ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ରାଷ୍ଟ୍ରକୁ ଉତ୍ସର୍ଗ କରିବା ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ

ଆଜିକା ଦିନରେ ଭାରତ ପାଇଁ ଗ୍ୟାସଭିତ୍ତିକ ଅର୍ଥନୀତି ନିହାତି ଜରୁରି: ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗକୁ ଏକ ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ କେନ୍ଦ୍ର ଭାବେ ବିକାଶ କରିବା ନିମନ୍ତେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ

Posted On: 07 FEB 2021 7:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହଳଦିଆ ଗସ୍ତରେ ଯାଇ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଅଂଶବିଶେଷ ଭାବେ ୩୪୮ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ହଳଦିଆ ରିଫାଇନରିର ଦ୍ୱିତୀୟ କାଟାଲିଟିକ-ଆଇସୋଡିୱାକ୍ସିଙ୍ଗ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜାତୀୟ ରାଜପଥ ୪୧ରେ ହଳଦିଆର ରାଣୀଛକଠାରେ ୪ ଲେନବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ମଧ୍ୟ ରାଷ୍ଟ୍ରକୁ ଉତ୍ସର୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କନେକ୍ଟିଭିଟି ଓ ସ୍ୱଚ୍ଛ ଇନ୍ଧନର ଉପଲବ୍ଧତା ସଂକ୍ରାନ୍ତ ଆତ୍ମନିର୍ଭର ଭାରତ ଦୃଷ୍ଟିରୁ ଆଜି ହେଉଛି ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହି ୪ଟି ପ୍ରକଳ୍ପ ଉକ୍ତ ଅଞ୍ଚଳରେ ଲୋକଙ୍କ ଜୀବନକୁ ସହଜ କରିବା ସହ ବ୍ୟବସାୟକୁ ମଧ୍ୟ ସହଜ କରିପାରିବ । ଏଥିସହ ପ୍ରକଳ୍ପଗୁଡ଼ିକ ହଳଦିଆକୁ ଏକ ପ୍ରମୁଖ ରପ୍ତାନି-ଆମଦାନୀ ପେଣ୍ଠସ୍ଥଳ ଭାବେ ଗଢ଼ିତୋଳିବା ଦିଗରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଜିକା ଦିନରେ ଭାରତ ପାଇଁ ଗ୍ୟାସ-ଭିତ୍ତିକ ଅର୍ଥନୀତି ନିହାତି ଆବଶ୍ୟକ । ଏହି ଆବଶ୍ୟକତା ପୂରଣ ନିମନ୍ତେ ଗୋଟିଏ ରାଷ୍ଟ୍ର-ଗୋଟିଏ ଗ୍ୟାସ ଗ୍ରୀଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିପାଇଁ, ପ୍ରାକୃତିକ ଗ୍ୟାସ ଦର ହ୍ରାସ କରିବା ଏବଂ ଗ୍ୟାସ-ପାଇପଲାଇନ ନେଟୱର୍କ ସମ୍ପ୍ରସାରଣ କରିବା ଉପରେ ଏବେ ଧ୍ୟାନ ଦିଆଯାଉଛି । ଆମର ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଭାରତ ଆଜି ସର୍ବାଧିକ ଗ୍ୟାସ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି । ତା’ଛଡ଼ା ସୁଲଭ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ବଜେଟରେ ହାଇଡ୍ରୋଜେନ ମିଶନ ଘୋଷଣା କରାଯାଇଛି ।

 

ଏହି ପରିପ୍ରେକ୍ଷୀରେ ପୂର୍ବ ଭାରତରେ ଲୋକଙ୍କ ଜୀବନ ଓ ବ୍ୟବସାୟରେ ସୁଧାର ଆଣିବା ପାଇଁ ରେଳ, ସଡ଼କ, ବିମାନବନ୍ଦର, ଜଳମାର୍ଗ ଆଦିରେ ହୋଇଥିବା କାର୍ଯ୍ୟଗୁଡ଼ିକ ଉପରେ ଅବଲୋକନ କରିଥିଲେ । ସେ ଦର୍ଶାଇଥିଲେ ଯେ ଏହି ଅଞ୍ଚଳରେ ଗ୍ୟାସ ଅଭାବ ଯୋଗୁ ଶିଳ୍ପ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏହାର ପ୍ରତିକାର ସ୍ୱରୂପ, ପୂର୍ବ ଭାରତକୁ ପୂର୍ବ ଓ ପଶ୍ଚିମ ବନ୍ଦରଗୁଡ଼ିକ ସହ ଯୋଡ଼ିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପାଇପଲାଇନର ଏକ ବଡ଼ ଅଂଶ ଭାବେ ଆଜି ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ୩୫୦ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପାଇପଲାଇନ ସିଧାସଳଖ ଭାବେ କେବଳ ପଶ୍ଚିମବଙ୍ଗ ନୁହେଁ, ବିହାର ଓ ଝାଡ଼ଖଣ୍ଡର ୧୦ ଜିଲ୍ଲାକୁ ମଧ୍ୟ ଫାଇଦା ପହଞ୍ଚାଇବ । ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ୧୧ ଲକ୍ଷ ଶ୍ରମ ଦିବସ ଉପଲବ୍ଧ କରାଯାଇ ପାରିଛି । ଏହାଦ୍ୱାରା ରୋଷେଇ ଘରକୁ ସ୍ୱଚ୍ଛ ପାଇପ ଏଲପିଜି ଯୋଗାଇ ଦିଆଯିବ ଏବଂ ସ୍ୱଚ୍ଛ ସିଏନଜି ଯାନବାହନ ଚଳାଚଳ ପାଇଁ ବାଟ ଫିଟିବ । ସିନ୍ଦି୍ର ଓ ଦୁର୍ଗାପୁର ସାର କାରଖାନାକୁ ନିରନ୍ତର ଭାବେ ଗ୍ୟାସ ଯୋଗାଣ ସମ୍ଭବ ହୋଇପାରିବ । ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନର ଦୁର୍ଗାପୁର-ହଳଦିଆ ସେକ୍ସନକୁ ତୁରନ୍ତ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ଗେଲ ଓ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ।

