ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣାସୀରେ କୋଭିଡ୍ ଟିକାକରଣ ଅଭିଯାନର ହିତାଧିକାରୀ ଓ ଟିକାକରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ କାର୍ଯ୍ୟକ୍ରମର ସାରାଂଶ

Posted On: 22 JAN 2021 5:57PM by PIB Bhubaneshwar

ହର-ହର ମହାଦେବ

ବାରାଣାସୀର ସବୁ ଲୋକଙ୍କୁ ବାରାଣାସୀର ଏହି ସେବକର ପ୍ରଣାମ । ଏହି କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ସମସ୍ତ ବିଶିଷ୍ଟ ଡାକ୍ତର, ମେଡିକାଲ୍ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ହସ୍‌ପିଟାଲରେ ଯେଉଁମାନେ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି, ପରିସ୍କାର ପରିଛନ୍ନତା ରକ୍ଷା କରନ୍ତି ସେମାନେ ଆମର ସାଥୀ, ସମସ୍ତ ଭାଇ ଭଉଣୀ, କରୋନା ଟିକା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ, କରୋନା ଟିକା ପାଇବାକୁ ଥିବା ସମସ୍ତ ବ୍ୟକ୍ତିବିଶେଷ, ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏମିତି ତ, ଏପରି ସମୟରେ ମତେ ଆପଣଙ୍କ ସହ ରହିବା ଉଚିତ୍ । କିନ୍ତୁ ପରିସ୍ଥିତି ଏପରି ହୋଇଛି ଯେ ଆମକୁ ଭର୍ଚୁଆଲ୍ ମାଧ୍ୟମରେ ଦେଖା କରିବାକୁ ପଡୁଛି । କିନ୍ତୁ ଏହା ସତ୍ୟ ଯେ କାଶୀରେ, ମୁଁ ଯେତିିକି ବି କରିପାରିବି, ସେସବୁ କରିବା ପାଇଁ ସର୍ବଦା ପ୍ରୟାସ କରେ ।

ବନ୍ଧୁଗଣ,

ବର୍ଷ 2021ର ପ୍ରାରମ୍ଭ ଖୁବ୍ ଶୁଭ ସଙ୍କଳ୍ପ ସହିତ ହୋଇଛି । ଏବଂ କାଶୀ ବିଷୟରେ ଏହା ହିଁ କୁହାଯାଏ ଯେ କାଶୀର ସ୍ପର୍ଶ ମାତ୍ରେ ହିଁ ଶୁଭାଶୀଷ ସିଦ୍ଧିରେ ପରିବର୍ତ୍ତିତ ହୋଇଥାଏ । ଏହି ସିଦ୍ଧିର ପରିଣାମ ହେଉଛି ଯେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆମ ଦେଶରେ ଚାଲିଛି । ଏବଂ ତାହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ 30 କୋଟି ଦେଶବାସୀଙ୍କୁ ଟିକା ପ୍ରଦାନ କରାଯାଉଛି । ଆଜି ଦେଶରେ ଏଭଳି ବାତାବରଣ ସୃଷ୍ଟି ହୋଇଛି, ଏମିତି ଇଚ୍ଛାଶକ୍ତି ଉଜ୍ଜୀବିତ ହୋଇଛି ଯାହାଫଳରେ ଦେଶ ନିଜର ପ୍ରତିଷେଧକ ପ୍ରସ୍ତୁତ କରୁଛି । ସେ ବି ଗୋଟିଏ ନୁହେଁ, ଦୁଇ-ଦୁଇଟି ଭାରତରେ ପ୍ରସ୍ତୁତ ପ୍ରତିଷେଧକ । ଆଜି ଦେଶର ପ୍ରସ୍ତୁତି ଏଭଳି ଯେ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପ୍ରତିଷେଧକ ତ୍ୱରିତ ଗତିରେ ପହଂଚୁଛି ଏବଂ ଆଜି ବିଶ୍ୱର ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ନେଇ ଭାରତ ସମ୍ପୂର୍ଣ୍ଣରୂପେ ଆତ୍ମନିର୍ଭର ଅଟେ । କେବଳ ଏତିକି ନୁହେଁ, ଭାରତ ଅନେକ ଦେଶକୁ ସହାୟତା ମଧ୍ୟ କରୁଛି ।

 

ବନ୍ଧୁଗଣ,

ଗତ 6 ବର୍ଷ ମଧ୍ୟରେ ବାରାଣାସୀ ଓ ଆଖପାଖର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେଉଁ ବୃହତ ପରିବର୍ତନ ଆସିଛି ତାହାଦ୍ୱାରା ସମଗ୍ର ପୂର୍ବାଞ୍ଚଳକୁ କରୋନା କାଳରେ ବହୁତ ସହାୟତା ମିଳିଛି । ଏବେ ବାରାଣାସୀ ପ୍ରତିଷେଧକ ନିମନ୍ତେ ସେହିଭଳି ବେଗରେ ଆଗକୁ ବଢିଚାଲିଛି । ମତେ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ବାରାଣାସୀରେ ପାଖାପାଖି 20ହଜାରରୁ ଅଧିକ ସ୍ୱାସ୍ଥ୍ୟବୃତିଧାରୀଙ୍କୁ ଟିକା ଲଗାଯାଇଛି । ଏଥିପାଇଁ 15ଟି ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି । ମୁଁ ଏହି ସମ୍ପୁର୍ଣ୍ଣ ଅଭିଯାନ ପାଇଁ ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଉଛି, ଯୋଗୀଜୀଙ୍କ ସରକାରକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।ପ୍ରତ୍ୟେକ ବିଭାଗର ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି

ସାଥୀଗଣ,

ଏଠି ବାରାଣାସୀରେ ଆପଣମାନଙ୍କର କି ଅନୁଭୂତି ରହିଛି, ପ୍ରତିଷେଧକରେ କଣ କିଛି ଅସୁବିଧା ନାହିଁ ତ? ଏହିସବୁ ବିଷୟରେ ଜାଣିବା ପାଇଁ ମୁଁ ଆଜି ଆପଣମାନଙ୍କ ଗହଣରେ ଉପସ୍ଥିତ ଅଛି । ଭର୍ଚୁଆଲ ମାଧ୍ୟମରେ ଆମେ କଥାବାର୍ତ୍ତା ହେବା । ମୁଁ ଆଜି କୌଣସି ଭାଷଣ ଦେବାକୁ ଆସିନାହିଁ । ଏବଂ ମତେ ଲାଗୁଛି ଯେ ମୋର କାଶୀ ଓ ମୋ କାଶୀର ଲୋକ, ସେମାନଙ୍କର ଯେଉଁ ମତାମତ ରହିଛି, ସେସବୁ ଅନ୍ୟାନ୍ୟ ସମୟରେ ମଧ୍ୟ କାମରେ ଆସିବ । ଆପଣମାନେ ନିଜେ ମଧ୍ୟ ଟିକା ନେଇଛନ୍ତି ଏବଂ ଟିକାକରଣ ଅଭିଯାନରେ ମଧ୍ୟ ସାମିଲ ହୋଇଛନ୍ତି, ଅର୍ଥାତ୍ ପ୍ରତ୍ୟେକ ପ୍ରକାରର ଲୋକ ଉପସ୍ଥିତ ଅଛନ୍ତି । ଏବଂ ମତେ କୁହାଯାଇଛି ଯେ ସର୍ବପ୍ରଥମେ ଯାହାଙ୍କ ସହିତ ମୋତେ କଥାବାର୍ତା ହେବା ପାଇଁ ସୁଯୋଗ ମିଳିବାକୁ ଯାଉଛି ବୋଧହୁଏ ସେ ବାରାଣାସୀ ଜିଲ୍ଲା ହସ୍‌ପିଟାଲର ଅଧିକ୍ଷକ ଭଉଣୀ ପୁଷ୍ପାଜୀ । ସେ ମୋ ସହିତ କଥା ହେଉଛନ୍ତି ।

ମୋଦୀଜୀ - ପୁଷ୍ପା ଜୀ ନମସ୍କାର ।

ପୁଷ୍ପା ଜୀ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମୋର ପ୍ରଣାମ । ମୋ ନାଁ ପୁଷ୍ପା ଦେବୀ । ମୁଁ ଜିଲ୍ଲା ମହିଳା ଚିକିତ୍ସାଳୟରେ ଅଧିକ୍ଷକ ଦାୟିତ୍ୱରେ ଅଛି । ଏବଂ ମୁଁ ଗୋଟିଏ ବର୍ଷ ହେବ ଅଧିକ୍ଷକ ଦାୟିତ୍ୱ ତୁଲାଇ ଆସୁଛି ।

ମୋଦୀଜୀ - ଆଚ୍ଛା ଆଜି ସର୍ବପ୍ରଥମମେ, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି କାରଣ ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକ ମିଳିଛି । ଗୋଟିଏ ସମୟ ଥିଲା ଯେତେବେଳେ କରୋନାର ନାଁ ଶୁଣିବା ମାତ୍ରେ ହିଁ ଲୋକମାନେ ଡରିଯାଉଥିଲେ । ପୁଷ୍ପା ଜୀ ମୁଁ ଏବେ ଜାଣିବାକୁ ଚାହୁଁଛି ଯେ, ଆଜି ଯେତେବେଳେ ଦେଶ ଆପଣଙ୍କୁ ଶୁଣିବାକୁ ଚାହୁଁଛି, ମୁଁ ବି ଶୁଣିବାକୁ ଚାହୁଁଛି, ଆପଣ କଣ କହିବାକୁ ଚାହିଁବେ?

ପୁଷ୍ପାଜୀ ମୁଁ କରୋନାର ପ୍ରତିଷେଧକ ପାଇଁ ସର୍ବପ୍ରଥମେ ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କ ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମେ ଆପଣଙ୍କ ଦ୍ୱାରା ସ୍ୱାସ୍ଥ୍ୟ ବିଭାଗକୁ ଚୟନ କରାଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 16ତାରିଖରେ ସର୍ବପ୍ରଥମେ ମତେ ବି ଟିକା ଲଗାଯାଇଥିଲା । ମୁଁ ପ୍ରତିଷେଧକଯୁକ୍ତ ହୋଇଯାଇଛି ଏବଂ ନିଜକୁ ବହୁତ ସୌଭାଗ୍ୟଶାଳୀ ମନେ କରୁଛି । ଏଥିପାଇଁ ସୌଭାଗ୍ୟଶାଳୀ ଅଟେ କାରଣ ମତେ ଟିକା ଲଗାଯାଇଛି ଏବଂ ଏଥିସହିତ ମୁଁ ସୁରକ୍ଷିତ ଅନୁଭବ କରୁଛି, ମୋର ପରିବାରକୁ ସୁରକ୍ଷିତ ଭାବୁଛି, ସମାଜକୁ ସୁରକ୍ଷିତ ଭାବୁଛି । ମହାଶୟ ଏଥିସହିତ, ଆମର ଯେଉଁ ନର୍ସିଂ କର୍ମଚାରୀ ଅଛନ୍ତି, ସ୍ୱାସ୍ଥ୍ୟକର୍ମୀ ଅଛନ୍ତି, ଏହି ଟିକା ଲଗାଇବା ପାଇଁ ମୁଁ ସମସ୍ତଙ୍କୁ ପ୍ରବର୍ତାଉଛି, ସେମାନଙ୍କୁ କହୁଛି ଯେ ଏହାଦ୍ୱାରା ମୋର କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନାହିଁ । ଟିକା ଲଗାଇବା ଦ୍ୱାରା ମତେ କୌଣସି ପ୍ରକାରର ଅସୁବିଧା ବି ହୋଇନାହିଁ । ଯେମିତି ଅନ୍ୟ ଇଞ୍ଜେକ୍‌ସନ୍ ଲଗାଯାଏ, ମତେ ଏହି ଇଞ୍ଜେକସନ୍ ସେହିପରି ଲାଗିଲା । ଏଣୁ ଆପଣମାନେ ସମସ୍ତେ ଆଗଭର ହୋଇ ଏହି ଟିକା ଲଗାନ୍ତୁ । ତାହାହେଲେ ଆପଣମାନେ ସୁରକ୍ଷିତ ରହିବେ, ଆପଣମାନଙ୍କ ପରିବାର ସୁରକ୍ଷିତ ରହିବ ଏବଂ ଆପଣଙ୍କ ସମାଜ ମଧ୍ୟ ସୁରକ୍ଷିତ ରହିବ ।

ମୋଦୀ ଜୀ - ପୁଷ୍ପାଜୀ, ଆପଣଙ୍କଭଳି ଲକ୍ଷ ଲକ୍ଷ କୋଟି କୋଟି ଅଗ୍ରଣୀ ଯୋଦ୍ଧା ଏବଂ 130କୋଟି ଦେଶବାସୀଙ୍କ ପାଇଁ ଏହା ଏକ  ସଫଳତା ଅଟେ । ଭାରତରେ ପ୍ରସ୍ତୁତ ପ୍ରତିଷେଧକ ଆମ ସମସ୍ତଙ୍କ ପାଇଁ ମଧ୍ୟ ଗର୍ବର ବିଷୟ ଏହା କହିବା ବାହୁଲ୍ୟ । ଆଛା କୁହାନ୍ତୁ ତ ଯେମିତି ଆପଣ କହିଲେ, ଆପଣଙ୍କର କୌଣସି ଅସୁବିଧା ହେଲା ନାହିଁ, କୌଣସି ସାମାନ୍ୟ ପ୍ରଭାବ ମଧ୍ୟ ପଡିଲା ନାହିଁ । ଅର୍ଥାତ୍ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କାହାକୁ ମଧ୍ୟ ଏକଥା କହିପାରିବେ ଯେ, ଏହା ଏକ ସୁଖଦ ଅନୁଭବ ଅଟେ ।

ପୁଷ୍ପାଜୀ -  ଆଜ୍ଞା

ମୋଦୀ ଜୀ -  କୁହନ୍ତୁ ପୁଷ୍ପାଜୀ

ପୁଷ୍ପାଜୀ -  ଆଜ୍ଞା ସାର୍‌

ମୋଦୀ ଜୀ ମୋ କଥା ଆପଣଙ୍କୁ ଶୁଭୁଛି?

