ରାଷ୍ଟ୍ରପତିଙ୍କ ସଚିବାଳୟ

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଅଭିଭାଷଣ

Posted On: 29 JAN 2021 12:36PM by PIB Bhubaneshwar

ମାନନୀୟ ସଦସ୍ୟଗଣ,

୧.     କରୋନା ମହାମାରୀର ଏହି ସମୟରେ ଅନୁଷ୍ଠିତ ହେଉଥିବା ସଂସଦର ଏହି ମିଳିତ ଅଧିବେଶନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଚଳିତ ବର୍ଷ ଆମେ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛେ। ଆଜି ସଂସଦର ଆପଣ ସମସ୍ତ ସଦସ୍ୟମାନେ, ପ୍ରତ୍ୟେକ ଭାରତବାସୀଙ୍କ ଏହି ବାର୍ତ୍ତା ଓ ଏହି ବିଶ୍ୱାସ ସହିତ ଏଠାରେ ଉପସ୍ଥିତ ଅଛନ୍ତି ଯେ, ଆହ୍ୱାନ କେତେ ବଡ ହେଉନା କାହିଁକି, ନା ଆମେ ଅଟକିବା, ନା ଭାରତ ଅଟକିବ ।

୨.     ଭାରତ ଯେତେବେଳେ ବି ଏକଜୁଟ ହୋଇଛି, ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ହାସଲ କରିପାରିଛି । ଏହିଭଳି ଏକତା ଏବଂ ପୂଜ୍ୟ ବାପୁଜୀଙ୍କ ପ୍ରେରଣା, ଆମ ମାନଙ୍କୁ ଶହଶହ ବର୍ଷର ପରାଧୀନତାରୁ ମୁକ୍ତି ଦେଇଛି । ଏହି ଭାବନାକୁ ଅଭିବ୍ୟକ୍ତ କରି, ରାଷ୍ଟ୍ର ପ୍ରେମରେ ଉଦବୁଦ୍ଧ କବି, ଅସାମ କେଶରୀ ଅମ୍ବିକା ଗିରି ରାୟ ଚୌଧୁରୀ କହିଛନ୍ତି ଓ ତତସତ ଭାରତ ମହତ୍‌, ଏକ ଚେତୋନାତ୍‌, ଏକ ଧ୍ୱାନ୍ୱତ, ଏକ ସାଧୁନାତ୍‌, ଏକ ଆବେଗୋତ୍‌, ଏକ ହୋଇଯା, ଏକ ହୋଇଯା । ଅର୍ଥାତ ଭାରତ ମହାନତା ପରମ ସତ୍ୟ ଅଟେ । ଗୋଟିଏ ହିଁ ଚେତନାରେ, ଗୋଟିଏ ହିଁ ଧ୍ୟାନରେ, ଗୋଟିଏ ହିଁ ସାଧନାରେ, ଗୋଟିଏ ହିଁ ଆବେଗରେ ଏକ ହୋଇଯାଅ ଏକ ହୋଇଯାଅ ।

୩.     ଆଜି ଆମ ଭାରତୀୟମାନଙ୍କର ଏହି ଏକତା, ଏହି ସାଧନାଦେଶକୁ ଅନେକ ବିପତ୍ତିରୁ ଉଧାର କରାଇପାରିଛି । ଗୋଟିଏ ପଟରେ କରୋନା ଭଳି ବୈଶ୍ୱିକ ମହାମାରୀ, ଅନ୍ୟ ପଟରେ ଅନେକ ରାଜ୍ୟରେ ବନ୍ୟା, କେତେବେଳେ କିଛି ରାଜ୍ୟରେ ଭୂମିକମ୍ପ ତ କେତେବେଳେ ଭୟଙ୍କର ଝଡ଼ତୋଫାନ, ପଙ୍ଗପାଳ ଦଳଙ୍କ ଆକ୍ରମଣରୁ ଆରମ୍ଭ କରି ବାର୍ଡଫ୍ଲୁ ପର୍ଯ୍ୟନ୍ତ, ଦେଶବାସୀ ପ୍ରତ୍ୟେକ ବିପତ୍ତିର ଦୃଢ଼ ଭାବରେ ମୁକାବିଲା କରିଛନ୍ତି । ଏହି ସମୟରେ ସୀମା ଉପରେ ମଧ୍ୟ ଅପ୍ରତ୍ୟାଶିତ ଉତ୍ତେଜନା ବୃଦ୍ଧି ପାଇଛି । ଏତେସବୁ ବିପତ୍ତି ବିରୋଧରେ, ଏତେ ଗୁଡାଏ କ୍ଷେତ୍ରରେ ଦେଶ ଏକଜୁଟ ହୋଇ ଲଢ଼େଇ କରିଛି ଏବଂ ପ୍ରତିଟି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି । ଏହି ସମୟରେ ଆମେ ସମସ୍ତେ, ଦେଶବାସୀଙ୍କ ଅଦମ୍ୟ ସାହସ, ସଂଜମ, ଅନୁଶାସନ ଏବଂ ସେବାଭାବର ମଧ୍ୟ ସାକ୍ଷୀ ପାଲଟିଛୁ ।

୪.     ମହାମାରୀ ବିରୋଧରେ ଚାଲିଥିବା ଏହି ଲଢ଼େଇରେ ଆମେମାନେ ଅନେକ ଦେଶବାସୀଙ୍କୁ ଅସମୟରେ ହରାଇଛୁ ମଧ୍ୟ । ଆମ ସମସ୍ତଙ୍କ ପ୍ରିୟ ଏବଂ ମୋର ପୂର୍ବବର୍ତ୍ତୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଦ୍ଧନ ମଧ୍ୟ କରୋନା କାଳରେ ହୋଇଛି । ସଂସଦର ୬ ଜଣ ସଦସ୍ୟ ମଧ୍ୟ କରୋନା ଯୋଗୁ ଅବେଳାରେ ଆମକୁ ଛାଡି ଚାଲିଯାଇଛନ୍ତି । ମୁଁ ସମସ୍ତଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମାନନୀୟ ସଦସ୍ୟଗଣ

୫.     ଆମ ଶାସ୍ତ୍ରରେ କୁହାଯାଇଛି: - କୃତଂ ମେ ଦକ୍ଷୀଣେହସ୍ତେ, ଜୟୋମେ ସତ୍ୟ ଆହିତ୍‌’’ ଅର୍ଥାତ, ଆମର ଗୋଟିଏ ହାତରେ କର୍ତ୍ତବ୍ୟ ତ ଅନ୍ୟ ହାତରେ ସଫଳତା ରହିଥାଏ । କରୋନା ମହାମାରୀର ଏହି ସମୟରେ, ଯେତେବେଳେ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିଲା, ସେତେବେଳେ ଆଜି ଭାରତ ଏକ ନୂଆ ସାମର୍ଥ୍ୟ ସହିତ ଦୁନିଆ ଆଗରେ ଉଭା ହୋଇଛି । ମୁଁ ଖୁସି ଯେ, ମୋ ସରକାରଙ୍କର ସମୟୋଚିତ ସଠିକ ନିଷ୍ପତ୍ତି ଯୋଗୁ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚିପାରିଥିଲା । ଆଜି ଦେଶରେ କରୋନାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଯେଉଁମାନେ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ ।

ମାନନୀୟ ସଦସ୍ୟଗଣ

୬.     ଯେତେବେଳ ଆମେ ଗତ ଏକ ବର୍ଷକୁ ସ୍ମରଣ କରୁଛୁ ସେତେବେଳେ ଆମ ଏକଥା ମନେ ପଡୁଛି ଯେ କିଭଳି ଗୋଟିଏ ପଟରେ ନାଗରିକମାନଙ୍କ ଜୀବନ ରକ୍ଷାର ଆହ୍ୱାନ ଥିଲା, ତ ଅନ୍ୟ ପକ୍ଷରେ ଅର୍ଥ ବ୍ୟବସ୍ଥା ବିଷୟରେ ମଧ୍ୟ ଚିନ୍ତା କରିବାର ଥିଲା । ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ରେକର୍ଡ ଆର୍ଥିକ ପ୍ୟାକେଜର ଘୋଷଣା ସହିତ ମୋ ସରକାର ଏ ବିଷୟରେ ମଧ୍ୟ ଧ୍ୟାନ ରଖିଥିଲେ ଯେ, ଯେପରି କୌଣସି ଗରିବ ଭୋକିଲା ନରୁହେ ।

୭.     ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮ ମାସ ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ସୁନିଶ୍ଚିତ କରାଯାଇଥିଲା । ସରକାର ପ୍ରବାସୀ ଶ୍ରମିକ, ମଜଦୁର ଏବଂ ନିଜ ଘରଠାରୁ ଦୂରରେ ରହୁଥିବା ଲୋକମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିଥିଲେ । ୱାନ ନେଶନ, ୱାନ ରାସନ କାର୍ଡର ସୁବିଧା ପ୍ରଦାନ କରିବା ସହିତ ସରକାର ସେମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇବା ସହ ସେମାନଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟ ଚଳାଇଥିଲେ ।

୮.     ହାମାରୀ କାରଣରୁ ସହରରୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ଗାଁରେ କାମ ଧନ୍ଦା ଯୋଗାଇ ଦେବା ପାଇଁ ମୋ ସରକାର ୬ଟି ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମଧ୍ୟ ଚଳାଇଥିଲେ । ଏହି ଅଭିଯାନ ମାଧ୍ୟମରେ ୫୦ କୋଟି ମାନବ ଦିବସର ରୋଜଗାର ସୃଷ୍ଟି କରାଯାଇଥିଲା । ସରକାର ଉଠା ଦୋକାନୀ ଏବଂ ଠେଲା ଗାଡ଼ିରେ ବ୍ୟବସାୟ କରୁଥିବା ଭାଇଭଉଣୀମାନଙ୍କ ପାଇଁ ବିଶେଷ ସ୍ୱନିଧି ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ । ଏଥି ସହିତ ପ୍ରାୟ ୩୧ ହଜାର କୋଟି ଟଙ୍କା ଗରିବ ମହିଳାମାନଙ୍କ ଜନଧନ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଥିଲା । ଏହି ସମୟରେ ସମଗ୍ର ଦେଶରେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଗରିବ ମହିଳାମାନଙ୍କୁ ୧୪ କୋଟିରୁ ଊର୍ଦ୍ଧ୍ୱ ମାଗଣା ଗ୍ୟାସ ସିଲିଣ୍ଡର ମଧ୍ୟ ଯୋଗାଇ ଦିଆଯାଇଥିଲା ।

୯.     ୍ଣମା ସରକାର ନିଜର ପ୍ରତିଟି ନିଷ୍ପତ୍ତିରେ ସଂଘୀୟ ଢ଼ାଞ୍ଚାର ସାମୂହିକ ଶକ୍ତିର ଅଦ୍ୱିତୀୟ ଉଦାହରଣ ମଧ୍ୟ ପ୍ରସ୍ତୁତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଦ୍ୱାରା ଗଣତନ୍ତ୍ରକୁ ମଜବୁତ କରାଯିବା ସହ ସମ୍ବିଧାନର ଗରିମାକୁ ସଶକ୍ତ କରାଯାଇଛି ।

ମାନନୀୟ ସଦସ୍ୟଗଣ

୧୦.   ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, ତୃଣଂ ଲଘୁ, ତୃଣାତ୍ ତୁଲମ, ତୁଲାଦପିଚ ୟାଚକହ, ବାୟୁନା କିମ୍ ନ ନିତୋଶ୍ରୋ, ଭାବୟମ ୟାଚାଇସ୍ୟତି :- ଅନ୍ୟର ସାହାଯ୍ୟ ଉପରେ ସଦା ନିର୍ଭରଶୀଳ ବ୍ୟକ୍ତିଙ୍କୁ ଘାସ ଓ ତୂଳାଠାରୁ ବି ହାଲକା ଭାବେ ବିବେଚନା କରାଯାଇଥାଏ । ତୂଳା ଏବଂ ଘାସକୁ ଉଡାଇ ନେଉଥିବା ପବନ ମଧ୍ୟ ନିଜ ଏଭଳି ସାଥୀରେ ଉଡାଇ ନେବାକୁ ଚାହେଁ ନାହିଁ କାରଣ ହୁଏତ ସେ ପବନଠାରୁ ମଧ୍ୟ କାଳେ କିଛି ମାଗି ନେବ । ଅନ୍ୟର ସାହାଯ୍ୟ ଉପରେ ସଦା ନିର୍ଭରଶୀଳ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ । ଏହା କହିବାର ତାତ୍ପର୍ଯ୍ୟ ହେଉଛି ଯେ, ଯଦି ନିଜର ମହତ୍ୱ ବଢ଼ାଇବା ଆବଶ୍ୟକ ତେବେ ଅନ୍ୟ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ଆତ୍ମନିର୍ଭର ହେବାକୁ ପଡିବ ।

୧୧.   ସ୍ୱାଧୀନତା ସଂଗ୍ରାମ  ସମୟରେ ଆମ ଦେଶର ମୁକ୍ତି ଯୋଦ୍ଧା ଯେଉଁଭଳି ସଶକ୍ତ ଓ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖୁଥିଲେ ସେହି ସ୍ୱପ୍ନକୁ ସାକାର କରିବାର ଆଧାର ହିଁ ଦେଶର ଆତ୍ମନିର୍ଭରଶୀଳତା ସହିତ ଯୋଡି ହୋଇ ରହିଥିଲା । କରୋନା ସମୟରେ ସୃଷ୍ଟି ହୋଇଥିବା ବୈଶ୍ୱିକ ପରିସ୍ଥିତି ଗୁଡିକ, ନିଜର ଆବଶ୍ୟକତା ପୂରଣ କରିବା ଯେତେବେଳେ ପ୍ରତ୍ୟେକ ଦେଶ ପାଇଁ ପ୍ରାଥମିକତା ଥିଲା ତାହା ଆମକୁ ଏକଥା ମନେ ପକାଇ ଦେଇଥିଲା ଯେ ଆତ୍ମନିର୍ଭର ଭାରତର ନିର୍ମାଣ କାହିଁକି ଏତେଟା ଗୁରୁତ୍ୱପୂର୍ଣ୍ଣ ।

