ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍‍ଘାଟିତ

‘ଡବଲ ଇଂଜିନ’ ସରକାର ତ୍ରିପୁରାକୁ ବଦଳାଇ ଦେଇଛି: ପ୍ରଧାନମନ୍ତ୍ରୀ

ତ୍ରିପୁରା ହାଇୱେ, ଆଇ-ୱେ, ରେଲୱେ ଓ ଏୟାର ୱେ (ହିରା)ର ବିକାଶ ଦେଖୁଛି

ସଂଯୋଗ ବ୍ୟବସ୍ଥା ଭାରତ-ବାଂଲାଦେଶ ବନ୍ଧୁତ୍ୱକୁ କେବଳ ମଜଭୁତ କରୁନାହିଁ, ଏହା ମଧ୍ୟ ବ୍ୟବସାୟ ପାଇଁ ଏକ ଉତ୍ତମ ଭିତ୍ତି ଯୋଗାଉଛି: ପ୍ରଧାନମନ୍ତ୍ରୀ

ମୈତ୍ରୀ ସେତୁ ବାଂଲାଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

Posted On: 09 MAR 2021 1:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତ୍ରିପୁରାବାସୀ ଏବେ ୩୦ ବର୍ଷର ପୂର୍ବତନ ସରକାର ଏବଂ ବର୍ତ୍ତମାନର ଉବଲ ଇଂଜିନ ସରକାରର ମଧ୍ୟରେ ପାର୍ଥକ୍ୟ ଅନୁଭବ କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୁର୍ନୀତି ଓ କମିସନି ସଂସ୍କୃତିର ଅବସାନ ଘଟିଛି ଏବଂ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ସରକାରୀ ଲାଭ ସିଧାସଳଖ ପହଞ୍ଚୁଛି । ସେ ଆହୁରି କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ନିୟମିତ ବେତନ ପାଇବାରେ ହରକତ ହେଉଥିଲେ ସେମାନଙ୍କୁ ଏବେ ଠିକ୍‍ ସମୟରେ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ଦରମା ମିଳୁଛି । ପ୍ରଥମଥର ପାଇଁ ତ୍ରିପୁରାରେ ଏମ୍‍ଏସ୍‍ପି\ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଆଗରୁ ଏହା ନ ଥିବାରୁ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଗରୁ ରାଜ୍ୟରେ ଯେଉଁ ଧର୍ମଘଟ ସଂସ୍କୃତି ଥିଲା ତାହାର ଅବସାନ ଘଟିଛି ଏବଂ ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟରେ ନୂଆ ନୂଆ ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶ ହେଉଛି । ଅଳ୍ପଦିନ ମଧ୍ୟରେ ତ୍ରିପୁରାର ରପ୍ତାନୀ ବାଣିଜ୍ୟ ୫ ଗୁଣ ବଢିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ତ୍ରିପୁରାର ବିକାଶ ପାଇଁ କେନ୍ଦ୍ର ସରକାର ସବୁମନ୍ତେ ଉଦ୍ୟମ କରିଆସୁଛନ୍ତି । ରାଜ୍ୟକୁ ସର୍ବାଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଛି । ୨୦୦୯ରୁ ୨୦୧୪ ଯାଏଁ କେନ୍ଦ୍ରୀୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ତ୍ରିପୁରାକୁ ୩୫୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୨ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଡବଲ ଇଂଜିନ ସରକାରର ଲାଭ ଓ ଗୁରୁତ୍ୱ ସଂପର୍କରେ ଏହି ଅବସରରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ରାଜ୍ୟରେ ଡବଲ ଇଂଜିନ ସରକାର ନାହିଁ ସେଠାରେ ବିକାଶମୂଳକ ଯୋଜନା କାର୍ଯ୍ୟକାରିତା ବିଳମ୍ବିତ ହେଉଛି । ଫଳରେ ଗରିବ, କୃଷକ ଓ ମହିଳାମାନେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତ୍ରିପୁରାରେ ଡବଲ ଇଂଜିନ ସରକାର ଥିବାରୁ ଏହି ରାଜ୍ୟ ଲାଭବାନ ହୋଇଛି । ଏହାଦ୍ୱାରା ତ୍ରିପୁରାର ରୂପରେଖ ମଧ୍ୟ ବଦଳିଛି । ଏକଦା ବିଜୁଳି ନିଅଣ୍ଟିଆ ରାଜ୍ୟଭାବେ ପରିଚିତ ତ୍ରିପୁରା ଏବେ ଏ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି । ଡବଲ ଇଂଜିନ ସରକାର ଦ୍ୱାରା ତ୍ରିପୁରାର ଆଉ ଯେଉଁ ଲାଭ ହୋଇଛି ତାହାର ଏକ ଲମ୍ବା ବିବରଣୀ ସେ ଦେଇଥିଲେ । ରାଜ୍ୟରେ ୨ ଲକ୍ଷ ଗ୍ରାମୀଣ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ, ୨.୫ ଲକ୍ଷ ଲୋକଙ୍କୁ ମାଗଣା ଗ୍ୟାସ୍‍ ସଂଯୋଗ, ରାଜ୍ୟର ସବୁ ଗାଁକୁ ବାହ୍ୟ ମଳତ୍ୟାଗ ମୁକ୍ତ କରିବା, ୫ ହଜାର ଗର୍ଭବତୀଙ୍କୁ ମାତୃବନ୍ଦନା ଯୋଜନାରେ ସାମିଲ କରାଇବା ଏବଂ ୪୦ ହଜାର ଗରିବ ପରିବାରକୁ ନୂଆ ଘର ଯୋଗାଇବା ଆଦି ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ଯୋଗାଯୋଗ ଓ ସଂଯୋଗଜନିତ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ସାଧିତ ହୋଇଛି । ବିମାନ ବନ୍ଦର, ଇଣ୍ଟରନେଟ ସଂଯୋଗ, ରେଳଲିଙ୍କ୍‍, ଜଳପଥ ଆଦି ସେଥିମଧ୍ୟରୁ ଅନ୍ୟତମ । ହିରା ଯୋଜନାରେ ରାଜ୍ୟରେ ହାଇୱେ, ଆଇ ୱେ, ରେଳୱେ ଓ ଏୟାର ୱେର ଉଲ୍ଲେଖନୀୟ ପ୍ରଗତି ଘଟିଛି ବୋଲି ସେ ଉଲ୍ଲେଖ କରିଥିଲେ ।  ସେ କହିଥିଲେ ଯେ ସଂଯୋଗ ବ୍ୟବସ୍ଥା ଦ୍ୱାରା କେବଳ ଭାରତ-ବାଂଲାଦେଶ ମଧ୍ୟରେ ବନ୍ଧୁତା ସୁଦୃଢ ହେବନାହିଁ, ଏହା ମଧ୍ୟ ବ୍ୟବସାୟକୁ ଉତ୍ତମ ସୁବିଧା ସୁଯୋଗ ଯୋଗାଇବ । ଉତ୍ତର ପୂର୍ବାଞ୍ଚଳ ଏବଂ ବାଂଲାଦେଶ ମଧ୍ୟରେ ସମଗ୍ର ତ୍ରିପୁରାକୁ ଏକ ବାଣିଜ୍ୟ କରିଡରଭାବେ ବିକଶିତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି ମୈତ୍ରୀ ସେତୁ ଦ୍ୱାରା ଦୁଇଦେଶ ମଧ୍ୟରେ ରେଲ ଏବଂ ଜଳସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି । ଏହା ଫଳରେ ଆସାମ, ମିଜୋରାମ, ମଣିପୁର ଆଦି ରାଜ୍ୟ ତ୍ରିପୁରା ଦେଇ ବାଂଲାଦେଶ ସହିତ ସଂଯୁକ୍ତ ହୋଇପାରିବେ । ଏହା ମଧ୍ୟ ସଂପୃକ୍ତ ଅଞ୍ଚଳରେ ଆର୍ଥିକ ସୁବିଧା ସୁଯୋଗ ସୃଷ୍ଟି କରିବ । ଏହି ସେତୁ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ବାଂଲାଦେଶ ସହଯୋଗ କରିଥିବାରୁ ଶ୍ରୀ ମୋଦୀ ସେଠା ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବାଂଲାଦେଶ ଗସ୍ତ ଅବସରରେ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏବେ ଉତ୍ତର ପୂର୍ବାଞ୍ଚଳକୁ  ସାମଗ୍ରୀ ପଠାଇବା ପାଇଁ ଲୋକଙ୍କୁ ଆଉ କେବଳ ସଡକପଥରେ ନିର୍ଭର କରିବାକୁ ପଡିବ ନାହିଁ । ସେମାନଙ୍କୁ କେବଳ ନଦୀ ଓ ସାମୁଦ୍ରିକପଥ ଉପଲବ୍‍ଧ ହେବ । ଏକ ନଦୀପଥ ଦେଇ ତ୍ରିପୁରାରୁ ଚଟଗ୍ରାମ ବନ୍ଦରକୁ ସଂଯୋଗ କରିବା ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ସବ୍‍ରୁମ୍‍ରେ ନିର୍ମାଣାଧୀନ ଆଇପିସି ଏକ ପୂର୍ଣ୍ଣାଙ୍ଗ ପଣ୍ୟାଗାର ଓ କ୍ଷୁଦ୍ର ବନ୍ଦରଭାବେ କାର୍ଯ୍ୟ କରିବ ।

