ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଟିକାଦାନ ସଂକ୍ରାନ୍ତ ମିଥ୍ୟାର ରହସ୍ୟ ଉନ୍ମୋଚିତ ୨୦୨୧ ମେ’ ମାସରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପକ୍ଷରୁ ୬୧.୦୬ ନିୟୁତ ଡୋଜ ଟିକା ଦିଆଯାଇଛି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ପାଖରେ ୨୦୨୧ ମେ’ ୩୧ତାରିଖ ସୁଦ୍ଧା ୧୬.୨୨ ନିୟୁତ ବଳକା, ବ୍ୟବହୃତ ହୋଇ ନ ଥିବା ଟିକା ମହଜୁଦ ଅଛି

Posted On: 02 JUN 2021 12:17PM by PIB Bhubaneshwar

  ‘ସମଗ୍ର ସରକାର’ ଆଭିମୁଖ୍ୟ ନେଇ ଭାରତ ସରକାର ଚଳିତବର୍ଷ ଜାନୁୟାରୀ ୧୬ତାରିଖରୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି । ଟିକାର ଉପଲବ୍‌ଧତାକୁ ସୁସଙ୍ଗତ କରିବା ପାଇଁ ଭାରତ ସରକାର ଟିକା ଉତ୍ପାଦନକାରୀମାନଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି । ସେହିଭଳି ଚଳିତବର୍ଷ ମେ’ ୧ତାରିଖଠାରୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ନିମନ୍ତେ ବିଭିନ୍ନ ଟିକା ସଂଗ୍ରହ ବିକଳ୍ପ ଉନ୍ମୁକ୍ତ କରିଛନ୍ତି ।

ଦେଶରେ ଚାଲିଥିବା ଏହି ଜାତୀୟ ଟିକାଦାନ କାର୍ଯ୍ୟକ୍ରମ ସମ୍ପର୍କୀତ କେତେକ ଭିତ୍ତିହୀନ ଓ ଅସତ୍ୟ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ଦୁଇ ଖବର ସର୍ବସାଧାରଣରେ ଟିକାଦାନ କାର୍ଯ୍ୟକ୍ରମ ଘେନି ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । 

ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ “୨୦୨୧ଜୁନ୍‌ରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୧୨୦ ନିୟୁତ ଡୋଜ ଟିକା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଥିମଧ୍ୟରୁ ମେ’ ମାସରେ ଉପଲବ୍ଧ ହୋଇଥିବା ୭୯ ନିୟୁତ ଡୋଜ୍ ମଧ୍ୟରୁ ମାତ୍ର ୫୮ ନିୟୁତ ଡୋଜ ଟିକା ପ୍ରଦାନ କରାଯାଇଥିଲା ।” ଏହି ଖବର ଓ ରିପୋର୍ଟର କୌଣସି ସତ୍ୟାସତ୍ୟ ନାହିଁ ଏବଂ ଏହା ଭ୍ରମାତ୍ମକ । 

୨୦୨୧ ଜୁନ ପହିଲା ସକାଳ ସାତଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ମେ’ ୧ରୁ ୩୧ ତାରିଖ ମଧ୍ୟରେ ମୋଟ ୬୧.୦୬ ନିୟୁତ ଡୋଜ୍ କରୋନା ଟିକା ପ୍ରଦାନ କରାଯାଇଛି । ଏହାଛଡା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ପାଖରେ ଏହି ସମୟରେ ମୋଟ ୧୬.୨୨ ନିୟୁତ ଡୋଜ ଟିକା ମହଜୁଦ ଥିଲା । ଚଳିତବର୍ଷ ମେ’ ପହିଲାରୁ ମେ ୩୧ତାରିଖ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମୋଟ ୭୯.୪୫ ନିୟୁତ ଡୋଜ ଟିକା ପ୍ରଦାନ କରାଯାଇଥିଲା । 