୧୨.   ଏହି ସମୟରେ ଭାରତ ଖୁବ କମ ସମୟରେ ୨୨୦୦ରୁ ଅଧିକ ପରୀକ୍ଷାଗାରର ନେଟୱାର୍କ ପ୍ରସ୍ତୁତ କରି, ହଜାର ହଜାର ଭେଣ୍ଟିଲେଟର ନିର୍ମାଣ କରି, ପିପିଇ କିଟଠାରୁ ଆରମ୍ଭ କରି ଟେଷ୍ଟ କିଟ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମ ନିର୍ଭରତା ହାସଲ କରି ନିଜର ବୈଜ୍ଞାନିକ କ୍ଷମତା, ନିଜର ପ୍ରଯୁକ୍ତି ଦକ୍ଷତା ଏବଂ ନିଜର ମଜବୁତ ଷ୍ଟାଟଅପ ପରିବେଶର ମଧ୍ୟ ପରିଚୟ ପ୍ରଦାନ କରିଛି । ଆମ ପାଇଁ ଏହା ମଧ୍ୟ ଗର୍ବର କଥା ଯେ, ଆଜି ଭାରତ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଚଳେଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଭାରତରେ ହିଁ ଦୁଇଟି ଯାକ ପ୍ରତିଷେଧକ ବିକଶିତ ହୋଇଛି । ସଂକଟର ଏହି ସମୟରେ ଭାରତ ମାନବିକତା ପ୍ରତି ନିଜର ଦାୟୀତ୍ୱ ନିର୍ବାହନ ପୂର୍ବକ ଅନେକ ଦେଶକୁ କରୋନା ପ୍ରତିଷେଧକର ଲକ୍ଷ ଲକ୍ଷ ଡୋଜ ଉପଲବ୍ଧ କରାଇଛି । ଭାରତର ଏହି କାର୍ଯ୍ୟକୁ ସମଗ୍ର ବିଶ୍ୱରୁ ମିଳୁଥିବା ପ୍ରଶଂସା, ଆମର ହଜାର ହଜାର ବର୍ଷ ପୁରାତନ ସଂସ୍କୃତି, ସର୍ବେ ସନ୍ତୁ ନିରାମୟାର ଚିନ୍ତାଧାରା ସହିତ ବିଶ୍ୱକଲ୍ୟାଣ ନିମନ୍ତେ ଆମର ପ୍ରାର୍ଥନା, ଆମର ପ୍ରୟାସକୁ ଆହୁରି ଶକ୍ତି ଯୋଗାଉଛି ।

ମାନନୀୟ ସଦସ୍ୟଗଣ

୧୩.   ୍ଣମା ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗତ ୬ ବର୍ଷ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ସେ ସବୁର ବହୁତ ବଡ ସୁଫଳ ଆମେ ଏ କରୋନା ସଂକଟ କାଳରେ ଦେଖିବାକୁ ପାଇଛିୁ । ଏହି ବର୍ଷ ଗୁଡିକରେ ଚିକିତ୍ସା ସହିତ ସଂଶ୍ଳିଷ୍ଟ ବ୍ୟବସ୍ଥା ଗୁଡିକର ଆଧୁନିକୀକରଣ ସହିତ ରୋଗରୁ ମୁକ୍ତିକୁ ମଧ୍ୟ ସେତିକି ଗୁରୁତ୍ୱ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ପୋଷଣ ଅଭିଯାନ, ଥିଙ୍କ ଇଣ୍ଡିଆ ଅଭିଯାନ, ଖେଲୋ ଇଣ୍ଡିଆ, ଏହିଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟକୁ ନେଇ ଦେଶରେ ନୂଆ ସଚେତନତା ଆସିପାରିଛି । ଆୟୁର୍ବେଦ ଓ ଯୋଗର ପ୍ରୋତ୍ସାହନ ପାଇଁ ମୋ ସରକାରଙ୍କ ପ୍ରୟାସର ସୁଫଳ ମଧ୍ୟ ଆମକୁ ଦେଖିବାକୁ ମିଳୁଛି ।

୧୪.   ୍ଣମା ସରକାରଙ୍କ ପ୍ରୟାସ ଦ୍ୱାରା, ମୋ ଦେଶର ସ୍ୱାସ୍ଥ୍ୟସେବା ଗରିବ ମାନଙ୍କୁ ସହଜରେ ଉପଲବ୍ଧ ହେବା ସହିତ ରୋଗ ପାଇଁ ହେବାକୁ ଥିବା ଖର୍ଚ୍ଚକୁ ମଧ୍ୟ ଅନେକ ପରିମାଣରେ କମ କରାଯାଇପାରିଛି । ଆୟୁଷ୍ମାନ ଭାରତ- ପ୍ରଧାନ ଜନ ଆରୋଗ୍ୟ ଯୋଜନା ଅଧୀନରେ ଦେଶର ୧.୫ କୋଟି ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ମୂଲ୍ୟର ଚିକିତ୍ସା ସୁବିଧା ମିଳିପାରୁଛି । ଏହା ଦ୍ୱାରା ଏହି ଗରିବମାନଙ୍କୁ ୩୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ ହୋଇପାରୁଛି । ଆଜି ଦେଶର ୨୪ ହଜାରରୁ ଊର୍ଦ୍ଧ୍ୱ ହସ୍ପିଟାଲ ମଧ୍ୟରୁ କୌଣସିଟିରେ ମଧ୍ୟ ଆୟୁଷ୍ମାନ ଯୋଜନାର ଲାଭ ଉଠାଯାଇପାରିବ । ଏହିଭଳି ପ୍ରଧାନମନ୍ତ୍ରୀ ଭାରତୀୟ ଜନେଔଷଧି ଯୋଜନା ଅଧୀନରେ ସମଗ୍ର ଦେଶରେ ସ୍ଥାପିତ ୭ ହଜାର କେନ୍ଦ୍ରରୁ ଗରିବମାନଙ୍କୁ ଅତି ସୁଲଭ ମୂଲ୍ୟରେ ଔଷଧ ପତ୍ର ମିଳିପାରୁଛି । ଏହି ସବୁ କେନ୍ଦ୍ରରେ ପ୍ରତିଦିନ ଲକ୍ଷ୍ୟ ଲକ୍ଷ୍ୟ ରୋଗୀ ଔଷଧ ପତ୍ର କିଣୁଛନ୍ତି । କମ ମୂଲ୍ୟ ହୋଇଥିବାରୁ ରୋଗୀମାନଙ୍କର ବାର୍ଷିକ ପ୍ରାୟ ୩ ହଜାର ୬ ଶହ କୋଟି ଟଙ୍କା ସଞ୍ଚିତ ହୋଇପାରୁଛି ।

ମାନନୀୟ ସଦସ୍ୟଗଣ

୧୫.   ଦେଶରେ ସ୍ୱାସ୍ଥ୍ୟସେବାର ସଂପ୍ରସାରଣ ପାଇଁ ଡାକ୍ତର ଶିକ୍ଷାର ବିସ୍ତାର ମଧ୍ୟ ଅତ୍ୟନ୍ତ ଜରୁରୀ । ୨୦୧୪ ବର୍ଷରେ ଦେଶରେ ମାତ୍ର ୩୮୭ଟି ମେଡିକାଲ କଲେଜ ଥିଲା, କିନ୍ତୁ ଆଜି ଦେଶରେ ୫୬୨ଟି ମେଡିକାଲ କଲେଜ ରହିଛି । ଗତ ୬ ବର୍ଷରେ ସ୍ନାତକ ଓ ସ୍ନାତକତ୍ତୋର  ଶିକ୍ଷାରେ ୫୦ ହଜାରରୁ ଅଧିକ ସ୍ଥାନ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ସରକାର ୨୨ଟି ନୂଆ ଏମ୍ସକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି ।

୧୬.   ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ସହିତ ୪ଟି ସ୍ୱାୟତ୍ତ ବୋର୍ଡର ଗଠନ କରି କେନ୍ଦ୍ର ସରକାର ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଐତିହାସିକ ସୁଧାରର ମୂଳଦୁଆ ପ୍ରତିଷ୍ଠା କରିଛନ୍ତି । ଏହି ସୁଧାର କ୍ରମରେ ଦଶନ୍ଧି ପୁରୁଣା ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ସ୍ଥାନରେ ନ୍ୟାସନାଲ ମେଡିକାଲ କମିଶନର ସ୍ଥାପନା କରାଯାଇଛି ।

ମାନନୀୟ ସଦସ୍ୟଗଣ

୧୭.   ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଭାରତରେ ନିର୍ମାଣ ପର୍ଯ୍ୟନ୍ତ ହିଁ ସୀମିତ ରହିନାହିଁ, ବରଂ ଏହାର ଭାରତର ପ୍ରତ୍ୟେକ ନାଗରିକର ଜୀବନସ୍ତରରେ ଉନ୍ନତି ତଥା ଦେଶର ଆତ୍ମ ବିଶ୍ୱାସ ବୃଦ୍ଧି କରାଇବାରେ ମଧ୍ୟ ଅଭିଯାନ ଅଟେ ।

୧୮.   ଆତ୍ମ ନିର୍ଭର ଭାରତର ଆମର ଲକ୍ଷ୍ୟ ଆତ୍ମ ନିର୍ଭର କୃଷି ଦ୍ୱାରା ହିଁ ଅଧିକ ସଶକ୍ତ ହେବ । ଏହି ଚିନ୍ତାଧାରା ସହିତ ସରକାର ଗତ ୬ ବର୍ଷ ମଧ୍ୟରେ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ପ୍ରତିଟି ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନର ପ୍ରୟାସ କରିଛନ୍ତି, ଯାହାଦ୍ୱାରା ଭାରତୀୟ କୃଷି ଆଧୁନିକ ହେବା ସହିତ କୃଷିର ସଂପ୍ରସାରଣ ମଧ୍ୟ ହୋଇପାରିବ । ସେହିସବୁ ପ୍ରୟାସ କ୍ରମରେ ମୋ ସରକାର ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶଗୁଡିକୁ ଲାଗୁ କରି ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ମୋ ସରକାର ଆଜି କେବଳ ଯେ, ଏମଏସପିରେ ରେକର୍ଡ ପରିମାଣର କ୍ରୟ କରୁନାହାନ୍ତି ବରଂ କ୍ରୟ କେନ୍ଦ୍ରଗୁଡିକର ସଂଖ୍ୟା ମଧ୍ୟ ବୃଦ୍ଧି କରୁଛନ୍ତି ।

୧୯.   ଆଜି କୃଷି ପାଇଁ ଉପଲବ୍ଧ ଜଳ ସେଚନର ସମ୍ବଳରେ ମଧ୍ୟ ବ୍ୟାପକ ସୁଧାର ଅଣାଯାଉଛି । ବୁନ୍ଦା ପିଛା ଅଧିକ ଶସ୍ୟର ମନ୍ତ୍ରରେ ଅଗ୍ରସର ହୋଇ ସରକାର ପୁରୁଣା ଜଳସେଚନ ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କରିବା ସହିତ ଜଳସେଚନର ଆଧୁନିକ ଉପାୟ ଗୁଡିକୁ ମଧ୍ୟ କୃଷକଙ୍କ ନିକଟରେ ପହଞ୍ଚାଉଛନ୍ତି । ୨୦୧୩-୧୪ରେ ଯେତେବେଳେ ୪୨ ଲକ୍ଷ ହେକ୍ଟର ଜମିରେ ହିଁ ଅତି କ୍ଷୁଦ୍ର ଜଳସେଚନର ସୁବିଧା ଉପଲବ୍ଧ ଥିଲା, ସେହି ସମୟରେ ସେହି ସ୍ଥାନରେ ଆଜି ୫୬ ଲକ୍ଷ ହେକ୍ଟରରୁ ଅଧିକ ଅତିରିକ୍ତ ଜମିକୁ ଅତି କ୍ଷୁଦ୍ର ଜଳସେଚନ ଯୋଜନା ସହିତ ସଂଯୋଗ କରାଯାଇପାରିଛି ।

୨୦.   ମୁଁ ଖୁସି ଯେ ସରକାରଙ୍କର ଏହିସବୁ ପ୍ରୟାସକୁ ଆମର କୃଷକମାନେ ନିଜର ପରିଶ୍ରମ ବଳରେ ଆହୁରି ଆଗକୁ ବଢ଼ାଉଛନ୍ତି । ଆଜି ଦେଶରେ ଖାଦ୍ୟାନ୍ନର ଉପଲବ୍ଧତା ରେକର୍ଡ ସ୍ତରରେ ରହିଛି । ୨୦୦୮-୦୯ ବର୍ଷରେ ଯେତେବେଳେ ଦେଶରେ ୨୩୪ ମିଲିଅନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା ୨୦୧୯-୨୦ ବର୍ଷରେ ଏଥିରେ ବୃଦ୍ଧି ଘଟି ୨୯୬ ମିଲିଅନ ଟନରେ ପହଞ୍ଚିପାରିଛି । ଏହି ଅବଧିରେ ପନିପରିବା ଓ ଫଳ ଉତ୍ପାଦନ ମଧ୍ୟ ୨୧୫ ମିଲିଅନ ଟନରୁ ବୃଦ୍ଧି ପାଇ ଏବେ ୩୨୦ ମିଲିଅନ ଟନରେ ପହଞ୍ଚିଛି । ମୁଁ ଏଥିପାଇଁ ଦେଶର କୃଷକମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମାନନୀୟ ସଦସ୍ୟଗଣ

୨୧.   ଏହା ହିଁ ସମୟର ଆହ୍ୱାନ ଯେ କୃଷି କ୍ଷେତ୍ରରେ ଆମର ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଖରେ କେବଳ ଗୋଟିଏ ବା ଦୁଇ ଏକର ଚାଷ ଜମି ରହିଛି, ସେମାନଙ୍କ ଉପରେ ଯେପରି ବିଶେଷ ଧ୍ୟାନ ଦିଆଯାଉ । ଦେଶର ସମସ୍ତ କୃଷକଙ୍କ ମଧ୍ୟରୁ ୮୦ ପ୍ରତିଶତ ଅଧିକ କ୍ଷୁଦ୍ର କୃଷକ ଏବଂ ଏମାନଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ।

୨୨.   ମୋ ସରକାରଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ ଏହି କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ରହିଛନ୍ତି । ଏହିଭଳି କୃଷକମାନଙ୍କର ଛୋଟ ଛୋଟ ଖର୍ଚ୍ଚରେ ସହଯୋଗ ପ୍ରଦାନ ପାଇଁ ପିଏମ କୃଷକ ସମ୍ମାନ ନିଧି ଜରିଆରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧ ଲକ୍ଷ ୧୩ ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇସାରିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ମଧ୍ୟ ଦେଶର କ୍ଷୁଦ୍ର ଚାଷୀମାନଙ୍କୁ ମିଳିଛି । ଏହି ଯୋଜନା ଅଧୀନରେ ଗତ ୫ ବର୍ଷ ମଧ୍ୟରେ କୃଷକମାନଙ୍କୁ କ୍ଷତିପୂରଣ ବାବଦକୁ ପ୍ରିମିୟମ ଆକାରରେ ପ୍ରାୟ ୯୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

୨୩.   ଦେଶର କ୍ଷୁଦ୍ର କୃଷକମାନଙ୍କୁ ଏକାଠି କରି ୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଅର୍ଥାତ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ସର  ସ୍ଥାପନ ଅଭିଯାନ ଏହିଭଳି ଏକ ପ୍ରଭାବଶାଳୀ ପଦକ୍ଷେପ । ଏହାଦ୍ୱାରା ଏହିସବୁ କ୍ଷୁଦ୍ର କୃଷକମାନଙ୍କୁ ସମୃଦ୍ଧ କୃଷମାନଙ୍କ ଭଳି ଉନ୍ନତ ଜ୍ଞାନକୌଶଳ, ଅଧିକ ଋଣ, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଏବଂ ବିପଣନର ସୁବିଧା ତଥା ପ୍ରାକୃତିକ ବିପତ୍ତି ସମୟରେ ସୁରକ୍ଷା ପ୍ରଦାନକୁ ସୁନିଶ୍ଚିତ କରାଯାଇଛି । ଏହାଦ୍ୱାରା କୃଷକମାନଙ୍କୁ ନିଜର ଉତ୍ପାଦିତ ଫସଲର ଅଧିକ ମୂଲ୍ୟ ଏବଂ ଅଧିକ ସଞ୍ଚୟର ବିକଳ୍ପ ମଧ୍ୟ ମିଳିପାରିଛି ।