ଫେଣି ନଦୀ ଉପରେ ନିର୍ମିତ ସେତୁ ଦ୍ୱାରା ଅଗରତଲା ନଗରୀ ଭାରତର ଆନ୍ତର୍ଜାତିକ ସାମୁଦ୍ରିକ ବନ୍ଦରର ନିକଟତମ ସହର ହେବ । ସେହିଭଳି ଜାତୀୟ ରାଜପଥ ୮ ଓ ୨୦୮ ଉତ୍ତର ପୂର୍ବାଞ୍ଚଳ ପାଇଁ ବନ୍ଦର ସହଯୋଗ ଯୋଗାଇବାରେ ସହଜ ହେବ । ଅଗରତଲାକୁ ଏକ ଉତ୍ତମ ନଗରୀରେ ପରିଣତ କରିବା ପାଇଁ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି ।  ନବନିର୍ମିତ ଇଣ୍ଟିଗ୍ରେଟେଡ କମାଣ୍ଡ ସେଣ୍ଟର ଟ୍ରାଫିକ ସମସ୍ୟାର ସମାଧାନ ସହିତ ଅପରାଧ ରୋକିବାରେ ସହାୟକ ହେବ । ତାହାଛଡା ବହୁତଳ ବିଶିଷ୍ଟ ପାର୍କିଂସ୍ଥଳୀ, ବ୍ୟାବସାୟିକ କେନ୍ଦ୍ର, ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଅଗରତଲା ସହରରେ ଜୀବନଯାତ୍ରାକୁ ସହଜ କରିବ ଏବଂ ବାଣିଜ୍ୟ ବ୍ୟବସାୟ ବଢାଇବାରେ ସହାୟକ ହେବ । ସେହିଭଳି ସରକାରଙ୍କ ଉଦ୍ୟମ ଫଳରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ବ୍ରୁ ଶରଣାର୍ଥୀ ସମସ୍ୟାର ସମାଧାନ ହୋଇଛି । ସେମାନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଶହ ଶହ କୋଟି ଟଙ୍କାର ପ୍ୟାକେଜ ଏହି ଶରଣାର୍ଥୀଙ୍କ ଜୀବନରେ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ତ୍ରିପୁରାର ଐତିହ୍ୟ ବେଶ୍‍ ସମୃଦ୍ଧ । ଅଗରତଲା ବିମାନ ବନ୍ଦରକୁ ତ୍ରିପୁରାର ପୂର୍ବତନ ମହାରାଜା ବୀରବିକ୍ରମ କିଶୋର ମାଣିକ୍ୟଙ୍କ ନାମରେ ନାମିତ କରାଯାଇ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି । ସେହିଭଳି ଥାଙ୍ଗା ଡାର୍‍ଲଙ୍ଗ ସତ୍ୟରାମ ରେୟାଙ୍ଗ ଏବଂ ବେଣୀଚନ୍ଦ୍ର ଜାମଟିଆଙ୍କ ଭଳି ତ୍ରିପୁରାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନଧନ ଯୋଜନାରେ ବାଉଁଶଭିତ୍ତିକ ସ୍ଥାନୀୟ କଳାକୁ ପ୍ରୋତ୍ସାହିତ କରାଯାଉଛି । ଏହା ଫଳରେ ସ୍ଥାନୀୟ ଆଦିବାସୀ ସଂପ୍ରଦାୟଗୁଡିକୁ ନୂଆ ସୁଯୋଗ ମିଳିବ ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶାସନ କ୍ଷମତାର ୩ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ତ୍ରିପୁରା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତ୍ରିପୁରାବାସୀଙ୍କ ସେବାରେ ରାଜ୍ୟ ସରକାର ବ୍ରତୀ ରହିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

******

TKM



(Release ID: 1703643) Visitor Counter : 235