ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଉତ୍ତରପ୍ରଦେଶକୁ ଦିଆଗଲା 6ଲକ୍ଷ ହିତାଧୀକାରୀଙ୍କ ପାଇଁ ଆର୍ଥିକ ସହାୟତା

22ଲକ୍ଷ ଘର ଉତ୍ତରପ୍ରଦେଶରେ ନିର୍ମାଣ କରାଯିବ, 14ଲକ୍ଷ ହିତାଧୀକାରୀ ପାଇଲେଣି ଘର

Posted On: 20 JAN 2021 2:59PM by PIB Bhubaneshwar

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅର୍ଥ ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଆଜି ହିତାଧୀକାରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି । ଏହି କନ୍‌ଫରେନ୍ସିଂରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ, ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।

ଗୁରୁଗୋବିନ୍ଦ ସିଂହଙ୍କର ପ୍ରକାଶପର୍ବ ଅବସରରେ ଲୋକମାନଙ୍କ ଶୁଭ ମନାସିଛନ୍ତି । ଗୁରୁଗୋବିନ୍ଦ ସିଂହ ଜୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦୀ ମଥାନତ ପୂର୍ବକ ପ୍ରଣିପାତ କରିଛନ୍ତି । ଏହି ଶୁଭ ଅବସରରେ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଗୁରୁ ତାଙ୍କ ପ୍ରତି ସଦୟ ଅଛନ୍ତି ଏବଂ ଲୋକମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ସେବା ଓ ସତ୍ୟର ମାର୍ଗକୁ ବାଛିନେବା କ୍ଷେତ୍ରରେ ଗୁରୁସାହେବଙ୍କର ଜୀବନୀ ଏବଂ ବାର୍ତ୍ତା ତାଙ୍କୁ ସମସ୍ତ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରେରଣା ଦେଇଛି । ବର୍ତ୍ତମାନ ଦେଶ ଗୁରୁଗୋବିନ୍ଦ ସିଂହ ଜୀଙ୍କ ମାର୍ଗରେ ଚାଲିଛି ବୋଲି ମଧ୍ୟ ଶ୍ରୀ ମୋଦୀ କହିଛନ୍ତି । ଦଳିତ, ନିଷ୍ପେସିତ ଏବଂ ଗରୀବ ଲୋକମାନଙ୍କ ଜୀବନର ପରିବର୍ତ୍ତନ ପାଇଁ ତାଙ୍କୁ ଅପ୍ରତ୍ୟାଶିତ ଭାବେ କାମ କରିବାକୁ ପଡିଛି ବୋଲି ସେ ପ୍ରକାଶ କରିଛନ୍ତି । ୫ବର୍ଷ ତଳେ ଆଗ୍ରାଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳନ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି । ଏହି ଯୋଜନା ଦ୍ୱାରା ଭାରତୀୟ ଗ୍ରାମଗୁଡିକର ଚେହେରା ବଦଳି ଯାଇଛି । ଏହି ଯୋଜନା କୋଟି କୋଟି ଲୋକଙ୍କ ମନରେ ଆଶା ସଂଚାର ସହ ଜଡିତ ଏବଂ ଗରୀବରୁ ଗରୀବତର ଲୋକଙ୍କ ମନରେ ନିଜ ଘରର ମାଲିକ ହେବାର ଆତ୍ମବିଶ୍ୱାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗରୀବମାନଙ୍କ ନିମନ୍ତେ ତ୍ୱରିତ ବାସଗୃହ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶ ଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର 6ଲକ୍ଷ ପରିବାରଙ୍କ ବ୍ୟାଙ୍କ ଖାତାକୁ 26ଶହ କୋଟି ଟଙ୍କା ଦିଆଯାଇଛି ଏବଂ ସେମାନେ ପାଇବେ । ଏହି 6ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରଥମ ଦଫାରେ 5ଲକ୍ଷ ଘର ପାଇବେ । ଏମାନଙ୍କ ଜୀବନର ପ୍ରତୀକ୍ଷାର ଅନ୍ତ ଘଟିଛି । ସେହିପରି 80ହଜାର ପରିବାର ଦ୍ୱିତୀୟ ଦଫାରେ ଶୀତଋତୁ ବେଳକୁ ସେମାନଙ୍କର ନିଜ ଘର ତିଆରି ସାରିଥିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆତ୍ମନିର୍ଭର ଭାରତ ପ୍ରତ୍ୟକ୍ଷ ଭାବରେ ଦେଶବାସୀଙ୍କ ଆତ୍ମବିଶ୍ୱାସ ସହ ଜଡିତ ଏବଂ ନିଜର ଘର ଥିଲେ ଏହା ବହୁଗୁଣିତ ହୋଇଥାଏ । ଦାରିଦ୍ର‌୍ୟ ମଧ୍ୟରେ ନିଜର ଘରଟିଏ ହୋଇଗଲେ ଏହା ଜୀବନର ଆତ୍ମ ସନ୍ତୋଷ ସୃଷ୍ଟି କରେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ଅବସରରେ ସେ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ଏ କ୍ଷେତ୍ରରେ ଗରୀବ ମାନଙ୍କ ମନରେ ସରକାରୀ ଘର ମିଳିବ ବୋଲି ଆଶା ନ ଥିଲା । ଆହୁରି ମଧ୍ୟ ପୂର୍ବର ଯୋଜନାରେ ତିଆରି ହୋଇଥିବା ଘରଗୁଡିକ ନିମ୍ନମାନର ଥିଲା । ଗରିବମାନଙ୍କୁ ଭୁଲ ନୀତିର ଶିକାର ହେବାକୁ ପଡୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରୀବ ପରିବାରକୁ ଦେବା ପାଇଁ ପ୍ରଣୟନ କରାଯାଇଛି ଏବଂ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ସବୁ ଗରୀବମାନଙ୍କୁ ଘର ମିଳିବ ବୋଲି ସେ କହିଛନ୍ତି । ବିଗତ ବର୍ଷ ମାନଙ୍କରେ 2କୋଟି ଗୃହ ୟୁନିଟ୍ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇସାରିଛି । ଆହୁରି ମଧ୍ୟ 1.25କୋଟି ୟୁନିଟ୍ କେନ୍ଦ୍ର ସରକାରଙ୍କ ଅନୁଦାନରେ 1.5ଲକ୍ଷ କୋଟି ଟଙ୍କା ବିନିମୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ରାଜ୍ୟ ସରକାରମାନେ ଏହି ଯୋଜନା ପ୍ରତି ଉଦାସୀନ ଥିଲେ । ଉତ୍ତରପ୍ରଦେଶରେ ଏ ବାବଦରେ 22ଲକ୍ଷ ଗ୍ରାମୀଣ ଆବାସ ନିର୍ମାଣ କରାଯିବ, ସେଥିମଧ୍ୟରୁ ସାଢେ 21ଲକ୍ଷର ନିର୍ମାଣ ପାଇଁ ମଞ୍ଜୁରୀ ମିଳିସାରିଛି । 14.5ଲକ୍ଷ ପରିବାର ସେମାନଙ୍କ ଘର ଏହି ସରକାର ସମୟରେ ପାଇସାରିଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରଙ୍କର ଏ କ୍ଷେତ୍ରରେ ଥିବା ଅଭିଜ୍ଞତାକୁ ସେ ମନେ ପକାଉଛନ୍ତି । ଏହି ସମୟରେ ଘର ପାଇବା ଆଶା ହରାଇଥିବା ଲୋକମାନଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ଏଥିସହିତ ଗୃହ ଆବଣ୍ଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା, ଘରର ମାଲିକାନା କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧୀକାର ଦିଆଯିବା, ଯୋଜନାର ସମସ୍ତ କାର୍ଯ୍ୟକଳାପର ନିରୀକ୍ଷଣ କରାଯିବା ଏବଂ ଘରଗୁଡିକର ନିର୍ମାଣ ସମୟରେ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । କଚା ଘରେ ରହୁଥିବା ପରିବାରଗୁଡିକ ଏହି ଗୃହ ୟୁନିଟ୍ ଯୋଗୁଁ ଉପକୃତ ହୋଇଛି । ସ୍ଥାନୀୟ ଶ୍ରମଜୀବୀ, କ୍ଷୁଦ୍ରଚାଷୀ, ଭୂମିହୀନ ଶ୍ରମିକ ଏବଂ ଘର ମାଲିକ ହେବାର ଆଶା ହରାଇଥିବା ଲୋକେ ଉପକୃତ ହୋଇଛନ୍ତି । ପରିବାରର ମହିଳା ସଦସ୍ୟମାନଙ୍କ ନାମରେ ଏହି ଘରଗୁଡିକୁ ଦିଆଯାଇ ମହିଳା ସଶକ୍ତିକରଣ କ୍ଷେତ୍ରକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ କ୍ଷେତ୍ରରେ ଦୁର୍ନୀତି ଦୂର କରିବା ପାଇଁ ଭୂମିହୀନ ପରିବାରଙ୍କୁ ଘରର ଦଲିଲ ଏବଂ ନିର୍ମାଣ ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସହରାଞ୍ଚଳ ହିତାଧୀକାରୀ ଏବଂ ଗ୍ରାମାଞ୍ଚଳ ହିତାଧିକାରୀମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରି ସହରାଞ୍ଚଳର ସୁବିଧା ଗ୍ରାମାଞ୍ଚଳରେ  ଲୋକମାନଙ୍କୁ ମିଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଏହି ଯୋଜନାର ଗୃହଗୁଡିକରେ ପାଇଖାନା, ବିଜୁଳୀ ସଂଯୋଗ, ଜଳଯୋଗାଣ ବ୍ୟବସ୍ଥା, ଗ୍ୟାସ ଯୋଗାଣ ଆଦିକୁ ଯୋଗ କରାଯାଇଛି । ସର୍ବନିମ୍ନ ସୁବିଧା ପାଇଁ ଗରୀବ ଲୋକେ ବିଭିନ୍ନ ସ୍ଥାନକୁ ଯେପରି ନ ଯିବେ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