ମାନନୀୟ ସଦସ୍ୟଗଣ

୨୪.   ବ୍ୟାପକ ବିଚାର ବିମର୍ଷ ପରେ ଆମ ସଂସଦ ୭ ମାସ ପୂର୍ବେ ୩ଟି ଗୁରୁତ୍ୱପୂର୍ଣ୍ଣ, କୃଷକ ଉତ୍ପାଦ, ବ୍ୟବସାୟ ଓ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସରଳୀକରଣ) ବିଧେୟକ, କୃଷି (ସଶକ୍ତିକରଣ ଓ ସଂରକ୍ଷଣ) ମୂଲ୍ୟ ଆଶ୍ୱାସନା ଏବଂ କୃଷି ସେବା ଚୁକ୍ତି ବିଧେୟକ ଏବଂ ଅତ୍ୟାବଶ୍ୟକ ବସ୍ତୁ ସଂଶୋଧନ ବିଧେୟକ ପାରିତ କରିଛି । ଏହି କୃଷି ସଂସ୍କାର ଗୁଡିକର ସବୁଠାରୁ ବଡ ଲାଭ ମଧ୍ୟ ୧୦ କୋଟିରୁ ଅଧିକ କୃଷକଙ୍କୁ ତୁରନ୍ତ ମିଳିବା ଆରମ୍ଭ ହୋଇଯାଇଛି । କ୍ଷୁଦ୍ର  କୃଷକମାନଙ୍କୁ ମିଳିବାକୁ ଥିବା ଏହି ସୁଫଳ ଗୁଡିକୁ ହୃଦୟଙ୍ଗମ କରି ଅନେକ ରାଜନୈତିକ ଦଳ ସମୟ ସମୟରେ ଏହି ସଂସ୍କାରଗୁଡିକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଦେଶରେ ଭିନ୍ନଭିନ୍ନ ମଞ୍ଚରେ, ଦେଶର ପ୍ରତ୍ୟେକ କ୍ଷେତ୍ରରେ ଦୁଇ ଦଶନ୍ଧି ଧରି ଯେଉଁ ସବୁ ସଂସ୍କାରର ଚର୍ଚ୍ଚା ହୋଇଆସୁଥିଲା ଏବଂ ଯେଉଁ ଦାବି ଉଠିଆସୁଥିଲା ସେ ସବୁ ସଂସଦରେ ଚର୍ଚ୍ଚା ସମୟରେ ମଧ୍ୟ ପରିଲକ୍ଷିତ ହୋଇଥିଲା ।

୨୫.   ଏବେ ଏହି ସବୁ ଆଇନର କାର୍ଯ୍ୟକାରିତାକୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସ୍ଥଗିତ ରଖିଛନ୍ତି । ମୋ ସରକାର ଉଚ୍ଚତମ ନ୍ୟାୟଳୟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ  ସମ୍ମାନପୂର୍ବକ ଏହାର ପାଳନ କରିବେ । ଗଣତନ୍ତ୍ର ଏବଂ ସମ୍ବିଧାନର ମର୍ଯ୍ୟାଦାକୁ ସର୍ବୋପରି ବିଚାର କରୁଥିବା ମୋ ସରକାର, ଏହି ଆଇନଗୁଡିକୁ ନେଇ ସୃଷ୍ଟି କରାଯାଇଥିବା ଭ୍ରମକୁ ଦୂର କରିବା ପାଇଁ ନିରନ୍ତର ପ୍ରାୟାସ ଜାରି ରଖିଛନ୍ତି । ମୋ ସରକାର ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି । କିନ୍ତୁ ଗତ କିଛି ଦିନ ତଳେ  ତ୍ରିରଙ୍ଗା ଏବଂ ସାଧାରଣତନ୍ତ୍ର ଦିବସ ଭଳି ପବିତ୍ର ଦିବସର ଅପମାନ ବହୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ।  ଯେଉଁ ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଦେଉଛି, ସେହି ସମ୍ବିଧାନ ଆମକୁ ଏକଥା ମଧ୍ୟ ଶିଖାଉଛି ଯେ ଆଇନ ଓ ନିୟମର ସେତିକି ଗମ୍ଭୀରତାର ସହ ପାଳନ କରାଯିବା ଉଚିତ ।

୨୬.   ମୋ ସରକାର ଏକଥା ସ୍ପଷ୍ଟ କରିବାକୁ ଚାହାଁନ୍ତି ଯେ, ତିନି କୃଷି ଆଇନ ପ୍ରସ୍ତୁତ ହେବା ପୂର୍ବରୁ ପୁରୁଣା ବ୍ୟବସ୍ଥା ଅଧୀନରେ ଯେଉଁ ସବୁ ଅଧିକାର ରହିଥିଲା ତଥା  ଯେଉଁ ଯେଉଁ ସୁବିଧା ଉପଲବ୍ଧ ଥିଲା ସେ ସବୁରୁ କିଛି ବି କ୍ଷୂର୍ଣ୍ଣ କରାଯାଇନାହିଁ । ବରଂ ଏହି କୃଷି ସଂସ୍କାର ଗୁଡିକ ଜରିଆରେ ସରକାର କୃଷକମାନଙ୍କୁ ନୂଆ ନୂଆ ସୁବିଧା ଉପଲବ୍ଧ କରାଇବା ସହିତ ନୂଆ ଅଧିକାର ମଧ୍ୟ ପ୍ରଦାନ କରିଛନ୍ତି ।

ମାନନୀୟ ସଦସ୍ୟଗଣ

୨୭.   କୃଷିକୁ ଆହୁରି ଲାଭକାରୀ କରାଇବା ପାଇଁ ମୋ ସରକାର ଆଧୁନିକ କୃଷି ଭିତ୍ତିଭୂମି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ  ୧ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସ୍ଥାପନ କରାଯାଇଛି ।

୨୮.   ସମଗ୍ର ଦେଶରେ ଆରମ୍ଭ କରାଯାଇଥିବା କିଷାନ ରେଳ, ଭାରତର କୃଷକମାନଙ୍କ ପାଇଁ ନୂଆ ବଜାର ଉପଲବ୍ଧ କରାଇବାରେ ନୂତନ ଅଧ୍ୟାୟ ଲେଖିବା ଆରମ୍ଭ କରିଛି । ଏହି କିଷାନ ରେଳକୁ ଭ୍ରାମ୍ୟମାଣ ଶୀତଳଭଣ୍ଡାର ମଧ୍ୟ କହିବା ଅତ୍ୟୁକ୍ତି ହେବନାହିଁ । ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ କିଷାନ ରେଳ ଚଳାଚଳ କରାଯାଇଛି । ଯାହା ମାଧ୍ୟମରେ ୩୮ ହଜାର ଟନରୁ ଅଧିକ ଖାଦ୍ୟଶସ୍ୟ ଓ ଫଳ ପନିପରିବା, ଗୋଟିଏ ଅଞ୍ଚଳରୁ ଅନ୍ୟ କ୍ଷେତ୍ର ପର୍ଯ୍ୟନ୍ତ କୃଷକମାନଙ୍କ ଦ୍ୱାରା ପହଞ୍ଚାଯାଇପାରୁଛି ।

ମାନନୀୟ ସଦସ୍ୟଗଣ

୨୯.   କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ମୋ ସରକାର ପ୍ରାଣୀ ସମ୍ପଦକୁ ଆୟର ଏକ ଉତ୍ସ ଭାବରେ ପ୍ରତିଷ୍ଠା କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାର ଫଳ ସ୍ୱରୂପ ଗତ ୫ ବର୍ଷ ମଧ୍ୟରେ ଦେଶର ପ୍ରାଣୀଧନରେ ବାର୍ଷିକ ୮.୨ ପ୍ରତିଶତ ବୃଦ୍ଧି ଘଟିବାରେ ଲାଗିଛି । ସରକାର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭିତ୍ତିଭୂମିର ସ୍ଥାପନା ଓ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ୧୫ ହଜାର କୋଟି ଟଙ୍କାର ପ୍ରାଣୀ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠିର ସ୍ଥାପନା ମଧ୍ୟ କରିଛନ୍ତି ।

୩୦.   ମୋ ସରକାର ପ୍ରାଣୀଧନ ଓ ମତ୍ସ୍ୟ ପାଳନକୁ ମଧ୍ୟ କୃଷି କ୍ଷେତ୍ର ଭଳି କିଷାନ କ୍ରେଡିଟ କାର୍ଡର ସୁବିଧା ପ୍ରଦାନ କରିଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କର ଆୟ ବୃଦ୍ଧି ନିମନ୍ତେ ମଧ୍ୟ କାର୍ଯ୍ୟ ଜାରି ରହିଛି । ଆଗାମୀ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଯୋଜନା ରହିଛି ।

୩୧.   କୃଷକମାନଙ୍କର ଆୟ ବଢ଼ାଇବା ପାଇଁ ମୋ ସରକାର ଅନ୍ନଦାତାଙ୍କୁ ଊର୍ଜ୍ଜାଦାତାରେ ରୂପାନ୍ତରିତ କରିବା ପାଇଁ ମଧ୍ୟ ଅଭିଯାନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ କୃଷକମାନଙ୍କୁ ୨୦ ଲକ୍ଷ ସୋଲାର ପମ୍ପ ଯୋଗାଇ ଦିଆଯାଉଛି । ସରକାର ଦ୍ୱାରା ଆଖୁର ଛେଦା, ମକା, ଧାନ ଇତ୍ୟାଦିରୁ ଇଥାନଲର ଉତ୍ପାଦନକୁ ମଧ୍ୟ ବୃଦ୍ଧି କରାଯାଉଛି । ଗତ ୬ ବର୍ଷରେ ସରକାରଙ୍କ ସକାରାତ୍ମକ ନୀତି ଯୋଗୁ ଇଥାନଲ ଉତ୍ପାଦନ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ୧୯୦ କୋଟି ଲିଟରରେ ପହଞ୍ଚିଛି । ଏହି ଉତ୍ପାଦନ ଚଳିତ ବର୍ଷ ୩ ଶହ କୋଟି ଲିଟରରେ ପହଞ୍ଚିବା ଆଶା କରାଯାଉଛି । ଇଥାନଲ, ଦେଶର କୃଷକମାନଙ୍କ ଆୟ ବୃଦ୍ଧିର ଏକ ବଡ ମାଧ୍ୟମ ହୋଇ ଉଭା ହେବା ହେଉଛି ।

ମାନନୀୟ ସଦସ୍ୟଗଣ

୩୨.   ପୂଜ୍ୟ ବାପୁଜୀ ଆତ୍ମନିର୍ଭର ଆଦର୍ଶ ଗ୍ରାମର ନିର୍ମାଣ ପାଇଁ ଇଚ୍ଛା ରଖିଥିଲେ । ଏହି ବିଚାରଧାରାକୁ ନେଇ ଆଗକୁ ବଢ଼ୁଥିବା ମୋ ସରକାର ଗ୍ରାମାଞ୍ଚଳର ବହୁମୁଖୀ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଗାଁର ଲୋକମାନଙ୍କ ଜୀବନସ୍ତରରେ ଉନ୍ନତି ଘଟୁ, ଏହା ହିଁ ମୋ ସରକାରଙ୍କ ପ୍ରାଥମିକତା ଅଟେ । ଏହାର ଉତ୍ତମ ଉଦାହରଣ ହେଉଛି ୨୦୧୪ରୁ ଗରିବ ଗ୍ରାମୀଣ ପରିବାରଙ୍କ ପାଇଁ ନିର୍ମିତ ହୋଇଥିବା ୨ କୋଟି ବାସଗୃହ । ଆଗାମୀ ୨୦୨୨ ମସିହା ଭିତରେ ପ୍ରତ୍ୟେକ ଗରିବଙ୍କୁ ପକ୍କା ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗତି ଦ୍ରୁତ କରାଯାଇଛି ।

୩୩.   ମୋ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱାମୀତ୍ୱ ଯୋଜନା ଦ୍ୱାରା ଏବେ ଗ୍ରାମାଞ୍ଚଳର ଲୋକମାନଙ୍କର ସେମାନଙ୍କ ସମ୍ପତ୍ତି ଉପରେ ଆଇନଗତ ଅଧିକାର ମିଳିପାରୁଛି । ସ୍ୱାମୀତ୍ୱର ଏହି ଅଧିକାର ଦ୍ୱାରା ଏବେ ଗାଁ ଗଣ୍ଡାରେ ମଧ୍ୟ ସମ୍ପତ୍ତି ଉପରେ ବ୍ୟାଙ୍କ ଋଣ ଉଠାଇବା, ଘର ତିଆରି ଋଣ ଉଠାଇବା ସହଜ ହେବ ଏବଂ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବ । ଏହି ଯୋଜନାରେ ମଧ୍ୟ ବିଶେଷ ଲାଭ ଗାଁର ଛୋଟ ଛୋଟ ଉଦ୍ୟୋଗୀ ଏବଂ  କୁଟୀରଶିଳ୍ପ ସହିତ ଜଡିତ ଲୋକ ତଥା କ୍ଷୁଦ୍ର କୃଷକଙ୍କୁ ମିଳିପାରିବ ।

ମାନନୀୟ ସଦସ୍ୟଗଣ

୩୪.   ବାବା ସାହେବ ଆମ୍ବେଦକର ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ହେବା ସହିତ ଆମ ଦେଶରେ ଜଳନୀତିକୁ ଦିଗଦର୍ଶନ ଦେଇଥିଲେ । ୮ ନଭେମ୍ବର ୧୯୪୫ ମସିହାରେ କଟକରେ ଆୟୋଜିତ ଏକ ସମ୍ମିଳନୀ ଅବସରରେ ସେ କହିଥିଲେ ଜଳ ହିଁ ସମ୍ପଦ । ଜଳ ଜନସାଧାରଣଙ୍କ ସମ୍ପତ୍ତି ହୋଇଥିବାରୁ ଏବଂ ଏହାର ବିଚରଣରେ ଅନିଶ୍ଚିତତା ଥିବାରୁ ପ୍ରକୃତି ବିରୋଧରେ ଅଭିଯୋଗ ନକରି ଜଳର ସଂରକ୍ଷଣ କରାଯିବା ସଠିକ ଆଭିମୁଖ୍ୟ ।