ପୁଷ୍ପା ଜୀ - ଆଜ୍ଞା ସାର୍ ।

ମୋଦୀ ଜୀ କଥା ହେଉଛି କି ଆପଣଙ୍କୁ ଏହା ଏକ ନିୟମିତ ପ୍ରତିଷେଧକ ଭଳି ଲାଗିଲା । କିଛି ଲୋକଙ୍କ ମନରେ କିଛି ଆଶଙ୍କା ରହୁଛି । ତେଣୁ ଆପଣ ତ ସ୍ୱାସ୍ଥ୍ୟଜଗତ ସହ ଯୋଡି ହୋଇଛନ୍ତି ଏବଂ ଆପଣ ନିଜେ ଏହି ଟିକା ନେଇଛନ୍ତି । ତାହାହେଲେ ଏମିତି କିଛି କଥା କୁହନ୍ତୁ ଯାହାଦ୍ୱାରା ଲୋକଙ୍କୁ ବିଶ୍ୱାସ ମିଳିବ ।

ପୁଷ୍ପାଜୀ ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ଦେବା ଦରକାର ଯେ ଦେଖନ୍ତୁ ଏହି ପ୍ରତିଷେଧକ ଟିକା ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । ଏବଂ ଆମର ମାନନୀୟ ପ୍ରଧାନମନ୍ତ୍ରୀ 9 ମାସ ମଧ୍ୟରେ ପ୍ରତିଷେଧକ ଟିକା ଉପଲବ୍ଧ କରାଇଛନ୍ତି, ଯାହାଦ୍ୱାରା ଭାରତରେ ସର୍ବପ୍ରଥମେପ୍ରତିଷେଧକ ଟିକା ଲଗାଇବା ଆରମ୍ଭ ହୋଇଛି ।ଏବଂ ଏହି ଟିକା ଲଗାଇବା ଦ୍ୱାରା ଆପଣମାନେ ସମ୍ପୁର୍ଣ୍ଣ ସୁରକ୍ଷିତ ରହିପାରିବେ ଏବଂ ଟିକା ଲଗାଇବା ଦ୍ୱାରା କୌଣସି ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେବ ବା ଏହାଦ୍ୱାରା କୌଣସି  କ୍ଷତି ହେବ ଏଭଳି କୌଣସି ପ୍ରକାରର ଭୟ ଆପଣମାନେ ମନରେ ଆଣନ୍ତୁ ନାହିଁ । ତେଣୁ ସମସ୍ତଙ୍କୁ  ନିଜ ମନରୁ ଭୟକୁ ହଟାଇଦେଇ ଟିକା ଲଗାଇବାକୁ ପଡିବ ।

ମୋଦୀଜୀ ଠିକ୍ ଅଛି ପୁଷ୍ପାଜୀ, ଆପଣ ସତ କଥା କହିଛନ୍ତି । କୌଣସି ଟିକା ପ୍ରସ୍ତୁତ କରିବା ପଛରେ ଆମ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ନିହିତ ଥାଏ ଏବଂ ଏକ ସମ୍ପୁର୍ଣ୍ଣ ବୈଜ୍ଞାନିକ ପ୍ରକ୍ରିୟା ଦ୍ୱାରା ଏହା ପ୍ରସ୍ତୁତ ହୋଇଥାଏ । ଏବଂ ଆପଣମାନେ ଶୁଣିଥିବେ, ପ୍ରଥମରୁ ମୋ ଉପରେ ବହୁତ ଚାପ ପଡୁଥିଲା ଯେ ଟିକା କାହିଁକି ଶୀଘ୍ର ଆସୁନାହିଁ?ଟିକା କେବେ ପ୍ରଦାନ କରିବେ? ରାଜନୀତିରେ ତ ଏପଟର କଥା ବି ହୁଏ ଆଉ ସେପଟର କଥା ବି ହୁଏ, ତେଣୁ ମୁଁ ଗୋଟିଏ ଉତର ଦେଉଥିଲି ଯେ ଦେଖନ୍ତୁ ବୈଜ୍ଞାନିକମାନେ ଯାହା କହିବେ ଆମେ ସେୟା ହିଁ କରିବୁ । ଏହା ଆମ ରାଜନୈତିକ ଲୋକମାନଙ୍କର କାମ ନୁହେଁ ଯେ ଏ ସମ୍ପର୍କରେ ଆମେ ନିଷ୍ପତି ନେବୁ । ଏବଂ ଯେତେବେଳେ ଆମ ସମସ୍ତ ବୈଜ୍ଞାନିକ ଏବଂ ସେମାନଙ୍କର ସମସ୍ତ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇ ଆସିଲା ତାପରେ ଆମେମାନେ ସ୍ଥିର କଲୁ ଯେ ଏବେ କେଉଁଠାରୁ  ଆରମ୍ଭ କରିବା? ତେଣୁ ଆମେ ସର୍ବପ୍ରଥମେ ସେହି ଲୋକମାନଙ୍କ ବିଷୟରେ ଚିନ୍ତା କଲୁ ଯେଉଁମାନଙ୍କୁ ପ୍ରତିଦିନ ରୋଗୀମାନଙ୍କ ସହ କାମ କରିବାକୁ ପଡୁଛି । ଯଦି ସେମାନେ ସୁରକ୍ଷିତ ହୋଇଯାଆନ୍ତି, ସେମାନେ ସୁସ୍ଥ ହୋଇଯାଆନ୍ତି ତାହେଲେ ସମାଜର ଅନ୍ୟ ସମସ୍ତଙ୍କର ଚିନ୍ତା ଦୂର ହୋଇଯାଏ । ଏବଂ ଏତେ ଲମ୍ବା ସମୟର କଠିନ ପ୍ରକ୍ରିୟା ଏବଂ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପରେ ଏବେ ଯେତେବେଳେ ଟିକା ଆସିଯାଇଛି,ସେତେବେଳେ ଆମେ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ଯେଉଁମାନଙ୍କୁ ଆମେ ଅଗ୍ରାଧିକାର ଦେଇଛୁ, କିଛି ଲୋକ ମୋ ଉପରେ ଏଥିପାଇଁ ଅସନ୍ତୁଷ୍ଟ ମଧ୍ୟ ହେଉଛନ୍ତି ଯେ ଆଜ୍ଞା ଆମ ପାଇଁ ମଧ୍ୟ ଖୁବ୍‌ଶୀଘ୍ର ବ୍ୟବସ୍ଥା କରନ୍ତୁ; କିନ୍ତୁ ମୋର ମତ ହେଉଛି ଯେ ସର୍ବପ୍ରଥମେ ଆପଣମାନଙ୍କୁ ଟିକା ଲାଗିଯାଉ ଏବଂ ଯେତେଶୀଘ୍ର ଏହା ସମ୍ପୁର୍ଣ୍ଣ ହୋଇପାରିବ ସେ ବିଷୟରେ ଚିନ୍ତା କରନ୍ତୁ ଏବଂ ଏହାକୁ ଆଗକୁ ବଢାନ୍ତୁ । ଅନେକ ପର୍ଯ୍ୟାୟରେ ଏହା ନିଶ୍ଚିତ ହୋଇଛି ଯେ, ପ୍ରତିଷେଧକର କୌଣସି ବଡ ପାଶ୍ୱର୍ ପ୍ରତିକ୍ର୍ରିୟା ନାହିଁ । ତାପରେ ଏହାକୁ ଅନୁମତି ଦିଆଗଲା । ଏଥିପାଇଁ ଦେଶବାସୀ ନିଜର ବୈଜ୍ଞାନିକମାନଙ୍କ ଉପରେ, ଡାକ୍ତରମାନଙ୍କ ଉପରେ ଭରସା କରନ୍ତୁ ତଥା ଆପଣମାନଙ୍କ ଭଳି ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ବ୍ୟକ୍ତିମାନେ ଯେତେବେଳେ କୁହନ୍ତି ସେତେବେଳେ ହିଁ ଲୋକଙ୍କୁ ବିଶ୍ୱାସ ହୁଏ । ପୁଷ୍ପାଜୀ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ । ଆପଣ ସୁସ୍ଥ ରୁହନ୍ତୁ ଏବଂ ସେବା ମଧ୍ୟ କରିଚାଲନ୍ତୁ ।

ମୋଦୀଜୀ ରାନୀ ଜୀ ନମସ୍କାର

ରାନୀ କୁଁୱର ଶ୍ରୀବାସ୍ତବ ନମସ୍କାର ସାର୍ । ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କୁ ମୁଁ ସମସ୍ତ କାଶୀବାସିଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣାଉଛି । ସାର୍ ମୋ ନାଁ ରାନୀ କୁଁୱର ଶ୍ରୀବାସ୍ତବମୁଁ ଜିଲ୍ଲା ମହିଳା ହସପିଟାଲରେ ଏଏନଏମ ପଦବୀରେ ୬ ବର୍ଷ ହେଲା କାର୍ଯ୍ୟ କରୁଛି

ମୋଦୀଜୀ ଏଇ ପୁରା 6 ବର୍ଷ ମଧ୍ୟରେ ଆପଣ କେତେ ଟିକା ଦେଇଛନ୍ତି? ଦିନକୁ କେତେ ଟିକା ଦିଅନ୍ତି?

