ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଅତୀତର ‘କାଳଭ୍ରମ’ରେ କୋଟିଆ ବିବାଦ
Posted On:
05 MAR 2021 5:02PM by PIB Bhubaneshwar
ଅତୀତର ତ୍ରୁଟି ଓ କାଳଭ୍ରମ ଅନେକ ସମୟରେ ଏକ ଦୂରାରୋଗ୍ୟ ବେଦନାଦାୟୀ ବ୍ୟାଧି ପରି ପ୍ରମାଣିତ ହୋଇଥାଏ । ବ୍ୟକ୍ତି, ଗୋଷ୍ଠୀ, ସମାଜ, ପ୍ରଦେଶ ଓ ଦେଶ କ୍ଷେତ୍ରରେ ଏହାର ଅନେକ ଉଦାହରଣ ରହିଛି । ପ୍ରଥମ ଭାଷାଭିତ୍ତିକ ରାଜ୍ୟଭାବେ ଓଡ଼ିଶା ପରାଧୀନ ଭାରତରେ ୧୯୩୬ ଏପ୍ରିଲ ପହିଲାରେ ଆତ୍ମପ୍ରକାଶ କରିବା ସମୟରେ ସେତେବେଳର କେତେକ ରାଜନୈତିକ, ପ୍ରଶାସନିକ ତ୍ରୁଟି ଓ ଭ୍ରାନ୍ତି ପାଇଁ ଅନେକ ଓଡିଆ ଭାଷାଭାଷୀ ଅଞ୍ଚଳ ସ୍ୱତନ୍ତ୍ର ଓଡିଶାରେ ମିଶି ନ ପାରି ପଡୋଶୀ ରାଜ୍ୟର ଅଂଶ ପାଲଟିଗଲା । ଷଢେଇକଳା, ଖରସୁଆଁ, ଫୁଲଝର, ମେଦିନୀପୁର ଓ ଆନ୍ଧ୍ରର କେତେକ ସୀମାନ୍ତବର୍ତ୍ତୀ ଅଞ୍ଚଳ ସେଥିମଧ୍ୟରୁ ଅନ୍ୟତମ । ବହୁ ଦାବି, ଆନ୍ଦୋଳନ, ଲଢେଇ ଓ ରକ୍ତପାତ ସତ୍ତ୍ୱେ ଏସବୁ ଓଡିଶାକୁ ଫେରିପାରିଲାନି । ପୂର୍ଣ୍ଣାଙ୍ଗ ଓଡିଶା ଗଠନ ଏବେ ମଧ୍ୟ ସମ୍ପୁର୍ଣ୍ଣ ହୋଇନାହିଁ ଏବଂ ଏକ ସ୍ୱାଭିମାନୀ ଜାତି ହିସାବରେ ଆମ ବୃହତ୍ତର ମନସ୍ତ୍ୱତ୍ତ୍ୱରେ ବିଚ୍ଛିନ୍ନାଅଞ୍ଚଳ ଫେରି ନପାଇବାର ଦୁଃଖ ଛାଇ ହୋଇ ରହିଛି । କଥା ସେତିକିରେ ସରିନାହିଁ । ସେହି ପୁରୁଣା ତ୍ରୁଟିକୁ ଆୟୁଧ କରି ଆମର ପଡୋଶୀମାନେ ମଧ୍ୟ ଏବେ ଆମ ବିଖଣ୍ଡିତ ସୀମାନ୍ତର ବିଭିନ୍ନ ସ୍ଥାନରେ ଜବରଦଖଲ ଓ ଅଧିକାର ଜାହିର କରି ମଝିରେ ମଝିରେ ଆମକୁ ବ୍ୟସ୍ତବିବ୍ରତ କରୁଛନ୍ତି ଏବଂ ଆମ ସ୍ୱାଭିମାନକୁ ଆଘାତ ଦେଉଛନ୍ତି । କୋରାପୁଟ ଜିଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ଆମ ସହିତ ଯେଉଁ ବିବାଦ ଜାରି ରଖିଛି ତାହା ଏକ ଅତ୍ୟନ୍ତ ବିରକ୍ତିକର ଅଧ୍ୟାୟ । ମନେ ହେଉଛି ସତେ ଯେପରି ଏହି ବିବାଦର ସମାଧାନ ସୂତ୍ର ନାହିଁ । ଆଦିବାସୀ ବହୁଳ ଏହି ଗ୍ରାମପୁଞ୍ଜ ଘନ ପାହାଡ ପର୍ବତ ପରିବେଷ୍ଟିତ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ । ତେବେ ଐତିହାସିକ ଦୃଷ୍ଟିରୁ ଏହି ଗ୍ରାମପୁଞ୍ଜ ୧୯୩୬ ଏପ୍ରିଲ ପହିଲାଠାରୁ ଓଡିଶାରେ ରହିଛି । ଦୁର୍ଭାଗ୍ୟର ବିଷୟ ହେଲା ଓଡିଶା ଗଠନର ଦୀର୍ଘ ୧୭ ବର୍ଷ ପରେ ଭାଷାଭିତ୍ତିରେ ଆନ୍ଧ୍ର ଯେତେବେଳେ ସ୍ୱତନ୍ତ୍ର ରାଜ୍ୟ ଗଠିତ ହେଲା ତାହାର ଠିକ୍ ବର୍ଷକ ପରେ ଆନ୍ଧ୍ର ସରକାର ଏହାକୁ ନିଜ ଇଲାକା ସହ ମିଶାଇବାକୁ ଜିଦ୍ ଧରିଲେ । ଆନ୍ଧ୍ରର ଯୁକ୍ତି ଥିଲା ଯେ ଏହି ଅଞ୍ଚଳଟି ବିଜୟନଗରମ୍ ଏଜେନ୍ସିର ହୋଇଥିବାରୁ ଏହା ଉପରେ ଓଡିଶାର ଅଧିକାର ନାହିଁ । ତେବେ ମୂଳତଃ ଏହି ଅଞ୍ଚଳଟି ଜୟପୁର ଷ୍ଟେଟର ଅଂଶ ବିଶେଷ ଥିଲା । ସ୍ୱତନ୍ତ୍ର ଓଡିଶା ଗଠନ ସମୟରେ ସୀମା ନିର୍ଦ୍ଧାରଣ ପାଇଁ ଯେଉଁ ସର୍ଭେ ବିହାର-ଓଡିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମିଳିତଭାବେ କରାଯାଇଥିଲା ସେତେବେଳେ ଦୁର୍ଭାଗ୍ୟବଶତଃ ଭୁଲରେ କୋଟିଆ ଗ୍ରାମପୁଞ୍ଜର ସର୍ଭେ ହୋଇପାରି ନ ଥିଲା । ତେବେ ରେକର୍ଡ ଅନୁସାରେ ଏହା ଓଡିଶାରେ ଥିବାରୁ ରାଜ୍ୟ ସରକାର ଏହା ଉପରେ ନିଜର ଅଧିକାର ଜାହିର କରିଥିଲେ ଏବଂ ଆନ୍ଧ୍ରର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଏ ନେଇ ଏକାଧିକବାର ଆଲୋଚନା ହୋଇଥିଲେ ମଧ୍ୟ ଆନ୍ଧ୍ର ତାର ଦାବିରୁ ହଟି ନ ଥିଲା । ଫଳରେ ଓଡିଶା ସରକାର ବାଧ୍ୟ ହୋଇ ସୁପ୍ରିମକୋର୍ଟକୁ ଯାଇଥିଲେ । ସର୍ବୋଚ୍ଚ ଅଦାଲତ ମାମଲାର ବିଚାର କରି ରାୟ ଦେଲେ ଯେ ରାଜ୍ୟର ସୀମା ସରହଦ ନିର୍ଦ୍ଧାରଣ ସୁପ୍ରିମକୋର୍ଟର କ୍ଷମତା ଏବଂ ବିଚାରର ପରିସରଭୁକ୍ତ ନୁହେଁ । ଏହି ମାମଲାର ଆପୋସ ସମାଧାନ ପାଇଁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇ ତାଙ୍କ ଦାୟିତ୍ୱ ଶେଷ କରିଥିଲେ । ଏହା ପରଠାରୁ ଏ ବିବାଦ ଚାଲିଛି ଏବଂ ଆଜି ପର୍ଯ୍ୟନ୍ତ ଏହାର ସମାଧାନର ସୂତ୍ର ବାହାରି ନାହିଁ । ପରବର୍ତ୍ତୀ ସମୟରେ ଯେତେ ଆଲୋଚନା ହୋଇଛି ଆନ୍ଧ୍ରର ଜିଦ୍ ଯୋଗୁଁ ସମାଧାନର ସୂତ୍ର ବାହାରିନାହିଁ । ବେଶ କିଛିକାଳ ଧରି ସେହି ବିବାଦୀୟ ଗ୍ରାମପୁଞ୍ଜରେ ଉଭୟ ରାଜ୍ୟର ଶାସନ ବଳବତ୍ତର ରହିଥିଲା ଏବଂ ସେଠାକାର ଲୋକେ ଉଭୟ ରାଜ୍ୟରେ ଭୋଟ ଦେବା ସହ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଉଥିଲେ । ଉଭୟ ସରକାର ଏହି ଦ୍ୱୈତ ଶାସନକୁ ପରିସ୍ଥିତି ଦୃଷ୍ଟିରୁ ମାନି ନେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ । ଏବେ ଆନ୍ଧ୍ରର କାର୍ଯ୍ୟକଳାପ ୨୧ଖଣ୍ଡ ଗାଁରୁ ହ୍ରାସ ପାଇ ସାମୀନ୍ତର ୩-୪ଖଣ୍ଡି ଗାଁରେ ସୀମିତ ରହିଛି । ଓଡିଶାର ଦୃଢ ବିରୋଧ ଯୋଗୁଁ ଆନ୍ଧ୍ର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି । ତେବେ ନିଜ ଜିଦ୍ରୁ ହଟିନାହିଁ ।
