ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Posted On: 26 APR 2021 10:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଯୋଶେଫ ଆର ବାଇଡେନଙ୍କ ସହିତ ଆଜି ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ଦୁଇ ନେତା ନିଜ ନିଜ ରାଷ୍ଟ୍ରରେ କୋଭିଡ-19 ପରିସ୍ଥିତିର ସମୀକ୍ଷା କରିବା ସହିତ ଭାତରେ କୋଭିଡ-19ର ଦ୍ୱିତୀୟ ଲହରୀକୁ ପ୍ରତିହତ କରିବା ଲାଗି ବ୍ୟାପକ ଟିକାକରଣ, ଜରୁରି ଔଷଧ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ରାଷ୍ଟ୍ରପତି ବାଇଡେନ ଭାରତ ପ୍ରତି ସମର୍ଥନ ଜଣାଇବା ସହିତ ତୁରନ୍ତ ଚିକିତ୍ସା ଉପକରଣ, ଭେଣ୍ଟିଲେଟର ଭଳି ସମ୍ବଳ ଏବଂ କୋଭିଶିଲ୍ଡ ଟିକା ଯୋଗାଣ ନିମନ୍ତେ କଞ୍ଚାମାଲ୍ ଯୋଗାଣ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିବଦ୍ଧ ବୋଲି କହିଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ତରଫରୁ ମିଳିଥିବା ସହାୟତା ଓ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ ଟିକା ମୈତ୍ରୀ ଜରିଆରେ ବିଶ୍ୱ ସ୍ତରରେ କୋଭିଡ-19 ନିୟନ୍ତ୍ରଣ ଏବଂ କୋଭାକ୍ସ ଓ କ୍ୱାଡ୍ ଟିକା ପ୍ରୟାସ ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଭାକ୍ସିନ ନିର୍ମାଣ ଲାଗି ଜରୁରି କଞ୍ଚାମାଲ ଓ କୋଭିଡ-19 ସମ୍ବନ୍ଧୀୟ ଔଷଧର ସୁଗମ ଓ ଖୋଲା ଯୋଗାଣ ଶୃଙ୍ଖଳକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।

ଉଭୟ ନେତା କୋଭିଡ-19 ମହାମାରୀର ମୁକାବିଲା କରିବା ଲାଗି ଟିକା ବିକାଶ ଓ ଭାରତ-ଆମେରିକା ଭାଗିଦାରୀର କ୍ଷମତାକୁ ରେଖାଙ୍କିତ କରିଥିଲେ । ଏଥିସହିତ ଏହି କ୍ଷେତ୍ରରେ ଉଭୟ ପକ୍ଷର ପ୍ରୟାସରେ ନିବିଡ଼ ସମନ୍ୱୟ ଓ ସହଯୋଗ ବଜାୟ ରଖିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଡବ୍ଲୁଟିଓରେ ଭାରତର ପ୍ରୟାସ ବିଷୟରେ ସୂଚନା ଦେଇଥିଲେ, ଯାହାଫଳରେ ଟିଆରଆଇପିଏସ (ବ୍ୟବସାୟ ସମ୍ବନ୍ଧୀୟ ମାମଲାରେ ବୌଦ୍ଧିକ ସମ୍ପତ୍ତି ଅଧିକାର) ସହ ଜଡ଼ିତ ନିୟମକୁ କୋହଳ କରି ବିକାଶଶୀଳ ଦେଶଗୁଡ଼ିକୁ ଟିକା ଓ ଔଷଧ ଉଚିତ୍ ମୂଲ୍ୟରେ ତତ୍କାଳ ଯୋଗାଣ କରାଯାଇପାରିବ ।

ଦୁଇ ନେତା ଲଗାତାର ଯୋଗାଯୋଗରେ ରହିବା ନିମନ୍ତେ ସହମତ ହୋଇଥିଲେ ।

*******

P.S



(Release ID: 1714448) Visitor Counter : 201