ନୀତି ଆୟୋଗ

ନୀତି ଆୟୋଗ ପକ୍ଷରୁ ଭାରତ ନବୋନ୍ମେଷ ସୂଚକାଙ୍କର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ

• ତାଲିକା ଶୀର୍ଷରେ ଦିଲ୍ଲୀ : ବିଶେଷ ଉନ୍ନତି ହାସଲ କଲା ଚଣ୍ଡିଗଡ଼
• ବିଭିନ୍ନ ବର୍ଗରେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ଅଗ୍ରଣୀ
• ବୃହତ ରାଜ୍ୟ ବର୍ଗର 14ତମ ସ୍ଥାନରେ ଓଡ଼ିଶା

Posted On: 20 JAN 2021 6:32PM by PIB Bhubaneshwar

ପ୍ରତିଯୋଗିତା ପ୍ରତିଷ୍ଠାନ ସହିତ ମିଶି ନୀତି ଆୟୋଗ ପକ୍ଷରୁ ଆଜି ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ନବୋନ୍ମେଷ ସୂଚକାଙ୍କର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ଏହାର ରିପୋର୍ଟରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋସୃଜନ କ୍ଷମତା ଏବଂ ପ୍ରଦର୍ଶନ ଅନୁଧ୍ୟାନ କରାଯାଇଛି। ଏହି ସୂଚକାଙ୍କର ପ୍ରଥମ ସଂସ୍କରଣ ଅକ୍ଟୋବର 2019ରେ ଉନ୍ମୋଚିତ ହୋଇଥିଲା।

ଭାରତ ନବୋନ୍ମେଷ ସୂଚକାଙ୍କ 2020କୁ ନୀତି ଆୟୋଗର ଅଧ୍ୟକ୍ଷ ଡ. ରାଜୀବ କୁମାର ଉନ୍ମୋଚନ କରିଥିବା ବେଳେ ଏହି ଅବସରରେ ସଦସ୍ୟ (ସ୍ୱାସ୍ଥ୍ୟ) ଡ. ଭିକେ ପଲ , ସଦସ୍ୟ(କୃଷି) ଡ. ରମେଶ ଚାନ୍ଦ, ସିଇଓ ଅମିତାଭ କାନ୍ତ, ଉପଦେଷ୍ଟା (ବିଜ୍ଞାନ ଓ ପ୍ରଯୁକ୍ତି) ନୀରଜ ସିହ୍ନା ଏବଂ ପ୍ରତିଯୋଗିତା ପ୍ରତିଷ୍ଠାର ଅଧ୍ୟକ୍ଷ ଡ. ଅମିତ କପପୁର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପ୍ରତିଷ୍ଠାର ସଚିବ ଡ. ଶେଖର ସି. ମାଣ୍ଡେ, ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ. ରେଣୁ ସ୍ୱରୂପ, ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡ. ଏମଏନ ରାଜୀବନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ପ୍ରଦୀପ ସିଂ ଖାରୋଲ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ଡ. ଛତ୍ରପତି ଶିବାଜୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇଥିବା ଦ୍ୱିତୀୟ ସଂସ୍କରଣରେ ପରିଲକ୍ଷିତ ହୋଇଛି। ଏହା ବର୍ଷ ପରେ ବର୍ଷ ସେମାନଙ୍କର ସମ୍ବଳ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ନବୋନ୍ମେଷ ପ୍ରଦର୍ଶନରେ ସୁଧାର ପାଇଁ ଜରୁରି।

‘ବୃହତ ରାଜ୍ୟ’ ବର୍ଗରେ କର୍ଣ୍ଣାଟକ ପୂର୍ବ ପରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାମିଲନାଡ଼କୁ ଟପି ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହାପଛକୁ ତେଲଙ୍ଗାନା, କେରଳ, ହରିୟାଣା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ ଓ ପଞ୍ଜାବ ଯଥାକ୍ରମେ ଶୀର୍ଷ ଦଶଟି ସ୍ଥାନରେ ରହିଛନ୍ତି।

