ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଟିକା ଆବଣ୍ଟନ ନେଇ ସଦ୍ୟ ସୂଚନା

ମେ ୧୬-୩୧ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୯୨ ଲକ୍ଷ କୋଭିଡ ଟିକା ଯୋଗାଇବେ

Posted On: 14 MAY 2021 12:49PM by PIB Bhubaneshwar

ଦେଶରେ ମୋଟ କୋଭିଡ ଟିକା ଡୋଜ ପରିଚାଳନା ସଂଖ୍ୟା ପାଖାପାଖି ୧୮ କୋଟି (ଆଜି ସକାଳ ୭ଟା ସୁଦ୍ଧା ପାରମ୍ଭିକ ରିପୋର୍ଟ ଅନୁସାରେ) ହେବ । କୋଭିଡ-୧୯ ଟିକାକରଣ ଅଭିଯାନ ସଫଳତା ପୂର୍ବକ ୧୧୮ ଦିନ ପୂରଣ କରିଛି, ଯାହାଦ୍ୱାରା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଳିତ ଉଦ୍ୟମ ଜରିଆରେ ଚିହ୍ନିତ ହିତାଧିକାରୀଙ୍କୁ ୧୭.୮୯ କୋଟି ଟଙ୍କା ଡୋଜ ପ୍ରଦାନ କରାଯାଇଛି । ୧୧୪ ଦିନରେ ୧୭ କୋଟି ଟାର୍ଗେଟ ଛୁଇଁବାରେ ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ରାଷ୍ଟ୍ର । ସମାନ ସଂଖ୍ୟକ ଟିକା ଡୋଜ ପରିଚାଳନା କରିବାରେ ଆମେରିକା ୧୧୫ ଦିନ ଓ ଚୀନ ୧୧୯ ଦିନ ସମୟ ନେଇଥିଲା ।

୨୦୨୧ ମେ ମାସ ୧ ତାରିଖରୁ ଉଦାର ମୂଲ୍ୟ ତଥା ତ୍ୱରିତ ଜାତୀୟ କୋଭିଡ-୧୯ ଟିକାକରଣ ରଣନୀତିକାର୍ଯ୍ୟକାରୀ ହେଉଛି, ଯଦ୍ଦ୍ୱାରା ୫୦% ଟିକା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ଉପଲବ୍ଧ କରାଯାଉଛି ଏବଂ ବଳକା ଉପଲବ୍ଧ ୫୦% ଟିକା ଡୋଜ ଉତ୍ପାଦନକାରୀ କମ୍ପାନିଗୁଡ଼ିକଠାରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ଭାବେ ହାସଲ କରାଯାଉଛି ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଣ ନିମନ୍ତେ ଭାରତ ସରକାରଙ୍କ ଆବଣ୍ଟନ ବାବଦରେ ବ୍ୟବହାର ପଦ୍ଧତି ଓ ଆଗାମୀ ପକ୍ଷରେ ଦ୍ୱିତୀୟ ଡୋଜ ନେବାକୁ ଥିବା ହିତାଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଉଛି । ୨୦୨୧ ମେ ୧୬-୩୧ ପକ୍ଷରେ ୧୯୧.୯୯ ଲକ୍ଷ କୋଭିସିଲ୍ଡ ଓ କୋଭାକ୍ସିନ ଡୋଜ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦିଆଯିବ । ଏଥିରେ ୧୬୨.୫ ଲକ୍ଷ କୋଭିସିଲ୍ଡ ଓ ୨୯.୪୯ ଲକ୍ଷ କୋଭାକ୍ସିନ ଡୋଜ ସାମିଲ ରହିଛି ।

 

ଏହି ଆବଣ୍ଟନ ନିମନ୍ତେ ଯୋଗାଣ କାର୍ଯ୍ୟସୂଚୀ ଅଗ୍ରିମ ଭାବେ ସେୟାର କରାଯିବ । ଆବଣ୍ଟିତ ଡୋଜଗୁଡ଼ିକର ଯଥାର୍ଥ ତଥା ନ୍ୟାୟସଙ୍ଗତ ବ୍ୟବହାରକୁ ସୁନିଶ୍ଚିତ କରିବା ଏବଂ ଟିକା ନଷ୍ଟ ମାତ୍ରାକୁ କମାଇବା ଉପରେ ଧ୍ୟାନ ଦେବା ଲାଗି ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗାମୀ ୧୫ ଦିନ ପାଇଁ ଭାରତ ସରକାରଙ୍କ ତରଫରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଯିବାକୁ ଥିବା ଟିକା ଡୋଜ ବାବଦରେ ଆଗୁଆ ସୂଚନା ପ୍ରଦାନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହାଦ୍ୱାରା ରାଜ୍ୟଗୁଡ଼ିକ ୪୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସ ବର୍ଗ, ଓ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଏହି ମାଗଣା ଟିକା ଡୋଜଗୁଡ଼ିକର ନ୍ୟାୟସଙ୍ଗତ ତଥା ଉପଯୁକ୍ତ ବ୍ୟବହାର ନିମନ୍ତେ ଫଳପ୍ରଦ ଯୋଜନା ତିଆରି କରିପାରିବେ । ପୂର୍ବ ପକ୍ଷ, ଯାହା କି ୨୦୨୧ ମେ ମାସ ୧-୧୫ରେ, ମୋଟ ୧.୭ କୋଟିରୁ ଅଧିକ ପରିମାଣର ଟିକା ଡୋଜ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟଗୁଡ଼ିକ ପାଇଁ ମାଗଣାରେ ଉପଲବ୍ଧ କରାଯାଇଥିଲା ।

 

ଅଧିକନ୍ତୁ, ୨୦୨୧ ମେ ମାସରେ ମୋଟ ୪.୩୯ କୋଟିରୁ ଅଧିକ ଡୋଜ ମଧ୍ୟ ଉପଲବ୍ଧ ହେବ, ଯାହା କି ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ଭାବେ ସଂଗ୍ରହ କରାଯାଇ ପାରିବ ।

*****

 

SR



(Release ID: 1718668) Visitor Counter : 225