ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଓଡିଶା ସମେତ ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି

ପରିସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ସରକାର

ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ୧୦%ରୁ ଅଧିକ ସେଠାରେ ଜନଗହଳିକୁ ରୋକିବା ସହିତ କରୋନ ନିୟମ କଡାକଡି ପାଳନ କରିବାକୁ ପରାମର୍ଶ

ଟିକାକରଣ ସହିତ ଟେଷ୍ଟିଂ ପ୍ରକ୍ରିୟାକୁ ସଂକ୍ରମଣ ପ୍ରବଣ ଜିଲ୍ଲାରେ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଦ୍ୱିତୀୟ ଡୋଜ ଟିକାକରଣକୁ ଏସବୁ ଜିଲ୍ଲାରେ ଅଗ୍ରାଧିକାର ପ୍ରଦାନ କରାଯିବ

ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ଲୋକଙ୍କୁ ଏକାନ୍ତବାସରେ ରଖିବା ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ

ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଘରୋଇ ହସ୍‌ପିଟାଲଗୁଡିକୁ ପ୍ରୋତ୍ସାହିତ କରାଯିବ

Posted On: 31 JUL 2021 2:33PM by PIB Bhubaneshwar

ଦେଶରେ ଯେଉଁ ୧୦ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ଅଧିକ ରହିଛି ତାହାର ସମୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି କରାଯାଇଛି । ସେହି ରାଜ୍ୟଗୁଡିକ ହେଲା ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର । ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ଥିତିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ଏହି ବୈଠକରେ ତାହାର ସମୀକ୍ଷା କରାଯାଇଥିଲା । ଏହି ଦଶଟି ରାଜ୍ୟରେ ସଂକ୍ରମଣ ବଢୁଛି ଅଥବା ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି ।

ଏହି ସମୀକ୍ଷା ବୈଠକରେ ଆଇଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ତଥା ଡିଏମ୍‌ଆର୍ ସଚିବ ଡକ୍ଟର ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ । ସମ୍ପୃକ୍ତ ରାଜ୍ୟର ତଦାରଖକାରୀ ଅଧିକାର ଓ ବିଶିଷ୍ଟ ସ୍ୱାସ୍ଥ୍ୟ ଅଧିକାରୀଗଣ ଏଥିରେ ଭାଗ ନେଇଥିଲେ ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମ୍ପୃକ୍ତ ରାଜ୍ୟଗୁଡିକରେ କରୋନାର ମୁକାବିଲା ପାଇଁ ନିମ୍ନଲିଖିତ ବିଷୟଗୁଡିକ ଉପରେ ଗୁରୁତ୍ୱ ଦେଇଥିଲେ । ସେଗୁଡିକ ହେଲା: 

 ୧) ସମ୍ପୃକ୍ତ ରାଜ୍ୟଗୁଡିକର ଯେଉଁସବୁ ଜିଲ୍ଲାରେ ଗତ କେତେସପ୍ତାହ ଧରି ସଂକ୍ରମଣହାର ୧୦ଶତାଂଶରୁ ଅଧିକ ରହିଛି, ସେଠାରେ ନିୟନ୍ତ୍ରଣ ଓ ନିରାକରଣ ବ୍ୟବସ୍ଥାକୁ କଡାକଡି ପାଳନ କରାଯିବ । ସେଥିପାଇଁ ଭିଡ / ଗହଳି ଏଡାଇବା, ଲୋକଙ୍କ ଅବାଧ ଆତଯାତକୁ ରୋକିବା ସହିତ କରୋନା ନିୟମ ପାଳନରେ କୌଣସି ଢିଲା ଦିଆଯିବ ନାହିଁ ।

୨) ଏସବୁ ରାଜ୍ୟରେ ୮୦ଭାଗରୁ ଅଧିକ ସଂକ୍ରମିତଙ୍କୁ ନିଜ ଘରେ  ଏକାନ୍ତ ବାସରେ ରଖାଯାଇଥିବା ଜଣାପଡିଛି । ଯେଉଁମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଅଧିକ ସତର୍କ ଦୃଷ୍ଟି ଦେବାକୁ ହେବ । କୌଣସି ପରିସ୍ଥିତିରେ ସେମାନେ ଅନ୍ୟମାନଙ୍କ ସହିତ ଯେପରି ନ ମିଶନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡିବ । ଆଖାପାଖ ଅଂଚଳ, ନିଜ ଗାଁ, ପଡା, ୱାର୍ଡ ଓ ଗୋଷ୍ଠୀରେ ସଂକ୍ରମିତ ଯେପରି ନ ବୁଲନ୍ତି ତାହା ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯିବ ।