କେତେକ ଗଣମାଧ୍ୟମ ରିପୋର୍ଟରେ ଭାରତର ଟିକାଦାନ ନୀତିକୁ ସମାଲୋଚନା କରାଯାଇଛି । ତେବେ ଏହି ସମାଲୋଚନାରେ ଯେଉଁସବୁ ତଥ୍ୟ ଓ ଉତ୍ସକୁ ଉଦ୍ଧାର କରାଯାଇ ରିପୋର୍ଟ ଲେଖାଯାଇଛି ତାହାର ସତ୍ୟାସତ୍ୟ ପରଖା ଯାଇନାହିଁ । କେଉଁ ବର୍ଗ ଓ ବୟସର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ସେ ନେଇ ସରକାରଙ୍କ ନିଷ୍ପତିକୁ ଏହି ରିପୋର୍ଟରେ ଯେଉଁ ସମାଲୋଚନା କରାଯାଇଛି ତା’ ପଛରେ ପ୍ରକୃତ ତଥ୍ୟ ପ୍ରମାଣ ନାହିଁ ।

କୋଭିଡ୍ ଟିକାଦାନ ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ(ନେଗଭ୍ୟାକ୍‌) ୨୦୨୦ ଅଗଷ୍ଟ ମାସରେ ଗଠିତ ହୋଇଥିଲା । ଏହି ଗୋଷ୍ଠୀ ଟିକା ହିତାଧିକାରୀଙ୍କ ବର୍ଗ ନିରୁପଣ, କେଉଁ ବର୍ଗଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦିଆଯିବା ଉଚିତ ତାହା ନିର୍ଣ୍ଣୟ କରିବା, ଟିକା କ୍ରୟ ଓ ସଂଗ୍ରହ, ଟିକା ବାଛିବା ଏବଂ ସେସବୁକୁ ସଂଗ୍ରହ କରି ରାଜ୍ୟମାନଙ୍କୁ ପଠାଇବା ଆଦି କାର୍ଯ୍ୟ ଏହି ଗୋଷ୍ଠୀର ସୁପାରିସ ଆଧାରରେ କରାଯାଉଛି । ବୈଜ୍ଞାନିକ ପ୍ରମାଣ, ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ନିର୍ଦ୍ଦେଶାବଳୀ, ଅନ୍ୟାନ୍ୟ ଦେଶରେ ଓ ଆର୍ନ୍ତଜାତିକ ସ୍ତରରେ ଅନୁସୃତ ହେଉଥିବା ଟିକାଦାନ ନୀତି ଆଦିକୁ ବିଚାରକୁ ନେଇ ଆବଶ୍ୟକ ସମୀକ୍ଷା ବିଚାରକ୍ରମେ ଭାରତରେ କେଉଁ ବୟସ ବର୍ଗର ଲୋକଙ୍କୁ ଆଗ ଟିକା ଦିଆଯିବ, ସେ ସମ୍ପର୍କରେ ନିଷ୍ପତି ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି । ଭାରତରେ ନିମ୍ନଲିଖିତ ଦୁଇଟି ମୌଳିକ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଟିକାଦାନ ନୀତି ପ୍ରସ୍ତୁତ ହୋଇଛି । 

ସେ ଦୁଇଟି ହେଲା-

୧) ମହାମାରୀ ମୁକାବିଲା ବ୍ୟବସ୍ଥାର ଅଂଶସ୍ୱରୂପ ସ୍ୱାସ୍ଥ୍ୟସେବାକୁ ସୁରକ୍ଷିତ କରିବା ।

୨) କୋଭିଡ୍‌ଜନିତ ମୃତ୍ୟୁକୁ ରୋକିବା ଏବଂ ରୋଗ ଯୋଗୁଁ ସବୁଠୁ ଅଧିକ ବିପଦରେ ଥିବା ଲୋକଙ୍କୁ ପ୍ରଥମେ ସୁରକ୍ଷିତ କରିବା ।

ତଦନୁସାରେ ଆମ ଦେଶରେ ଟିକାଦାନ କାର୍ଯ୍ୟକ୍ରମ କ୍ରମବଦ୍ଧଭାବେ ସମ୍ପ୍ରସାରିତ ହୋଇ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ଲୋକଙ୍କୁ ଏହା ପ୍ରଦାନ କରାଯାଇଆସୁଛି । 