ରାନୀ କୁଁୱର ଶ୍ରୀବାସ୍ତବ ସାର୍ ଗୋଟିଏ ଦିନରେ ମୁଁ ପାଖାପାଖି ଶହେ ଇଞ୍ଜେକସନ୍ ଦେଇଥାଏଶହେ ଟିକା ଲୋକଙ୍କୁ ଲଗାଇଥାଏ ।

ମୋଦୀଜୀ ତାହେଲେ ଆପଣଙ୍କର ଏପର୍ଯ୍ୟନ୍ତ ଯାହାସବୁ ରେକର୍ଡ ଅଛି ଏବେ ଏହି ପ୍ରତିଷେଧକ ପ୍ରଦାନ ସମୟରେ ସବୁ ଭାଙ୍ଗିବାକୁ ଯାଉଛି । କାରଣ ଆପଣଙ୍କୁ ଏତେସଂଖ୍ୟାରେ ଲୋକଙ୍କୁ ଇଞ୍ଜେକସନ୍ ଦେବାକୁ ପଡିବ ଯେ ସମ୍ଭବତଃ ସବୁ ରେକର୍ଡ ଭାଙ୍ଗିଯିବ ।

ରାନୀ କୁଁୱର ଶ୍ରୀବାସ୍ତବ ସାର୍‌, ଏକଥା ପାଇଁ ମୁଁ ବହୁତ ଆନନ୍ଦିତ, ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମନେକରୁଛି ଯେ ମତେ କୋଭିଡ୍ 19ଭଳି ଭୟାନକ ରୋଗର ପ୍ରତିଷେଧକ ଲଗାଇବାର ସୁଯୋଗ ମିଳୁଛି । ଏଥିପାଇଁ ମୁଁ ନିଜକୁ ବହୁତ ସୌଭାଗ୍ୟଶାଳୀ ମନେ କରୁଛି ।

ମୋଦୀଜୀ ତାହେଲେ ତ ଲୋକମାନେ ମଧ୍ୟ ଆପଣଙ୍କୁ ଆଶୀର୍ବାଦ ଦେଉଥିବେ?

ରାନୀ କୁଁୱର ଶ୍ରୀବାସ୍ତବ - ଆଜ୍ଞା ସାର୍‌, ଢେର୍ ଆଶୀର୍ବାଦ ମିଳୁଛି । ମୋ ସହିତ ସାର୍ ଲୋକମାନେ ସବୁଠାରୁ ଅଧିକ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି । କାରଣ ଏତେ ଶୀଘ୍ର, ଦଶ ମାସ ମଧ୍ୟରେ ଆପଣ କରୋନା ଟିକାର ଶୁଭାରମ୍ଭ କରାଇଦେଲେ ଏବଂ ସେସବୁ ଲୋକଙ୍କୁ ପ୍ରଦାନ କରାଯିବା ମଧ୍ୟ ଆରମ୍ଭ ହୋଇଯାଇଛି ।

ମୋଦୀଜୀ ଦେଖନ୍ତୁ, ଏହାର ହକ୍‌ଦାର ମୁଁ ନୁହେଁ । ଏହାର ହକ୍‌ଦାର୍ ଆପଣମାନେ । କାରଣ ଏତେଗୁଡାଏ ଚିନ୍ତା, ଅନିଶ୍ଚିତତା, ଣ ହେବ, କାଳେ ଆମେ ଘରକୁ କରୋନା ନେଇଯାଉନୁ ତ? ଏସବୁ ମଧ୍ୟରେ ବି ଆପଣମାନେ ସାହସର ସହିତ କାମ କରିଛନ୍ତି, ଅଟଳ ରହିଛନ୍ତି, ଗରିବଙ୍କର, ରୋଗୀଙ୍କର ସେବା କରିଛନ୍ତି । ଦ୍ୱିତୀୟରେ ହେଉଛନ୍ତି ଆମର ବୈଜ୍ଞାନିକ । ଯେଉଁମାନେ ପୂର୍ଣ୍ଣ ବିଶ୍ୱାସର ସହିତ କରୋନା ଭଳି ଏକ ଅଜଣା ଶତୃ, ଜଣାନଥିଲା ଏହା କ, କିପରି, ସେମାନେ ପରୀକ୍ଷାଗାରରେ ତାପଛରେ ଲାଗିଥିଲେ । ପିଛା କରିଚାଲିଲେ, କରିଚାଲିଲେ, କରିଚାଲିଲେ ଏବଂ ସେମାନେ ରାତିଦିନ ପରିଶ୍ରମ କରିଚାଲିଲେ, ଏବଂ ସେହି ବୈଜ୍ଞାନିକମାନେ ବର୍ତମାନର ଆଧୁନିକ ଯୁଗର ମୁନୠଷି ସଦୃଶ । ସେମାନେ ସମସ୍ତେ ଯେଉଁକାମ କରିଛନ୍ତି, ସେମାନେ ସମସ୍ତଙ୍କର ଏହି ପରିଶ୍ରମ ଯୋଗୁଁ ଆଜି ଆମେ ସଫଳତାର ସ୍ୱାଦ ଚାଖିପାରୁଛୁ । ଏଥିପାଇଁ ଏହାର ଶ୍ରେୟ ମତେ ନୁହେଁ ଆପଣ ସମସ୍ତଙ୍କୁ ମିଳୁଛି । ଆପଣ ଖୁବ୍ ବିଶ୍ୱାସର ସହିତ ଏହି କାମ କରୁଛନ୍ତି ସେଥିପାଇଁ ମତେ ଖୁବ୍ ଖୁସି ଲାଗିଲା । ଲୋକମାନଙ୍କର ବିଶ୍ୱାସ ବଢାନ୍ତୁ, କାମକୁ ଆଗକୁ ବଢାନ୍ତୁ । ମୋର ରାଣୀଜୀଙ୍କୁ ବହୁତ ବହୁତ ଧନ୍ୟବାଦ ।

ରାନୀ କୁଁୱର ଶ୍ରୀବାସ୍ତବ - ଧନ୍ୟବାଦ ସାର୍‌, ନମସ୍କାର ।

ମୋଦୀଜୀ - ନମସ୍କାର ଡକ୍ଟର ।

ଡଃ.ବି. ଶୁକ୍ଳା - ପ୍ରଣାମ ସାର୍ । ମୁଁ ଡଃ.ବି. ଶୁକ୍ଳା ମୁଖ୍ୟ ଚିକିତ୍ସା ଅଧିକ୍ଷକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ବାରାଣାସୀରୁ ମୋ ନିଜ ତରଫରୁ ତଥା ମୋ ଡାକ୍ତରଖାନାର ପରିବାର ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ସାଦର ପ୍ରଣାମ କରୁଛି ।

ମୋଦୀଜୀ ହଁ ଶୁକ୍ଳା ଜୀ, କେଉଁଭଳି ଅନୁଭବ କରୁଛନ୍ତି ଟିକେ ଜଣାନ୍ତୁ, ଆମ କାଶୀବାସି ସୁଖି ଅଛନ୍ତି?

ଡଃ.ବି. ଶୁକ୍ଳା ସାର୍‌, ବହୁତ ସୁଖୀ ଅଛନ୍ତି । ସବୁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଏତେ କମ୍ ସମୟ ମଧ୍ୟରେ ଆମେ ଏକ ବିକାଶଶୀଳ ଦେଶ ହୋଇ ମଧ୍ୟ ବିକଶିତ ଦେଶଗୁଡିକ ତୁଳନାରେ ପ୍ରତିଷେଧକ ମାମଲାରେ ସେମାନଙ୍କଠାରୁ ଆଗେଇ ଯାଇଛେ । ଆମର ଚିକିତ୍ସକ ସମୁଦାୟ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଆହୁରି ମଧ୍ୟ ଗୌରାବାନ୍ୱିତ ହେଉଛନ୍ତି ଯେ ଆପଣ ସର୍ବପ୍ରଥମେ ସେମାନଙ୍କୁ ଟିକା ନେବା ପାଇଁ ବାଛିଲେ । ଏଥିପାଇଁ ଆମେମାନେ ଗୌରବାନ୍ୱିତ ଏବଂ ଆପଣଙ୍କ ନିକଟରେ କୃତଜ୍ଞ ।

ମୋଦୀଜୀ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ, କିନ୍ତୁ ପ୍ରକୃତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି । ଏତେବଡ ସଙ୍କଟରୁ ଦେଶକୁ ରକ୍ଷା କରିବାରେ କରୋନା ଯୋଦ୍ଧା, ଏମାନଙ୍କର ବହୁତ ବଡ ଭୂମିକା ରହିଛି, ଏବଂ ଏକଥା ମୁଁ ବାରମ୍ବାର କହୁଛି । ହଁ ଶୁକ୍ଳାଜୀ, କୁହନ୍ତୁ ।

ଡଃ.ବି. ଶୁକ୍ଳା ସାର୍‌, ଏତେବଡ ସ୍ୱାସ୍ଥ୍ୟବିଭାଗକୁ ଆପଣ ଯେଉଁ ବିଶ୍ୱାସ ଦେଲେ ଯେ ସର୍ବପ୍ରଥମେ ଏହି ଲୋକମାନଙ୍କର ଟିକାକରଣ କରାଯିବ ସେଥିରୁ ଆମମନଙ୍କ ମଧ୍ୟରେ ଏକ ଉତ୍ସାହର ସଞ୍ଚାର ହେଲା ଏବଂ ଦୁଇଗୁଣା ଉତ୍ସାହର ସହ ଆମେମାନେ କାମରେ ଲାଗିଗଲୁ ଓ ଲୋକମାନଙ୍କ ପାଖକୁ ଏହି ବାର୍ତା ଯାଉଛି ଯେ ଯେଉଁ ଲୋକମାନେ ଏହି ରୋଗ ବିରୁଦ୍ଧରେ ବା ଅନ୍ୟ ଅର୍ଥରେ ପ୍ରତିଟି ରୋଗର ଚିକିତ୍ସାରେ ଲାଗି ପଡିଛନ୍ତି ଏବଂ ଜନସମୁଦାୟକୁ ବଞ୍ଚାଇବାର ଉଦ୍ୟମ ଜାରି ରଖିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଓ ବୈଜ୍ଞାନିକମାନେ ଏହିଭଳି ଲୋକମାନଙ୍କର ପ୍ରଥମେ ଟିକାକରଣ ପାଇଁ ନିଷ୍ପତି ନେଇଛନ୍ତି ଏହାର ଅର୍ଥ ଏଥିରୁ ପ୍ରମାଣିତ ହେଉଛି ଯେ ଏହି ପ୍ରତିଷେଧକ ସମ୍ପୁର୍ଣ୍ଣରୁପେ ସୁରକ୍ଷିତ ।

ମୋଦୀ ଜୀ ଦେଖନ୍ତୁ ଇଏତ ଆମମାନଙ୍କ ଉପରେ ଭଗବାନଙ୍କର କୃପା ରହିଛି ଯେ ଆମେମାନେ ଗତ 4/5ବର୍ଷ ଧରି ଯେଉଁ ସ୍ୱଚ୍ଛତା ଅଭିଯାନ ଚଳାଇ ଆସିଛୁ, ସୁଦ୍ଧ ପାନୀୟ ଜଳର ଅଭିଯାନ ଆରମ୍ଭ କରିଛୁ, ଶୌଚାଳୟର ଅଭିଯାନ ଚଳାଇ ରଖିଛୁ, ଏହିସବୁ କାରଣରୁ ଆମ ଦେଶର ଦରିଦ୍ରର ଦରିଦ୍ରତମ ଲୋକଙ୍କ ମଧ୍ୟରେ ବି ଏହି ରୋଗ ସହ ଲଢେଇ କରିବାର ଶକ୍ତି ସୃଷ୍ଟି ହୋଇଛି । ଏହିସବୁ ଜିନିଷର ଆମକୁ ପରୋକ୍ଷ ଭାବରେ ମଧ୍ୟ ଲାଭ ମିଳିପାରିଛି ଯେ ଆମ ଦେଶର ଗରିବ ନାଗରିକ ମଧ୍ୟ, ବୟସ୍କ ନାଗରିକ ମଧ୍ୟ ଏହି କରୋନା ବିରୁଦ୍ଧରେ ଲଢେଇ କରିବାରେ ସାମର୍ଥ୍ୟବାନ ହୋଇଛି । ସେହି କାରଣରୁ ଆମର ଏଠି ମୃତ୍ୟୁହାର ବହୁତ କମ୍ ହୋଇପାରିଛି । ତେଣୁ, ସ୍ୱଚ୍ଛତା ହେଉ, ଶୌଚାଳୟ ହେଉ, ଜଳ ହେଉ, ଏହିସବୁ ଜିନିଷ ବହୁତ ବଡ ଆକାରରେ ସାହାଯ୍ୟ କରିଛି । ଶୁକ୍ଳା ଜୀ ଆପଣତ ନେତା, ଆପଣଙ୍କ ଅଧିନରେ ବହୁତ ବଡ ଟିମ୍ କାମ କରୁଛି, ଭିନ୍ନ ଭିନ୍ନ ସ୍ତରରେ ଲୋକେ କାମ କରୁଛନ୍ତି । ମୋଟାମୋଟି ଭାବେ ସମସ୍ତଙ୍କର ବିଶ୍ୱାସ କିଭଳି ରହିଛି, ସବୁ ବନ୍ଧୁମାନଙ୍କର ବିଶ୍ୱାସ କିଭଳି ରହିଛି?