ଭେଞ୍ଚର କ୍ୟାପିଟାଲ ଚୁକ୍ତି, ପଞ୍ଜିକୃତ ଭୌଗଳିକ ସଙ୍କେତକ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ରପ୍ତାନି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କାରଣରୁ କର୍ଣ୍ଣାଟକ ପୂର୍ବ ପରି ନିଜର ସ୍ଥିତି ବଜାୟ ରଖିପାରିଛି। କର୍ଣ୍ଣାଟକକୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆସିବା ମଧ୍ୟ ଏହି ରାଜ୍ୟର ନବୋନ୍ମେଷ ସାମର୍ଥ୍ୟକୁ ବଢ଼ାଇଛି। ‘ବୃହତ ରାଜ୍ୟ’ ବର୍ଗରେ ଚାରୋଟି ଦକ୍ଷିଣ ରାଜ୍ୟ –କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା ଓ କେରଳ ଶୀର୍ଷ 5ଟି ସ୍ଥାନ ହାସଲ କରିଛନ୍ତି।

ବୃହତ ରାଜ୍ୟ ବର୍ଗରେ ଓଡ଼ିଶା 18.94 ସ୍କୋର ସହିତ ତାଲିକାର ୧୪ତମ ସ୍ଥାନରେ ରହିଛି।

ମୋଟାମୋଟି ପ୍ରଦର୍ଶନ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଚଣ୍ଡିଗଡ଼ 2019 ତୁଳନାରେ ଅଧିକ ଉନ୍ନତି ହାସଲ କରିବା ସହିତ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନ ହାସଲ କରିଛି। ‘ଉତ୍ତର-ପୂର୍ବ/ପାର୍ବତ୍ୟ ରାଜ୍ୟ ବର୍ଗରେ, ହିମାଚଳ ପ୍ରଦେଶ ଦ୍ୱିତୀୟ ସ୍ଥାନରୁ ଉନ୍ନୀତ ହୋଇ ଚଳିତ ବର୍ଷ ଶୀର୍ଷତମ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ 2019ରେ ଏହି ବର୍ଗରେ ଶୀର୍ଷ ସ୍ଥାନ ହାସଲ କରିଥିବା ସିକ୍କିମ ଚଳିତ ଥର ଚତୁର୍ଥ ସ୍ଥାନକୁ ଖସିଆସିଛି।

ପାଞ୍ଚଟି ସମ୍ବଳ ମାପଦଣ୍ଡ ଆଧାରରେ ନବୋନ୍ମେଷ ଇନପୁଟ ମପାଯାଇଥାଏ ଏବଂ ଦୁଇଟି ପ୍ରଦର୍ଶନ ମାପଦଣ୍ଡ ଆଧାରରେ ଆଉଟପୁଟ ମପାଯାଇଥାଏ। ମାନବ ପୁଞ୍ଜି (ହ୍ୟୁମାନ କ୍ୟାପିଟାଲ), ନିବେଶ (ଇନଭେଷ୍ଟମେଣ୍ଟ), ଜ୍ଞାନ କର୍ମୀ (ନଲେଜ ଓ୍ବର୍କର୍ସ), ବ୍ୟବସାୟିକ ପରିବେଶ, ନିରାପତ୍ତା ଏବଂ ଆଇନଗତ ପରିବେଶଗୁଡ଼ିକୁ ସମ୍ବଳ ମାପଦଣ୍ଡ ଭାବେ ଚିହ୍ନଟ କରାଯାଇଥିବା ବେଳେ ଜ୍ଞାନ ପ୍ରଦର୍ଶନ (ନଲେଜ ଆଉଟପୁଟ) ଏବଂ ଜ୍ଞାନ ପ୍ରସାର (ନଲେଜ ଡିଫ୍ୟୁଜନ)କୁ ପ୍ରଦର୍ଶନକାରୀ ମାପଦଣ୍ଡ ଭାବେ ଗ୍ରହଣ କରାଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର କହିଥିଲେ ଯେ ଭାରତ ନବୋନ୍ମେଷ ସୂଚକାଙ୍କ ନବୋନ୍ମେଷ ଇକୋସିଷ୍ଟମରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବ, ଯାହାକି ଭାରତକୁ ଏକ ପ୍ରତିଯୋଗିତାପୂର୍ଣ୍ଣ ଉତ୍ତମ ପ୍ରଶାସନରେ ରୂପାନ୍ତରିତ କରିବାରେ ସକ୍ଷମ କରିବ। ସେ ମଧ୍ୟ କହିଥିଲେ ଯେ ଦେଶରେ ନବୋନ୍ମେଷ ପରିବେଶରେ ସୁଧାର ପାଇଁ ଏହି ସୂଚକାଙ୍କ ଏକ ଶ୍ରେଷ୍ଠ ଆରମ୍ଭ। ଏହା ଭାରତକୁ ବିଶ୍ଵର ନବୋନ୍ମେଷ କ୍ଷେତ୍ରରେ ଅଗ୍ରଣୀ କରିବା ଦିଗରେ ସଠିକ ପଦକ୍ଷେପ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଥିଲେ ଯେ ଭାରତ ନବୋନ୍ମେଷ ସୂଚକାଙ୍କ ରାଜ୍ୟଗୁଡ଼ିକର ନବୋନ୍ମେଷ ଫଳାଫଳ ମୂଲ୍ୟାଙ୍କନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଏବଂ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଲାଗି ଜାତୀୟ ଏବଂ ରାଜ୍ୟ ବ୍ୟବସ୍ଥାଗୁଡ଼ିକୁ ଉପଯୁକ୍ତ ଭାବେ ଉପଯୋଗ କରିପାରିବ।

