ଶକ୍ତି ମନ୍ତ୍ରଣାଳୟ
ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ 2020 ମାଧ୍ୟମରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ଅଧିକାର ଘୋଷଣା କଲେ
ପରିବର୍ତ୍ତିତ ପରିସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କୁ ସଶକ୍ତ କରିବାର ଯୁଗ ଆରମ୍ଭ ସହିତ ସଂପୃକ୍ତ ଖାଉଟିଙ୍କ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ: ଶ୍ରୀ ଆର.କେ. ସିଂହ
ନୂଆ ବିଜୁଳି ସଂଯୋଗ ଏବଂ ଅନ୍ଲାଇନରେ ବିଲ୍ ପେମେଣ୍ଟ ପାଇଁ ଉପଭୋକ୍ତା ବିକଳ୍ପ ପାଇବେ
ମେଟ୍ରୋ ସିଟିରେ ଆବେଦନର 7 ଦିନ, ଅନ୍ୟାନ୍ୟ ସହରରେ 15 ଦିନ ଏବଂ ଗ୍ରାମାଞ୍ଚଳରେ 30 ଦିନ ମଧ୍ୟରେ ଆବେଦନକାରୀଙ୍କୁ ବିଜୁଳି ସଂଯୋଗ ଦେବାକୁ ହେବ; ଏହାର ଉଲ୍ଲଙ୍ଘନ କଲେ ଦଣ୍ଡବିଧାନର ବ୍ୟବସ୍ଥା
ଏହି ନିୟମ ଦ୍ୱାରା ବର୍ତ୍ତମାନର 30 କୋଟି ଏବଂ ଭବିଷ୍ୟତର ସମସ୍ତ ଉପଭୋକ୍ତା ଉପକୃତ ହେବେ
ସମଗ୍ର ଦେଶରେ ସୁଗମ ବାଣିଜ୍ୟ ବ୍ୟବସାୟ ସୁବିଧାକୁ ପ୍ରସାରିତ କରିବା ପାଇଁ ଏହି ନୂଆ ନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ; କହିଲେ ଶକ୍ତିମନ୍ତ୍ରୀ ଶ୍ରୀ ଆର.କେ. ସିଂହ
ପୋଷ୍ଟ କରାଯିବା ଦିନାଙ୍କ:
21 DEC 2020 3:48PM by PIB Bhubaneshwar
ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର.କେ. ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନର ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହୋଇଛି । ଉଭୟ ନୂଆ ଓ ଅଣପାରମ୍ପରିକ ଉର୍ଜ୍ଜା ସହିତ ସମଗ୍ର ଶକ୍ତି କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଦିଷ୍ଟ । ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ନୂଆ ନିୟମ ବିଦ୍ୟୁତ ଉପଭୋକ୍ତାଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବ । ସେ କହିଛନ୍ତି ଯେ ଶକ୍ତି ଉଦ୍ୟୋଗ ଖାଉଟିଙ୍କୁ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏବଂ ସେମାନଙ୍କର ବିଶ୍ୱସ୍ତ ସେବା ଓ ଉତ୍ତମ ମାନର ବିଜୁଳି ପାଇବାର ଅଧିକାର ରହିଛି । ଏହି ବିଚାରରୁ ସରକାର ଗୁରୁତ୍ୱ ଦେଇ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଧିକାର ସମ୍ବଳିତ ନୂଆ ନିୟମ ପ୍ରବର୍ତ୍ତନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସାରା ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟୁତ ବଣ୍ଟନକାରୀ କଂପାନୀ ଏକଚାଟିଆ କାରବାର ଚଳାଇଛନ୍ତି । ଏଭଳି ସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କର କୌଣସି ବିକଳ୍ପ ନାହିଁ । ଏଣୁ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ନିମନ୍ତେ ଏହି ନିୟମର ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ନିୟମ କାନୁନ ଦେଶରେ ବେପାର ବଣିଜକୁ ସୁଗମ କରିବା ସହ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନିୟମର କାର୍ଯ୍ୟକାରିତା ଦ୍ୱାରା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆଗ୍ରହୀ ଉପଭୋକ୍ତାଙ୍କୁ ଆବଶ୍ୟକସ୍ଥଳେ ସେମାନଙ୍କ ଦେୟ ଫେରସ୍ତ ଏବଂ ଅନ୍ୟାନ୍ୟ ସେବା ପାଇଁ ନିର୍ଦ୍ଧାରିତ ସମୟସୀମା ଓ ବ୍ୟବସ୍ଥାବଳୀ ଧାର୍ଯ୍ୟ କରାଯାଇଛି । ଏହି ନିୟମକୁ ଜାଣିଶୁଣି ଅବଜ୍ଞା କଲେ କିମ୍ବା ଉପଭୋକ୍ତାଙ୍କ ଅଧିକାରକୁ ଉଲ୍ଲଙ୍ଘନ କରାଗଲେ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ସର୍ବସାଧାରଣ ଉପଯୋଗ ସେବା ଯୋଗାଣ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନୂଆ ନିୟମ ଦ୍ୱାରା ବର୍ତ୍ତମାନର ୩୦ କୋଟି ବିଜୁଳି ଉପଭୋକ୍ତା ଏବଂ ଭବିଷ୍ୟତର ଉପଭୋକ୍ତାମାନେ ଉପକୃତ ହେବେ । ଏଥିପାଇଁ ସବୁ ବିଜୁଳି ଉପଭୋକ୍ତା, ବିଶେଷକରି ଗ୍ରାମାଞ୍ଚଳର ବିଜୁଳି ଗ୍ରାହକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଅତ୍ୟନ୍ତ ଉପଭୋକ୍ତା ଅନୁକୂଳ ଏହି ନୂଆ ନିୟମକାନୁନ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏବଂ ଡିସ୍କମଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।
(1) ଏହି ବିଜୁଳି ଉପଭୋକ୍ତା ଅଧିକାର ନିୟମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି ।
(କ) ଉପଭୋକ୍ତାଙ୍କ ଅଧିକାର ଏବଂ ଲାଇସେନ୍ସପ୍ରାପ୍ତ ଆବଣ୍ଟନକାରୀଙ୍କ ଦାୟିତ୍ୱବୋଧ ।
(ଖ) ନୂଆ ସଂଯୋଗ ପ୍ରଦାନ ଏବଂ ବିଜୁଳି ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ସଂଯୋଗ ବ୍ୟବସ୍ଥାରେ ପରିବର୍ତ୍ତନ ।
(ଗ) ମିଟରିଂ ବ୍ୟବସ୍ଥା ।
(ଘ) ବିଲିଂ ଓ ପେମେଣ୍ଟ ବ୍ୟବସ୍ଥା ।
(ଙ) ସଂଯୋଗ ବିଚ୍ଛିନ୍ନ ଓ ପୁନଃ ସଂଯୋଗ ।