ଡଃ.ବି. ଶୁକ୍ଳା ଖୁବ୍ ଭଲ ଆଜ୍ଞା । ସମସ୍ତେ ସମ୍ପୁର୍ଣ୍ଣ ରୂପେ ସନ୍ତୁଷ୍ଟ । କାହାକୁ କୌଣସି ପ୍ରକାରର ଭୟ ନାହିଁ । ଟିକାକରଣ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଆମେମାନେ ଏହା ଉପରେ ସାମୁହିକ ଆଲୋଚନା କରିଥିଲୁ ଏବଂ ସମସ୍ତଙ୍କ ମନରେ ଆମେ ଏହି ଭାବନା ଭରିଥିଲୁ ଯେ ସମସ୍ତେ ବାହାରି ଆସନ୍ତୁ, ସମାଜକୁ ଏକଥା ଜଣାନ୍ତୁ ଯେ ଏକ ମାମୁଲି ଟିକାକରଣ ଯାହା ବହୁତ ବର୍ଷ ଧରି ହୋଇଆସୁଛି, ଏହା ପରେ ବି କେଉଁଠି ନାଁ କେଉଁଠି ଅଳ୍ପ ଟିକିଏ, ଛୋଟମୋଟ, ସାମାନ୍ୟ ପ୍ରଭାବ ଯେପରିକି ହାଲୁକା ଦରଜ, କିମ୍ବା ଜ୍ୱର, ଶର୍ଦ୍ଦି ଓ ମୁଣ୍ଡବିଧା, ଏହା ଏକ ସାମାନ୍ୟ କଥା ଅଟେ । ଏଭଳି ହେବା କିଛି ବଡ କଥା ନୁହେଁ । ଏବଂ ଏହି ପ୍ରତିଷେଧକ ନେବା ପରେ ମଧ୍ୟ ଏସବୁ ଲକ୍ଷଣ ଦେଖାଦେଇପାରେ, ଏଥିପାଇଁ ୟାକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ତଥାପି ଯଦି କାହା ମନରେ କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ପାଇଁ ମୁଁ ସେଦିନ ସର୍ବପ୍ରଥମେ ଆମ କେନ୍ଦ୍ରରେ ପ୍ରଥମ ଟିକା ଲଗାଇଥିଲି ଏବଂ ସେହିଦିନ ଆମର ଏଠାରେ ଶତକଡା 82 ଭାଗ ଟିକାକରଣ ହୋଇଥିଲା । ଏବଂ ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଖୁବ୍ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା ଏବଂ ସମସ୍ତେ ଆଗକୁ ଆସି ଏହାର ପ୍ରଚାରରେ ଲାଗି ପଡିଛନ୍ତି ।

ମୋଦୀଜୀ ଦେଖନ୍ତୁ ଆମେ ଯଦି ଦୁନିଆକୁ କିଛିବି କହିବା, ଚିନ୍ତା କରନ୍ତୁ ନାହିଁ, ଟିକା ଲଗାନ୍ତୁ; ତା ବଦଳରେ ଆପଣମାନଙ୍କର ଗୋଟିଏ ମଧ୍ୟ ଶଦ୍ଦ, ଡାକ୍ତରୀ ପେଶା ସହ ଜଡିତ ଜଣେ ମଧ୍ୟ ବ୍ୟକ୍ତି ଯେତେବେଳେ ଏହି କଥା କହେ, ରୋଗୀମାନଙ୍କର ଭରସା ଆହୁରି ବଢିଯାଇଥାଏ । ନାଗରିକମାନଙ୍କର ମଧ୍ୟ ଭରସା ବଢି ଯାଇଥାଏ । ଏବଂ ଏଥିପାଇଁ ଆପଣମାନଙ୍କୁ ମଧ୍ୟ ଲୋକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଥିବେ, ଆପଣମାନଙ୍କର ମୁଣ୍ଡ ଖରାପ କରିଦେଉଥିବେ, ସେସବୁ ଆପଣ କିଭଳି ମୁକାବିଲା କରୁଛନ୍ତି?

ଡଃ.ବି. ଶୁକ୍ଳା ସାର୍‌, ଆମେ ଲୋକଙ୍କୁ ଏକଥା ବୁଝାଉଛୁ ଯେ, ପ୍ରତି ପ୍ରତିଷେଧକ ଟିକା ପରେ ଛୋଟ ମୋଟ ପ୍ରଭାବ ପଡିଥାଏ । ଆଉ ବର୍ତ୍ତମାନ ଯେତେବେଳେ ଗତକାଲି ସୁଦ୍ଧା ଦେଶରେ 10 ଲକ୍ଷ ଲୋକଙ୍କୁ ଟିକା ଦିଆଯାଇସାରିଛି ଏବଂ ସେମାନଙ୍କ ମଧ୍ୟରୁ ବହୁତ କମ୍ ସଂଖ୍ୟାରେ ଲୋକଙ୍କ ନିକଟରେ ମାମୁଲି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆମେମାନେ ଏଠାରେ ଯେତେ ଲୋକଙ୍କ ଟିକାକରଣ କରିଛୁ, ସେହି ଟିକାକରଣ ନେବା ପରେ ଏଠାରେ ଅଧଘଣ୍ଟା ଅପେକ୍ଷା କଲେ, ଏହାପରେ ସବୁଲୋକ ପୁଣି ନିଜ ନିଜ କାମରେ ଲାଗି ଯାଇଥିଲେ । ଆମର ଏଠାରେ ସଫେଇ କର୍ମଚାରୀମାନେ ମଧ୍ୟ ଟିକା ନେବା ପରେ ତୁରନ୍ତ ସଫେଇ କାର୍ଯ୍ୟରେ ଲାଗିଯାଇଥିଲେ । ଆମେମାନେ ମଧ୍ୟ ନିଜ ନିଜ କାମରେ ଲାଗିଗଲୁ । ଏବେ ଏଠାରେ ଯେଉଁ  ଗୁରୁତର ରୋଗୀମାନେ ଅଛନ୍ତି, ହୃଦ୍‌ରୋଗରେ ପୀଡିତ ରୋଗୀ, ଶ୍ୱାସକ୍ରିୟାରେ ସମସ୍ୟା ଥିବା ରୋଗୀ, କ୍ୟାନ୍‌ସର୍ ରୋଗୀ, ସେମାନଙ୍କୁ ମଧ୍ୟ ଟିକାକରଣ କରିବାର ଅଛି ତ, ଯଦି ସେମାନଙ୍କ ସହିତ ସ୍ୱାଭାବିକ ଭାବେ କୌଣସି ପ୍ରକାରର ଦୁର୍ଘଟଣା ଘଟେ, କୋଟି କୋଟି ଲୋକଙ୍କ ମଧ୍ୟରୁ ସେମାନଙ୍କୁ ମଧ୍ୟ ଟିକାକରଣ ସହ ସମ୍ବନ୍ଧିତ କରାଯିବା ଉିଚତ୍ ନୁହେଁ ।  ଏହା ଏକ ସାମାନ୍ୟ ପ୍ରକ୍ରିୟା ଏବଂ କୌଣସି ପ୍ରକାର ଟିକାକରଣ ବ୍ୟକ୍ତିଙ୍କୁ ଅମରତ୍ୱ ପ୍ରଦାନ କରେନାହିଁ, ତେଣୁ ସେସବୁ ଘଟଣାକୁ ଟିକାକରଣ ସହ ଯୋଡିବା ଉଚିତ୍ ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏହାଠାରୁ ଅଧିକ ବ୍ୟାବହାରିକ ରିପୋର୍ଟ ବିଶ୍ୱର ଅନ୍ୟ କୌଣସିଠାରୁ ଆସିପାରିବ ନାହିଁ, ଯେତିକି ଆମ ଦେଶରୁ ଆସିଛି । ଦଶ ଲକ୍ଷ ଲୋକ ଟିକା ନେଇ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏହା ଆମ ପାଇଁ ବହୁତ ବଡ ସୌଭାଗ୍ୟର କଥା ଏବଂ ଏହାଦ୍ୱାରା ଆମେ ବିଶ୍ୱକୁ ଏକ ବାର୍ତା ଦେବୁ ଯେ ଏହି ରୋଗ ବିରୁଦ୍ଧରେ ଏତେ ବଡ ଟିକାକରଣ ଆମ ଦେଶ ବ୍ୟତୀତ ଏପର୍ଯ୍ୟନ୍ତ ଅନ୍ୟ କୌଣସିଠାରେ ହୋଇପାରିନାହିଁ ।

