ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

“ନାରୀ ଶକ୍ତି ପୁରସ୍କାର”

ମନୋନୟନ ଦାଖଲ ପାଇଁ ବଢିଲା ଅବଧି

Posted On: 02 FEB 2021 11:45AM by PIB Bhubaneshwar

ମହିଳା ଓ ଶିଶୁ ବିକାଶ  ମନ୍ତ୍ରଣାଳୟ ପକ୍ଷରୁ 2020 ମସିହା ପାଇଁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ନିମନ୍ତେ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି । ଏ୍‌ଥିପାଇଁ 2021 ମସିହା ଫେବୃୟାରୀ 6ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିମାନେ ଆବେଦନ କରିପାରିବେ । ପ୍ରତିବର୍ଷ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ଦ୍ୱାରା ମାର୍ଚ୍ଚ 8ତାରିଖଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କ କୃତିକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଏ ।

                ଏହି ନାରୀଶକ୍ତି ପୁରସ୍କାର ବ୍ୟକ୍ତିଗତ ଭାବରେ, ଦଳଗତଭାବରେ, ଅନୁଷ୍ଠାନ ଭିତ୍ତିରେ ଏବଂ ବେସରକାରୀ ସଂଗଠନ ଭିତ୍ତିରେ ପ୍ରଦାନ କରାଯାଏ । ଏଥିରେ ମହିଳାମାନଙ୍କର ଅଂଶଗ୍ରହଣ, ସିଦ୍ଧାନ୍ତ ନେବାର କ୍ଷମତା, ପାରମ୍ପରିକ ଏବଂ ଅଣପାରମ୍ପରିକ କ୍ଷେତ୍ରରେ କୌଶଳ ବିକାଶ, ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିବା, ବିଜ୍ଞାନ ଓ ବୈଷୟିକ କ୍ଷେତ୍ର ଭଳି ଅଣପାରମ୍ପରିକ କ୍ଷେତ୍ରରେ ମହିଳାମାନଙ୍କୁ ଉତ୍ସାହିତ କରିବା, କ୍ରୀଡା, କଳା ଓ ସାହିତ୍ୟ ସଂସ୍କୃତି ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଇଥାଏ । ଏଥି ସହିତ ମହିଳାମାନଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା, ମହିଳାମାନଙ୍କ ସମ୍ମାନରକ୍ଷା ଭଳି କ୍ଷେତ୍ରକୁ ମଧ୍ୟ ଏହି ପୁରସ୍କାର ପାଇଁ ଗ୍ରହଣ କରାଯାଇଛି ।

ଏହି ପୁରସ୍କାର ପାଇଁ ଆବେଦନର ଯୋଗ୍ୟତାଭାବରେ ସର୍ବନିମ୍ନ 25ବର୍ଷ ବୟସ ଏବଂ ଅନୁଷ୍ଠାନଗୁଡିକ ପାଇଁ ଅନ୍ୟୂନ ୫ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ବୟସ, ଭୌଗୋଳିକ ସ୍ଥିତ, ଦୁର୍ଗମ ସ୍ଥାନ ଆଦି ସତ୍ୱେ ନିଜର ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ଏହି ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦିଆଯାଇଥାଏ । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି ସମାଜକୁ ଅନୁପ୍ରାଣିତ କରିଥାଏ । ବିଶେଷକରି ଦେଶର ଯୁବଗୋଷ୍ଠୀଙ୍କ ମନରେ ପାରମ୍ପାରିକଭାବେ ରହିଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଏ । ଲିଙ୍ଗଗତ ବୈଷମ୍ୟ ତଥା ଭେଦଭାବ ଦୂର କରି ପୁରୁଷ ନାରୀ ମଧ୍ୟରେ ସମାନ ପ୍ରକାରର ଭାବନା ସୃଷ୍ଟି ପାଇଁ ଉତ୍ସାହିତ ମଧ୍ୟ କରାଯାଏ । ଆଧୁନିକ ସମାଜରେ ମହିଳାମାନେ ସେମାନଙ୍କ ସହଭାଗୀ ପୁରୁଷମାନଙ୍କ ସହ ସମାନ ସାମାଜିକ ସ୍ଥିତିକୁ ଆସିବା ପାଇଁ ମଧ୍ୟ ଏହି ପୁରସ୍କାର ଉତ୍ସାହିତ କରିଥାଏ ।

******

SSD /SLP



(Release ID: 1694467) Visitor Counter : 195