ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହ କେନ୍ଦ୍ର ସରକାରଙ୍କ ଟିକାକରଣ ଅଗ୍ରଗତି ସମୀକ୍ଷା


ଜୁନ 2021ରେ ଟିକା ଉପଲବ୍ଧତା କ୍ରମେ ବୃଦ୍ଧି ପାଇବାକୁ ଥିବାରୁ ଟିକାକରଣ ପ୍ରକ୍ରିୟାକୁ ଗତିଶୀଳ କରିବାକୁ ପରାମର୍ଶ

ଘର ପାଖରେ ଟିକାକରଣ ଭଳି ନମନୀୟତାର ଉପଯୋଗ ବୃଦ୍ଧି କରିବେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ

ଟିକାକରଣର ଗତି ବଢ଼ାଇବା ଲାଗି ଘରୋଇ ଡାକ୍ତରଖାନାର ସମ୍ପୃକ୍ତି ବୃଦ୍ଧି କରାଯିବ

Posted On: 31 MAY 2021 6:27PM by PIB Bhubaneshwar

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସହଭାଗିତାରେ କୋଭିଡ-19 ଟିକାକରଣ ଅଭିଯାନକୁ ସକ୍ରିୟ ଭାବେ ଆଗେଇ ନେବା, ସମୀକ୍ଷା କରିବା ଏବଂ ଅନୁଧ୍ୟାନ କରିବା ଲାଗି ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସକମାନେ ଅଂଶଗ୍ରହଣ କରି ରାଜ୍ୟଗୁଡ଼ିକରେ ଟିକାକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଟିକାକରଣର ଗତି ବଢ଼ାଇବା ଲାଗି ରାଜ୍ୟଗୁଡ଼ିକୁ ଅଧିକ ନମନୀୟତା ପ୍ରଦାନ କରାଯିବାର ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ଦ୍ଧିତ ଟିକା ଉପଲବ୍ଧତା କ୍ୟାଲେଣ୍ଡର ଜରିଆରେ ଜୁନ 2021 ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଧିକ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମେ 2021ର ଶେଷ ସପ୍ତାହରେ ଟିକାକରଣକୁ ବ୍ୟାପକ କରିଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଶଂସା କରିଥିଲେ। କାରଣ ଚଳିତ ମାସ ଶେଷ ଭାଗରେ ହିଁ ଅଧିକ ପରିମାଣରେ ଟିକା ବିଭିନ୍ନ ରାଜ୍ୟରେ ପହଞ୍ଚିଥିଲା। ସେ ମଧ୍ୟ ରେଖାଙ୍କିତ କରି କହିଥିଲେ ଯେ ଟିକାକରଣର ଗତିକୁ ଆହୁରି ତ୍ୱରାନ୍ୱିତ କରିବାର ସୁଯୋଗ ସୃଷ୍ଟି ହେବ। ମୋଟ ଟିକା ଉପଲବ୍ଧତା ଜୁନ 2021ରେ ଆହୁରି ବୃଦ୍ଧି ପାଇବ। ଟିକା ଉପଲବ୍ଧତା କ୍ୟାଲେଣ୍ଡର ଜରିଆରେ ଏହା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରତିନିଧିମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଜୁନ 2021ରେ ପାଖାପାଖି 12 କୋଟି (11,95,70,000) ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦିଆଯିବ ଏହା ସେମାନଙ୍କୁ ଅଧିକ ସଂଖ୍ୟାରେ ଟିକା ଦେବାକୁ ସକ୍ଷମ କରିବ। ସ୍ୱାସ୍ଥ୍ୟ ସଚିବ ମଧ୍ୟ ଆଶ୍ଵାସନା ଦେଇ କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଟିକା ଷ୍ଟକ୍ ସରିଯାଉଥିବାରୁ କେନ୍ଦ୍ର ସରକାର ଜରୁରିକାଳୀନ ଭିତ୍ତିରେ ତାଙ୍କର ବଫର ଷ୍ଟକ୍ ଯୋଗାଇ ଦେବେ। ଯାହାଫଳରେ ଟିକାକରଣ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ।

କୋଭିଡ-19 ଠାରୁ ଦେଶର ସବୁଠୁ ଦୁର୍ବଳ ଜନସଂଖ୍ୟାକୁ ସୁରକ୍ଷିତ ରଖିବାର ଏକ ଜରୁରି ଉପାଦାନ ହେଉଛି ଟିକାକରଣ ଅଭିଯାନ। ଏହାର ଉଚ୍ଚସ୍ତରରେ ନିୟମିତ ଭାବେ ସମୀକ୍ଷା ଓ ଅନୁଧ୍ୟାନ କରାଯିବ। ସଚିବ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନର ପରିସ୍ଥିତି ପାଇଁ ଅନୁକୂଳ ଏକ ବର୍ଗୀକୃତ, ସକ୍ରିୟ ଓ ତ୍ୱରିତ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସମସ୍ତ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ କରିବା ପରେ ଏହା କରାଯାଇଛି ଯାହାକି ଟିକାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅଧିକ ନମନୀୟତା ପ୍ରଦାନ କରିବ।

ଅଣସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଏବଂ ଘର ନିକଟରେ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ନିମନ୍ତେ ଗୋଷ୍ଠୀ ଆଧାରିତ ଜନସମ୍ପର୍କ ଆଭିମୁଖ୍ୟ ଉପରେ ଜୋର ଦିଆଯାଇଛି। ଫଳରେ  ଗୋଷ୍ଠୀ କେନ୍ଦ୍ର, ଆରଡବ୍ଲୁଏ କେନ୍ଦ୍ର/ଅଫିସ, ପଞ୍ଚାୟତ ଘର, ବିଦ୍ୟାଳୟ କୋଠା, ବୃଦ୍ଧାଶ୍ରମ ଆଦି ଘର ପାଖ ସ୍ଥାନରେ ଟିକା କେନ୍ଦ୍ରମାନ ସ୍ଥାପନ କରାଯିବ। ଯାହାଫଳରେ ବୟସ୍କ ଓ ଦିବ୍ୟାଙ୍ଗ ଲୋକମାନେ ସହଜରେ ଟିକା ନେଇପାରିବେ। ଦିବ୍ୟାଙ୍ଗ ଓ ବୟସ୍କ ଲୋକମାନଙ୍କ ପାଇଁ ଘର ପାଖରେ ଟିକାକରଣ କେନ୍ଦ୍ର ସ୍ଥାପନ ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଗାଇଡଲାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଛି:

https://www.mohfw.gov.in/pdf/GuidanceNeartoHomeCovidVaccinationCentresforElderlyandDifferentlyAbledCitizens.pdf]

ଘର ପାଖରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ଏବଂ ଏହିସବୁ କେନ୍ଦ୍ର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି ।

ଘର ପାଖରେ ଟିକାକରଣ କେନ୍ଦ୍ର ଚିହ୍ନଟ କରିବା ଏବଂ ଏହାକୁ ବର୍ତ୍ତମାନର ସିଭିସି ସହିତ ଯୋଡ଼ିବାର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଏପରି କେନ୍ଦ୍ରରେ ଟିକାକରଣ ଆୟୋଜନ ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପୂର୍ବରୁ ଥିବା କୋଭିଡ ଟିକାକରଣ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବେ ଏବଂ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରିବେ। ଏହି ମାନ୍ୟତାପ୍ରାପ୍ତ କୋଭିଡ ଟିକାକରଣ କେନ୍ଦ୍ରର ନୋଡାଲ ଅଧିକାରୀମାନେ ପ୍ରସ୍ତାବିତ ଘର ପାଖ ଟିକାକରଣ କେନ୍ଦ୍ରରେ ଆବଶ୍ୟକ ସୁବିଧା ଯେପରିକି ଟିକାକରଣ ପାଇଁ 3ଟି କୋଠରୀ/ସ୍ଥାନ, ବରିଷ୍ଠ ନାଗରିକ/ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ବ୍ୟକ୍ତି, ଏଇଏଫଆଇ ପରିଚାଳନା ପାଇଁ ସୁବିଧା ଏବଂ ଇଣ୍ଟରନେଟ ଆଦିର ବ୍ୟବସ୍ଥା କରିବେ। ଟିକାକରଣ ହେବା ଦିନ ମାନ୍ୟତାପ୍ରାପ୍ତ ସିଭିସିର ନୋଡାଲ ଅଧିକାରୀ ଟିକା, ଲଜିଷ୍ଟିକ୍ସ ଓ ଟିକାକରଣ ଦଳକୁ ନିୟୋଜନ ଆଦି ସୁନିଶ୍ଚିତ କରିବେ।

କୋଭିଡ ଟିକାକରଣରେ ଘରୋଇ ଡାକ୍ତରଖାନାଗୁଡ଼ିକର ସକ୍ରିୟ ସମ୍ପୃକ୍ତି ବଢ଼ାଇବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି। ଟିକାର ସମୟୋଚିତ ଯୋଗାଣ ପାଇଁ ଟିକା ଉତ୍ପାଦନକାରୀ ଓ ଘରୋଇ ଡାକ୍ତରଖାନା ସହିତ ନିୟମିତ ସମନ୍ୱୟ ସ୍ଥାପନ ନିମନ୍ତେ 2/3 ସଦସ୍ୟ ବିଶିଷ୍ଟ ଏକ ସମର୍ପିତ ଦଳ ଗଠନ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ସର୍ବୋତ୍ତମ ଉପଯୋଗ ଜରିଆରେ ଜରୁରି ଜନ ସ୍ୱାସ୍ଥ୍ୟ ଉପାଦାନ କୋଭିଡ ଟିକା ନଷ୍ଟ ନକରିବା ନିମନ୍ତେ  କେନ୍ଦ୍ରିତ ପ୍ରୟାସ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କୁହାଯାଇଥିଲା।  ଯଦିଓ ମୋଟାମୋଟି ଭାବେ ଟିକା ନଷ୍ଟକୁ ହ୍ରାସ କରାଯାଇପାରିଛି ତଥାପି କେତେକ ରାଜ୍ୟରେ ଟିକା ନଷ୍ଟ ପରିମାଣକୁ କମାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରି କହିଥିଲେ। ଟିକାର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ନିମନ୍ତେ ଟିକାପ୍ରଦାନକାରୀମାନଙ୍କୁ ସତର୍କ ଓ ସଜାଗ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।

 

*********

P.S

 



(Release ID: 1723220) Visitor Counter : 139