ଏଥିରେ ପ୍ରଥମେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କର୍ମୀ (ଏଚସିଡବ୍ଲୁ)ଙ୍କୁ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟରେ ସମ୍ମୁଖ ଭାଗର କର୍ମୀ, ଏହା ପରେ ୬୦ବର୍ଷ ବା ତଦୁର୍ଦ୍ଧର ବୟସର ଟିକା ପ୍ରଦାନ କରାଯାଇଥିଲା । ଏହା ପରେ ୨୦ପ୍ରକାର ବିଭିନ୍ନ ରୋଗଥିବା ୪୫ରୁ ୫୯ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦିଆଯାଇଛି । ଏପ୍ରିଲ ପହିଲାଠାରୁ ୪୫ବର୍ଷ ବୟସ ଓ ତା’ଠାରୁ ଅଧିକ ଲୋକଙ୍କୁ ଟିକା ନେବା ପାଇଁ ସରକାର ଯୋଗ୍ୟ ବିବେଚିତ କରିଛନ୍ତି । 

ଏହି ପଦକ୍ଷେପ ଯୋଗୁଁ ଭଲ ଫଳ ମିଳିଛି । ପରିମାଣ ସ୍ୱରୂପ ୮୧ ଶତାଂଶରୁ ଅଧିକ ମନୋନୀତ ବର୍ଗର ଲୋକ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । ଏହି ବର୍ଗରେ ଅଛନ୍ତି ସମ୍ମୁଖ ଧାଡିର ଯୋଦ୍ଧା ଓ ଚିକିତ୍ସା କର୍ମୀ । ଏମାନେ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଟିକାଦାନ, ଚିକିତ୍ସା ବ୍ୟବସ୍ଥା, କରୋନା ନିରୋଧୀ କାର୍ଯ୍ୟକ୍ରମ, ତଦାରଖ ଓ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା ସହଜ ହୋଇଛି । ସେହିଭଳି ୪୫ବର୍ଷ ବା ତଦୁର୍ଦ୍ଧ ବର୍ଗର ୩୭ଶତାଂଶ ଲୋକ ପ୍ରଥମ ଡୋଜ ଟିକା ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୨ ଶତାଂଶଙ୍କୁ ଦ୍ୱିତୀୟ ଡୋଜ ପ୍ରଦାନ କରାଯାଇଛି ।

 ଏବେ ମେ’ ପହିଲାଠାରୁ ୧୮ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ ଟିକାଦାନ ପାଇଁ ଯୋଗ୍ୟ ବିବେଚିତ ହୋଇ ଟିକା ନେଉଛନ୍ତି । ୨୦୨୧ ମେ’ ପହିଲାରୁ ଏକ ଉଦାର ମୂଲ୍ୟଭିତିକ ଜାତୀୟ ତ୍ୱରାନ୍ୱିତ କୋଭିଡ ଟିକାକରଣ ରଣନୀତି କାର୍ଯ୍ୟକାରୀ ହେଉଛି । ଏହା ବର୍ତ୍ତମାନର ତୃତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମକୁ ଦିଗଦର୍ଶନ ଦେଉଛି । ଏହି ରଣନୀତି ଅନୁସାରେ ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର (ସିଡିଏଲ୍‌) ଭାରତ ସରକାରଙ୍କ ଦ୍ୱାରା କ୍ରୟ/ସଂଗୃହୀତ ସବୁ ପ୍ରକାର ଟିକାର ୫୦ଶତାଂଶକୁ ପରୀକ୍ଷା କରି ବ୍ୟବହାର ପାଇଁ ଉପଲବ୍ଧ କରାଇବ । ପୂର୍ବଭଳି ଏହି ଲାବରେଟୋରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନାମୂଲ୍ୟରେ ଏସବୁ ଟିକା ଯୋଗାଇଦେବ । ଅବଶିଷ୍ଟ ୫୦ଭାଗ ଟିକାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସରକାରୀ ଓ ଘରୋଇ ହସ୍‌ପିଟାଲମାନେ ସିଧାସଳଖ ସଂଗ୍ରହ କରିପାରିବେ । ରାଜ୍ୟମାନଙ୍କର ଜନସଂଖ୍ୟା ଅନୁସାରେ ଏହି ଟିକା ଯୋଗାଣର ବ୍ୟବସ୍ଥା କରାଯାଇଛି ।

 

*****

TKM/ SLP



(Release ID: 1723918) Visitor Counter : 160