ହଠାତ୍ କେଇଦିନ ତଳେ ବିବାଦୀୟ ଅଞ୍ଚଳର ୩ଟି ଗ୍ରାମରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ ଆରମ୍ଭ କରିବାରୁ ଓଡିଶାରେ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ । ଆହୁରି ମଧ୍ୟ ଏହାର ସୁଯୋଗ ନେଇ ସେଠାକାର କିଛି ବ୍ୟକ୍ତିବିଶେଷ ବିଭିନ୍ନ ଲୋକପ୍ରତିନିଧି ପଦ ପାଇଁ ମନୋନୟନପତ୍ର ଦାଖଲ କରିଥିବା କୁହାଯାଉଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯେତେବେଳେ କିଛି ଅଞ୍ଚଳ ରାଜନୈତିକ ବିବାଦର କେନ୍ଦ୍ରସ୍ଥଳୀ ପାଲଟେ ସେତେବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତାହାର ଫାଇଦା ଉଠାନ୍ତି । କୋଟିଆରେ ସେ କଥା ହୋଇଛି । ତେବେ ଏ କ୍ଷେତ୍ରରେ ଜିଲା ପ୍ରଶାସନର ଯେଉଁ ତତ୍ପରତା ରହିବା କଥା ତାହା ଠିକ୍ ହୋଇ ନ ଥିବା ମନେ ହେଉଛି । ସେଥିପାଇଁ ତୁରନ୍ତ ଓଡିଶା ସରକାର ଜିଲାପାଳଙ୍କୁ ବଦଳି କରି ଜଣେ ନୂଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି । ଆହୁରି ମଧ୍ୟ ରାଜ୍ୟ ସରକାର ସେ ଅଞ୍ଚଳରେ ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଛନ୍ତି । ଏହା ହେବା ସ୍ୱଭାବିକ; କାରଣ ଆନ୍ଧ୍ରର ଜବାବ ପାଇଁ ଅନୁରୂପ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ
ବିଶ୍ୱାସ ହାସଲ କରିହେବ ।
ସେହି ଅଞ୍ଚଳଟି ବିବାଦୀୟ ହୋଇ ରହିଯିବାରୁ ଏଥିରୁ କେତେକ ଲୋକ ଓ ଗୋଷ୍ଠୀ ମଧ୍ୟ ଫାଇଦା ଉଠାଉଛନ୍ତି । ଦୁଇ ରାଜ୍ୟରୁ ଫାଇଦା ଉଠାଇବା ଏବଂ ନିଜର ସ୍ୱାର୍ଥ ହାସଲ ପାଇଁ ଉଭୟ ସରକାରଙ୍କ ସହିତ ମୂଲଚାଲ କରିବା ଭଳି ଭାବନା ସରଳ ଆଦିବାସୀଙ୍କ ମଧ୍ୟରେ ପୂରାଇ ଦିଆଯାଉଛି ଏବଂ ସେମାନଙ୍କୁ ବିବାଦୀୟ ପରିସ୍ଥିତିର ହିତାଧିକାରୀ ବନାଇ ଏହି ନ୍ୟସ୍ତସ୍ୱାର୍ଥମାନେ ନିଜର ଲାଭକ୍ଷତିର ଜାଲ ବୁଣୁଛନ୍ତି । ଅନେକ ମତ ଦିଅନ୍ତି ଯେ ଏହି ଗ୍ରାମପୁଞ୍ଜରେ ଓଡିଶା ତୁଳନାରେ ଆନ୍ଧ୍ରର ବିକାଶ ପ୍ରକ୍ରିୟା ଅଧିକ ଥିବାରୁ ଲୋକମାନେ ସେ ଆଡକୁ ଢଳୁଛନ୍ତି । ଏହା ଅର୍ଦ୍ଧସତ୍ୟ ବୋଲି ଆଉ କେତେକ କହନ୍ତି । ସେ ଅଞ୍ଚଳରେ ବହୁ ଆଗରୁ ଓଡିଶା ସରକାର ବିଭିନ୍ନ ଉନ୍ନୟନ ଓ ବିକାଶମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି । ତେବେ ସେଠାକାର ଅଧିବାସୀଙ୍କୁ ଆନମାନ ହେବାର କାରଣ ହେଲା ସେମାନଙ୍କ ମଧ୍ୟରେ ପ୍ରଦର୍ଶନାତ୍ମକ ବିକାଶର ନମୁନା ଦେଖାଇ ସେମାନଙ୍କୁ ବିଭ୍ରାନ୍ତ କରିବା । ଓଡିଶା ସରକାର ଯାହା କରୁଛନ୍ତି