୩୫.   ବାବା ସାହେବଙ୍କ ଏହି ପ୍ରେରଣାକୁ ପାଥେୟ କରି, ମୋ ସରକାର ଜଳ ଜୀବନ ମିଶନର ମହାତ୍ଵାକାଂକ୍ଷୀ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ଘରକୁ ଜଳପହଞ୍ଚାଇବା ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ମୋତେ ଏହା ଜଣାଇବାରେ ଖୁସି ଅନୁଭୂତ ହେଉଛି ଯେ, ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୩ କୋଟି ପରିବାରକୁ ପାଇପ ଜଳ ବିତରଣ ସହିତ ସଂଯୋଗ କରାଯାଇ ସାରିଛି । ଏହି ଅଭିଯାନରେ ଅନୁସୂଚୀତ ଜାତି ଓ ଜନଜାତିର ଭାଇ ଭଉଣୀ ତଥା ଅସହାୟ ବର୍ଗର ଅନ୍ୟ ଲୋକମାନଙ୍କୁ ପ୍ରାଥମିକତା ଆଧାରରେ ସଳ ସଂଯୋଗ ପ୍ରଦାନ କରାଯାଉଛି ।

ମାନନୀୟ ସଦସ୍ୟଗଣ

୩୬.   ଆମର ଗାଁ ଗୁଡିକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ଭିତ୍ତିଭୂମି ସହିତ ଯୋଡିବା ପାଇଁ ମୋ ସରକାର ଗ୍ରାମୀଣ ସଡକ ନେଟୱାର୍କର ସଂପ୍ରସାରଣରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଦେଶର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷ ୪୨ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇସାରିଛି । ଏହି ଯୋଜନାର ତୃତୀୟ ପର୍ଯ୍ୟାୟରେ ଗ୍ରାମୀଣ କ୍ଷେତ୍ରରେ ଜନବସତି ସହିତ ସ୍କୁଲ, ବଜାର ଏବଂ ହସ୍ପିଟାଲ ଆଦିକୁ ସଂଯୋଗ କରୁଥିବା ୧ ଲକ୍ଷ ୨୫ ହଜାର କିଲୋମିଟର ସଡକ ଗୁଡିକର ମଧ୍ୟ ଉନ୍ନିତକରଣ କରାଯିବ । ଗାଁ ଗଣ୍ଡାରେ ସଡ଼କ ସହିତ ଇଣ୍ଟରନେଟ ସଂଯୋଗର ମଧ୍ୟ ସେତିକି ମହତ୍ୱ ରହିଛି । ପ୍ରତ୍ୟେକ ଗାଁକୁ ବିଜୁଳି ପହଞ୍ଚାଇବା ପରେ ମୋ ସରକାର ଦେଶର ୬ ଲକ୍ଷରୁ ଅଧିକ ଗାଁକୁ ଅପ୍ଟିକାଲ ଫାଇବରରେ ଯୋଡିବା ପାଇଁ ଅଭିଯାନ ଚଳାଇଛନ୍ତି ।

ମାନନୀୟ ସଦସ୍ୟଗଣ

୩୭.   ଆମର ଅର୍ଥ ବ୍ୟବସ୍ଥାର ମୌଳିକ ଶକ୍ତି ହେଉଛି ଆମର ଗାଁ ଏବଂ ଛୋଟ ଛୋଟ ସହରରେ ଅବସ୍ଥିତ ଆମ ମାନଙ୍କର ଲଘୁ ଉଦ୍ୟୋଗ, ଆମର କୁଟୀର ଶିଳ୍ପ ଏବଂ ଆମର ଅତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହିଁ ଅଟେ । ଭାରତକୁ ଆତ୍ମ ନିର୍ଭର କରାଇବାର ବହୁତ ବଡ ସାମର୍ଥ୍ୟ ଆମର ଏହି ଲଘୁ ଉଦ୍ୟୋଗ ପାଖରେ ହିଁ ରହିଛି । ଦେଶର ମୋଟ ରପ୍ତାନୀରେ ଏହାର ଭାଗିଦାରି ପ୍ରାୟ ୫୦ ପ୍ରତିଶତର । ଆତ୍ମନିର୍ଭର ଭାରତ ଅଭିଯାନରେ ଏମଏସଏମି ଗୁଡିକର ଭୂମିକା ବୃଦ୍ଧି ନିମନ୍ତେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ।

୩୮.   ଏମଏସଏମିର ପରିଭାଷାରେ ପରିବର୍ତ୍ତନ ହେଉ, ପୁଞ୍ଜିନିବେଶର ସୀମାବୃଦ୍ଧି ହେଉ ଅବା ପୁଣି ସରକାରୀ କ୍ରୟରେ ପ୍ରାଥମିକା, ଏବେ ଲଘୁ ଏବଂ କୁଟୀର ଶିଳ୍ପର ବିକାଶ ପାଇଁ ଜରୁରି ପ୍ରୋତ୍ସାହନ ଉପଲବ୍ଧ ହୋଇପାରୁଛି । ୩ ଲକ୍ଷ କୋଟି ଟଙ୍କାର ଜରୁରି ଋଣ ଗ୍ୟାରେଣ୍ଟି ଯୋଜନା, ସଂକଟ ମଧ୍ୟ ଦେଇ ଗତିକରୁଥିବା ଏମଏସଏମି ଗୁଡିକ ନିମନ୍ତେ ୨୦ ହଜାର କୋଟି ଟଙ୍କାର ବିଶେଷ ଯୋଜନା ଏବଂ ଫଣ୍ଡ ଆଉ ଫଣ୍ଡସ ଭଳି ପ୍ରାୟସ ସବୁ ଲକ୍ଷ୍ୟ ଲକ୍ଷ୍ୟ ଲଘୁ ଉଦ୍ୟୋଗୀମାନଙ୍କୁ ଲାଭ ପହଞ୍ଚାଉଛି । ଜିଇଏମ ପୋର୍ଟାଲ ମାଧ୍ୟମରେ ଦେଶର ଦୂରଦୂରାନ୍ତ କ୍ଷେତ୍ରର ଏମଏସଏମି ଗୁଡିକୁ ସରକାରୀ କ୍ରୟରେ ପାରଦର୍ଶିତା ସହିତ ଅଧିକ ଭାଗିଦାରି ମଧ୍ୟ ମିଳୁପାରୁଛି ।

୩୯.   ମୋ ସରକାରଙ୍କର ଏହା ନିରନ୍ତର ପ୍ରୟାସ ଯେ କିଭଳି ଉଦ୍ୟମିତାର ଲାଭ ଦେଶର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚୁ । ହୁନର ହାଟ ଏବଂ ଉସ୍ତାଦ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ସ୍ଥପିତମାନଙ୍କର କୌଶଳ ବିକାଶ ମଧ୍ୟ କରାଯାଉଛି ଏବଂ ସେମାନଙ୍କୁ ରୋଜଗାର ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି । ଏହି ଭଳି ହିତାଧିକାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ମହିଳା ସ୍ଥପତି ଅଛନ୍ତି । ଇ-ହାଟ ମାଧ୍ୟରେ ଏହି ସ୍ଥପିତମାନଙ୍କୁ ସମଗ୍ର ବିଶ୍ୱର କ୍ରେତାମାନଙ୍କ ସହିତ ଯୋଡା ଯାଉଛି ।

୪୦.   ଆତ୍ମ ନିର୍ଭର ଭାରତରେ ମହିଳା ଉଦ୍ୟମୀମାନଙ୍କର ବିଶେଷ ଭୂମିକା ରହିଛି । ମୋ ସରକାର ମହିଳାମାନଙ୍କୁ ସ୍ୱରୋଜଗାରର ନୂଆ ସୁଯୋଗ ଦେବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଦ୍ରା ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୨୫ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇସାରିଛି, ଯେଉଁଥିରୁ ପ୍ରାୟ ୭୦ ପ୍ରତିଶତ ଋଣ ମହିଳା ଉଦ୍ୟମୀମାନଙ୍କୁ ମିଳିଛି ।

୪୧.   ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଦେଶରେ ଆଜି ୭ କୋଟିରୁ ଅଧିକ ମହିଳା ଉଦ୍ୟମୀ ପ୍ରାୟ ୬୬ ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀ ସହିତ ଯୋଡି ହୋଇଛନ୍ତି । ବ୍ୟାଙ୍କ ଗୁଡିକ ମାଧ୍ୟମରେ ଏହି ଗୋଷ୍ଠୀଗୁଡିକୁ ଗତ ୬ ବର୍ଷ ମଧ୍ୟରେ ୩ ଲକ୍ଷ ୪୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

୪୨.   ଦେଶର ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସରକାର ଗୋଟିଏ ଟଙ୍କାରେ ସୁବିଧା ସାନିଟାରୀ ନାପକିନଦେବାର ଯୋଜନା ମଧ୍ୟ ଚଳାଇଛନ୍ତି । ସରକାର ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଏବଂ ରାଷ୍ଟ୍ରୀୟ ପୋଷଣ ଅଭିଯାନ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଗର୍ଭବତୀ ମାତା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ନିରନ୍ତର ପ୍ରୟାସଶୀଳ ଅଛନ୍ତି । ଏହାର ପରିଣାମ ସ୍ୱରୁପ ଦେଶରେ ୨୦୧୪ ମସିହାରେ ମାତୃ ମୃତ୍ୟୁହାର ପ୍ରତି ୧ ଲକ୍ଷରେ  ୧୩୦ରୁ ହ୍ରାସ ପାଇ ୧୧୩ରେ ସୀମିତ ରହିଛି । ୫ ବର୍ଷରୁ କମ ବୟସର ଶିଶୁମାନଙ୍କ ମୃତ୍ୟୁହାର ବିଶ୍ୱସ୍ତରରେ ୩୯ ଥିବା ବେଳେ ଭାରତରେ ପ୍ରଥମ ଥର ପାଇ ଏହା ହ୍ରାସ ପାଇ ୩୬ ରେ ପହଞ୍ଚିଛି ।

୪୩.   ମହିଳାମାନଙ୍କ ପାଇଁ ସମାନ ଭାଗିଦାରିକୁ ଜରୁରି ବୋଲି ସ୍ୱୀକାର କରୁଥିବା ମୋ ସରକାର ନୂଆ ନୂଆ କ୍ଷେତ୍ରରେ ଝିଅ ବୋହୂଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଚାଲିଛନ୍ତି, ଭାରତୀୟ ବାୟୁସେନାର ଫାଇଟର ଷ୍ଟିମ ହେଉ, ସେନା ପୁଲିସରେ ମହିଳାଙ୍କ ନିଯୁକ୍ତି ହେଉ ଅବା ପୁଣି ଭୂତଳ ଖଣି ତଥା ଖୋଲା ଖଣିଖାଦାନରେ ମହିଳାମାନଙ୍କୁ ରାତି ସମୟରେ କାର୍ଯ୍ୟ କରିବା ପାଇଁ ଅନୁମତି ହେଉ ଏହିସବୁ ନିର୍ଣ୍ଣୟ ପ୍ରଥମ ଥର ପାଇଁ ମୋ ସରକାର ହିଁ ନେଇଛନ୍ତି । ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି ୱାନ ଷ୍ଟପ ସେଣ୍ଟର, ଅପରାଧୀମାନଙ୍କର ରାଷ୍ଟ୍ରୀୟ ଡାଟାବେସ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ଏବଂ ସମଗ୍ର ଦେଶରେ ଫାଷ୍ଟ୍ ଟ୍ରାକ କୋର୍ଟରେ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି ।

ମାନନୀୟ ସଦସ୍ୟଗଣ

୪୪.   ଏକବିଂଶ ଶତାବ୍ଦୀର ବୈଶ୍ୱିକ ଆବଶ୍ୟକତା ଏବଂ ଆହ୍ୱାନଗୁଡିକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଶିକ୍ଷାନୀତିର ଘୋଷଣା କରିଛନ୍ତି । ଜାତୀୟ ଶିକ୍ଷାନୀତିରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ରୁଚି ଅନୁଯାୟୀ ବିଷୟ ଚୟନ କରିବାର ସ୍ୱାଧୀନତା ପ୍ରଦାନ କରାଯାଇଛି । କୌଣସି ପାଠ୍ୟକ୍ରମ ମଝିରେ ମଧ୍ୟ ବିଷୟ ଓ ଷ୍ଟିମ ପରିବର୍ତ୍ତନ କରିବାର ବିକଳ୍ପ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ।

୪୫.   ମୋ ସରକାର ଇ-ବିଦ୍ୟା ଅଧୀନରେ, ବିଦ୍ୟାଳୟ ଶିକ୍ଷା ପାଇଁ ଦୀକ୍ଷା ଅନଲାଇନ ପୋର୍ଟାଲକୁ ଏକ ରାଷ୍ଟ୍ର, ଏକ ଡିଜିଟାଲ ମଞ୍ଚ ରୂପରେ ବିକଶିତ କରିଛନ୍ତି । ବିଦ୍ୟାର୍ଥୀମାନଙ୍କ ହିତ ପ୍ରତି ସମ୍ବେଦନଶୀଳ ମୋ ସରକାର ଜେଇଇ ଓ ନିଟ୍ ପରୀକ୍ଷାକୁ ମଧ୍ୟ ସଫଳତାର ସହ ଆୟୋଜନ କରି ସେମାନଙ୍କର ଗୋଟିଏ ବର୍ଷ ମଧ୍ୟ ବ୍ୟର୍ଥ ହେବାକୁ ଦେଇନାହାନ୍ତି ।

ମାନନୀୟ ସଦସ୍ୟଗଣ

୪୬.   ମୋ ସରକାର ଉପଲବ୍ଧି କରନ୍ତି ଯେ ସବୁଠାରୁ ଅଧିକ ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ବିକାଶର ଯାତ୍ରା, ଗୁଣବତ୍ତାଯୁକ୍ତ ଶିକ୍ଷାରୁ ହିଁ ଆରମ୍ଭ ହୋଇଥାଏ । ସରକାରଙ୍କ ବିଭିନ୍ନ ଛାତ୍ରବୃତ୍ତି ଯୋଜନାର ଲାଭ ଏହିଭଳି ୩କୋଟି ୨୦ ଲକ୍ଷରୁ ଅଧିକ ବିଦ୍ୟାର୍ଥୀଙ୍କୁ ମିଳୁଛି । ଏମାନଙ୍କ ମଧ୍ୟରେ ଅନୁସୂଚୀତ ଜାତି, ପଛୁଆ ବର୍ଗ, ବନବାସୀ ଓ ଜନଜାତୀୟ ବର୍ଗ ଏବଂ ଅଳ୍ପ ସଂଖ୍ୟକ ସମୁଦାୟର ଛାତ୍ରଛାତ୍ରୀ ଅଛନ୍ତି । ସରକାରଙ୍କର ଏହା ପ୍ରୟାସ ଯେ ଅଧିକରୁ ଅଧିକ ପ୍ରାର୍ଥୀ ଓ ଅସହାୟ ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତିର ଯେପରି ସୁଫଳ ମିଳୁ । ଏଥି ସହିତ ଅନୁସୂଚୀତ ଜାତିର ବିଦ୍ୟାର୍ଥୀକୁ ପ୍ରଦାନ କରାଯାଉଥିବା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତିରେ କେନ୍ଦ୍ର ସରକାରଙ୍କ ଭାଗକୁ ମଧ୍ୟ ବୃଦ୍ଧି କରାଯାଉଛି । ଏହିଭଳି ଭାବରେ ଜନଜାତିର ଯୁବକଯୁବତୀମାନଙ୍କ ଶିକ୍ଷା ପାଇଁ ପ୍ରତ୍ୟୋକ ଆଦିବାସୀ ବହୁଳ ବ୍ଲକ ପର୍ଯ୍ୟନ୍ତ ୧ ଲକ୍ଷ ଆବାସିକ ଆଦର୍ଶ ବିଦ୍ୟାଳୟ ସଂପ୍ରସାରିତ କରିବାର କାର୍ଯ୍ୟ ଜାରି ରହିଛି । ଏ ପର୍ଯ୍ୟନ୍ତ ଏହିଭଳି ସାଢ଼େ ୫ ଶହରୁ ଅଧିକ ସ୍କୁଲକୁ ସ୍ୱୀକୃତି ପ୍ରଦାନ କରାଯାଇସାରିଛି ।

