ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋୱିନ ଗ୍ଲୋବାଲ କନ୍‌କ୍ଲେଭ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ

Posted On: 05 JUL 2021 3:27PM by PIB Bhubaneshwar

ବିଶିଷ୍ଟ ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସମଗ୍ର ବିଶ୍ୱର ବନ୍ଧୁଗଣ

ନମସ୍କାର,

ଏହି କୋୱିନ ଗ୍ଲୋବାଲ କନ୍‌କ୍ଲେଭରେ ବିଶ୍ୱର ଅନେକ ଦେଶରୁ ବିଶେଷଜ୍ଞମାନେ ଭାଗ ନେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ପ୍ରାରମ୍ଭରେ ମୁଁ ଏହି ମହାମାରୀରେ ପ୍ରାଣ ହରାଇଥିବା ସବୁଦେଶର ଲୋକଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି । ଏକଶହ ବର୍ଷ ମଧ୍ୟରେ ଏହି ମହାମାରୀର କୌଣସି ତୁଳନା ନାହିଁ । ଅନୁଭୂ୍‌ତି କହୁଛି ଯେ, କୌଣସି ଦେଶ, ସେ ଯେତେ ଶକ୍ତିଶାଳୀ ହେଉନା କାହିଁକି ଏଭଳି ମହାମାରୀର ମୁକାବିଲା ଏକା କରିପାରିବ ନାହିଁ । କରୋନା ମହାମାରୀର ସବୁଠୁ ବଡ ଶିକ୍ଷା ହେଲା, ସମଗ୍ର ମାନବଜାତି ଓ ମାନବିକ କାରଣ ପାଇଁ ଆମକୁ ମିଳିତଭାବେ କାମକରି ଆଗେଇବାକୁ ହେବ । ଆମକୁ ପରସ୍ପରଠାରୁ ଶିଖିବା ସହିତ ମହାମାରୀ ମୁକାବିଲାର ସଫଳତା ସମ୍ପର୍କରେ ଅନ୍ୟକୁ ତଥ୍ୟ ପ୍ରଦାନ କରିବାକୁ ପଡିବ । ଏହି ମହାମାରୀ ସଂକ୍ରମଣ ଆରମ୍ଭ କାଳରୁ ଭାରତ ଏହାର ମୁକାବିଲା ସଂକ୍ରାନ୍ତ ସବୁ ଅଭିଜ୍ଞତା, ସଫଳତା, ଉତ୍ତମନୀତି ଓ ସମ୍ବଳ ଆଦିକୁ ବିଶ୍ୱ ସମୁଦାୟ ସହିତ ବାଣ୍ଟିବାକୁ ଅଙ୍ଗୀକୃତ । ଆମର ସକଳ ବାଧାବିଘ୍ନ ଓ ଅସୁବିଧା ସତ୍ୱେ ଆମେ ଆମର ଅଭିଜ୍ଞତା ଓ ସମ୍ବଳ ବିଶ୍ୱ ସମୁଦାୟ ସହିତ ପାରୁ ପର୍ଯ୍ୟନ୍ତ ଭାଗ  କରିଛୁ । ଆମେ ମଧ୍ୟ ଏହି ଲଢେଇରେ ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ ରଣନୀତି ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଶିଖିବାକୁ ଆଗ୍ରହୀ ।

ବନ୍ଧୁଗଣ,

କରୋନା ଲଢେଇରେ ଟେକ୍ନୋଲୋଜି ଆମର ପ୍ରଧାନ ଆୟୁଧ ସାଜିଛି । ସୌଭାଗ୍ୟବଶତଃ ସଫ୍ଟଓୟାର ଏକ କ୍ଷେତ୍ର, ଯେଉଁଠି ଆମର ବିଶେଷକିଛି  ଅଭାବ ନାହିଁ । ସେଥିପାଇଁ ଆମ କୋଭିଡ୍ ଟ୍ରେସିଂ ଓ ଟ୍ରାକିଙ୍ଗ ଆପ୍  ବୈଷୟିକ ଦୃଷ୍ଟିରୁ ସମର୍ଥ ହେବା ମାତ୍ରେ ଆମେ ଏହାକୁ ସମସ୍ତଙ୍କ ପାଇଁ ମୁକ୍ତ (ଓପନ ସୋର୍ସ)କରୁଛୁ । ପ୍ରାୟ ୨୦୦ନିୟୁତ ୟୁଜର୍ସଙ୍କ ସହିତ ଆରୋଗ୍ୟ ସେତୁ ଆପ୍ ଡେଭଲପର୍ସଙ୍କ ପାଇଁ ଏକ ସହଜଲବ୍ଧ ପ୍ୟାକେଜରେ ପରିଣତ ହୋଇପାରିଛି । ଏହା ଭାରତରେ ବ୍ୟବହୃତ ହେବା ସହିତ ବିଶ୍ୱବ୍ୟାପୀ ବେଗ ଓ ପ୍ରସାର କ୍ଷେତ୍ରରେ ମଧ୍ୟ ସହଜଲବ୍ଧ ହୋଇଛି । ଆପଣ ଏହାର ଦକ୍ଷତା ମାପିପାରିବେ ।