(ଚ) ବିଜୁଳି ଯୋଗାଣରେ ବିଶ୍ୱସନୀୟତା ।
(ଛ) ଉପଭୋକ୍ତାଙ୍କୁ ଉଭୟ ଖାଉଟି ଓ ଉତ୍ପାଦନକାରୀ ବା ପ୍ରଜ୍ୟୁମରଭାବେ ବିଚାର କରିବା ।
(ଜ) ଲାଇସେନ୍ସଧାରୀଙ୍କ ସେବା ପ୍ରଦର୍ଶନର ମାନ ।
(ଝ) କ୍ଷତିପୂରଣ ବ୍ୟବସ୍ଥା ।
(ଜ୍ଞ) ଗ୍ରାହକ ସେବା ପାଇଁ କଲ୍ ସେଣ୍ଟର ସ୍ଥାପନ ଏବଂ ଆପତ୍ତି ଅଭିଯୋଗ ନିରାକରଣ ବ୍ୟବସ୍ଥା ।
(2) ଅଧିକାର ଓ ଦାୟିତ୍ୱବୋଧ
- ଜଣେ ଘରର ମାଲିକ ବା ସେଠାରେ ବସବାସ କରୁଥିବା ବ୍ୟକ୍ତିଙ୍କ ଅନୁରୋଧକ୍ରମେ ବିଜୁଳି ଯୋଗାଇଦେବା ପ୍ରତ୍ୟେକ ବିଜୁଳି ଯୋଗାଣକାରୀ କଂପାନୀର ଦାୟିତ୍ୱ ଓ କର୍ତ୍ତବ୍ୟ । ଏହା ବିଜୁଳି ଶକ୍ତି ଆଇନର ବିଧି ଅନୁସାରେ ହେବା ଉଚିତ ।
- ବିଦ୍ୟୁତ ବିତରକ କଂପାନୀଙ୍କଠାରୁ ଏକ ସର୍ବନିମ୍ନ ମାନର ସେବା ପାଇବା ଖାଉଟିଙ୍କର ଏକ ଅଧିକାର ।
(3) ନୂଆ ସଂଯୋଗ ଦେବା ଏବଂ ପ୍ରଚଳିତ ସଂଯୋଗ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସଂକ୍ରାନ୍ତ ନିୟମ
- ଏହିସବୁ କାର୍ଯ୍ୟ ସ୍ୱଚ୍ଛ, ସରଳ ଏବଂ ସମୟବଦ୍ଧ ବ୍ୟବସ୍ଥା ମଧ୍ୟରେ ହେବ ।
- ଆବେଦନକାରୀଙ୍କର ଅନ୍ଲାଇନରେ ଆବେଦନ କରିବାର ବିକଳ୍ପ ରହିବ ।
- ନୂଆ ସଂଯୋଗ ପାଇଁ ମେଟ୍ରୋ ସିଟିଗୁଡିକରେ ଆବେଦନର 7 ଦିନ, ଅନ୍ୟାନ୍ୟ ମୁନସିପାଲ ଅଞ୍ଚଳରେ 15 ଦିନ ଏବଂ ଗ୍ରାମାଞ୍ଚଳରେ 30 ଦିନ ମଧ୍ୟରେ ସଂପୃକ୍ତ ଆବଣ୍ଟନକାରୀ କଂପାନୀକୁ ସେବା ଯୋଗାଇ ଦେବାକୁ ପଡିବ । ସେହିଭଳି ଏହି ସମୟସୀମା ମଧ୍ୟରେ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗର ପରିବର୍ତ୍ତନ କରିବାକୁ ମଧ୍ୟ ହେବ ।
(4) ମିଟରିଂ ବ୍ୟବସ୍ଥା
- ବିନା ମିଟରରେ କୌଣସି ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ ।
- ମିଟରଗୁଡିକ ସ୍ମାର୍ଟ ପ୍ରିପେମେଣ୍ଟ ମିଟର କିମ୍ବା ପ୍ରିପେମେଣ୍ଟ ମିଟର ହେବ ।
- ମିଟର ଟେଷ୍ଟିଂ ସୁବିଧା ରହିବ ।
- ତ୍ରୁଟିପୂର୍ଣ୍ଣ ଓ ପୋଡି ଯାଇଥିବା ମିଟର ବଦଳାଇବାର ସୁବିଧା ନୂଆ ବିଦ୍ୟୁତ ଗ୍ରାହକ ପାଇବେ । ନିର୍ଦ୍ଦିଷ୍ଟଭାବେ କେତେକ କ୍ଷେତ୍ରରେ ଯଦି ମିଟର ଚୋରି ହୋଇଥାଏ, ତେବେ ସେ କ୍ଷେତ୍ରରେ ନୂଆ ମିଟର ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
(5) ବିଲିଂ ଓ ପେମେଣ୍ଟ ବ୍ୟବସ୍ଥା
- ଖାଉଟିଙ୍କ ପାଇଁ ବିଦ୍ୟୁତ ଦେୟ ବା ଟାରିଫ ନିର୍ଦ୍ଧାରଣ, ତାହାକୁ ଲାଗୁ କରିବା ତଥା ବିଲ୍ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ।