୪୭.   ଶିକ୍ଷା ସହିତ ନିଯୁକ୍ତିର ପ୍ରକ୍ରିୟାକୁ ସହଜ ଓ ଏବଂ ବ୍ୟବସ୍ଥିତ କରିବା ଉପରେ ମଧ୍ୟ ମୋ ସରକାର ଗୁରୁତ୍ୱ ଦେଉଛନ୍ତି । ଗ୍ରୁପ-ସି ଏବଂ ଗ୍ରୁପ-ଡି ନିଯୁକ୍ତିରେ ସାକ୍ଷାତକାର ବ୍ୟବସ୍ଥା ସମାପ୍ତ କରାଯିବା ଦ୍ୱାରା ଯୁବବର୍ଗଙ୍କୁ ବହୁତ ଲାଭ ମିଳିଛି । ସରକାର ଜାତୀୟ ନିଯୁକ୍ତି ସଂସ୍ଥା ଗଠନ କରି ଯୁବକଯୁବତୀମାନଙ୍କୁ ନିଯୁକ୍ତି ପାଇଁ ଅନେକ ଭିନ୍ନ ଭିନ୍ନ ପରୀକ୍ଷା ଦେବାର ଯନ୍ତ୍ରଣାରୁ ମୁକ୍ତି ଦେଇଛନ୍ତି ।

ମାନନୀୟ ସଦସ୍ୟଗଣ

୪୮.   ମୋ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ମନ୍ତ୍ର ସହିତ ଦେଶର ପ୍ରତ୍ୟେକ କ୍ଷେତ୍ର ଓ ପ୍ରତ୍ୟେକ ବର୍ଗର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଦିବ୍ୟାଙ୍ଗ ମାନଙ୍କ କଷ୍ଟକୁ ଲାଘବ କରିବା ନିମନ୍ତେ ସମଗ୍ର ଦେଶରେ ହଜାର ହଜାର ଅଟ୍ଟାଳିକାସାର୍ବଜନିକ ବସ ଓ ରେଳବାଇକୁ ସୁଗମ କରାଯାଇଛି । ପ୍ରାୟ ୭ ଶହ ୱେବସାଇଟକୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଛି । ଏହିଭଳି ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କୁ ମଧ୍ୟ ଅଧିକ ସୁବିଧା ଓ ସମାନ ସୁଯୋଗ ଦେବାପାଇଁ  ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ସୁରକ୍ଷା ଅଧିକାର) ଆଇନ କାର୍ଯ୍ୟକାରୀ କରାଯାଇଛି । ଯାଯାବର ଏବଂ ଅର୍ଦ୍ଧ ଯାଯାବର ସମୁଦାୟ ନିମନ୍ତେ ମଧ୍ୟ ବିକାଶ ଓ କଲ୍ୟାଣ ବୋର୍ଡର ସ୍ଥାପନା କରାଯାଇଛି ।

୪୯.   ବିକାଶର ଦୌଡରେ ପଛରେ ରହିଯାଇଥିବା ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ମୋ ସରକାର ପ୍ରାଥମିକତା ଆଧାରରେ ବିକାଶ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି । ଏହାର ବହୁତ ବଡ ଲାଭ ଆଦିବାସୀ ଭାଇଭଉଣୀମାନଙ୍କୁ ହେଉଛି । ଆଦିବାସୀ ମାନଙ୍କର ଜୀବିକାର ପ୍ରମୁଖ ସମ୍ବଳ ଅର୍ଥାତ ବନଜାତ ସାମଗ୍ରୀର  ବିପଣନ ଏବଂ ବନଜାତ ସାମଗ୍ରୀର ଆଧାରିତ କ୍ଷୁଦ୍ର ଶିଳ୍ପର ସ୍ଥାପନା କାର୍ଯ୍ୟ ମଧ୍ୟ ଜାରି ରହିଛି । ଏହି ପ୍ରୟାସ ଦ୍ୱାରା ୬ଶହ କୋଟି ଟଙ୍କାର ଅତିରିକ୍ତ ରାଶି ଜନଜାତି ପରିବାର ପର୍ଯ୍ୟନ୍ତ ପହଞ୍ଚିଛି । ସରକାରଙ୍କ ଦ୍ୱାରା ୪୬ଟି ବନଜାତ ସାମଗ୍ରୀ ଉପରେ ଏମଏସପିକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

 

 

ମାନନୀୟ ସଦସ୍ୟଗଣ

୫୦. ଦେଶରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ପ୍ରତ୍ୟେକ ଭାରତବାସୀଙ୍କୁ ଏହାର ଉପଲବ୍ଧତା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ।

୫୧. ଦୋଗଜ କୀ ଦୂରୀର ଆବଶ୍ୟକତାକୁ ପାଳନ କରିବାକୁ ଯାଇ ଆମର ଦେଶରେ ନାଗରିକ ବା ପ୍ରତିଷ୍ଠାନ ଅଭିବୃଦ୍ଧିର ଗତିକୁ ପଛରେ ପକାଇ ନାହାନ୍ତି । ଡିଜିଟାଲ ଇଣ୍ଡିଆର ଶକ୍ତି ଏହା କରିବାକୁ ଦେଇନାହିଁ ।  ଡିସେମ୍ବର ୨୦୨୦ ମସିହାରେ ୟୁପିଆଇ ଜରିଆରେ ଚାରି ଲକ୍ଷ କୋଟିରୁ ଅଧିକ ଟଙ୍କାର ଡିଜିଟାଲ ଦେଣନେଣ ହୋଇଛି। ଆଜି ଦୁଇଶହରୁ ଅଧିକ ବ୍ୟାଙ୍କ ୟୁପିଆଇ ପଦ୍ଧତି ସହ ଯୋଡି ହୋଇଛନ୍ତି । ସେହିପରି ଡିଜି ଲକର ଭଳି କାଗଜବିହୀନ ବ୍ୟବସ୍ଥା ଯୋଗୁଁ ୪୦୦ କୋଟିରୁ ଅଧିକ ଡିଜିଟାଲ ନଥି ପ୍ରସ୍ତୁତ କରାଯାଇଛି । ଉମଙ୍ଗ ଆପ୍ ଜରିଆରେ କୋଟି କୋଟି ନାଗରିକ ଦୁଇହଜାରରୁ ଅଧିକ ସେବା ପାଉଛନ୍ତି । ଦେଶରେ ସାଢେ ତିନି ଲକ୍ଷ ଅଧିକ ସାଧାରଣ ସେବା କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରେ  ଲୋକମାନେ ସରକାରୀ ସେବା ସହ ଯୋଡି ହୋଇଛନ୍ତି । ସେହିପରି ଭାରତୀୟ ଟିକଟ ଆଇନକୁ ସଂଶୋଧନ କରାଯିବା ପରେ ଇ-ଷ୍ଟାମ୍ପ ସେବା ଆରମ୍ଭ କରାଯାଇଛି ।

୫୨. ଜନଧନ ଆକାଉଣ୍ଟ ଆଧାର ଏବଂ ମୋବାଇଲ ତ୍ରୟ ମିଶି ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିଛି । ଜେ.ଏ. ଏମ. ଭଳି ତ୍ରିମୂର୍ତ୍ତି ନିମନ୍ତେ ଏକଲକ୍ଷ ଅଶୀ ହଜାର କୋଟିରୁ ଅଧିକ ଟଙ୍କା ଅପାତ୍ରରେ ନ ଯାଇ ବଞ୍ଚାଯାଇଛି ।

୫୩. ରାଷ୍ଟ୍ରୀୟ ଡିଜିଟାଲ ହେଲ୍‌ପ ମିଶନ ଜରିଆରେ ସରକାର ସ୍ୱାସ୍ଥ୍ୟ ସେବାର ଡିଜିଟାଇଜେସନ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏଥିପାଇଁ ନାଗରିକ ମାନେ ଆଗାମୀ ଦିନରେ ଡିଜିଟାଲ ରିପୋର୍ଟ, ଡିଜିଟାଲ ସାକ୍ଷାତକାର ଏବଂ ମିଶନ ଜରିଆରେ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ମଧ୍ୟ ରଖିପାରିବେ ।

୫୪. ଆମର ନିଜସ୍ୱ ନୌଚାଳନା  ଉପଗ୍ରହ ପଦ୍ଧତି ନାବିକଦେଶର ସମ୍ମାନ ବୃଦ୍ଧିରେ ସହାୟକ ହୋଇଛି । ହଜାର ହଜାର ମତ୍ସଜୀବୀ ଏହା ଦ୍ୱାରା ଉପକୃତ ହୋଇପାରୁଛନ୍ତି । ଜାତୀୟ ଆଣବିକ ସମୟ ସାରଣୀ ଓ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀ ଭଳି ନୂତନ ମାନଙ୍କ ପ୍ରସ୍ତୁତ କରାଯାଇ ନିକଟରେ ଦେଶ ପାଇଁ ଉତ୍ସର୍ଗ କରାଯାଇଛି । ଏହି ଦେଶୀୟ ସମାଧାନ ପନ୍ଥା ଜରିଆରେ ଆର୍ନ୍ତଜାତିକ ମାନର ଭାରତୀୟ ସାମଗ୍ରୀ ଆମ ଦେଶରେ ନିର୍ମିତ ହୋଇପାରିବ ।

୫୫. ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଯୋଗୁଁ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକ ମଧ୍ୟ ସଶକ୍ତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଇ-ବିଧାନ ଆପ୍ ଜରିଆରେ ବିଧାନସଭା, ବିଧାନ ପରିଷଦ ଏବଂ ସଂସଦର ଉଭୟ ଗୃହର ଡିଜିଟାଇଜେସନ ହୋଇଛି  । ଜାତୀୟ ଇ-ବିଧାନ ଆପ୍ଲିକେଶନ୍‌(ନେଭା)କୁ ତ୍ୱରାନ୍ୱିତ କରିବା ଯୋଗୁଁ ରାଜ୍ୟ ବିଧାନସଭାଗୁଡିକ ବିଧାନସଭା ଓ ଗଣତାନ୍ତ୍ରିକ ପ୍ରଣାଳୀରେ ଏକ ଯୁଗାନ୍ତାକାରୀ ପରିବର୍ତ୍ତନ ଆଣିପାରିବେ ।

ମାନନୀୟ ସଦସ୍ୟଗଣ

୫୬.   ଆମ ସଂସଦ ନାଗରିକମାନଙ୍କୁ ଅଧିକରୁ ଅଧିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରି ନୂତନ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ପୂର୍ବ ସରକାରଙ୍କ ଶାସନକାଳ ଏବଂ ସଂସଦରେ ସବୁବେଳେ ପ୍ରଶ୍ନ ଉଠୁଥିଲା ଯେ, ଏହି ଭବନ ଆଜିକାଲିକା ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ନୁହଁ । ପୂର୍ବ ସରକାରମାନେ ମଧ୍ୟ ନୂତନ ସଂସଦ କୋଠା ପାଇଁ ଉଦ୍ୟମ କରିଥିଲେ । ଏହା ଏକ ସୁଖଦ ସଂଯୋଗ ଯେ ଆମେ  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ପାଳନ କରିବାକୁ ଯାଉଥିବା ବେଳେ ଏହି ନୂତନ ଭବନ ନିର୍ମିତ ହେବ । ନୂତନ ସଂସଦର ଭବନର ନିର୍ମାଣ ସହ ପ୍ରତ୍ୟେକ ସାଂସଦ  ଉନ୍ନତ ସୁବିଧା ପାଇବା ସହ ସେମାନଙ୍କ ଦାୟିତ୍ୱ ଅଧିକ ସୂଚାରରୂପେ ତୁଳାଇପାରିବେ ।

 

 

ମାନନୀୟ ସଦସ୍ୟଗଣ

୫୭. ଦେଶର ନାଗରିକଗଣ ଯେଉଁ ଗତିରେ ବୈଷୟିକ ଜ୍ଞାନ ସହ ନିଜକୁ ସାମିଲ କରିନେଲେ, ସେଥିରୁ ସ୍ପଷ୍ଟ ଅନୁମିତ ହେଉଛି ଯେ ଦେଶକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଭାରତୀୟ ବେଶ୍ ବ୍ୟଗ୍ର । ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ମୋ ସରକାରେ ଦେଶ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ସଂସ୍କାର ତ୍ୱରାନ୍ୱିତ କରିବା ପାଇଁ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିଛି ।

୫୮. ଟିକସ ଆକଳନ ଓ ଅପିଲର କମ୍ପ୍ୟୁଟରୀକରଣ କରିବା ସହ ମୋ ସରକାର କମ୍ପାନୀ ଆଇନର କେତେକ ବ୍ୟବସ୍ଥା ଅପରାଧ ମୁକ୍ତ  କରିଛନ୍ତି । ଯାହାଫଳରେ ଔଦ୍ୟୋଗିତାକୁ ପ୍ରୋତ୍ସାହନ ମିଳିପାରିବ । ଶିଳ୍ପାଞ୍ଚଳଗୁଡିକୁ ଅତ୍ୟାବଶ୍ୟକ ସେବା ପ୍ରଦାନ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପାୟନଗୁଡିକ ନିମନ୍ତେ ଏକ ଜି.ଆଇ.ଏସ. ଭିତ୍ତିକ ଡାଟାବେସ ପ୍ରସ୍ତୁତ ହୋଇଛି । ଏହି ଡାଟାବେସ ଜରିଆରେ ୫ଲକ୍ଷ ହେକ୍ଟରରରୁ ଅଧିକ ଶିଳ୍ପଯୋଗୀ ଜମି ସମ୍ପର୍କରେ ତଥ୍ୟ ମିଳିପାରିବ ।

୫୯.ମୁଁ ଖୁସି ଯେ, ‘ଶ୍ରମ ଏବ ଜୟତେଭାବନାକୁ ଉଦ୍‌ଜୀବିତ କରି ସଂସଦର ଉଭୟ ଗୃହ ଶ୍ରମିକମାନଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଚାରିଟି ଶ୍ରମ ସଂହିତାରେ ସନ୍ନିବେଶିତ କରାଯାଇଛି । ଶ୍ରମ ସଂସ୍କାର ନିମନ୍ତେ  ରାଜ୍ୟଗୁଡିକ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ଏ ସଂସ୍କାରଗୁଡିକ ଦ୍ୱାରା ଶ୍ରମକଲ୍ୟାଣ ପରିସର ବ୍ୟାପକ ହେବା ସହ ଶ୍ରମିକମାନଙ୍କୁ ସମୟଚିତ୍ତ ମଜୁରୀ ପ୍ରଦାନ ଓ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।  ଏହି ନୂତନ ଶ୍ରମ ସଂହିତାରେ ମହିଳା କର୍ମଜୀବୀମାନଙ୍କ ସମାନ ଭାଗିଦାରିତା ପାଇଁ ବ୍ୟାପକ ସୁଯୋଗ ରହିଛି ।