ମୋଦୀଜୀ ଠିକ୍ ଅଛି ଶୁକ୍ଳା ଜୀ ଆପଣଙ୍କ ଆତ୍ମବିଶ୍ୱାସ ଏତେ ଦୃଢ ଅଟେ ଏବଂ ଆପଣଙ୍କ ନେତୃତ୍ୱ ଏତେ ଦକ୍ଷ ଏବଂ ଆପଣ ଆପଣଙ୍କ ହସ୍‌ପିଟାଲରେ ଏତେ ସଂଖ୍ୟାରେ ସମସ୍ତଙ୍କର ଟିକାକରଣ କରିଥିବାରୁ ମୁଁ ଅନ୍ୟ ସବୁ ହସ୍‌ପିଟାଲକୁ ଅନୁରୋଧ କରିବି ଯେ ଆପଣମାନେ ମଧ୍ୟ ଶତକଡା ଶହେ ଭାଗ ଟିକାକରଣକେତେ ଶୀଘ୍ର ସମ୍ଭବ ହୋଇପାରିବ ସେ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତୁ । ପ୍ରତିଯୋଗୀତା କରନ୍ତୁ, ପରିବେଶ ସୃଷ୍ଟି କରନ୍ତୁ ଯେପରି ଆପଣଙ୍କ ହସ୍‌ପିଟାଲରେ ଶତ ପ୍ରତିଶତ ଟିକାଦାନ ହେଉ, ତାହାହେଲେ କଣ ହେବ ନା; ଆଗକୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆମେ ଖୁବଶୀଘ୍ର ଆରମ୍ଭ କରିପାରିବା । ଏବଂ 50ରୁ ଅଧିକ ବୟସର ଯେଉଁ ବ୍ୟକ୍ତିମାନେ ଅଛନ୍ତି ସେମାନଙ୍କୁ ଆମେ ତୁରନ୍ତ ଟିକା ଦେଇପାରିବା । ତ ଆପଣ ଯେପରି ଏତେବଡ ନେତୃତ୍ୱ ନେଇ ଏତେସଂଖ୍ୟାରେ ଟିକାକରଣ କରାଇଛନ୍ତି, ତେଣୁ ଆପଣ ଅଭିନନ୍ଦନର ଅଧିକାରୀ ।  କିନ୍ତୁ ଆପଣଙ୍କଠାରୁ ପ୍ରେରଣା ନେଇ ବାକି ଲୋକମାନେ ଯେଉଁମାନେ ଆପଣଙ୍କ ସାକ୍ଷାତକାର ଦେଖୁଛନ୍ତି, ସେମାନଙ୍କ ହସପିଟାଲ୍‌ରେ ଯେତେ ସମ୍ମୁଖ ଧାଡିର ଯୋଦ୍ଧା ଅଛନ୍ତି, ସେମାନଙ୍କୁ ସାହାଯ୍ୟ କଲେ ବହୁତ ଭଲ ହେବ । ଶୁକ୍ଳା ଜୀ ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ଧନ୍ୟବାଦ ।

ମୋଦୀଜୀ ରମେଶ ଜୀ ନମସ୍କାର ।

ରମେଶ ଚନ୍ଦ ରାୟ - ପ୍ରଣାମ ସାର୍‌, ମୁଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସାଦର ପ୍ରଣାମ କରୁଛି । ମୁଁ ରମେଶ ଚନ୍ଦ ରାୟ, ସିନିୟର ଲ୍ୟାବ୍ ଟେକ୍ନିସିଆନ୍‌, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରାଜକୀୟ ଚିକିତ୍ସାଳୟରେ କାର୍ଯ୍ୟରତ ।

ମୋଦୀଜୀ - ଆପଣ ଟିକା ନେଲେଣି?

ରମେଶ ଚନ୍ଦ ରାୟ - ଆଜ୍ଞା ସାର୍‌, ଏହା ମୋର ସୌଭାଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ହିଁ ମତେ ଟିକା ନବାର ସୌଭାଗ୍ୟ ମିଳିଗଲା ।

ମୋଦୀଜୀ ଠିକ୍ ଅଛି, ବେଶ୍ ଖୁସିର କଥା । ତ ଏବେ ଅନ୍ୟମାନଙ୍କର ମଧ୍ୟ ବିଶ୍ୱାସ ବଢିଯାଇଥିବ । ଯେତେବେଳେ ଜଣେ ଟେକ୍ନିସିଆନ୍ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ଟିକା ନେଇନିଅନ୍ତି ତ ଅନ୍ୟମାନଙ୍କର ବିଶ୍ୱାସ ମଧ୍ୟ ଆପଣାଛାଏଁ ବଢିଯାଇଥାଏ ।

ରମେଶ ଚନ୍ଦ ରାୟ ବିଲ୍‌କୁଲ୍‌ଠିକ୍ ସାର୍ । ଆମେମାନେ ତ ସମସ୍ତଙ୍କୁ ଏହା କହୁଛୁ ଯେ ଦେଖନ୍ତୁ ଆପଣ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ନେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ନିଜେ ସୁରକ୍ଷିତ ରୁହନ୍ତୁ, ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, ସମାଜକୁ ସୁରକ୍ଷିତ ରଖନ୍ତୁ ଏବଂ ଦେଶକୁ ମଧ୍ୟ ସୁରକ୍ଷିତ ରଖନ୍ତୁ ।

ମୋଦୀଜୀ - ଆପଣ ବିଶ୍ୱାସର ସହିତ ଏହି କାର୍ଯ୍ୟକୁ ଆଗକୁ ବଢାଇଲେ, ଏବେ ଆପଣଙ୍କ ପୁରା ଟିମ୍‌ରେ କିଭଳି ପ୍ରଭାବ ସୃଷ୍ଟି ହୋଇଛି, ସେମାନଙ୍କ ମଧ୍ୟରେ ବିଶ୍ୱାସ ବଢିଯାଇଛି କି?