- ବିଦ୍ୟୁତ ଦେୟ ଉଭୟ ଅନଲାଇନ ଏବଂ ଅଫ୍ଲାଇନରେ ପୈଠ କରିବାର ସୁବିଧା ଖାଉଟିଙ୍କର ରହିବ ।
- ଆଗୁଆ ବିଲ୍ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ନୂଆ ନିୟମରେ ରହିଛି ।
(6) ବିଜୁଳ ଯୋଗାଣ ବିଚ୍ଛିନ୍ନ ଓ ପୁନଃ ସଂଯୋଗ ବ୍ୟବସ୍ଥା
- ଖାଉଟିଙ୍କ ଅନୁରୋଧ ବା ଆବେଦନକ୍ରମେ ଏ ବାବଦ ସେବା ବିଦ୍ୟୁତ ବିତରଣ କଂପାନୀଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗାଇ ଦେବାକୁ ପଡିବ । ଏଥିରେ କୌଣସି ପ୍ରକାର ଅବହେଳା ବା ଅନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ।
(7) ବିଜୁଳି ଯୋଗାଣର ବିଶ୍ୱସନୀୟତା
- ବିଦ୍ୟୁତ ଯୋଗାଣକାରୀ କଂପାନୀ ସବୁ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣର ସୁବିଧା ଦେବେ । ତେବେ କୃଷି ଓ ଅନ୍ୟ କେତେକ କ୍ଷେତ୍ର ପାଇଁ ଯଦି ଶକ୍ତି ଯୋଗାଣର ନିର୍ଦିଷ୍ଟ କିଛି ସ୍ୱଳ୍ପ ସେବା ବ୍ୟବସ୍ଥା ଥାଏ, ସେଥିପାଇଁ କମିସନଙ୍କୁ ଉଲ୍ଲେଖ କରିବାକୁ ପଡିବ । ବିଜୁଳି ଯୋଗାଣ କ୍ଷେତ୍ରରେ ବିଶ୍ୱସନୀୟତା ବଜାୟ ରଖିବାକୁ ହେବ ।
- ଆବେଦନକାରୀ କଂପାନୀଗୁଡିକ ବିଜୁଳି କାଟ ବା ବିଭ୍ରାଟର ତଦାରଖ ଓ ପୁନରୁଦ୍ଧାର ପାଇଁ ସ୍ୱୟଂକ୍ରିୟ ଯନ୍ତ୍ରପାତି ଯଥାସମ୍ଭବ ଉପଯୋଗ କରି ଏକ ବ୍ୟବସ୍ଥା ତିଆରି କରିବେ ।
(8) ବିଦ୍ୟୁତ ଖାଉଟିଙ୍କୁ ଉଭୟ ଉପଭୋକ୍ତା ଓ ଉତ୍ପାଦକ ବା ପ୍ରଜ୍ୟୁମରଭାବେ ବିବେଚନା
ପ୍ରଜ୍ୟୁମରମାନେ ଖାଉଟିଙ୍କ ଭଳି ବିବେଚିତ ହେବେ ଏବଂ ସେମାନେ ସାଧାରଣ ଖାଉଟିଙ୍କ ଭଳି ସମାନ ଅଧିକାର ପାଇବେ । ସେମାନଙ୍କୁ ମଧ୍ୟ ଅକ୍ଷୟଶକ୍ତି ଉତ୍ପାଦନକାରୀ ୟୁନିଟ ସ୍ଥାପନ କରିବାର ଅଧିକାର ମିଳିବ । ରୁଫ୍ଟପ୍, ସୋଲାର ଫଟୋଭୋଲଟାଇକ୍ (ପିଭିସି ସିଷ୍ଟମ) ମାଧ୍ୟମରେ ମଧ୍ୟ ସେମାନେ ବିଜୁଳି ଉତ୍ପାଦନ କରିପାରିବେ । ଏହା ସେମାନେ ନିଜେ କିମ୍ବା କୌଣସି ସେବା ପ୍ରଦାନକାରୀ ସଂସ୍ଥାର ସହାୟତାରେ କରିବାର ଅଧିକାର ପାଇବେ ।
- ଦଶ କିଲୋୱାଟ ଶକ୍ତି ବ୍ୟବହାର ପାଇଁ ନେଟ୍ ମିଟରିଂ ବା ବ୍ୟବହାର ଅନୁସାରେ ଦେୟ ଦେବାକୁ ହେବ । ଦଶ କିଲୋୱାଟରୁ ଅଧିକ ଲୋଡ ପାଇଁ ଗ୍ରସ ମିଟରିଂ ବା ମୋଟ ଦେୟ ବ୍ୟବସ୍ଥା ଲାଗୁ ହେବ ।
(9) ପ୍ରଦର୍ଶନର ମାନ
- କମିସନ ପକ୍ଷରୁ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକ ପାଇଁ ସର୍ବନିମ୍ନ ମାନ ଧାର୍ଯ୍ୟ କରାଯିବ ।