୬୦. ଶ୍ରମ ଶକ୍ତି ସହ ଶିଳ୍ପ ନିମନ୍ତେ ମୂଳଧନର ଉପଲବ୍ଧତା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ସେଥ୍‌ôପାଇଁ ଦେଶର ବ୍ୟାଙ୍କ କ୍ଷେତ୍ରକୁ ମଧ୍ୟ ମଜବୁତ କରାଯାଇଛି । ଛୋଟ ଛୋଟ ବ୍ୟାଭ୍‌କ ଗୁଡିକୁ ମିଶ୍ରଣ କରି ବୃହତ ଓ ମଜବୁତ ବ୍ୟାଙ୍କ ସୃଷ୍ଟି ମଧ୍ୟ ଏ ଦିଗରେ ଅନ୍ୟ ଏକ ପଦକ୍ଷେପ ଅଟେ ।

୬୧. ଦେଶରେ ପ୍ରଥମ ଥର ପାଇଁ ଦଶଟି ନିର୍ମାଣ କ୍ଷେତ୍ରରେ ଦେଢ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ତ୍ୱରାନ୍ୱିତ କରାଯାଇଛି । ଇଲେକ୍‌ଟ୍ରୋନିକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରରେ ଏହାର ପ୍ରଭାବ ପଡିସାରିଲାଣି । ଏହି ପଦକ୍ଷେପ ଯୋଗୁଁ ଅନେକ ବୃହତ ଜାତୀୟ ଓ ଆର୍ନ୍ତଜାତୀୟ କମ୍ପାନୀମାନେ ଭାରତରେ କାର୍ଯ୍ୟ ଆରମ୍ଭ କରିବାକୁ ଆଗେଇ ଆସିଛନ୍ତି ।

୬୨. ମୋ ସରକାର ଅଧିକରୁ ଅଧିକ ସ୍ୱଦେଶ ପ୍ରସ୍ତୁତ ସାମଗ୍ରୀର ବ୍ୟବହର ଉପରେ ପ୍ର୍ରାଧାନ୍ୟ ଦେଉଛନ୍ତି । ଭୋକାଲ ଫର ଲୋକାଲ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଦେଶରେ ନିର୍ମିତ ହେଉଥିବା ସାମଗ୍ରୀ ପ୍ରତି ଏକ ଭାବାବେଗ ସୃଷ୍ଟି ହେବା ସହ ତାହାର ଗୁଣାତ୍ମକତା ଯେପରି ଉଚ୍ଚ ରହିବ ତାହା ମଧ୍ୟ ସୁନିଶ୍ଚିତ କରାଯାଉଛି ।

୬୩. ଦେଶରେ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଙ୍ଗ ବିଜିନେସଉନ୍ନତି ପାଇଁ ନିରବଚ୍ଛିନ୍ନ ଭାବେ ପଦକ୍ଷେପମାନ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦିତାକୁ ପ୍ରୋତ୍ସାହନ ଦିଆଯାଉଛି । ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ରାଜ୍ୟଗୁଡିକ ଏହାର ଗୁରୁତ୍ୱ ଉପଲବ୍ଧଧି କରି ମାନର ଉନ୍ନତି ସହ ଏହି ପ୍ରତିଯୋଗିତାରେ ପୂର୍ଣ୍ଣପ୍ରାଣରେ ଅଂଶଗ୍ରହଣ କରୁଛନ୍ତି ।

୬୪. କରୋନା ବୈଶିକ ମହାମାରୀ ଯୋଗୁଁ ଯେତେବେଳେ ପ୍ରତ୍ୟେକ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଥିଲା ଓ ଦେଶ ଆଞ୍ଚଳିକ ଦୁଃସ୍ଥିତି ଆଡକୁ ମୁହାଁଇଥିଲା ଦେଶ ତାହାର କବଳରୁ ମୁକୁଳିବାକୁ ଆରମ୍ଭ କରିଛି । କେତେକ ଦୃଷ୍ଟାନ୍ତ ଏହାକୁ ପ୍ରମାଣିତ କରିଛି । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ଦେଶ ବିଦେଶୀ ପୁଞ୍ଜିନିବେଶକାରୀ ପାଇଁ ଏକ ପ୍ରକୃଷ୍ଠ ଲକ୍ଷ୍ୟସ୍ଥଳ ବିବେଚିତ ହୋଇଛି । ଏପ୍ରିଲରୁ ଅଗଷ୍ଟ ୨୦୨୦ ମଧ୍ୟରେ ଦେଶରେ ୩୬ବିଲିୟନ ଡଲାର ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜିନିବେଶ କାରଙ୍କ ହୋଇଛି ।

୬୫. ମୋ ସରକାର ବିଶ୍ୱାସ କରେ ଯେ ନୂତନ ଏବଂ ଆତ୍ମ ନିର୍ଭର ଭାରତ ମଜବୁତ ମୂଳଦୁଆ ସ୍ଥାପନ ପାଇଁ ଆଧୁନିକ ଭିତ୍‌ିଭୂମି ନିତ୍ୟାନ୍ତ  ଆବଶ୍ୟକ । ଆଧୁନିକ ଭିତ୍ତିଭୂମି ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତା ତଥ।। କରୋନା ବୈଶ୍ୱିକ ମହାମାରୀ ସତ୍ତ୍ୱେ ତାହାକୁ ସମ୍ପୂର୍ଣ୍ଣ କରିବା ଆମର ସଂକଳ୍ପକୁ ପ୍ରତିପାଦିତ କରୁଛି । ଚେନ୍ନାଇରୁ ପୋର୍ଟବ୍ଲେୟର ପର୍ଯ୍ୟନ୍ତ ବୁଡାଜାହାଜ ଅପଟିକାଲ ଫାଇବର କେବୁଲ ହେଉ ବା ଅଟଳ ଚ୍ୟାନେଲ ବା ଚାରିଧାମ ସଡକ ପ୍ରକଳ୍ପ ଆମ ଦେଶ ବିକାଶମୂଳକ କାର୍ଯ୍ୟରେ ଅଗ୍ରସର ହୋଇଛି ।

୬୬. କିଛିଦିନ ପୂର୍ବେ ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ମାଲ କରିଡର ଜାତି ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା । ପୂର୍ବ ଭାରତରେ ଶିଳ୍ପାୟନକୁ ଗତି ଦେବା ସହ ଏହି ମାଲ କରିଡର ପରିବହନ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ପ୍ରକ୍ରିୟାକୁ ମଧ୍ୟ ହ୍ରାସ କରିବ

୬୭.  ଦେଶର ଭିତ୍ତିଭୂମି କ୍ଷେତ୍ରକୁ ଆଧୁନିକ କରିବା ପାଇଁ ମୋ ସରକାର ୧୧୦ଲକ୍ଷ କୋଟି ଟଙ୍କାର ଏକ ଜାତୀୟ ଭିତ୍ତିଭୂମି ପାଇପଲାଇନ ପାଇଁ କାର୍ଯ୍ୟ କରୁଛି । ଏଥିସହ ଭାରତମାଳା ପରିଯୋଜନାରେ ୬ଟି ନୂତନ ପରିବହନକ୍ଷମ ରାସ୍ତା ଓ ୧୮ଟି ନୂତନ କରିଡର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

୬୮. ଗୁଜରାଟରୁ ହାଜିରାରୁ ଘୋଘା ମଧ୍ୟରେ ରୋ-ପାକ୍ସ ନୌସେବାର ହେଉ ବା କେଭାଡିଆ -ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସାଗର ବିମାନ ସେବା ହେଉ ଏଗୁଡିକୁ ଦେଶର ଜଳ ପରିବହନ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ବିଶ୍ୱର ବୃହତମ ପ୍ରତିମୂତ୍ତିର ଗୌରବକୀର୍ତ୍ତିଭାବେ ବିରାଜିତ କେଭାଡିଆସ୍ଥିତ ସର୍ଦ୍ଧାର ପଟେଲ ପ୍ରତିମୂର୍ତ୍ତିସ୍ଥଳକୁ ଦେଶର ବିଭିନ୍ନ ସହରରୁ ସିଧାସଳଖ ଟ୍ରେନ ଚଳାଚଳ ବ୍ୟବସ୍ଥା ହୋଇଛି ।

ମାନନୀୟ ସଦସ୍ୟଗଣ

୬୯. ଦେଶକୁ ଗ୍ୟାସଭିତ୍ତିକ ଅର୍ଥନୀତିରେ ପରିଣତ କରିବା ନିମନ୍ତେ ଗ୍ୟାସ ସଂଯୋଗୀକରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । କିଛିଦିନ ପୂର୍ବରୁ କୋଚି-ମାଙ୍ଗାଲୁରୁ ଗ୍ୟାସ ପାଇପ ଲାଇନ ଦେଶ ପାଇଁ ଉତ୍ସର୍ଗ ହୋଇଥିଲା । ଧୋବି-ଦୁର୍ଗାପୁର ଗ୍ୟାସ ପାଇପଲାଇନ ନିର୍ମାଣ ଉର୍ଜା ଗଙ୍ଗାଅଭିଯାନକୁ ବଳ ପ୍ରଦାନ କରିଛି । ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବିଛାଯାଇଥିବା ଏହି ପାଇପଲାଇନ ପୂର୍ବ ଭାରତର ସାର କାରଖାନା ସମେତ ଅନ୍ୟାନ୍ୟ ଶିଳ୍ପକୁ ଗ୍ୟାସ ଯୋଗଇବ । ସେହିପରି ତାମିଲନାଡୁର ବିଭିନ୍ନ ସାର ଓ ଅନ୍ୟାନ୍ୟ କାରଖାନାକୁ ଗ୍ୟାସ ଯୋଗାଇବାକୁ ଥିବା ତୁତିକୋରିନ-ରାମନାଥପୁରମ ଗ୍ୟାସ ପାଇପଲାଇନ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ମାନନୀୟ ସଦସ୍ୟଗଣ

୭୦. ମୋ ସରକାର ସହରାଞ୍ଚଳ ବିକାଶକୁ ଏକ ସୁଯୋଗ ଭାବେ ବିବେଚନା କରି ସହରାଞ୍ଚଳ  ଭିତ୍ତିଭୂମି ବିକାଶ ଦିଗରେ ବ୍ୟାପକ ପୁଞ୍ଜି ବିନିଯୋଗ କରିଛି । ଗରୀବଙ୍କ ନିମନ୍ତେ ସହରରେ ଏକ କୋଟିରୁ ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ, ସେଥିରୁ ୪୦ଲକ୍ଷ ଘର ନିର୍ମିତ ହୋଇ ସାରିଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି ଦେଶର ୬ଟି ସହରରେ ଗୃହ ନିର୍ମାଣ କାର୍ଯ୍ୟ କିଛିଦିନ ପୂର୍ବରୁ ଆରମ୍ଭ ହୋଇଛି । ସହରଗୁଡିକରେ କାମ କରୁଥିବା ଶ୍ରମିକ ମାନଙ୍କୁ ସୁଲଭ ମୂଲ୍ୟରେ ଭଡାଘର ଯୋଗାଇ ଦେବା ପାଇଁ ଏକ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

୭୧. ସହରାଞ୍ଚଳ ଭିତ୍ତିଭୂମି ସହ ସଂଶ୍ଳିଷ୍ଟ ସଂଯୋଗୀକରଣକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଆଜି ଦେଶର ୨୭ଟି ମହାନଗରୀରେ ମେଟ୍ରୋ ରେଳ ସେବା ଚାଲୁ ହୋଇଛି । ଅଳ୍ପଦିନ ପୂର୍ବରୁ ଦିଲ୍ଲୀ ମେଟ୍ରୋର ଏକ ରୁଟରେ ଚାଳକବିହୀନ ମେଟ୍ରୋ ସେବା କାର୍ଯ୍ୟକାରୀ ହୋଇଛି  ।ଆଞ୍ଚଳିକ ଦ୍ରୁତ ପରିବହନ ପଦ୍ଧତି ବଳରେ ସହରଗୁଡିକର ସାଧାରଣ ପରିବହନ ବ୍ୟବସ୍ଥାର ବିକାଶ କରାଯାଇଛି । ସାଧାରଣ ଭ୍ରାମ୍ୟମାଣ କାର୍ଡର ସମ୍ପ୍ରସାରଣ ଦେଶର ବିଭିନ୍ନ ସହରର ଯାତ୍ରା ପଥକୁ ସୁଗମ କରିବ ।

ମାନନୀୟ ସଦସ୍ୟଗଣ

୭୨. ମୋ ସରକରାର ପୂର୍ବ ଭାରତରେ ସାମ୍ରଗିକ ତଥା ସନ୍ତୁଳିତ ଉନ୍ନୟନ ନିମନ୍ତେ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଉତ୍ତର-ପୂର୍ବାଞ୍ଚଳର ଅନନ୍ୟ ଭୌଗୋଳିକ, ସାଂସ୍କୃତିକ,ଭାଷାଗତ ଓ ସାମାଜିକ ମୌଳିକତାକୁ ଅକ୍ଷୂର୍ଣ୍ଣ ରଖି ଏହାର ଦ୍ରୁତ ବିକାଶ ନିମନ୍ତେ ଏକ ନୀତି ତ୍ୱରାନ୍ୱିତ ହେଉଛି । ଆସାମ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକ ନିମନ୍ତେ ବ୍ରହ୍ମପୁତ୍ର ନଦୀ ଏକ ଜୀବନଧାରା ସଦୃଶ । ଏହି ଜୀବନରେଖାକୁ  ଆଞ୍ଚଳିକ କାର୍ଯ୍ୟକଳାପର ଭିତ୍ତିଭାବେ ବିବେଚନା କରି କେତେକ ଜାତୀୟ ଜଳପଥ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଚାଲିଛି । ଚାଷୀ ଓ ଉଦ୍ୟୋଗପତିଙ୍କ ସମେତ ଏହା ଉତ୍ତର ପୂର୍ବାଞ୍ଚଳର ସବୁ ଶ୍ରେଣୀର ଲୋକମାନଙ୍କ ହିତ ସାଧନ କରିବ । ଜାତୀୟ ଜଳପଥକୁ ଉନ୍ନତ କରି ବ୍ରହ୍ମପୁତ୍ର ଓ ବରାକ ନଦୀକୁ ବିକାଶ ଧାରାରେ ପରିଣତ କରିବା ପାଇଁ ଉଦ୍ୟମ ହେଉଛି ।

 ୭୩. ସମ୍ବେଦନଶୀଳତା ଓ ସମନ୍ୱୟକୁ ଉପଜୀବ୍ୟ କରି ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ବଜାୟ ରଖିବା ନେଇ ମୋ ସରକାର ଗ୍ରହଣ କରିଥିବା ନୀତି ବର୍ତ୍ତମାନ ସୁଫଳ ଦେବା ଆରମ୍ଭ କରିଛି । ଆଜି ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦ ହ୍ରାସ ପାଇବା ସହ ହିଂସାତ୍ମକ ଘଟଣା ମଧ୍ୟ ବହୁତ କମ୍ ହୋଇଛି । ହିଂସା ରାସ୍ତାରେ ଭ୍ରମିତ ଯୁବଗୋଷ୍ଠୀ ବିକାଶର ମୁଖ୍ୟଧାରା ତଥା ଦେଶଗଠନ ଦିଗରେ ବ୍ରତୀ ହୋଇଛନ୍ତି ।

୭୪. ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ଏକ ଶାନ୍ତି ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ହୋଇଯାଇଛି । ସେହିପରି ବୋଡୋ ଶାନ୍ତି ରାଜିନାମାରେ ସ୍ୱାକ୍ଷରିତ ହୋଇ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ରାଜିନାମା ପରେ ବୋଡୋ ଆଞ୍ଚଳିକ ପରିଷଦ ନିମନ୍ତେ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଛି ।

ମାନନୀୟ ସଦସ୍ୟଗଣ

୭୫. ଦେଶରଏକତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ପ୍ରତ୍ୟେକ ସ୍ତରରେ ମୁକାବିଲା କରିବା ନିମନ୍ତେ ମୋ ସରକାର ଅଙ୍ଗୀକାର ବଦ୍ଧ । ଗୋଟିଏ ପଟରେ ହିଂସା ଉପ୍ରଦୁତ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ହିଂସା ଉସୁକାଉଥିବା ଶକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହାଫଳରେ ନକ୍ସ୍‌ଲ ହିଂସା ହ୍ରାସ ପାଉଥିବା ବେଳେ ନକ୍ସଲ ଉପଦ୍ରବ ଅଞ୍ଚଳ ମଧ୍ୟ ସଙ୍କୁଚିତ ହେବାରେ ଲାଗିଛି ।

୭୬.  ମୋ ସରକାରଙ୍କ ବିକାଶଧର୍ମୀ ନୀତି ଯୋଗୁଁ ଜାମୁ ଓ କାଶ୍ମୀର ଜନସାଧାରଣ ତାହାର ପୂର୍ଣ୍ଣପ୍ରାଣରେ ସମର୍ଥନ କରିଛନ୍ତି । ଅଳ୍ପ କେଇ ସପ୍ତାହ ଆଗରୁ ଜାମ୍ମୁ ଓ କାଶ୍ମୀର ଜିଲ୍ଳା ପରିଷଦ ପାଇଁ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଛି । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହୋଇଥିଲା । ବିପୁଳ ସଂଖ୍ୟକ ମତଦାନରୁ ଏହା ପ୍ରମାଣିତ ହୋଇଛି ଯେ, ଜମ୍ମୁ   ଓ କଶ୍ମୀର ଜନସାଧାରଣ ଏକ ନୂତନ ଭାବେ ନାଯ୍ୟ ହକ୍ ପାଇଥିବାରୁ ସେ ଅଞ୍ଚଳର ଜନସାଧାରଣ ସଶକ୍ତ ହୋଇଛନ୍ତି । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ତ୍ୱରାନ୍ୱିତ ହେବା ଫଳରେ ଜମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ପରିବାର ଉପଚାର ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବା ସୁନିଶ୍ଚିତ ହୋଇଛି । କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକାରର ଏକ ଖଣ୍ଡପୀଠ ଜାମ୍ମୁରେ ପ୍ରତିଷ୍ଠିତ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ  ହେବା ପରେ ଲଦାଖ ସ୍ୱଂୟଶାସିତ ପାର୍ବର୍ତ୍ୟ ପରିଷଦ ନିମନ୍ତେ ଅଳ୍ପ କେଇମାସ ପୂର୍ବରୁ ସଫଳତାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଞ୍ଚଳିକ ବିକାଶ ନିମନ୍ତେ ଲଦାଖବାସୀ ବର୍ତ୍ତମାନ ତ୍ୱରିତ ନିଷ୍ପତ୍ତି ନେଇପାରୁଛନ୍ତି ।

ମାନନୀୟ ସଦସ୍ୟଗଣ 

୭୭, କରୋନା ବୈଶ୍ୱିକ ମହାମାରୀ କାଳରେ ଯେତେବେଳେ ସମଗ୍ର ଦେଶ ଜଟିଳ ପରିସ୍ଥିତି ଦେଇ ଗତି କରୁଥିଲା ଦେଶର ସାମର୍ଥ୍ୟ ପ୍ରତି ସୀମାରେ ଆହ୍ୱାନ ସୃଷ୍ଟି ହୋଇଥିଲା । ଦ୍ୱିପାକ୍ଷିକ ରାଜିନାମାର ସର୍ତ୍ତକୁ ସମ୍ପୂର୍ଣ୍ଣ ବେଖାତିର କରି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ ହୋଇଥିଲା । ମାତ୍ର ଆମର ସୁରକ୍ଷା ବଳ ତତ୍‌କ୍ଷାତତ ସମସ୍ତ ପରାକ୍ରମ ଓ ସାହସର ସହିତ ଏହାର ମୁକାବିଲା କରିବା ସହ ସୀମାର ସ୍ଥିତାବସ୍ଥା ଜାରି ରଖିବା ସହ ଆକ୍ରମଣ ଉଦ୍ୟମ ପଣ୍ଡ କରିଦେଇଥିଲେ । ଆମ ଜବାନମାନଙ୍କ ସଂଯମ, ଧୈର୍ଯ୍ୟ  ଓ ସାହସ ଯୋଗୁଁ ସେମାନେ ପ୍ରଶଂସାର ପାତ୍ର ହୋଇପାରିଥିଲେ । ଗତବର୍ଷ ଜୁନ ମାସରେ ଅସୀମ ଯୋଗ ସ୍ୱୀକାର କରି ଗଲୱାନ ଉପତ୍ୟକାରେ ଆମର ୨୦ଜଣ ଜବାନ ଦେଶ ମାତୃକାର ରକ୍ଷା ପାଇଁ ଅମୂଲ୍ୟ ବଳିଦାନରେ ଦେଲେ । ପ୍ରତ୍ୟେକ ନାଗରିକ ଏହି ଶହୀଦମାନଙ୍କ ନିକଟରେ ଚିରଋଣୀ ରହିବେ ।

୭୮. ମୋ ସରକାର ସଦା ସତର୍କ ଓ ଦେଶର ସ୍ୱାର୍ଥ ରକ୍ଷା ନିମନ୍ତେ ସମ୍ପୂର୍ଣ୍ଣଭାବେ ଅଙ୍ଗୀକାରବଦ୍ଧ । ଦେଶର ସାର୍ବଭୌମତ୍ୱ ରକ୍ଷା ଦିଗରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅତିରିକ୍ତ ସେନା ମୁତୟନ କରାଯାଇଛି  ।

ମାନନୀୟ ସଦସ୍ୟଗଣ

୭୯. ପ୍ରସିଦ୍ଧ ମାଲାୟାଲମ କବି ଭାଲଥୋଲ ଯେ କି ସ୍ୱାଧୀନତାର ସଂଗ୍ରାମ କାଳରେ କାଳଜୟୀ ଦେଶପ୍ରେମରେ ଉଦ୍‌ବୃଦ୍ଧ ସଙ୍ଗୀତ ରଚନା କରିଛନ୍ତି । ତାଙ୍କ ଭାଷାରେ ଭାରତମ ଏନ୍ନା ପେରୁ କେଟଲ ଅଭିମାନ ପୁରାଦମ୍ ଆଙ୍ଗନସ୍ ଅନ୍ତରାଗମ୍‌ତାହା ହେଲା ଯେତେବେଳେ ତୁମେ ଭାରତର ନାଁ ଶୁଣ, ସେତେବେଳେ ତୁମ ହୃଦୟ ଗର୍ବରେ ଫୁଲି ଉଠିବା ଉଚିତ ।

୮୦. ଭବିଷ୍ୟତରେ ଭାରତ ଏକ ବୃହତ୍ତର ଭୂମିକା ତୁଲାଇବାକୁ ଦୃଷ୍ଟିରେ ରଖି ମୋ ସରକାର ଆମର ସାମୁହିକ ପ୍ରସ୍ତୁତିକୁ ମଜବୁତ କରିବାକୁ ବଦ୍ଧ ପରିକର । ଭାରତୀୟ ସଶସ୍ତ୍ରସେନାର ସାମର୍ଥ୍ୟ ବୃଦ୍ଧି ପାଇଁ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆହରଣ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ହେବା ପାଇଁ ଗୁରୁତ୍ୱଆରୋପ କରାଯାଉଛି । ଅଳ୍ପଦିନ ତଳେ ୪୮ହଜାର କୋଟି ଟଙ୍କାର ୮୩ଟି ତେଜସ୍ ଦେଶୀୟ ଯୁଦ୍ଧ ବିମାନ ପ୍ରସ୍ତୁତ କରିବାକୁ ହାଲ୍‌କୁ ସରକାର କହିଛନ୍ତି । ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶହେରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି କେତେକ ଅତ୍ୟାଧୁନିକ ଅସ୍ତଶସ୍ତ୍ର ଯଥା ସୁପରସୋନିକ ଟର୍ପେଡୋ, ଦୃଢ ପ୍ରତିକ୍ର୍ରିୟାଶୀଳ କ୍ଷେପଣାସ୍ତ୍ର, ଟ୍ୟାଙ୍କ ଏବଂ ଦେଶୀ ରାଇଫଲ ଭାରତରେ ତିଆରି କରାଯାଇଛି । ଭାରତ ଏବେ ଦ୍ରୁତଗତିରେ ପ୍ରତିରକ୍ଷା ଉପକରଣ ରପ୍ତାନୀ ବୃଦ୍ଧି ପାଇଁ ଚେଷ୍ଟା ଚଲାଇଛି ।

ମାନନୀୟ ସଦସ୍ୟଗଣ

୮୧. ଭାରତୀୟ ଜାତୀୟ ମହାକାଶ ପ୍ରବର୍ତ୍ତନ ସ୍ୱୀକୃତି କେନ୍ଦ୍ର-ଓଘଝଚଇଉଋ ଦେଶରେ ମହାକାଶ କ୍ଷେତ୍ରରେ ପ୍ରମୁଖ ସଂସ୍କାର ଆଣିବ । ଆମେ ଗର୍ବିତ ଯେ ଇସ୍ରୋ ମହାକାଶ ବିଜ୍ଞାନୀଗଣ ଚନ୍ଦ୍ରଯାନ-୩, ଗଗନ ଯାନ ଓ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିପଡିଛନ୍ତି । ଆଣବିକ ଶକ୍ତି କ୍ଷେତ୍ରରେ ମଧ୍ୟ ଦେଶ ଆତ୍ମ ନିର୍ଭରଶୀଳ ହେବା ଲାଗି ଦୃତ ଅଗ୍ରସର ହେଉଛି । କିଛିମାସ ପୂର୍ବରୁ ଦେଶର ପ୍ରଥମ ସ୍ୱଦେଶୀ ପ୍ରସ୍ତୁତ ଭାରୀଜଳ ରିଆକ୍ଟରକୁ କାକରାପୁରଠାରେ ସଫଳତାର ସହ ପରୀକ୍ଷା କରାଯାଇଛି ।

ମାନନୀୟ ସଦସ୍ୟଗଣ

୮୨. ବିକାଶ ସହ ପରିବେଶ ନିରାପତ୍ତା ପ୍ରତି ମଧ୍ୟ ମୋ ସରକାର ଅଗ୍ରାଧିକାର ଦେଉଛି । ଏହାକୁ ଏକ ସଂକଳ୍ପଭାବେ ଗ୍ରହଣ କରି ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳ  ନିର୍ଗମନ ମାତ୍ରା ହ୍ରାସ ଶତକଡା ୩୩ ରୁ ୩୫ଭାଗ ହ୍ରାସ ପାଇଁ ଚେଷ୍ଟା ଚାଲିଛି । ପ୍ୟାରିସ ରାଜିନାମା ତ୍ୱରାନ୍ୱିତ କରିବାରେ ଭାରତ କେତେକ ଆଗୁଆ ଦେଶମାନଙ୍କ ସହ ସାମିଲ ହୋଇଛି ।

୮୩. କିଚ୍ଛ୍ ମରୁଭୂମିରେ ବିଶ୍ୱର ସର୍ବବୃହତ ଅଧିକ ଉତ୍ପାଦନକ୍ଷମ ଅକ୍ଷୟ ଶକ୍ତି ଉଦ୍ୟାନ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ଛଅବର୍ଷ ମଧ୍ୟର ଭାରତ ଅକ୍ଷୟ ଶକ୍ତି ସାମର୍ଥ୍ୟ ଅଢେଇଗୁଣ ବୃଦ୍ଧି ପାଇଥିବାବେଳେ ସୌରଶକ୍ତି ସାମର୍ଥ୍ୟ ୧୩ଗୁଣ ବୃଦ୍ଧି ପାଇଛି । ଆଜି ଦେଶର ଏକ ଚତୁର୍ଥାଂଶ ଶକ୍ତି ଉତ୍ପାଦନ ଅକ୍ଷୟ ଶକ୍ତି ଉତ୍ସରୁ ଆହରଣ କରାଯାଉଛି ।

ମାନନୀୟ ସଦସ୍ୟଗଣ

୮୪. କରୋନା ବୈଶ୍ୱିକ ମହାମାରୀ କାଳରେ ମଧ୍ୟ ଭାରତ କିପରି ତାର ବୈଶ୍ୱିକ ଦାୟିତ୍ୱ ନିର୍ବାହ କରିଛି ସମଗ୍ର ବିଶ୍ୱ ତାର ସାକ୍ଷୀ ରହିଛି । ବସୁଧୈବ କୁଟୁମ୍ବକମ୍‌ମନ୍ତ୍ରରେ ଅନୁପ୍ରାଣିତ ହୋଇ ଭାରତ ନିଜର ଚାହିଦା ପୂରଣ କରିବା ସହ ୧୫୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇଛି । ବିଶ୍ୱସ୍ତରରେ ଟିକା ଉପଲବ୍ଧ କରାଇବା ପାଇଁ ଭାରତ ଅଙ୍ଗୀକାରବଦ୍ଧ । ବିଶ୍ୱରେ ବୃହତ୍ତମ ଅଭିଯାନଭାବେ ପରିଗଣିତ ବନ୍ଦେ ଭାରତ ମିଶନ ଆଜି ଦେଶ ପାଇଁ ଗୌରବ ଆଣି ଦେଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ଲକ୍ଷ ଭାରତୀୟଙ୍କୁ ସ୍ୱଦେଶ ଆଣିବା ସହ ଏକ ଲକ୍ଷରୁ ଉର୍ଦ୍ଧ୍ୱ ବିଦେଶୀ ନାଗରିକଙ୍କୁ ସୁରକ୍ଷିତଭାବେ ସେମାନଙ୍କ ଦେଶକୁ ପଠାଇ ପାରିଛି ।