ଏହି ସୂଚକାଙ୍କର ରାଜ୍ୟଗୁଡ଼ିକୁ ସେମାନଙ୍କର ନବୋନ୍ମେଷ ପ୍ରଦର୍ଶନକୁ ଚିହ୍ନଟ କରିବା ଏବଂ ନିଜର ଅଭିନବ ସାମର୍ଥ୍ୟକୁ ଉପଯୋଗ କରିବା ଦିଗରେ ଆବଶ୍ୟକ ନୀତିଗତ ହସ୍ତକ୍ଷେପ ଲାଗି ଅତ୍ୟନ୍ତ ଜରୁରି ବୋଲି ନୀତି ଆୟୋଗର ଉପଦେଷ୍ଟା ନୀରଜ ସିହ୍ନା କହିଥିଲେ।

ପ୍ରତିଯୋଗିତା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଅମିତ କପୁର କହିଥିଲେ ଯେ ନବୋନ୍ମେଷ କ୍ଷେତ୍ରରେ କ୍ଷେତ୍ରୀୟ ପ୍ରଦର୍ଶନ ମୂଲ୍ୟାଙ୍କନ ଦିଗରେ ଏହି ସୂଚକାଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟକ ହୋଇପାରିବ ଏବଂ ଏଥିରେ ସୁଧାର ଆଣିବା ଲାଗି ନୀତିଗତ ଦୂରଦୃଷ୍ଟି ଯୋଗାଇ ଦେବ।

ଭାରତରେ ନବୋନ୍ମେଷ ପରିବେଶର ନିରନ୍ତର ମୂଲ୍ୟାଙ୍କନ ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବା ଭାରତ ନବୋନ୍ମେଷ ସୂଚକାଙ୍କର ଲକ୍ଷ୍ୟ। ନୀତି ଆୟୋଗ ପକ୍ଷରୁ ‘ପ୍ରତିଯୋଗିତାପୂର୍ଣ୍ଣ ସଂଘବାଦ’କୁ ପ୍ରୋତ୍ସାହନ ଦିଆଯାଇ ଦେଶର ନବୋନ୍ମେଷ ପ୍ରଦର୍ଶନକୁ ବଢ଼ାଇବା ସକାଶେ ଭାରତ ନବୋନ୍ମେଷ ସୂଚକାଙ୍କକୁ ଉପଯୋଗ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

 

https://niti.gov.in/sites/default/files/2021-01/IndiaInnovationReport2020Book.pdf ଏହି ଲିଙ୍କରେ ସମ୍ପୂର୍ଣ୍ଣ ଦସ୍ତାବିଜ ଉପଲବ୍ଧ

 

 

***********

 

PS

 



(Release ID: 1690628) Visitor Counter : 238