୍ତ ପ୍ରକାର ପୌଷ୍ଟିକ ଆବଶ୍ୟକତାକୁ ପୂରଣ କରାଯାଇପାରିବ ।

ମନ୍ତ୍ରୀ ଶ୍ରୀମତୀ ଇରାନୀ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଅବଗତ କରାଇଥିଲେ ଯେ ଅଙ୍ଗନୱାଡ଼ି କର୍ମୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବୀମା ଯୋଜନା ପ୍ରବର୍ତ୍ତନ କରିବା ସକାଶେ ସରକାର ଚିନ୍ତା କରୁଛନ୍ତି ଏବଂ ସେଥିପାଇଁ, ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଅନୁରୋଧ କରାଯାଇଛି ଯଦ୍ୱାରା ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇପାରିବ ।

ପରିଶେଷରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପୋଷଣ ମାସ ମଧ୍ୟ ଏକ ସୁଯୋଗ ଯେତେବେଳେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସେମାନଙ୍କର ନିସ୍ୱାର୍ଥପର ସେବା ନିମନ୍ତେ କୃତଜ୍ଞତା ଜ୍ଞାପନ କରାଯାଇପାରିବ । ଏହିସବୁ କାର୍ଯ୍ୟକ୍ରମ ଜାରି ସହିତ ତାହା କରାଯିବା ଉଚିତ । କେବଳ ଗୋଟିଏ ମାସ ନୁହେଁ ସାରା ବର୍ଷ ସେମାନଙ୍କ ଅବିଶ୍ରାନ୍ତ ଶ୍ରମ ସ୍ୱୀକାର ନିମନ୍ତେ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନର ଅବସର ରହିବା ଦରକାର ବୋଲି ସେ କହିଥିଲେ ।

 

*****

SS



(Release ID: 1751892) Visitor Counter : 176