ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
୨୦୨୧-୨୨ ଚିନି ଋତୁ ପାଇଁ ଆଖୁର ଉଚିତ ଓ ଲାଭଜନକ ମୂଲ୍ୟ ନିର୍ଦ୍ଧାରଣକୁ ସରକାରଙ୍କ ଅନୁମୋଦନ
ଚିନି କଳଗୁଡ଼ିକ ପକ୍ଷରୁ ଆଖୁ ଚାଷୀଙ୍କୁ ଦିଆଯାଉଥିବା ଉଚିତ୍ ଓ ଲାଭଜନକ ମୂଲ୍ୟ ସର୍ବୋଚ୍ଚ ସ୍ତରରେ କୁଇଣ୍ଟାଲ ପ୍ରତି 290 ଟଙ୍କା ଧାର୍ଯ୍ୟ
ଏହି ନିଷ୍ପତ୍ତି ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ସମେତ ଚିନି କଳ ଏବଂ ଏ ସଂକ୍ରାନ୍ତ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଲାଭାନ୍ବିତ କରିବ
ଉପଭୋକ୍ତା ଏବଂ ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତ୍ତି
प्रविष्टि तिथि:
25 AUG 2021 2:07PM by PIB Bhubaneshwar
ଆଖୁ ଚାଷୀଙ୍କ ହିତକୁ ଧ୍ୟାନରେ ରଖି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଚିନି ଋତୁ ୨୦୨୧-୨୨ (ଅକ୍ଟୋବର-ସେପ୍ଟେମ୍ବର) ଲାଗି ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) କୁଇଣ୍ଟାଲ ପ୍ରତି 290 ଟଙ୍କା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୧୦ ପ୍ରତିଶତ ରିକଭରୀ ଦର ସହିତ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ରିକଭରୀରେ ପ୍ରତ୍ୟେକ ଥର ୦.୧ ପ୍ରତିଶତ ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୨.୯୦ ଟଙ୍କାର ପ୍ରିମିୟମ ଯୋଗାଇ ଦିଆଯିବ ଏବଂ ରିକଭରୀରେ ପ୍ରତି ୦.୧ ପ୍ରତିଶତ ହ୍ରାସ ପାଇଁ ଏଫଆରପିରେ କୁଇଣ୍ଟାଲ ପ୍ରତି ୨.୯୦ ଟଙ୍କା ହ୍ରାସ କରାଯିବ। ତେବେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଛନ୍ତି ଯେ, ଯେଉଁସବୁ ଚିନି କଳରେ ୯.୫ ପ୍ରତିଶତରୁ କମ ରିକଭରୀ ରହିଛି ସେମାନଙ୍କ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ। ବର୍ତ୍ତମାନ ଏପରି ଆଖୁ ଚାଷୀମାନଙ୍କୁ ୨୦୨୦-୨୧ ଋତୁରେ କୁଇଣ୍ଟାଲ ପ୍ରତି ୨୭୦.୭୫ ଟଙ୍କାର ଏଫଆରପି ଦିଆଯାଉଥିବା ବେଳେ ଆଗାମୀ ଚିନି ଋତୁ ୨୦୨୧-୨୨ ରେ ସେମାନଙ୍କୁ କୁଇଣ୍ଟାଲ ପ୍ରତି ୨୭୫.୭୫ ଟଙ୍କାର ଏଫଆରପି ଦିଆଯିବ।
ଚିନି ୠତୁ ୨୦୨୧-୨୨ ଲାଗି ଉତ୍ପାଦନ ବ୍ୟୟ କୁଇଣ୍ଟାଲ ପ୍ରତି ୧୫୫ ଟଙ୍କା ରହିଛି। ୧୦ ପ୍ରତିଶତ ରିକଭରୀ ଦର ସହିତ କୁଇଣ୍ଟାଲ ପ୍ରତି ୨୯୦ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚର ୮୭.୧ ପ୍ରତିଶତରୁ ଅଧିକ ହେବ। ଏହା ଚାଷୀମାନଙ୍କୁ ୫୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ ମଧ୍ୟ ସୁନିଶ୍ଚିତ କରିବ।
ଚଳିତ ୨୦୨୦-୨୧ ଚିନି ଋତୁରେ ଚିନି କଳମାନଙ୍କ ଦ୍ବାରା ଆଖୁ ଚାଷୀଙ୍କ ଠାରୁ ୯୧ ହଜାର କୋଟି ଟଙ୍କାର ପାଖାପାଖି ୨,୯୭୬ ଲକ୍ଷ ଟନ ଆଖୁ କ୍ରୟ କରାଯାଇଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର। ଧାନ ପରେ ଦ୍ବିତୀୟ ସର୍ବାଧିକ ଫସଲ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ଆଖୁ କିଣାଯାଇଛି। ଆଗାମୀ ଚିନି ଋତୁ ୨୦୨୧-୨୨ରେ ଅଧିକ ଆଖୁ ଉତ୍ପାଦନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚିନି କଳଗୁଡ଼ିକ ପାଖାପାଖି ୩,୦୮୮ ଲକ୍ଷ ଟନ୍ ଆଖୁ କିଣିବେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଆଖୁ ଚାଷୀମାନଙ୍କୁ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଅର୍ଥ ପଇଠ କରାଯିବ। ଆଖୁ ଚାଷୀଙ୍କୁ ସେମାନଙ୍କର ବକେୟା ଅର୍ଥରାଶି ଯେପରି ଠିକ୍ ସମୟରେ ମିଳିବ ସେଥିପାଇଁ ସରକାର ନିଜର କୃଷକ କଲ୍ୟାଣ ଉପାୟଗୁଡ଼ିକ ମାଧ୍ୟମରେ ପ୍ରୟାସ କରୁଛନ୍ତି।
ଚିନି କଳଗୁଡ଼ିକ ଦ୍ବାରା ଚିନି ଋତୁ ୨୦୨୧-୨୨ (୧ ଅକ୍ଟୋବର, ୨୦୨୧ଠାରୁ ଆରମ୍ଭ) ରେ ଚାଷୀଙ୍କ ଠାରୁ କିଣାଯିବାକୁ ଥିବା ଆଖୁ ପାଇଁ ମଞ୍ଜୁରିପ୍ରାପ୍ତ ଏଫଆରପି ଲାଗୁ ହେବ। ଚିନି ଏକ ଗୁରୁତ୍ବପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର। ଏଥିରେ କୃଷି ଶ୍ରମ ଏବଂ ପରିବହନ ସମେତ ବିଭିନ୍ନ ସହାୟକ ଗତିବିଧିରେ ବହୁସଂଖ୍ୟକ ଲୋକ ନିୟୋଜିତ ଥାଆନ୍ତି। ଏମାନଙ୍କ ସମେତ ୫ କୋଟି ଆଖୁ ଚାଷୀ ଓ ସେମାନଙ୍କ ଆଶ୍ରିତ ତଥା ଚିନି କଳରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ୫ ଲକ୍ଷ ଶ୍ରମିକଙ୍କ ଜୀବିକା ଏହି କ୍ଷେତ୍ର ସହିତ ଜଡ଼ିତ। ସେମାନେ ସମସ୍ତେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ।
********
P.S
(रिलीज़ आईडी: 1748890)
आगंतुक पटल : 321
इस विज्ञप्ति को इन भाषाओं में पढ़ें:
Kannada
,
Malayalam
,
Tamil
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Telugu