ବନ୍ଧୁଗଣ,

            ଏହି ମହାମାରୀରୁ ସଫଳତାର ସହ ଉଦ୍ଧାର ପାଇବା ନିମନ୍ତେ ଟିକା ହିଁ ମାନବସମାଜ ପାଇଁ ଶ୍ରେଷ୍ଠ ଆଶା ପାଲଟିଛି । ଆରମ୍ଭରୁ ଆମେ ଭାରତରେ ଯେତେବେଳେ ଟିକାକରଣ ଯୋଜନା ପ୍ରସ୍ତୁତ କଲୁ ସେତେବଳେ ଡିଜିଟାଲ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଥିଲୁ । ସାମ୍ପ୍ରତିକ ବୈଶ୍ୱିକ ଦୁନିଆରେ ମହାମାରୀ ପରବର୍ତ୍ତଅୀ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ହେଲେ ଏହି ଡିଜିଟାଲ ଆଭିମୁଖ୍ୟକୁ ଗୁରୁତ୍ୱ ଦେବାକୁ ପଡିବ । ସର୍ବୋପରି ଲୋକମାନଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ କୋଭିଡ ଟିକା ନେଇଛନ୍ତି । ସେଥିପାଇଁ ସେମାନେ ଯେଉଁ ପ୍ରମାଣ ଦେବେ ତାହା, ନିରାପଦ, ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ ହେବା ଉଚିତ । ସେମାନେ କେବେ, କେଉଁଠି ଏବଂ କାହାଦ୍ୱାରା ଟିକା ନେଇଛନ୍ତି ତାହାର ରେକର୍ଡ ବା ପ୍ରମାଣ ମଧ୍ୟ ଉପସ୍ଥାପନା କରିବାକୁ ପଡିବ । ପ୍ରତ୍ୟେକ ଡୋଜ ଟିକା ମୂଲ୍ୟବାନ ହୋଇଥିବାରୁ ସରକାର, ଏହାର ଅପଚୟ ଓ ନଷ୍ଟକୁ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡିଜିଟାଲ ବ୍ୟବସ୍ଥା ବିନା ଏହା ସମ୍ଭବ ହୋଇନ ଥାନ୍ତା ।

ବନ୍ଧୁଗଣ,

ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱକୁ ଗୋଟିଏ କୁଟୁମ୍ବ ରୂପେ ବିବେଚିତ କରେ । ଏହି ମହାମାରୀ କାଳରେ ଅନେକ ଲୋକ ଏହି ଦର୍ଶନର ଯଥାର୍ଥତା ଓ ସତ୍ୟତାକୁ ଉପଲବ୍ଧି କରିଛନ୍ତି । ସେଥିପାଇଁ କୋଭିଡ ଟିକାଦାନ ପାଇଁ ଆମ ଟେକ୍ନୋଲୋଜି ପ୍ଲାଟଫର୍ମ-ଯାହାକୁ ଆମେ କୋୱିନ କହୁଛୁ, ତାହାକୁ ଓପନ ସୋର୍ସ ବା ମୁକ୍ତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି । ଖୁବ୍ ଶୀଘ୍ର, ଏହା ସବୁ ଦେଶ ପାଇଁ ଉପଲବ୍ଧ ହେବ । ଆଜିର କନ୍‌କ୍ଲେଭ ଏହି ପ୍ଲାଟଫର୍ମକୁ ଆପଣଙ୍କ ସହିତ ପରିଚିତ କରାଇବାର ପ୍ରଥମ ପଦକ୍ଷେପ । ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତ ୩୫କୋଟି ଡୋଜ ଟିକା ପ୍ରଦାନ  କରିସାରିଲାଣି । ଅଳ୍ପ ଦିନ ପୂର୍ବରୁ ଗୋଟିଏ ଦିନରେ ଆମେ ୯୦ଲକ୍ଷ ଲୋକଙ୍କୁ ଟିକା ଦେବାର ସଫଳ ହୋଇଥିଲୁ । ସେହି ଲୋକମାନେ ନିଜର ପରିଚୟ ଆଦି ପ୍ରମାଣ କରିବାକୁ ସାଙ୍ଗରେ କୌଣସି କାଗଜ ନେବାର ଆବଶ୍ୟକତା ପଡି ନ ଥିଲା । ସମସ୍ତ ତଥ୍ୟ ଡିଜିଟାଲ ଫର୍ମାଟ୍‌ରେ ଉପଲବ୍ଧ ଥିଲା । ସବୁଠୁ ଭଲ କଥା ହେଲା, ଏହି ସଫ୍ଟଓୟାର ଯେକୌଣସି ଦେଶରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ କଷ୍ଟୋମାଇଜ ହେବାର ଦକ୍ଷତା ରଖିଛି । ଆଜିର ଏହି ବୈଠକରେ ଆପଣମାନେ କୋୱିନର ବୈଷୟିକ ଦିଗ ଉପରେ ଅଧିକ ଜାଣିବାକୁ ପାଇବେ । ମୁଁ ନିଶ୍ଚିତ ଆପଣ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ । ମୁଁ ଆଉ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରାଇବାକୁ ଚାହୁଁନାହିଁ । ଆଜିର ଏହି ସଫଳ ଆଲୋଚନା ପାଇଁ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ବକ୍ତବ୍ୟ ସାଙ୍ଗ କରିବାକୁ ଚାହୁଁଛି ।

ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟନୀତିରେ କାର୍ଯ୍ୟକରି ମାନବ ସମାଜ ନିଶ୍ଚତ ଭାବେ ଏହି ମହାମାରୀକୁ ଅତିକ୍ରମ କରିପାରିବ ।

 ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

 

*****

TKM



(Release ID: 1732962) Visitor Counter : 246