ପ୍ରତିରକ୍ଷା ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଡିଆରଡିଓ ଦ୍ୱାରା ବିକଶିତ କରୋନା ବିରୋଧୀ ଔଷଧର ପ୍ରଥମ କ୍ଷେପ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଲୋକାର୍ପିତ
                    
                    
                        •	ଏହି ଔଷଧକୁ ପ୍ରତିରକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପ୍ରଦାନ କଲେ
•	୨ଡିଜି ଔଷଧ କୋଭିଡ-୧୯ ବିରୋଧୀ ଲଢେଇରେ ନୂଆ ଆଶାର କିରଣ-ପ୍ରତିରକ୍ଷାମନ୍ତ୍ରୀ
•	ଏହି ଔଷଧ ଦେଶର  ଆତ୍ମନିର୍ଭରଶୀଳତା ଦିଗରେ ବୈଜ୍ଞାନିକ  ସାମର୍ଥ୍ୟ ଓ ଶକ୍ତିର ଉତ୍ତମ ଉଦାହରଣ; କହିଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ
                    
                
                
                    Posted On:
                17 MAY 2021 2:44PM by PIB Bhubaneshwar
                
                
                
                
                
                
                 ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ଦ୍ୱାରା ବିକଶିତ ଦେଶର ପ୍ରଥମ କୋଭିଡ ନିରୋଧୀ ଔଷଧ ୨-ଡିଅକ୍ସ୍ସି-ଡି-ଗ୍ଲକୋଜ୍ (୨-ଡିଜି)ର ପ୍ରଥମ କ୍ଷେପ(ବ୍ୟାଚ) ସୋମବାର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଲୋକର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ଏହି ଔଷଧକୁ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଭୂବିଜ୍ଞାନ ଓ ବିଜ୍ଞାନପ୍ରଯୁକ୍ତି ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଅର୍ପଣ କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଔଷଧର ଗୋଟିଏ ଲେଖାଏଁ ସ୍ୟାଚେଟ୍  ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ନିର୍ଦ୍ଦେଶକ ଡକ୍ଟର ରଣଜିତ ଗୁଲେରିଆ ଏବଂ ଆର୍ମଡ୍ ଫୋର୍ସେସ ମେଡିକାଲ ସର୍ଭିସେସର (ଏଏଫ୍ଏମ୍ଏସ୍) ଲେଫ୍ଟନାଣ୍ଟ ଜେନେରୋଲ ସୁନୀଲ କାନ୍ତଙ୍କୁ ପ୍ରଦାନ କରିଥିଲେ   ।
            ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଔଷଧ ଖୁବ୍ ଶୀଘ୍ର ଦେଶର ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯିବ । କୋଭିଡ-୧୯ର ଚିକିତ୍ସା ପାଇଁ ଏହି ଔଷଧ ୨-ଡିଅକ୍ସି-ଡି ଗ୍ଲକୋଜ (୨-ଡିଜି) ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାଏଡ୍ ସାଇନସେସ୍ (ଇନ୍ମାସ) ଦ୍ୱାରା ମିଳିତଭାବେ ବିକଶିତ ହୋଇଛି । ‘ଇନସାସ୍’ ଡିଆରଡିଓର ଏକ ପରୀକ୍ଷାଗାର । ହାଇଦରାବାଦ୍ର ଡକ୍ଟର ରେଡ୍ଡୀସ୍ ଲାବରେଟରୀ (ଡିଆରଏଲ) ଏହି ଔଷଧ ବିକାଶରେ ସହାୟତା ଯୋଗାଇଛି ।
            ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ଡିଆର୍ଡିଓ ଏବଂ ଡିଆର୍ଏଲ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଯେଉଁ କୋଭିଡ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପଡୁଛି ତାହା ପୂରଣ କରିବାରେ ଏହି ଔଷଧ ବିଶେଷକ ସହାୟକ ହେବ । ଏହାଦ୍ୱାରା ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବେ । ଏହି ଔଷଧର ପ୍ରତିରକ୍ଷା ମନ୍ତ୍ରୀ ଦେଶର ବୈଜ୍ଞାନିକ ସାମର୍ଥ୍ୟର ଏକ ଉତ୍ତମ ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ କୋଭିଡ ଔଷଧ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ଏହା ଏକ ମାଇଲଖୁଣ୍ଟି । ସାଂପ୍ରତିକ ଆହ୍ୱାନମୂଳକ ସମୟରେ “୨-ଡିଜି’ ଔଷଧ ଆଶାର ଏକ ନୂଆକିରଣ ।” କୋଭିଡ-୧୯ ବିରୋଧୀ ଲଢେଇରେ ଏହି ଔଷଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପ୍ରତିରକ୍ଷାମନ୍ତ୍ରୀ ଦୃଢ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଘଟିଲେ ସେ ନିଜେ ଏହି ଔଷଧକୁ ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବାକୁ ଆଗ୍ରହୀ । ସଫଳତାର ଶ୍ରେୟ ପାଇବାକୁ ଏହି ଔଷଧ ବିକାଶରେ ସମ୍ପୃକ୍ତ ସବୁ ବୈଜ୍ଞାନିକ ହକ୍ଦାର ।
            ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସରକାର ନିରନ୍ତର ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଅମ୍ଳଜାନ ଯୋଗାଣ, ହସ୍ପିଟାଲରେ ଆଇସିୟୁ ବେଡର ବ୍ୟବସ୍ଥା ଏବଂ ଔଷଧପତ୍ର ଯୋଗାଣ କ୍ଷେତ୍ରରେ ପ୍ରଭାବଶାଳୀ  ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏ କ୍ଷେତ୍ରରେ ସବୁ ମନ୍ତ୍ରଣାଳୟ ଓ ବିଭାଗ ମିଳିତଭାବେ ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବୁ କାମ ଠିକ୍ଠାକ ଚାଲିଛି । ସେ କହିଛନ୍ତି ଯେ ଦେଶରେ ଅକ୍ସିଜେନ ଯୋଗାଣ ଉଲ୍ଲେଖନୀୟ ଭାବେ ବଢିଛି । ଏବେ ଦୈନିକ୯୫୦୦ ମେଟିକ୍ର ଟନ୍ ଅମ୍ଳଜାନ ଦେଶର ବିଭିନ୍ନ ରାଜ୍ୟର ହସ୍ପିଟାଲଗୁଡିକୁ ଯୋଗାଇ ଦିଆଯାଉଛି । ମେ ମାସ ଆରମ୍ଭରେ ଦୈନିକ ଅମ୍ଳଜାନ ଯୋଗାଣ ପରିମାଣ ୪୭୦୦ ମେଟ୍ରିକ ଟନ୍ ଥିବାବେଳେ ଏହା ଯଥେଷ୍ଟ ବଢିଛି । 
            ପିଏମ୍ କେୟାର୍ସ ଫଣ୍ଡ ଅଧୀନରେ ଡିଆରଡିଓ ଦେଶର ଅନେକ ହସ୍ପିଟାଲରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟପ୍ରତିଷ୍ଠା କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ଡିଆରଡିଓକୁ ପ୍ରଶଂସା କରିଛନ୍ତି । ଏହାଛଡା ଡିଆରଡିଓ ମଧ୍ୟ ଦିଲ୍ଲୀ, ଅହମ୍ମଦାବାଦ, ଲକ୍ଷ୍ନୌ, ବାରଣସୀ ଓ ଗାନ୍ଧିନଗରରେ ଆଇସିୟୁ, ଅମ୍ଳଜାନ ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ ହସ୍ପିଟାଲ ନିର୍ମାଣ କରୁଛି । ହଲଦ୍ୱାନୀ,ୠଷିକେଶ, ଜାମ୍ମୁ ଓ ଶ୍ରୀନଗରରେ ମଧ୍ୟ ଅନୁରୂପ ହସ୍ପିଟାଲ ନିର୍ମାଣ କାମ ଆଗେଇ  ଚାଲିଛି । ଦେଶର ଡକରା ପାଇ ଚିକିତ୍ସା କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିବା ଏଏଫ୍ଏମ୍ଏସ୍ର ଅବସରପ୍ରାପ୍ତ ଡାକ୍ତରମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । 
            ବେସାମରିକ କର୍ତ୍ତପକ୍ଷଙ୍କୁ ଏହି ମହାମାରୀ ସଙ୍କଟକାଳରେ ପ୍ରତିରକ୍ଷା ବାହିନୀ ଯେଉଁ ସାହାଯ୍ୟ ସହଯୋଗ କରୁଛି ସେ ବିଷୟରେ ପ୍ରତିରକ୍ଷାମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ବାୟୁସେନା ଓ ନୌସେନା, ଅକ୍ସିଜେନ ଟ୍ୟାଙ୍କର, କଣ୍ଟେନର, କନସେନଟ୍ରେଟର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ସାମଗ୍ରୀ ପରିବହନ କାର୍ଯ୍ୟରେ ନିରନ୍ତର ଅବିଶ୍ରାନ୍ତ ଭାବେ କାମ କରୁଛି । ଦେଶ ଭିତରେ ଏସବୁର ପରିବହନ ସହିତ ବିଦେଶରୁ ଏହାକୁ ଆଣିବାରେ ଏହି ଦୁଇବାହିନୀ ନିୟୋଜିତ । ଆହୁରି ମଧ୍ୟ ଏବେ ସାମରିକ ହସ୍ପିଟାଲ ଗୁଡିକରେ ସାଧାରଣ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ଏବଂ ସେଠାକାର ଚିକିତ୍ସା ସେବା ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ଏହି ଅବସରରେ କହିଛନ୍ତି । 
