ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ: ଷ୍ଟାର୍ଟଅପ୍‍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଉଦବୋଧନ ଧନ

1000 କୋଟି ଟଙ୍କାର ଷ୍ଟାର୍ଟଅପ୍‍ ଇଣ୍ଡିଆ ସିଡ୍‍ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସାଂପ୍ରତିକ ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ଷ୍ଟାର୍ଟଅପ୍‍ ବଦଳାଉଛି: ପ୍ରଧାନମନ୍ତ୍ରୀ

‘ଯୁବକଙ୍କ ଦ୍ୱାରା, ଯୁବକଙ୍କ ପାଇଁ ଓ ଯୁବକଙ୍କ’ର ଏକ ଷ୍ଟାର୍ଟଅପ୍‍ ପରିବେଶ ତିଆରି କରିବାକୁ ଭାରତ ଉଦ୍ୟମ କରୁଛି: ପ୍ରଧାନମନ୍ତ୍ରୀ

8 ହଜାର ଷ୍ଟାର୍ଟଅପ୍‍ ଜେଇଏମ୍‍ରେ ପଞ୍ଜୀକୃତ ହୋଇଛି ଏବଂ 23 ହଜାର କୋଟି ଟଙ୍କାର କାରବାର କରାଯାଇଛି: ଶ୍ରୀ ମୋଦୀ