୩) ଯେଉଁମାନେ ଘରେ ଏକାନ୍ତ ବାସରେ ଚିକିତ୍ସିତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଯଦି କାହାର ଅବସ୍ଥା ବିଗିଡିଗଲା, ତାଙ୍କୁ ତୁରନ୍ତ ହସ୍‌ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା ହେବ । ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ କୌଣସି ତ୍ରୁଟି ଯେପରି ନ ରହେ ତାହାକୁ ସୁନିଶ୍ଚିତ କରିବାକୁ ପଡିବ । ସଂକ୍ରମଣ ଅଧିକ ଥିବା ରାଜ୍ୟଗୁଡିକରେ କୋଭିଡ ହସ୍‌ପିଟାଲ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ ।

୪) ଯେଉଁ ଜିଲ୍ଳାରେ ସଂକ୍ରମଣ ହାର ୧୦ଶତାଂଶରୁ କମ୍ ସେଠାରେ ଟିକାକରଣ ଓ ଟେଷ୍ଟିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ସେହିଭଳି ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ପ୍ରବଣ ଲୋକଙ୍କ ସଂଖ୍ୟା ଅଧିକ ସେଠାରେ ମଧ୍ୟ ଟିକାକରଣ ଓ ଟେଷ୍ଟିଂ ପ୍ରକ୍ରିୟାକୁ ଗୁରୁତ୍ୱ ଦେବାକୁ ପଡିବ । ଏସବୁ ଜିଲ୍ଳାରେ ଟିକାକରଣ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଆଗୁଆ ୧୫ଦିନିଆ ସମ୍ଭାବ୍ୟ କାର୍ଯ୍ୟକ୍ରମର ରିପୋର୍ଟ ସମ୍ପୃକ୍ତ ରାଜ୍ୟମାନେ ପଠାଇବେ । ସେହି ରିପୋର୍ଟ ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅପେକ୍ଷା ଟିକା ଓ ଅନ୍ୟାନ୍ୟ ସହାୟତା ଯୋଗାଇବେ । ଆବଶ୍ୟକତା ଅନୁସାରେ ଏସବୁ ରାଜ୍ୟମାନଙ୍କୁ ସ୍ୱାଭାବିକ ଟିକା ଯୋଗାଣ ବାହାରେ ଅତିରିକ୍ତ ଟିକା ଅନୁସାରେ ଯୋଗାଇ ଦିଆଯିବ ।

୫) ଗତ ଦୁଇମାସ ଧରି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅକ୍ସିଜେନ କନ୍‌ସେନଟ୍ରେଟର, ଅକ୍ସିଜେନ ସିଲିଣ୍ଡର ଓ ପିଏସ୍‌ଏ ପ୍ଲାଣ୍ଟ ଆଦି ଯୋଗାଇ ଆସୁଛନ୍ତି । ଏହା ସହିତ ସରକାରୀ ହସ୍‌ପିଟାଲରେ ପିଏସଏ ପ୍ଲାଣ୍ଟ ବସାଇବାକୁ ରାଜ୍ୟ ସରକାରମାନେ ନିଜସ୍ୱ ସମ୍ବଳ ବିନିଯୋଗ କରୁଛନ୍ତି । ଘରୋଇ ହସପିଟାଲରେ ପିଏସ୍‌ଏ ପ୍ଲାଣ୍ଟମାନ ପ୍ରତିଷ୍ଠା କରିବାକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । କ୍ଲିନିକାଲ ପ୍ରତିଷ୍ଠାନ ଆଇନ ବଳରେ ଏହି ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି । ଯେଉଁ ସବୁ ରାଜ୍ୟ ସରକାର ଏଥିପାଇଁ ନିର୍ଦ୍ଦେଶାନାମା ଜାରି କରିସାରିଛନ୍ତି , ତାହା ପାଳିତ ହେଉଛି କି ନାହିଁ ସେକଥା ଦେଖିବାକୁ କୁହାଯାଇଛି  ।

            ବୈଠକରେ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ କହିଥିଲେ ଯେ ଏବେ ଦେଶରେ ଦୈନିକ ସଂକ୍ରମଣ ପ୍ରାୟ ୪୦ହଜାର ରହୁଛି ।  ସେଥିରୁ ଦେଶର ୪୬ଟି ଜିଲ୍ଲାରେ ଏହି ସଂକ୍ରମଣ ହାର ୧୦ଶତାଂଶରୁ ଅଧିକ । ଏହାଛଡା ୫୩ଟି ଜିଲ୍ଲାରେ ସଂକ୍ରମଣ ହାର ୫ରୁ ୧୦% ମଧ୍ୟରେ ରହିଛି । ତେଣୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଟେଷ୍ଟିଂ ସୁବିଧାକୁ ଅଧିକ ବଢାଇବାର ଆବଶ୍ୟକତା ରହିଛି । ସବୁ ରାଜ୍ୟଙ୍କୁ ନିଜର ରାଜ୍ୟସ୍ତରୀୟ ସେରୋ ସର୍ଭେ ଜିଲ୍ଲାୱାରୀ କରିବାକୁ ପରାମର୍ଶ ଦିଆଯାଇଛି । ଜାତୀୟସ୍ତରରେ ଯେଉଁ ସେରୋସର୍ଭେ କରାଯାଉଛି ସେଥିରେ ରାଜ୍ୟ ରାଜ୍ୟ ମଧ୍ୟରେ ତଥ୍ୟର ତାରତମ୍ୟ ରହୁଥିବାରୁ ସବୁ ରାଜ୍ୟ ନିଜର ସେରୋ ସର୍ଭେ କରିବାକୁ କୁହାଯାଇଛି । ଏହି ସର୍ଭେ ଆଇସିଏମ୍‌ଆର ସହଯୋଗରେ ଆବଶ୍ୟକ ମାର୍ଗଦର୍ଶିକା ଅନୁସାରେ କରିବାକୁ ପଡିବ ।