ଆନ୍ଧ୍ର ତାହାଠାରୁ ଅଧିକ କରୁଛି ବୋଲି ସେଠାରେ ଏକ ଲୋକଦେଖାଣିଆ ପ୍ରତିଯୋଗିତାମୂଳକ କାର୍ଯ୍ୟ କରାଯାଉଛି; ଯାହା ସିଲେକ୍ଟିଭ କମ୍ପିଟିଟିଭ ପପୁଲିଜିମର ଅଂଶବିଶେଷ । ଭୌଗୋଳିକ ଅନୁକୂଳତାର ସୁଯୋଗ ନେଇ ସେଠାରେ ଅତିକ୍ରିୟା ପ୍ରଦର୍ଶନ କରି ନାନା ପ୍ରକାର ସୁବିଧା ସୁଯୋଗ ଦେଇ ସେହି ଗ୍ରାମବାସୀଙ୍କୁ ନିଜ ପକ୍ଷରେ ରଖିବାକୁ ନିରନ୍ତର ଚେଷ୍ଟିତ । ଏହାଦ୍ୱାରା ସେ ଅଞ୍ଚଳର ଲୋକଙ୍କ ସହ ସମଗ୍ର ସୀମାନ୍ତର ସରଳ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଛି । ତେବେ ସେ ଯାହା ହେଉ ଗତ ୨୦ ବର୍ଷ ମଧ୍ୟରେ ସେ ଅଞ୍ଚଳରେ ବିକାଶମୂଳକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । କିଛି ଉଗ୍ରବାଦୀ ସଂଗଠନଙ୍କ ଉତ୍ପାତ ଫଳରେ ଏହି କାର୍ଯ୍ୟ ଯେତେ ଭଲରେ ହେବା କଥା ତାହା ଅବଶ୍ୟ ହୋଇପାରିନାହିଁ । ଏହା ସତ୍ତ୍ୱେ ଏହି ବିବାଦୀୟ ଗ୍ରାମଗୁଡିକ ମୋଟାମୋଟି ଓଡିଶାର ଅଂଶବିଶେଷଭାବେ ରହି ପ୍ରାଦେଶିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଉଦ୍ୟମ ଚଳାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଓଡିଶାର ସକ୍ରିୟ ପଦକ୍ଷେପ ଫଳରେ ସେ ଅଞ୍ଚଳର ଆଦିବାସୀମାନେ ନିଜ ସଂସ୍କୃତି ଓ ଚଳଣିକୁ ବଜାୟ ରଖି ଆମ ପ୍ରାଦେଶିକ ମୁଖ୍ୟଧାରାରେ ଆକୃଷ୍ଟ ହେଉଛନ୍ତି । ଅବଶ୍ୟ ଏ କଥା ସତ୍ୟ ଯେ ଆଦିବାସୀମାନେ ସେମାନଙ୍କ ସାଂସ୍କୃତିକ ପରିବେଶ ଓ ଭୁଗୋଳରେ ପ୍ରାଦେଶିକତା ଓ ରାଜନୈତିକ ସୀମାରେଖାକୁ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ । ତେବେ ସେଠାରେ ସାମାଜିକ ଓ ରାଜନୈତିକ ଚେତନା ବୃଦ୍ଧି ପାଇବା ଫଳରେ ସେମାନେ ଓଡିଶା ପ୍ରତି ମୁଖ୍ୟତଃ ଅନୁଗତ ରହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ଥିବା ଗୋଟିଏ ଅଞ୍ଚଳର ଲୋକଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ପାଇଁ ରାଜନୀତି ଅପେକ୍ଷା ଅର୍ଥନୀତି ଓ ସାମାଜିକ ଜାଗରଣ ଅଧିକ ମହତ୍ୱ ରଖେ । ସରକାର ସେ ଦିଗରେ କାର୍ଯ୍ୟ କରୁଛନ୍ତି । ଆମର ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନଗୁଡିକ ଏହି ସମୟରେ ଆଗକୁ ବାହାରି ସେଠାରେ ଅଧିକ ସକ୍ରିୟତାର ସହିତ କାର୍ଯ୍ୟ କଲେ ଆନ୍ଧ୍ରର ଚାଲ ବିଫଳ ହେବା ସୁନିଶ୍ଚିତ ।
*****
TKM
(Release ID: 1702794)
Visitor Counter : 306