ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 23 AUG 2021 8:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ନିଜ ଜର୍ମାନ ପ୍ରତିପକ୍ଷ ସଂଘୀୟ ଚାନସେଲର ଡଃ ଆଞ୍ଜେଲା ମର୍କେଲଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

ଦୁଇ ନେତା ଆଫଗାନିସ୍ଥାନରେ ପରିବର୍ତ୍ତନଶୀଳ ସୁରକ୍ଷା ସ୍ଥିତି ଓ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଛନ୍ତି । ସେଠାରେ ଫସି ରହିଥିବା ଲୋକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ପ୍ରମୁଖ ପ୍ରାଥମିକତା ପ୍ରଦାନ କରିବା ସହ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଉଭୟେ ଗୁରୁତ୍ୱ ଦେଇଛନ୍ତି ।

ଦୁଇ ନେତା ଦ୍ୱିପାକ୍ଷିକ ଏଜେଣ୍ଡାର ପ୍ରସଙ୍ଗଗୁଡିକରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିରେ କୋଭିଡ-୧୯ ଟିକା କ୍ଷେତ୍ରରେ ସହଯୋଗ, ଜଳବାୟୁ ଓ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରି ବିକାଶ ପାଇଁ ସହଯୋଗ ଓ ବାଣିଜ୍ୟିକ ତଥା ଆର୍ଥିକ ସମ୍ପର୍କକୁ ପ୍ରୋତ୍ସାହନ ଦେବା ସାମିଲ ରହିଛି । ବହୁପକ୍ଷୀୟ ସ୍ୱାର୍ଥ ସାମିଲ ଥିବା ପ୍ରସଙ୍ଗ ଯେପରିକି ଆଗାମୀ ସିଓପି- ୨୬ ବୈଠକ ଓ ଜାତିସଂଘ ସୁରକ୍ଷା ପରିଷଦରେ ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ଆଲୋଚନା ଆଗକୁ ବଢାଇବା ପାଇଁ ଭାରତର ପ୍ରୟାସ ସମ୍ପର୍କରେ ଉଭୟେ ମତ ବିନିମୟ କରିଛନ୍ତି । ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମାବେଶୀ ସହଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ଦୁଇ ପକ୍ଷର ଦୃଷ୍ଟିକୋଣ ସମାନତାକୁ ମଧ୍ୟ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି ।

 

SR

 



(Release ID: 1748398) Visitor Counter : 224