               ପ୍ରଧାନମନ୍ତ୍ରୀ ଏକ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଗ୍ରାମଞ୍ଚଳ ଲୋକଙ୍କ ଜୀବନର ପରିବର୍ତ୍ତନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଏକ ମୋଡ ପରିବର୍ତ୍ତନ କାରୀ ଯୋଜନା । ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତର ପ୍ରଦେଶ ଏକ ଅଗ୍ରଣୀ ରାଜ୍ୟ । ଏହି ଯୋଜନାରେ ଗରୀବମାନେ ସେମାନଙ୍କ  ଜମି ଏବଂ ଘରର ଦଲିଲ ପାଇପାରିବେ । ଉତ୍ତରପ୍ରଦେଶରେ ଡ୍ରୋନ ବ୍ୟବହାର କରି ଏହି ସର୍ବେକ୍ଷଣ  କରାଯାଉଛି । ଲୋକମାନଙ୍କ ସମ୍ପତ୍ତିର ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଉଛି । ସରକାରଙ୍କ ନିକଟରେ ସମସ୍ତ ତଥ୍ୟ ରହୁଛି, ଏହାଦ୍ୱାରା ଜମିଜମା ସଂକ୍ରାନ୍ତ ବିବାଦର ସମାପ୍ତି ଘଟିବ । ଏହି ଯୋଜନାର ସବୁଠାରୁ ବଡ ଉପକାର ହେଉଛି ନିଜର ଜମି ସଂକ୍ରାନ୍ତ ଦସ୍ତାବିଜ୍ ଦେଇ ବ୍ୟାଙ୍କରୁ ଋଣ ଆଣାଯାଇପାରିବ । ଗ୍ରାମୀଣ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଏହା ସକାରାତ୍ମକ ପ୍ରଭାବ ପକାଇବ । ରାଜ୍ୟର 8.5ହଜାର ଗ୍ରାମରେ ଏହି କାର୍ଯ୍ୟ ଶେଷ ହେଇଛି । ସର୍ବେକ୍ଷଣ ପରେ ଲୋକମାନେ ଡିଜିଟାଲ ପ୍ରମାଣପତ୍ର ପାଉଛନ୍ତି । ସ୍ଥାନୀୟ ଭାଷାରେ ଏହାକୁ ଘରୋନୀକୁହାଯାଉଛି । ଉତ୍ତରପ୍ରଦେଶରେ ଏହିଭଳି 51ହଜାରରୁ ଉର୍ଦ୍ଧ୍ୱ ପ୍ରମାଣପତ୍ର ଏପର୍ଯ୍ୟନ୍ତ ଲୋକଙ୍କୁ ଦିଆଯାଇସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମଞ୍ଚଳରେ ଅନେକ ପ୍ରକାରର ଯୋଜନା ପହଞ୍ଚୁଛି । ଏହାଦ୍ୱାରା ସୁବିଧା ପହଞ୍ଚବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ଶକ୍ତି ମଧ୍ୟ ମିଳୁଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମଞ୍ଚଳର ଲୋକଙ୍କ ଜୀବନ ସରଳ ହୋଇପାରିଛି । ଅପ୍ଟିକାଲ ଫାଇବର ମାଧ୍ୟମରେ 6ଲକ୍ଷ ଗ୍ରାମକୁ ଇଣ୍ଟରନେଟ ସୁବିଧା ଯୋଗାଇବା କାମ ଚାଲିଛି । କରୋନା ସମୟରେ ଘରକୁ ଫେରି ଆସିଥିବା ଶ୍ରମିକମାନଙ୍କୁ ଗରୀବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ 10କୋଟି ନିଯୁକ୍ତି ଦିଆଯାଇଛି । ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଏହା ଗ୍ରାମାଞ୍ଚଳର ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିପାରିଛି । ଆୟୁଷ୍ମାନ ଭାରତ ଯୋଜନା, ଜାତୀୟ ପୁ୍‌ଷ୍ଟିମିଶନ, ଉଜ୍ଜ୍ୱଳା ଯୋଜନା ଆଦି ଅନେକ ଯୋଜନା ଉତ୍ତରପ୍ରଦେଶରେ ଲୋକଙ୍କ ଜୀବନକୁ ସହଜ କରିପାରିଛି । ଏହାଫଳରେ ଉତ୍ତରପ୍ରଦେଶକୁ ଏକ ନୂଆ ପରିଚୟ ମିଳିପାରିଛି । ଏକ୍ସପ୍ରେସ ରାଜପଥ, ଏମ୍ସ ଭଳି ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଉତ୍ତରପ୍ରଦେଶରେ ଚାଲିଥିବା ଯୋଗୁଁ ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ ଉତ୍ତରପ୍ରଦେଶକୁ ଅନେକ ବଡ ବଡ କମ୍ପାନୀ ଆସୁଛନ୍ତି । ଏକ ଜିଲ୍ଲା ଏକ ଉତ୍ପାଦନକାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ କାରୀଗରମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଛୋଟ କମ୍ପାନୀଗୁଡିକ ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।

 

******

 

SSD / SLP



(Release ID: 1690629) Visitor Counter : 173