 

ଉଜ୍ଜ୍ୱଳା ସ୍କିମ ଦ୍ୱାରା ଉକ୍ତ ଅଞ୍ଚଳରେ ଅଧିକ ଏପିଜି ବ୍ୟବହାର ଓ ଚାହିଦା ବଢ଼ିଥିବାରୁ ଏଠାରେ ଏଲପିଜି ଭିତ୍ତିଭୂମିରେ ଆହୁରି ସୁଧାର ଆଣିବା ଲାଗି କାର୍ଯ୍ୟ ଜାରି ରହିଛି । ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ୯୦ ଲକ୍ଷ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ୩୬ ଲକ୍ଷ ମହିଳା ହିତାଧିକାରୀ ଏସସି/ଏସଟି ବର୍ଗର । ବିଗତ ୬ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଏଲପିଜି କଭରେଜ ୪୧%ରୁ ୯୯%କୁ ବୃଦ୍ଧି ପାଇଛି । ଉଜ୍ଜ୍ୱଳା ସ୍କିମରେ ଆହୁରି କୋଟିଏ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦେବା ପାଇଁ ଚଳିତବର୍ଷର ବଜେଟରେ ପ୍ରସ୍ତାବ ରହିଛି । ଅଧିକ ଚାହିଦା ପୂରଣ ଦିଗରେ ହଳଦିଆର ଏଲପିଜି ଇମ୍ପୋର୍ଟ ଟର୍ମିନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାରଣ ଏହା ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବରେ କୋଟି କୋଟି ପରିବାର ଏହାଦ୍ୱାରା ଉପକୃତ ହେବେ । ଏଠାରୁ ୨ କୋଟିରୁ ଅଧିକ ଲୋକ ଗ୍ୟାସ ପାଇବେ, ଯେଉଁମାନଙ୍କ ମଧ୍ୟରୁ ୧ କୋଟି ଲୋକ ଉଜ୍ଜ୍ୱଳା ସ୍କିମର ହିତାଧିକାରୀ ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱଚ୍ଛ ଇନ୍ଧନ ପାଇଁ ଆମ ପ୍ରତିବଦ୍ଧତାର ଏକ ଅଂଶ ଭାବେ ଆଜି ବିଏସ-୬ ଇନ୍ଧନ କାରଖାନାର କ୍ଷମତା ବୃଦ୍ଧି ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ କାଟାଲିଟିକ ଡିୱାକ୍ସିଙ୍ଗ ୟୁନିଟ ଲୁ୍ୟବଭିତ୍ତିକ ତେଲ ସଂକ୍ରାନ୍ତ ଆମଦାନୀ ଉପରେ ଆତ୍ମନିର୍ଭରଶୀଳତା ହ୍ରାସ ଘଟାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏଭଳି ପରିସ୍ଥିତି ଆଡ଼କୁ ଗତି କରୁଛୁ, ଯେଉଁଠାରେ ଆମେ ରପ୍ତାନି କ୍ଷମତା ସୃଷ୍ଟି କରିବାରେ ସମର୍ଥ ହେବୁ ।

 

ପଶ୍ଚିମବଙ୍ଗକୁ ଏକ ପ୍ରମୁଖ ବାଣିଜ୍ୟ ଓ ଶିଳ୍ପ କେନ୍ଦ୍ରଭାବେ ବିକଶିତ କରିବା ସକାଶେ କେନ୍ଦ୍ର ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ବନ୍ଦର ଭିତ୍ତିକ ବିକାଶ ପାଇଁ ଏକ ଭଲ ମଡେଲ । କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟକୁ ଆଧୁନିକୀକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ପଡ଼ୋଶୀ ଦେଶ ସହ ହଳଦିଆ ଡକ କମ୍ପ୍ଲେକ୍ସର କ୍ଷମତା ଓ ସଂଯୋଗକୁ ମଜଭୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ନୂତନ ଫ୍ଲାଏ ଓଭର ଓ ଆଭ୍ୟନ୍ତରୀଣ ଜଳମାର୍ଗ ପ୍ରାଧିକରଣର ପ୍ରସ୍ତାବିତ ମଲ୍ଟି-ମୋଡାଲ ଟର୍ମିନାଲ ସଂଯୋଗକୁ ଆହୁରି ଉନ୍ନତ କରିବ । ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଆମତ୍ମନିର୍ଭର ଭାରତ ପାଇଁ ଏକ ଅପାର ଶକ୍ତି କେନ୍ଦ୍ର ଭାବେ ହଳଦିଆ ଉଭା ହେବ ।

 

 

*****

SR



(Release ID: 1696147) Visitor Counter : 130