            ଦେଶର ପ୍ରତ୍ୟେକ ନାଗରିକଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାରଙ୍କ ସଂକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଘରକୁ ଘର ବୁଲି ଟେଷ୍ଟିଂ ସୁବିଧା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତଦନୁସାରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଆବଶ୍ୟକ ଟେଷ୍ଟିଂ  ସାମଗ୍ରୀ ଧରି ଦେଶର ଅଗମ୍ୟ ଓ ଦୂରଦୂରାନ୍ତ ଅଂଚଳକୁ ଯାଇ ସେବା ଯୋଗାଇ ଦେଉଛନ୍ତି । କରୋନା ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମରେ ସମସ୍ତେ କାନ୍ଧକୁ କାନ୍ଧ ମିଳାଇ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି  । ଏହି ଲଢେଇରେ ଦେଶ ଜିତିବ ଓ ରୋଗ ହାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । “ବିଜୟ ହାସଲ ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ କିମ୍ବା କ୍ଲାନ୍ତ ହେବୁ ନାହିଁ” ବୋଲି ସେ କହିଛନ୍ତି ।  ସେନା ଏହି ମହାମାରୀ ସମୟରେ ବେସାମରିକ ପ୍ରଶାସନକୁ ସାହାଯ୍ୟ କରୁଥିଲେ ହେଁ ଦେଶର ସୁରକ୍ଷାର ମୌଳିକ ଦାୟିତ୍ୱ ନିର୍ବାହରେ କୌଣସି ଢିଲା ଦେଇନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।
            ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଡିଆର୍ଡିଓ ଏବଂ ଡିଆରଏଲ ଦ୍ୱାରା ବିକଶିତ ୨-ଡିଜି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହି ଔଷଧ ଅମ୍ଳଜାନ ନିର୍ଭରଶୀଳ କୋଭିଡ ରୋଗୀଙ୍କୁ  ସୁରକ୍ଷିତ କରିବା ସହ ସେମାନଙ୍କ ଆରୋଗ୍ୟ ସମୟକୁ ଯଥେଷ୍ଟ ହ୍ରାସ କରିବ । ଏହି ଔଷଧ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ କରୋନା ଭୂତାଣୁକୁ ହରାଇବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଡିଆରଡିଓ, ଏହାର ବୈଜ୍ଞାନିକଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । 
            ପ୍ରତିରକ୍ଷା ଗବେଷଣା ଓ ଉନ୍ନ୍ୟନ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀସ ରେଡ୍ଡୀ ଏହି ଅବସରରେ କହିଥିଲେ ଯେ, ନୂଆ ଔଷଧଟି କୋଭିଡ ରୋଗୀଙ୍କ ଆରୋଗ୍ୟ ଲାଭରେ ବିଶେଷ ସହାୟକ ହେବ । ଡିଆରଡିଓ ଏହି ଔଷଧର ଉତ୍ପାଦନ ବଢାଇ ରୋଗୀଙ୍କ ଆବଶ୍ୟକତା  ଶୀଘ୍ର ପୂରଣ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଏ କ୍ଷେତ୍ରରେ ନିରନ୍ତର ସହାୟତା ଓ ଦିଗ୍ଦର୍ଶନ ପାଇଁ ସେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
            ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗଦେଇ ଡିଆରଏଲ୍ର ଅଧ୍ୟକ୍ଷ ଶ୍ରୀ କଲମ୍ ସତୀସ ରେଡ୍ଡୀ କହିଥିଲେ ଯେ ୨-ଡିଜି ଔଷଧ ବିକାଶରେ ତାଙ୍କ ସଂସ୍ଥା ଡିଆରଡିଓ ଏବଂ ଇନ୍ମାସ ସହ ଅଂଶୀଦାର ହେବା ଆନନ୍ଦର ବିଷୟ । ଟିକା ଓ ଔଷଧ ପ୍ରସ୍ତୁତ କରି କୋଭିଡ ଲଢେଇରେ ସାମିଲ ହେବାକୁ ତାଙ୍କ ସଂସ୍ଥା ନିରନ୍ତର ଉଦ୍ୟମ ଚଳାଇଛି ବୋଲି ସେ କହିଥିଲେ ।
            ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଡକ୍ଟର ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ  । ଏହାଛଡା ସେଲୁଲାର ଓ ମଲିକୁଲାର ବାୟୋଲୋଜି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ର, ଦେଶର ବିଭିନ୍ନ ହସ୍ପିଟାଲ ଓ ଲ୍ୟାବର ଡାକ୍ତରଗଣ ଭର୍ଚୁଆଲ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।


*****
 
TKM/SLP
                
                
                
                
                
                (Release ID: 1719561)
                Visitor Counter : 304