୮୫. କୋଭିଡ-୧୯ର ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଅନ୍ୟାନ୍ୟ ଦେଶଗୁଡିକ ସହ ନିଜର ସମ୍ପର୍କ ମଜବୁତ ରଖିବାରେ ସକ୍ଷମ ହୋଇଛି । ଏହି ସମୟ ମଧ୍ୟରେ ଭାରତ ଅନେକ ଶିଖର ସମ୍ମିଳନୀରେ, ବହୁମୁଖି କାର୍ଯ୍ୟକ୍ରମମାନ ଆୟୋଜନ କରି ଆନ୍ତର୍ଜାତିକ ସହଯୋଗକୁ ଶକ୍ତିଶାଳୀ କରିଛି । ଅଷ୍ଟମଥର ନିମନ୍ତେ ଚଳିତବର୍ଷ ଭାରତ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟଭାବେ ରହି ମଧ୍ୟ ଐତିହାସିକ ଆନ୍ତର୍ଜାତିକ ସମର୍ଥନ ଲାଭ କରିଛି । ୨୦୨୧ ନିମନ୍ତେ ଭାରତ ବ୍ରିକ୍ସ ପାଇଁ ଅଧ୍ୟକ୍ଷ ପଦବୀ ମଧ୍ୟ ହାସଲ କରିଛି ।

ମାନନୀୟ ସଦସ୍ୟଗଣ

୮୬.  ଆଜି ଭାରତ ବିଶ୍ୱରେ ଅଗ୍ରଗାମୀ ହେଉଥିବାବେଳେ ଆମର ନୂତନ ପରିଚୟ ପାଇଁ କେତେକ କର୍ତ୍ତବ୍ୟ ସମ୍ପାଦନ ମଧ୍ୟ ଜରୁରୀ ହୋଇପଡିଛି । ନିକଟରେ ଦେଶ ଜାନୁୟାରୀ ୨୩, ନେତାଜୀ ସୁଭାଷ ବୋଷଙ୍କ ଜନ୍ମତିଥିକୁ ପରାକ୍ରମ ଦିବସଭାବେ ପାଳନ କରିଛି । ଏହିବର୍ଷ ଆମେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛୁ । ଏହାକୁ ଉଲ୍ଲେଖନୀୟ ଭାବେ ପାଳନ କରିବା ପାଇଁ ମୋ ସରକାର  ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ଆମେ ପ୍ରଗାଢ ନିଷ୍ଠା ଓ ଭକ୍ତିର ସହ ଗୁରୁ  ତେଗ୍ ବାହାଦୁରଙ୍କ ଚାରିଶହ ତମ ପ୍ରକାଶ ପର୍ବ ମଧ୍ୟ ପାଳନ କରିବୁ । ଏସବୁ ସହ ଦେଶ ସ୍ୱାଧୀନ ହେବାର ୭୫ତମ ପୂର୍ତ୍ତ ଅମୃତ ମହୋତ୍ସବ ପାଳନ ସମ୍ବତ୍ସର ମଧ୍ୟ ଏହିବର୍ଷଠାରୁ ଆରମ୍ଭ ହେବ ।

ମାନନୀୟ ସଦସ୍ୟଗଣ

୮୭. ଗତବର୍ଷ ଭଳି ସମ୍ମିଳିତ ଶକ୍ତି ଓ ଏକତା ବଳରେ ଆଗକୁ ନୂତନ ଲକ୍ଷ୍ୟ ହାସଲ କରିବାକୁ ହେବ । ଗତ କିଛିବର୍ଷ ମଧ୍ୟରେ ଦେଶ ଅନେକ କଷ୍ଟ ସାଧ୍ୟ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇଛି ।

-ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରର ଜନସାଧାରଣ ନୂତନ ସୁବିଧା ହାସଲ କରିଛନ୍ତି ।

- ନାଗରିକ ସଂଶୋଧନ ଆଇନ ସଂସଦରେ ପାରିତ ହୋଇଛି ।

-ସେନା ମୁଖ୍ୟ ପଦବୀ ସୃଷ୍ଟି ଯୋଗୁଁ ଦେଶ ଲାଭାନ୍ୱିତ ହୋଇଛି ।

-ସଶସ୍ତ୍ର ସେନାରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଛି ।

-ସୁପ୍ରିମକୋର୍ଟଙ୍କ ରାୟ ପରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

- ବ୍ୟବସାୟିକ ସୁଗମତା ଯୋଗୁଁ ଦେଶର ଉନ୍ନତି ହୋଇଛି । ବର୍ତ୍ତମାନ ଅନୁପାଳନ ବୋଝ ଲାଘବ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।

-ବିଶ୍ୱ ପର୍ଯ୍ୟଟନ ସୂଚୀରେ ଭାରତ ୬୫ରୁ ୩୪ ସ୍ଥାନକୁ  ଉନ୍ନୀତ ହୋଇଛି ।

-ଆଗରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ପ୍ରତ୍ୟାଖ୍ୟାତ ହୋଇଥିବାବଳେ ଗତ ଛଅବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ୧୩ଲକ୍ଷ କୋଟି ଟଙ୍କାର ସୁବିଧା ମିଳିଛି ।

-ପୂର୍ବରୁ ଆମର ମାତ୍ର ଦୁଇଟି ମୋବାଇଲ ଫୋନ କାରଖାନା ଥିବାବେଳେ ଆଜି ଭାରତ ମୋବାଇଲ ପ୍ରସ୍ତୁତିରେ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

- ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଓ ବିକାଶ ଆଇନ ଅଧୀନସ୍ଥ ରିୟଲ ଇଷ୍ଟେଟ  ନିୟନ୍ତ୍ରଣ ପ୍ରାଧିକରଣ ଯୋଗୁଁ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ୍ତତ୍ତ ଶ୍ରେଣୀୟ ନାଗରିକ ଆଜି ଉପକୃତ ହୋଇଛନ୍ତି ।

-ଏହି ସମୟ ମଧ୍ୟରେ କେବଳ ନୂଆ ଆଇନ ପାସ୍ ହୋଇନାହିଁ ବରଂ ୧୫ଶହ ମାନ୍ଧାତା ଅମଳର ଅଯୌକ୍ତିକ ଆଇନ ରଦ୍ଦ ହୋଇଛି ।

୮୮. ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଅନେକ ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ଲକ୍ଷ୍ୟ ଉଚ୍ଚା ଓ ଏହାର ଅଭିପ୍ରାୟ ସ୍ପଷ୍ଟ ସେତେବେଳେ ପରିବର୍ତ୍ତନ ଯେ ଆବଶ୍ୟମ୍ଭବୀ ଏହା ମୋ ସରକାର କରି ଦେଖାଇଛି । ମୋ ସରକାର ଯୋଗୁଁ ଯେଉଁମାନଙ୍କ ଜୀବନରେ ପରିବର୍ତ୍ତନ ଆସିଛି ତାର ତାଲିକା ବହୁତ ଲମ୍ବା ।

-ଅଢେଇ କୋଟିରୁ ଅଧିକ ବିଦ୍ୟୁତ ସଂଯୋଗ ପ୍ରଦାନ, ଯାହା ଫଳରେ ପ୍ରତ୍ୟେକ ଗରୀବ ଘର ବିଜୁଳି ଆଲୁଅରେ ଆଲୋକିତ ହେବ ।

-ଗରୀବ ଓ ମଧ୍ୟବିତ୍ତ ପରିବାରରେ ବିଦ୍ୟୁତ  ବାବଦ ଦେୟ ଲାଘବ କରିବା ପାଇଁ ୩କୋଟିରୁ ଅଧିକ ଏଲ.ଇ.ଡି ବଲ୍‌ବ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇଛି ।

-ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାତ୍ର ଗୋଟିଏ ଟଙ୍କା ପ୍ରିମିୟମରେ ୨୧କୋଟିରୁ ଉର୍ଦ୍ଧ୍ୱ ଲୋକ ସାମିଲ। ଏହା ଫଳରେ କୌଣସି ଦୁର୍ଘଟଣା ଯୋଗୁଁ ଗରୀବ ବ୍ୟକ୍ତିଙ୍କୁ ଇଆଡେ ସିଆଡେ ଧାଁ ଧପଡ କରିବାକୁ ପଡିବ ନାହିଁ ।

-ଦିନକୁ ମାତ୍ର ୯୦ ପଇସା ପ୍ରିମିୟମରେ ପ୍ରାୟ ସାଢେ ନଅକୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ସାମିଲ କରାଯାଇଛି । ଘର ମୁଖିଆଙ୍କ ମୃତ୍ୟୁ ହେଲେ ପରିବାରକୁ ସହାୟତା ମିଳିବ । 

-ଗରୀବ ପରିବାର ସନ୍ତାନ ସନ୍ତତି ଯେପରି ଗୁରୁତର ବ୍ୟାଧିରେ ପୀଡିତ ନ ହେବେ ସରକାର ବିଭିନ୍ନ ରୋଗ ପାଇଁ ଟୀକାକରଣ ବୃଦ୍ଧି କରିବା ସହ ଏହି ଅଭିଯାନକୁ ଆଗରୁ ଲାଗୁ ହେଉ ନ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳର ଲାଗୁ କରିଛନ୍ତି ।

- ମିଶନ ଇନ୍ଦ୍ରଧନୁଷ ଅଧୀନରେ ସାଢେ ତିନିକୋଟିରୁ ଅଧିକ ଶିଶୁକୁ ଟୀକା ଲଗାଯାଇଛି ।

-ଗରୀବ ଲୋକମାନଙ୍କ ରାସନ ସୁବିଧା ପାଇଁ ଶତପ୍ରତିଶତ ରାସନ କାର୍ଡର ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଥିବାବେଳେ ଶତକଡା ୧୯୦ଭାଗ କାର୍ଡ ଆଧାର ସହ ସଂଯୋଗ ହୋଇଛି ।

-ଉଜ୍ଜଳା ଯୋଜନା ଅଧୀନରେ ଆଠକୋଟିରୁ ଅଧିକ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ଯାହାଫଳରେ ଗରୀବ ଘରର ମାଆ ଭଉଣୀମାନେ ରୋଷେଇ ଘର ଧୂଆଁର ପ୍ରଭାବରୁ ମୁକ୍ତ ରହିପାରିବେ ।

-ସ୍ୱଚ୍ଛ ଭାରତ ମିଶନ ଅଭିଯାନ ଅଧୀନରେ ଦଶକୋଟିରୁ ଅଧିକ ଶୌଚାଳୟ ନିର୍ମିତ ହୋଇଛି ଯାହାଫଳରେ ଗରୀବ ପରିବାରର ମାଆ ଉଭଣୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

-ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ଆରମ୍ଭ  କରାଯାଇଛି, ଯାହା ଫଳରେ ଗରୀବ ପରିବାରର ଭାଇ, ଉଉଣୀ ଯେଉଁମାନେ ଘରୋଇ ଚାକରବାକର, ଡ୍ରାଇଭର, ମୋଚି, ଇସ୍ତ୍ରୀ କରୁଥିବା ବ୍ୟକ୍ତି, କୃଷକ ଇତ୍ୟାଦି ପେନସନ୍ ପାଇପାରିବେ ।

-ଗରୀବ ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ନିମନ୍ତେ ୪୧କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇଛି । ଏଥିରୁ ଅଧାରୁ ଅଧିକ ଖାତା ଗରୀବ ଘରର ମହିଳାମାନଙ୍କ ନାମରେ ଖୋଲାଯାଇଛି ।

ମାନନୀୟ ସଦସ୍ୟଗଣ

୮୯- ଏସବୁ କେବଳ ସଂଖ୍ୟା ମଧ୍ୟରେ ସୀମାବଦ୍ଧ ନୁହେଁ । ପ୍ରତ୍ୟେକ ସଂଖ୍ୟା ଗୋଟେ ଗୋଟେ ଜୀବନ କାହାଣୀ । ସଂସଦର ଅନେକ ସଦସ୍ୟ ଏହିପରି ଅନେକ ଦୁଃଖ କଷ୍ଟ ମଧ୍ୟରେ ଜୀବନ ମଧ୍ୟ ଅତିବାହିତ କରିଥିବେ । ଯେତେ ଦୂର ସମ୍ଭବ ଆମେ ଯଦି ଆମ ଗରୀବ  ଭାଇଭଉଣୀଙ୍କ ଦୁଃଖ, କଷ୍ଟ ଦୂର କରି ସେମାନଙ୍କୁ ସଶକ୍ତି କରିବା, ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବା ସେମାନଙ୍କର ଆତ୍ମ ସମ୍ମାନ ବୃଦ୍ଧି କରିବ । ତେବେ ଯାଇ ଆମର ସଂସଦର ଉପସ୍ଥିତି ସାକାର ହେବେ ।

୯୦. ମୁଁ ଗର୍ବିତ ମୋ ସରକାର ଗତ ଛଅ ବର୍ଷ ମଧ୍ୟରେ ଏ ଦିଗରେ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛି । ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧତା ନିଷ୍ଠାର ସହ ନିଷ୍ପତ୍ତି ନେଇ ତାହାକୁ ତ୍ୱରାନ୍ୱିତ କରୁଛି ।

ମାନନୀୟ ସଦସ୍ୟଗଣ

୯୧. ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ଜ୍ୟେଷ୍ଠଭ୍ରାତା ତଥା ସାହସ, ଆଧ୍ୟାତ୍ମିକତା ଓ ମେଧାର ଭୂମି ପଶ୍ଚିମବଙ୍ଗର ସୁଯୋଗ ସନ୍ତାନ ଜ୍ୟୋତିରିନ୍ଦ୍ର ନାଥ ଟାଗୋର ତାଙ୍କ  ଶକ୍ତିଶାଳୀ ଦେଶପ୍ରେମ ସଙ୍ଗୀତରେ କହିଛନ୍ତି :

ଚାଲୋରେ ଚଲୋ ସୋବେ ଭାରତ ସନ୍ତାନ

ମାତୃଭୂମି କୋରେ ଆହ୍ୱାନ

ବୀର ଦର୍ପେ, ପୌରୁଷ ଗର୍ବେ

ସାଧରେ ସାଧ ଶୋଭେ ଦେଶୋର କଲ୍ୟାନ

ମାତୃଭୂମି ଭାରତମାତାର ସମସ୍ତ ସନ୍ତାନକୁ ହାତ ଠାରି ଡାକୁଛି ଏକ ହୋଇ ଆଗେଇ ଚାଲ, ଆତ୍ମ ସମ୍ମାନର ସହ ଦେଶର କଲ୍ୟାଣ ଆଶାରେ ଆଗେଇ ଚାଲ ।

ଆସନ୍ତୁ

ସମସ୍ତ ନାଗରିକ ଆଗେଇ ଯିବା

ଦେଶ ଗଠନ ପାଇ ଆମ କର୍ତ୍ତବ୍ୟ କରିଯିବା ।

ଆସନ୍ତୁ ଆତ୍ମ ନିର୍ଭର ଭାରତ ଗଠନ କରିବା

ମୁଁ ଆପଣ ସମସ୍ତଙ୍କ ଶୁଭକାମନା କରୁଛି ।

ଜୟହିନ୍ଦ୍‌

******

JP/SM/SLP

           

                                     



(Release ID: 1693454) Visitor Counter : 318