ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୨ରେ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି ଲଂଚ କରିବେ ପ୍ରଧାନମନ୍ତ୍ରୀ

Posted On: 31 JUL 2021 8:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨, ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଇ-ରୁପି ଲଂଚ କରିବେ ।  

ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ଉପକ୍ରମଗୁଡିକୁ ସମର୍ଥନ କରିଥାନ୍ତି । ସରକାରୀ ସୁବିଧା ହିତାଧିକାରୀମାନଙ୍କ ନିକଟରେ ଲକ୍ଷିତ ଭାବେ ଓ ବାଟମାରଣା ନହୋଇ ପହଞ୍ଚୁଛି ବୋଲି ନିଶ୍ଚିତ କରିବା ପାଇଁ ବିଗତ କିଛି ବର୍ଷରେ କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ନିଆରା ସୁବିଧା ଅନୁଯାୟୀ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ଟଟ ପଏଣ୍ଟ ରହିଛି । ଇଲେକ୍ଟ୍ରୋନିକ ଭାଉଚର ଅବଧାରଣା ସୁଶାସନ ଦୃଷ୍ଟିକୋଣକୁ ଆଗେଇ ନେବ ।

ଇ-ରୁପି ସମ୍ପର୍କରେ

ଇ-ରୁପି ଡିଜିଟାଲ ପେମେଣ୍ଟର ଏକ ନଗଦବିହୀନ ଓ ସମ୍ପର୍କମୁକ୍ତ ମାଧ୍ୟମ । ଏହା ଏକ କ୍ୟୁଆର କୋଡ କିମ୍ବା ଏମଏମଏସ ଷ୍ଟ୍ରିଙ୍ଗ ଆଧାରିତ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲରେ ପହଞ୍ଚିଥାଏ । ଏହି ଅବାଧ ଏକକାଳୀନ ଦେୟପଇଠ ବ୍ୟବସ୍ଥାର ବ୍ୟବହାରକାରୀ ଭାଉଚରକୁ କାର୍ଡ ବ୍ୟବହାର ନକରି ଡିଜିଟାଲ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ସେବା ପ୍ରଦାନକାରୀଙ୍କ ନିକଟରେ ରିଡିମ କରିପାରିବେ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ନିଜ ୟୁପିଆଇ ପ୍ଲାଟଫର୍ମରେ ବିତ୍ତୀୟ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା ବିକଶିତ ହୋଇଛି ।

କୌଣସି ଫିଜିକାଲ ଇଣ୍ଟରଫେସ ବିନା ଡିଜିଟାଲ ଶୈଳୀରେ ହିତାଧିକାରୀ ଓ ସେବାପ୍ରଦାନକାରୀଙ୍କ ସହ ସେବାର ପ୍ରାୟୋଜକଙ୍କ ସହ ଯୋଡିଥାଏ । ନେଣଦେଣ ସରିବା ପରେ ଏହା ସେବା ପ୍ରଦାନକାରୀଙ୍କୁ ଦେୟ ପଇଠ ସୁନିଶ୍ଚିତ କରିବ । ପ୍ରି-ପେଡ ହୋଇଥିବାରୁ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ବିନା ସେବାପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ପଇଠ ସମ୍ଭବ ହୋଇପାରିବ ।

ବାଟମାରଣା ମୁକ୍ତ କଲ୍ୟାଣକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୈପ୍ଳବିକ ଉପକ୍ରମ ହେବ ବୋଲି ଆଶା ରହିଛି । ଏହାର ବ୍ୟବହାର ମା ଓ ଶିଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଔଷଧ ଓ ପୋଷଣ ସହାୟତା ପ୍ରଦାନ, ଟିବି ନିର୍ମୂଳ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ଯୋଜନା ଅନ୍ତର୍ଗତ ଔଷଧ ଓ ନିଦାନ, ସାର ସବସିଡି ପ୍ରଦାନ ଯୋଜନା ଭଳି ସେବା ଉପଲବ୍ଧ କରାଯାଇପାରିବ । ଏପିରିକି ବେସରକାରୀ କ୍ଷେତ୍ରଗୁଡିକ ମଧ୍ୟ ନିଜ କର୍ମଚାରୀ କଲ୍ୟାଣ ଓ କର୍ପୋରେଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଡିଜିଟାଲ ଭାଉଚର ଉପଯୋଗ କରିପାରିବେ ।

 

SR



(Release ID: 1741154) Visitor Counter : 343