Posted On: 16 JAN 2021 8:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍‍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ପ୍ରାରମ୍ଭରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍‍ଷ୍ଟେକ୍‍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍‍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି । ସେ କହିଛନ୍ତି ଯେ 44 ଶତାଂଶ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‍ର ନିର୍ଦେଶକଙ୍କ ମଧ୍ୟରେ ମହିଳା ଅଛନ୍ତି ଓ ଏସବୁଥିରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ । ସେହିଭଳି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ 45 ଶତାଂଶ ଷ୍ଟାର୍ଟଅପ୍‍ ରହିଛି ଏବଂ ସେସବୁ ସ୍ଥାନୀୟ ସାମଗ୍ରୀର ବ୍ରାଣ୍ଡ ଆମ୍ବାସାଡରଭାବେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ରାଜ୍ୟ ସ୍ଥାନୀୟ ସମ୍ଭାବନା ଓ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ଷ୍ଟାର୍ଟଅପ୍‍ଗୁଡିକୁ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଷ୍ଟାର୍ଟଅପ୍‍ ଇଣ୍ଡିଆ ମିଶନରେ ଦେଶର 80 ଶତାଂଶ ଜିଲା ସାମିଲ ହୋଇଛି । ଏହି ପରିବେଶରେ ବିଭିନ୍ନ ପୃଷ୍ଠଭୂମିର ଯୁବକଯୁବତୀ ନିଜକୁ ସାମିଲ କରି ନିଜ ଦକ୍ଷତାର ଉପଯୋଗ କରୁଛନ୍ତି । ଏହାର ଫଳସ୍ୱରୂପ ଚାକିରି ଅନ୍ୱେଷଣ ମନୋଭାବ ବଦଳି ଚାକିରି ସୃଷ୍ଟିର ବିଚାର ଗୁରୁତ୍ୱ ପାଇଛି । ସେ କହିଛନ୍ତି ଯେ ଆଗରୁ କୁହାଯାଉଥିଲା ଯେ ଚାକିରି କାହିଁକି କରୁନୁ, ଷ୍ଟାର୍ଟଅପ୍‍ରେ କାହିଁକି ମାତୁଛୁ । ଏବେ କିନ୍ତୁ କୁହାଯାଉଛି ଚାକିରି କରିଛୁ ଠିକ୍‍ ଅଛି । ତେବେ ନିଜର କାହିଁକି ଏକ ଷ୍ଟାର୍ଟଅପ୍‍ କରୁନୁ । ସେ କହିଛନ୍ତି ଯେ 2014ରେ ମାତ୍ର 4ଟି ଭାରତୀୟ ଷ୍ଟାର୍ଟଅପ୍‍ ୟୁନିକର୍ଣ୍ଣ କ୍ଲବରେ ସ୍ଥାନ ପାଇଥିଲା । ଏବେ ସେ ସଂଖ୍ୟା 30ରୁ ଅଧିକରେ ପହଞ୍ଚିଛି ଏବଂ ସେମାନଙ୍କର କାରବାର 1 ବିଲିୟନରୁ ଅଧିକ ହୋଇଛି ।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ 2020 କରୋନା ମହାମାରୀ ସମୟରେ 11ଟି ଭାରତୀୟ ଷ୍ଟାର୍ଟଅପ୍‍ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଥିଲେ ଏବଂ ସେହି ସଂକଟକାଳରେ ଆତ୍ମନିର୍ଭରତା ହାସଲରେ ସେମାନଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ଏସବୁ ଷ୍ଟାର୍ଟଅପ୍‍ ସାନିଟାଇଜର, ପିପିଇ କିଟ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ଏବଂ ଯୋଗାଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ସେମାନେ ମଧ୍ୟ ଦୋକାନ ସଉଦା, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂକଟକାଳରେ ଲୋକଙ୍କ ଦ୍ୱାରମୁହଁରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏହାଛଡା କରୋନା ଲଢେଇର ସମ୍ମୁଖ ଯୋଦ୍ଧାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା, ପିଲାଙ୍କୁ ପାଠ୍ୟୋପକରଣ ଯୋଗାଇବା ଆଦି କ୍ଷେତ୍ରରେ ଭୂମିକା ପ୍ରଶଂସନୀୟ ଥିଲା । ଏହି ଷ୍ଟାର୍ଟଅପ୍‍ଗୁଡିକର ପ୍ରତିକୂଳ ପରିସ୍ଥିତିରେ ନୂଆ ସୁଯୋଗ ଓ ସୁବିଧା ସୃଷ୍ଟି କରିବାର ମନୋଭାବ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭର ଯଥାର୍ଥ ଅର୍ଥ ଆଜି ହିଁ ଆରମ୍ଭ କର । ଆଜି ମଧ୍ୟ ବିମ୍‍ଷ୍ଟେକ୍‍ ରାଷ୍ଟ୍ରଗୁଡିକର ଷ୍ଟାର୍ଟଅପ୍‍ ସମ୍ମିଳନୀ ଆରମ୍ଭ ହୋଇଛି । ସେହିଭଳି ଷ୍ଟାର୍ଟଅପ୍‍ ଇଣ୍ଡିଆ ଅଭିଯାନ ଏହାର 5 ବର୍ଷର ସଫଳ ଯାତ୍ରା ପୂରଣ କରିଛି । ଏହା ସହିତ ଭାରତରେ ବିଶ୍ୱର ସର୍ବବୃହତ୍‍ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ଏହି ଗୋଟିଏ ଦିନ ଆମ ବୈଜ୍ଞାନିକ, ଯୁବଶକ୍ତି, ଉଦ୍ୟୋଗୀ, ଚିକିତ୍ସକ, ନର୍ସ, ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଦକ୍ଷତା ଦେଖିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିମ୍‍ଷ୍ଟେକ୍‍ ଅନ୍ତର୍ଭୁକ୍ତ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାଁମାର ଓ ଥାଇଲାଣ୍ଡରେ ଷ୍ଟାର୍ଟଅପ୍‍ ପାଇଁ ଅପୂର୍ବ ସୁବିଧା ସୁଯୋଗ ଓ ବାତାବରଣ ରହିଛି । ଏହି ଶତାବ୍ଦୀ ଡିଜିଟାଲ ଆନ୍ଦୋଳନର ଶତାବ୍ଦୀ ଏବଂ ନୂଆ ଯୁଗର ନବସୃଜନ ଏହି ଶତାବ୍ଦୀର ଆବଶ୍ୟକତା ପାଲଟିଛି । ଏହା ମଧ୍ୟ ଏସିଆର ଶତାବ୍ଦୀ । ଅତଏବ ନୂଆ ଟେକ୍‍ନୋଲଜି ଓ ଉଦ୍ୟମିତା ଏହି ଅଞ୍ଚଳରୁ ହିଁ ସୃଷ୍ଟି ହେବା ଉଚିତ ଏବଂ ଏହା ସମୟର ଆହ୍ୱାନ । ଏ କ୍ଷେତ୍ରରେ ସବୁ ଏସୀୟ ରାଷ୍ଟ୍ରମାନେ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିମ୍‍ଷ୍ଟେକ ମେଣ୍ଟଭୁକ୍ତ ଦେଶରେ ବିଶ୍ୱ ଜନସଂଖ୍ୟାର ଏକ ପଞ୍ଚମାଂଶ ଲୋକ ବସବାସ କରୁଥିବାରୁ ଏ କ୍ଷେତ୍ରରେ ଆମର ବିଶେଷ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଭୋଲ୍ୟୁସନ ଅଫ୍‍ ଷ୍ଟାର୍ଟଅପ୍‍ ଇଣ୍ଡିଆ ବୁକ୍‍ଲେଟକୁ ଉନ୍ମୋଚନ କରିଥିଲେ । ଷ୍ଟାର୍ଟଅପ୍‍ କ୍ଷେତ୍ରରେ ଭାରତର 5 ବର୍ଷର ଯାତ୍ରା ବିଷୟରେ ଏଥିରେ ଉଲ୍ଲେଖ ରହିଛି । ପ୍ରାରମ୍ଭରେ କିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସଫଳତାର ସହ ଯେଉଁ ଷ୍ଟାର୍ଟଅପ୍‍ ପରିବେଶ ତିଆରି କରିଥିଲା ତାହା ବିଶ୍ୱର ସର୍ବବୃହତ୍‍ ଷ୍ଟାର୍ଟଅପ୍‍ ବ୍ୟବସ୍ଥାର ମାନ୍ୟତା ପାଇଛି । ଏଥିରେ 41 ହଜାର ଷ୍ଟାର୍ଟଅପ୍‍ ରହିଛି । ସେଥିମଧ୍ୟରୁ 5700 ଆଇଟି କ୍ଷେତ୍ରର, 3600   ସ୍ୱାସ୍ଥ୍ୟ କ୍ଷେତ୍ରର ଏବଂ 1700 କୃଷି କ୍ଷେତ୍ରରେ କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ଓ କୃଷି କ୍ଷେତ୍ରରେ ଅଧିକ ଷ୍ଟାର୍ଟଅପ୍‍ର ସମ୍ଭାବନା ରହିଛି । ଲୋକେ ଏବେ ସେମାନଙ୍କର ଖାଦ୍ୟାଭ୍ୟାସ ନେଇ ବିଶେଷ ସଚେତନ ରହୁଥିବାରୁ ଏ କ୍ଷେତ୍ରରେ ଷ୍ଟାର୍ଟଅପ୍‍ର ଆବଶ୍ୟକତା ବଢିଛି । ଏହି କ୍ଷେତ୍ରର ଅଭିବୃଦ୍ଧି ଦେଖି ଭାରତ ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି । ସେଥିପାଇଁ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସୃଷ୍ଟି କରାଯାଇଛି । ଏହି ନୂଆ ସୁବିଧା ସୁଯୋଗ ମାଧ୍ୟମରେ ଷ୍ଟାର୍ଟଅପ୍‍ଗୁଡିକ ଚାଷୀମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି । ସେମାନେ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ଓ ପନିପରିବା କିଣି ତାହାକୁ ନୂଆ ଉପାୟରେ  ମୂଲ୍ୟମିଶ୍ରଣ କରି ଲୋକଙ୍କୁ ଖାଦ୍ୟ ଆକାରରେ ଯୋଗାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ ଜଗତର ସବୁଠୁ ବଡ଼ ୟୁଏସ୍‍ପି ହେଲା ଏହାର ଆଧୁନିକୀକରଣ ଏବଂ ବିବିଧାୟନ ଦକ୍ଷତା । ଆଧୁନିକୀକରଣରେ ନୂଆ ନୂଆ ଟେକ୍‍ନୋଲଜି ଓ ନୂଆ ଜ୍ଞାନକୌଶଳ ସର୍ବଦା ଗୁରୁତ୍ୱ ପାଏ । ଏହା ନୂଆ ବାଟ ବତାଇବା ସହ ସମୟର ଆବଶ୍ୟକତା ପୂରଣ କରେ । ସେହିଭଳି ଗୋଟିଏ ସାମଗ୍ରୀରେ ସୀମିତ ନ ରହି ବିଭିନ୍ନ କ୍ଷେତ୍ରରେ ମନୋନିବେଶ କରି ନୂଆ ନୂଆ ସାମଗ୍ରୀ ଉତ୍ପାଦନ କରିବା ଷ୍ଟାର୍ଟଅପ୍‍ର ଆଉ ଏକ ବଡ ବିଶେଷତ୍ୱଏହି ଦୁଇ କ୍ଷେତ୍ରରେ ଯେଉଁ ଷ୍ଟାର୍ଟଅପ୍‍ ଯେତେ ଭଲ କରିପାରିବ ତାହାର ଭବିଷ୍ୟତ ସେତେ ଉଜ୍ଜ୍ୱଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ଭିମ୍‍ ୟୁପିଆଇର ଉଦାହରଣ ଦେଇ କହିଥିଲେ ଯେ ଏହା ପେମେଣ୍ଟ ସିଷ୍ଟମରେ ବିପ୍ଳବ ଆଣିଛି । କେବଳ 2020 ଡିସେମ୍ବର ମାସରେ ଏହି ୟୁପିଆଇ ମାଧ୍ୟମରେ ଭାରତରେ 4 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ସେହିଭଳି ସୌରଶକ୍ତି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ପ୍ରଗତି କଥା ସେ ମନେ ପକାଇ ଦେଇଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ବା ଡିବିଟି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଗରିବ ଲୋକ, ଚାଷୀ ଓ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଅର୍ଥ ତାଙ୍କ ବ୍ୟାଙ୍କଖାତାରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସେମାନେ ଜଞ୍ଜାଳମୁକ୍ତ ହେବା ସହିତ ଏହି ପ୍ରକ୍ରିୟାରେ ବାଟମାରଣା  ହେଉଥିବା 1.75 ଲକ୍ଷ କୋଟି ଟଙ୍କା ବଞ୍ଚିପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ ଜେଇଏମ୍‍ରେ 8 ହଜାର ଷ୍ଟାର୍ଟଅପ୍‍ ପଞ୍ଜୀକୃତ ହୋଇଛନ୍ତି ଏବଂ ଏଗୁଡିକ ଏହା ମାଧ୍ୟମରେ 23 ହଜାର କୋଟି ଟଙ୍କା ବ୍ୟବସାୟ କରିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ସାମଗ୍ରୀର କ୍ରୟ ଏବଂ ପ୍ରୋତ୍ସାହନ ପାଇଁ ଜେଇଏମ୍‍ ପକ୍ଷରୁ ଉଦ୍ୟମ କରାଯିବ । ଏହାଦ୍ୱାରା ଷ୍ଟାର୍ଟଅପ୍‍ଗୁଡିକ ଲାଭବାନ ହେବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଷ୍ଟାର୍ଟଅପ୍‍ ଇଣ୍ଡିଆ ସିଡ୍‍ ଫଣ୍ଡ ବିଷୟରେ ଘୋଷଣା କରିଥିଲେ । ଏହି ପାଣ୍ଠି ନିମନ୍ତେ 1ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ୍‍ଗୁଡିକ ପାଇଁ ଆଉ ସିଡ୍‍ ମନିର ଅଭାବ ରହିବ ନାହିଁ । ଏହା ନୂଆ ଷ୍ଟାର୍ଟଅପ୍‍କୁ ବଢିବାରେ ସାହାଯ୍ୟ କରିବ । ଏହି ଫଣ୍ଡ ଅଫ୍‍ ଫଣ୍ଡ ସ୍କିମ୍‍ ଷ୍ଟାର୍ଟଅପ୍‍ଗୁଡିକୁ ଇକ୍ୟୁଟି କ୍ୟାପିଟାଲ  ସଂଗ୍ରହ କରିବାରେ ସାହାଯ୍ୟ କରୁଛି । ଆହୁରି ମଧ୍ୟ ଷ୍ଟାର୍ଟଅପ୍‍ଗୁଡିକ ପୁଞ୍ଜି ସଂଗ୍ରହରେ ସାହାଯ୍ୟ କରିବା ପାଇଁ ସରକାର ଗ୍ୟାରେଣ୍ଟର ହେବାକୁ ମଧ୍ୟ ଘୋଷଣା କରିଛନ୍ତି । ଯୁବକଙ୍କ ପାଇଁ, ଯୁବକଙ୍କ ଦ୍ୱାରା ଓ ଯୁବକଙ୍କର ଏହି ମନ୍ତ୍ରକୁ ଆଧାର କରି ଭାରତ ଏକ ଷ୍ଟାର୍ଟଅପ୍‍ ପରିବେଶ ସୃଷ୍ଟି କରିବାକୁ କାର୍ଯ୍ୟ କରୁଛି । ଆମକୁ ଆସନ୍ତା 5 ବର୍ଷ ପାଇଁ ଆମକୁ ଆମର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡିବ । ସେହି ସମୟ ମଧ୍ୟରେ ଆମ ଷ୍ଟାର୍ଟଅପ୍‍, ଆମ ୟୁନିକର୍ଣ୍ଣ ଯେପରି ବିଶ୍ୱସ୍ତରର ହୋଇ ଫିଚ୍ୟୁରିଷ୍ଟିକ୍‍ ଟେକ୍‍ନୋଲଜି କ୍ଷେତ୍ରରେ ନେତୃତ୍ୱ ନେବ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******

TM / SLP

 

 



(Release ID: 1689621) Visitor Counter : 241