ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଅଧିକ ଉତ୍ପାଦନ ୟୁନିଟ, ଆର୍ଥିକ ସହାୟତା ଓ କଞ୍ଚା ମାଲ ଯୋଗାଣରେ ଭାରତ ସରକାର ସାହାଯ୍ୟ କରୁଛନ୍ତି

ଟିକା ନଷ୍ଟ ରୋକିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କର୍ମୀ, ୪୫ ବର୍ଷରୁ ଅଧିକ ଓ ୧୮-୪୪ ବୟସ ବର୍ଗଙ୍କ ଟିକାକରଣ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 04 JUN 2021 8:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଅଧିକାରୀମାନେ ଟିକାକରଣ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ।

ବର୍ତ୍ତମାନ ଉପଲବ୍ଧ ଟିକା ଓ ଏହାକୁ ବଢାଇବା ପାଇଁ ପ୍ରସ୍ତୁତ ରୋଡମ୍ୟାପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଟିକା ଉତ୍ପାଦନ ବଢାଇବା ପାଇଁ ବିଭିନ୍ନ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ସାହାଯ୍ୟ କରିବା ପାଇଁ ହୋଇଥିବା ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ଭାରତ ସରକାର ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ସକ୍ରିୟ ଭାବେ ଜଡିତ ଅଛନ୍ତି ଓ ଅଧିକ ଉତ୍ପାଦନ ୟୁନିଟ, ଆର୍ଥିକ ସାହାଯ୍ୟ ଓ କଂଚାମାଲ ଯୋଗାଇବାରେ ସାହାଯ୍ୟ କରୁଛନ୍ତି ।

ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ସହ ଆଗଧାଡି କର୍ମଚାରୀଙ୍କ ଟିକାକରଣ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ୪୫ ବର୍ଷରୁ ଅଧିକ ଓ ୧୮-୪୪ ବୟସ ବର୍ଗଙ୍କ ଟିକାକରଣ ସ୍ଥିତି  ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ବିଭିନ୍ନ ରାଜ୍ୟରେ ହେଉଥିବା ଟିକା ନଷ୍ଟ ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଥିଲା । ନଷ୍ଟ ହେଉଥିବା ଟିକା ସଂଖ୍ୟା ଅଧିକ ଥିବାରୁ ଏହାକୁ କମାଇବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଟିକାକରଣ ଅଭିଯାନକୁ ଲୋକାଭିମୁଖୀ କରାଇବା ପାଇଁ ବିଭିନ୍ନ ପ୍ରଯୁକ୍ତିଗତ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରାଜ୍ୟଗୁଡିକ ଯେପରି ଟିକା ଉପଲବ୍ଧ ସମ୍ପର୍କରେ ଆଗୁଆ ଜାଣିପାରିବେ ସେଥିପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନାଗରିକଙ୍କ କୌଣସି ଅସୁବିଧା ନହେବା ପାଇଁ ଜିଲ୍ଲା ସ୍ତରରେ ସୂଚନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

 

SR



(Release ID: 1724667) Visitor Counter : 206