ଏହା ବ୍ୟତୀତ ୬୦+ ଏବଂ ୪୫ରୁ ୬୦ବର୍ଷ ବୟସ ବର୍ଗର ଲୋକେ କରୋନାରେ ଅଧିକ ୮୦% ମରୁଥିବାରୁ ଏହି ବର୍ଗର ଲୋକଙ୍କ ଟିକାଦାନ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଅନାବଶ୍ୟକ ଯାତ୍ରା, ଭିଡ, ଜନଗହଳି ଆଦିକୁ ଯଥାସମ୍ଭବ ରୋକିବାକୁ ଡାକ୍ତର ଭାର୍ଗବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଅତ୍ୟଧିକ ସଂକ୍ରମିତ ଜିଲ୍ଲାଗୁଡିକର ତଥ୍ୟାବଳୀ ଉପସ୍ଥାପିତ କରାଯାଇଥିଲା । ଏଥିରେ ଟିକା ଦେଇଥିବା ଲୋକଙ୍କ ସଂଖ୍ୟା, ଭେଣ୍ଟିଲେଟରଗୁଡିକ ସ୍ଥିତି, ପିଏସ୍‌ଏ ପ୍ଲାଣ୍ଟ, ଅକ୍ସିଜେନ ସିଲିଣ୍ଡର ଓ କନସେନଟ୍ରେଟର ଆଦି ବିଷୟରେ ତଥ୍ୟ ଉପସ୍ଥାପିତ ହୋଇଥିଲା । ଆନ୍ତର୍ଜାତିକ ଯାତ୍ରୀଙ୍କ ସ୍କ୍ରିନିଂ ପାଇଁ ଇନ୍‌ସାକଗ୍‌ଲାବରେଟେରୀ ନେଟୱାର୍କ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ବାହାର ଦେଶରୁ ନୂଆ ପ୍ରକାରର ଭୂତାଣୁ ଯେପରି ଭାରତରେ ପ୍ରବେଶ ନ କରେ  ସେଥିପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

 

 

 

ଏହା ବ୍ୟତୀତ ରାଜ୍ୟମାନଙ୍କୁ ନିମ୍ନ ପଦକ୍ଷେପମାନ ନେବାକୁ ପରାମର୍ଶ ଦିଆଯାଇଛି ।

ସେଗୁଡିକ ହେଲା -

  • କଣ୍ଟଣ୍ଟେମେଣ୍ଟ ବ୍ୟବସ୍ଥାକୁ ବ୍ୟାପକ କରି କ୍ଲଷ୍ଟର ଭିତ୍ତିକ ତଦାରଖ ପ୍ରକ୍ରିୟା ତ୍ୱରାନ୍ୱିତ କରି ନୂଆ ସଂକ୍ରମଣ ରୋକିବାକୁ ହେବ ।
  • ସଂକ୍ରମଣ ଘଟଣା ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟକୁ ନେଇ କଣ୍ଟଣ୍ଟେମେଣ୍ଟ ଜୋନର ସୀମା ସରହଦ ନିର୍ଦ୍ଧାରିତ ହେବ ।
  • ଇସିଆର୍‌ପି-11 ର କାର୍ଯ୍ୟକାରିତା ପାଇଁ ନିୟମିତ ସମୀକ୍ଷା କରି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ । ଗ୍ରାମାଞ୍ଚଳ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକ ଚିକିତ୍ସା ସୁବିଧା ପ୍ରତି ଧ୍ୟାନ ଦେବାକୁ ହେବ ।
  • ସବୁ ରାଜ୍ୟକୁ ଆଇସିଏମ୍‌ଆର୍ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ମୃତକଙ୍କ ସଂଖ୍ୟା ଗଣନା କରିବାକୁ ପଡିବ ।

 

*****

 

TM / SLP


(Release ID: 1741155)