ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହର ପୌରାଞ୍ଚଳ ଠିକା, ସାମୟିକ କର୍ମଚାରୀଙ୍କ ପାଇଁ ଇଏସ୍‌ଆଇ ସୁବିଧା

Posted On: 10 JUN 2021 3:59PM by PIB Bhubaneshwar

 ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ଏଠାରେ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି ଯେ, କର୍ମଚାରା ରାଜ୍ୟ ବୀମା ଆଇନ୧୯୪୮ (ଇଏସଆଇ ଆକ୍ଟ) ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ/ ଶ୍ରମିକ ଏହି ସୁବିଧା ପାଇବେ । ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା ଏହି ବର୍ଗର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍‌ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଇଏସ୍‌ଆଇ ନିଗମ ନିଜ ନିଜର ଅଧିକାରଭୁକ୍ତ ଅଞ୍ଚଳ ବା ରାଜ୍ୟରେ ଏହି ମର୍ମରେ ଆବଶ୍ୟଭ ବିଜ୍ଞପ୍ତି ପ୍ରକାଶ କରିବେ । କେନ୍ଦ୍ର ସରକାରଙ୍କ ୧୯୪୮ ଇଏସ୍‌ଆଇ ଆଇନ ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌର ପରିଷଦ ନିଗମ ଓ ପୌରାଞ୍ଚଳ ଚୁକ୍ତିଭିତ୍ତିକ କର୍ମଚାରୀ, ସାମୟିକ ଶ୍ରମିକଙ୍କ ସହିତ ଏହିସବୁ ପରିଷଦ ସହ ସମ୍ପୃକ୍ତ ହୋଇ କାର୍ଯ୍ୟ କରୁଥିôବା ସଂସ୍ଥା ଓ ପ୍ରତିଷ୍ଠାନର ସମାନ ଧରଣର କର୍ମଚାରୀଙ୍କୁ ମଧ୍ୟ ଇଏସ୍‌ଆଇ ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର ଅଧୀନରେ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ରହିଛି। ତେଣୁ ଦିଲ୍ଲୀର ପୌରନିଗମ/ପରିଷଦ ବା ମହାନଗର ପାଳିକାର ଚୁକ୍ତିଭିତ୍ତିକ ସାମୟିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ । ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ୨୦୨୧ଜୁନ ୭ତାରିଖରେ ଏ ସଂକ୍ରାନ୍ତ ଆବଶ୍ୟକ  ବିଜ୍ଞପ୍ତି ପ୍ରକାଶ କରି ଇଏସ୍‌ଆଇ ନିୟମ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ଏହା ଦିଲ୍ଲୀର ସବୁ ପୌରନିଗମ/ ପରିଷଦ ପାଇଁ ପ୍ରଯୁଜ୍ୟ ।

ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବହୁ ସଂଖ୍ୟାରେ ଚୁକ୍ତିଭିତିକ ଓ ସାମୟିକ କର୍ମଚାରୀ ନିଯୁକ୍ତ କରୁଛନ୍ତି । ତେବେ ଏହିସବୁ କର୍ମଚାରୀ ନିୟମିତ ହୋଇ ନ ଥିବାରୁ ସେମାନେ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖ ଲାଘବ କରିବାକୁ ସରକାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଫଳରେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସାମାଜିକ ସୁରକ୍ଷା ପାଇବେ ଏବଂ ଏହି ନିଷ୍ପତି ସମ୍ପୃକ୍ତ ବର୍ଗର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷାରେ ବିଶେଷ ସହାୟକ ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ସବୁ ପୌରାଞ୍ଚଳ/ପରିଷଦର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ଇଏସ୍‌ଆଇ ଆଇନ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲାଭ କରିବେ । ଏହି ସୁବିଧା ମଧ୍ୟରେ ଅସୁସ୍ଥତାଜନିତ ଲାଭ, ମାତୃତ୍ୱ କାଳୀନସୁବିଧା, ନିର୍ଭରଶୀଳଙ୍କୁ ସୁବିଧା ଯୋଗାଣ, ଶେଷକୃତ୍ୟଜନିତ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସମ୍ପୃକ୍ତ କର୍ମଚାରୀ ଦେଶର ୧୬୦ ଇଏସ୍‌ଆଇ ହସ୍‌ପିଟାଲ ଓ ୧୫୦୦ରୁ ଅଧିକ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାରିପାରିବେ ।

 

****

TKM / SLP


(Release ID: 1726085) Visitor Counter : 220