ରମେଶ ଚନ୍ଦ ରାୟ ସାର୍ ପୁରା ବଢିଯାଇଛି । ଉତ୍ସାହର ସହ ଲୋକମାନେ ଆଗକୁ ଆସୁଛନ୍ତି, ସାର୍ ପ୍ରଥମ ପର୍ଯ୍ୟାୟରେ  81ଜଣ ଲୋକ ଆସି ଟିକା ନେଇଛନ୍ତି । ସମ୍ଭବତଃ ଅନ୍ୟ 19 ଜଣ କୌଣସି କାରଣରୁ କେଉଁଆଡେ ଚାଲିଯାଇଥିଲେ ।  ଆଜି ମଧ୍ୟ ଆମର ଏଠାରେ ଟିକାକରଣ ସମ୍ପୁର୍ଣ୍ଣ ଭାବେ ଜାରି ରହିଛି ।

ମୋଦୀଜୀ ଠିକ୍ ଅଛି ରମେଶ ଜୀ, ମୋର ଆପଣଙ୍କୁ ମଧ୍ୟବହୁତ ଶୁଭକାମନା, ଆପଣଙ୍କ ପୁରା ଟିମ୍‌କୁ ମଧ୍ୟ ଅନେକ ଅନେକ ଶୁଭକାମନା । ଆପଣଙ୍କର ବହୁତ ବହୁତ ଧନ୍ୟବାଦ ।

ମୋଦୀଜୀ- ଶୃଙ୍ଖଳା ଜୀ ନମସ୍କାର ।

ଶୃଙ୍ଖଳା ଚୌହାନ - ସାର୍‌, ମୁଁ ଶୃଙ୍ଖଳା ଚୌହାନ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି ।  ସାର୍‌, ସିଏସସି ହାଥୀ ବାଜାର, ପିଏସସି ସେବାପୁରୀ, ଏସଡବ୍ଲୁସି କ୍ଷେତ୍ରର ଏଏନଏମ୍ ପଦରେ ମୁଁ କାମ କରୁଛି ।

ମୋଦିଜୀ ସର୍ବପ୍ରଥମେ ମୋର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । କାରଣ ବାସ୍ତବରେ ସେବାପୁରୀରେ ସେବା କରି ଆପଣ ସେବାପୁରୀର ନାମକୁ ମଧ୍ୟ ସାର୍ଥକ କରୁଛନ୍ତି ଏବଂ ଆପଣଙ୍କ ପରିବାରର ନାମ ମଧ୍ୟ ସାର୍ଥକ କରୁଛନ୍ତି । ଆପଣ ଏହି ମହାନ୍ ସେବା କରୁଛନ୍ତି । ଏବଂ ଏଭଳି ସଙ୍କଟ ସମୟରେ ଯେତେବେଳେ ଆପଣ ସେବା କରୁଛନ୍ତି ତାହା ଅମୂଲ୍ୟ, ଯାହା ଅବର୍ଣ୍ଣନୀୟ । ଏବଂ ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଆପଣଙ୍କ ଭଳି ଲୋକଙ୍କ ଦ୍ୱାରା ହିଁ ସମ୍ପାଦିତ ହେଉଛି । ଏପର୍ଯ୍ୟନ୍ତ ଆପଣ କେତେଜଣ ଲୋକଙ୍କୁ ଟିକା ଦେଇସାରିଲେଣି? ଆପଣ ଗୋଟିଏ ଦିନରେ କେତେ ଜଣଙ୍କୁ ଟିକା ଦିଅନ୍ତି?

ଶୃଙ୍ଖଳା ଚୌହାନ - ସାର୍‌, ସର୍ବପ୍ରଥମେ ତ ପ୍ରଥମ ପର୍ଯ୍ୟାୟରେ 16 ଜାନୁଆରୀ 2021ରେ ମୁଁ କୋଭିସିଲ୍ଡର ପ୍ରଥମ ଡୋଜ୍ ନିଜେ ନେଲି ଏବଂ ସେହିଦିନ ଟିକା ପ୍ରଦାନକାରୀ ଭାବେ 87 ଜଣଙ୍କୁ ମଧ୍ୟ ଟିକା ଦେଇଥିଲି ।

ମୋଦିଜୀ - ଆଛା ଯେଉଁଦିନ ଆପଣ ଟିକା ନେଲେ ସେହିଦିନ ଆପଣ ଏତେ କାମ କରିଥିଲେ?

ଶୃଙ୍ଖଳା ଚୌହାନ - ହଁ ସାର୍ ।

ମୋଦିଜୀ ଆରେ ବାଃ । ଏତେ ସଂଖ୍ୟାରେ, 87ଜଣ ଲୋକଙ୍କୁ, ଅର୍ଥ ଏହା କିଛି ଛୋଟ ସଂଖ୍ୟା ନୁହେଁ । ସେମାନେ ସମସ୍ତେ ଆପଣଙ୍କୁ ଆଶୀର୍ବାଦ ଦେଉଥିବେ ।

ଶୃଙ୍ଖଳା ଚୌହାନ୍ ପ୍ରକୃତରେ ସାର୍ । ମୁଁ ସବୁଠାରୁ ଶେଷରେ, ସେଠାରେ ସେହି ସମୟରେ ଯେଉଁ ଲୋକମାନେ କାର୍ଯ୍ୟରେ ଥିଲେ ସେହିସବୁ ଲୋକମାନଙ୍କୁ ଟିକା ଲଗାଇବା ପରେ ମୁଁ ମଧ୍ୟ ଟିକା ନେଇଥିଲି

ମୋଦିଜୀ ଆଛା । ଠିକ୍ ଅଛି, ମୋର ଆପଣଙ୍କୁ ମଧ୍ୟ ବହୁତ ଶୁଭକାମନା । ଏବଂ ମୋର ବିଶ୍ୱାସ ଅଛି ଯେ ଆପଣ ସମସ୍ତଙ୍କ ପରିଶ୍ରମରୁ ଆପଣମାନେ ଖୁବ୍ ଶୀଘ୍ର ସୁରକ୍ଷିତ ହୋଇଗଲେ ସମାଜର ଅନ୍ୟମାନଙ୍କୁ ଟିକାକରଣ କାର୍ଯ୍ୟରେ ସହଯୋଗ କରିବେ । ଆଜି ଆପଣ ସମସ୍ତଙ୍କ ସହ ମତ ବିନିମୟ କରିବାର ସୁଯୋଗ ମତେ ମିଳିଲା । ମୋ ମନକୁ ଖୁସି ମିଳିଲା ଯେ ମୁଁ ଏହି ଟିକାକରଣ କାର୍ଯ୍ୟରେ ମଧ୍ୟ ମୋ କାଶୀବାସିଙ୍କୁ ଭେଟିପାରିଲି, ସେମାନଙ୍କ ସହ କଥାବାର୍ତା କରିପାରିଲି ଏବଂ ବିଶେଷକରି ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡିତ ଲୋକ, ଯେଉଁମାନେ ପ୍ରକୃତଭାବେ ଏହି କାମର ନେତୃତ୍ୱ ନେଉଛନ୍ତି, ସେମାନଙ୍କୁ ଦେଖିବାର ସୁଯୋଗ ଲାଭ କରିପାରିଲି, ସେମାନଙ୍କ ସହ କଥାବାର୍ତା କରିବାର ସୁଯୋଗ ପାଇଲି । ତେଣୁ ଏହା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର କ୍ଷଣ । ମୁଁ ପୁଣିଥରେ କାଶୀବାସିଙ୍କୁ ଅନୁରୋଧ କରିବି ଯେ ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କର ଟିକାକରଣ କାର୍ଯ୍ୟ ଚାଲିଛି ସେମାନେ ମଧ୍ୟ ଖୁବ୍ ଶୀଘ୍ର ଶତପ୍ରତିଶତ ଏହି କାମ ଶେଷ କରିଦିଅନ୍ତୁ ଏବଂ ଆମେ ଆଗାମୀ ପର୍ଯ୍ୟାୟକୁ ଯିବା, ଯାହାଦ୍ୱାରା 80 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ସୁଯୋଗ ମିଳିବ ଏବଂ କାଶୀର ଜଣେ ସେବକ ଭାବରେ ମୁଁ ନିଶ୍ଚିତଭାବେ କହିବି ଯେ ଖୁବ୍‌ଶୀଘ୍ର ଆମେ କାଶୀରେ ଏହି କାମ ଶେଷ କରିବୁ ।

ମୋର ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।

ଧନ୍ୟବାଦ ।

********

JPM/ SLP



(Release ID: 1691717) Visitor Counter : 184