- ଏହି ସର୍ବନିମ୍ନ ମାନ ପ୍ରଦର୍ଶନରେ ସଂପୃକ୍ତ ସଂସ୍ଥା ତ୍ରୁଟି କଲେ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବାକୁ ହେବ ।
(10) କ୍ଷତିପୂରଣ ବ୍ୟବସ୍ଥା
- ଉପଭୋକ୍ତାଙ୍କୁ ସ୍ୱୟଂକ୍ରିୟ ପ୍ରକି୍ରୟାରେ କ୍ଷତିପୂରଣ ପ୍ରଦାନ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ନିୟମ ଅନୁସାରେ ମାନକ ସେବା ପ୍ରଦର୍ଶନ କରୁ ନ ଥିଲେ ତାହାକୁ ରିମୋଟ ମନିଟର ବ୍ୟବସ୍ଥାରେ ତଦାରଖ କରାଯାଇ କ୍ଷତିପୂରଣ ଦିଆଯିବ ।
- ମାନକ ପ୍ରଦର୍ଶନରେ ବ୍ୟତିକ୍ରମ ଘଟିଲେ ଉପଭୋକ୍ତାଙ୍କୁ ଯେଉଁ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ତାହା ନିମ୍ନଲିଖିତ କେତେକ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ନାହିଁ । ସେଗୁଡିକ ହେଲା-
(କ) କମିସନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଏକ ନିର୍ଦ୍ଦିଷ୍ଟ ସମୟ ବାହାରେ ଉପଭୋକ୍ତାଙ୍କୁ ବିତରକ କଂପାନୀ ବିଜୁଳି ଯୋଗାଣ ବା ଏ ବାବଦ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ ।
(ଖ) ବିଜୁଳି ଯୋଗାଣ କ୍ଷେତ୍ରରେ ସେବା ବ୍ୟାଘାତ କେତେ ଥର ହୋଇପାରିବ ତାହାର ଏକ ସଂଖ୍ୟା କମିସନ ଧାର୍ଯ୍ୟ କରିବେ । ଏହି ସଂଖ୍ୟା ଭିତରେ ଯଦି ବିଜୁଳି ଯୋଗାଣରେ ତ୍ରୁଟି ଘଟେ ସେଥିପାଇଁ ଉପଭୋକ୍ତାଙ୍କୁ କ୍ଷତିପୂରଣ ମିଳିବ ନାହିଁ । ଏହାଠାରୁ ଅଧିକ ଥର ବିଜୁଳି ଯୋଗାଣରେ ବ୍ୟାଘାତ ଘଟିଲେ ଉପଭୋକ୍ତା କ୍ଷତିପୂରଣ ପାଇବେ ।
(ଗ) ସଂଯୋଗ ପ୍ରଦାନ, ସଂଯୋଗ ଚ୍ଛିନ୍ନ, ପୁନଃ ସଂଯୋଗ ପ୍ରଦାନ ଓ ଅନ୍ୟ ସ୍ଥାନକୁ ସଂଯୋଗ ସ୍ଥାନାନ୍ତର ପାଇଁ ନିଆଯାଉଥିବା ସମୟ ମଧ୍ୟରେ କ୍ଷତିପୂରଣ ନିୟମ ଲାଗିବ ନାହିଁ ।
(ଘ) ଖାଉଟିଙ୍କ ପର୍ଯ୍ୟାୟ ଓ ଲୋଡ ପରିବର୍ତ୍ତନ ପାଇଁ ନିଆଯାଉଥିବା ସମୟ ନିମନ୍ତେ କ୍ଷତିପୂରଣ ପ୍ରଯୁଜ୍ୟ ନୁହେଁ ।
(ଙ) ଉପଭୋକ୍ତାଙ୍କ ସବିଶେଷ ତଥ୍ୟରେ ପରିବର୍ତ୍ତନ ପାଇଁ ନିଆଯାଉଥିବା ସମୟ ମଧ୍ୟ କ୍ଷତିପୂରଣ ପ୍ରଦାନର ପରିସରଭୁକ୍ତ ହୋଇନାହିଁ ।
(ଚ) ତ୍ରୁଟିପୂର୍ଣ୍ଣ ମିଟର ପରିବର୍ତ୍ତନ ପାଇଁ ନିଆଯାଉଥିବା ସମୟ ନିମନ୍ତେ କ୍ଷତିପୂରଣ ବ୍ୟବସ୍ଥା ଲାଗୁ ହେବ ନାହିଁ ।
(ଛ) ଉପଭୋକ୍ତାଙ୍କୁ ବିଲ୍ ପ୍ରଦାନ କରିବା ପାଇଁ ଲାଗୁଥିବା ସମୟ କାଳ ନିମନ୍ତେ ମଧ୍ୟ ଏହି ନିୟମ ଗ୍ରହଣୀୟ ନୁହେଁ ।
(ଜ) ଭୋଲ୍ଟେଜ ସଂକ୍ରାନ୍ତ ଅଭିଯୋଗର ସମାଧାନ ପାଇଁ ନିଆଯାଉଥିବା ସମୟ ଏବଂ ଡିଲ୍ ବାବଦ ଅଭିଯୋଗ କ୍ଷେତ୍ରରେ ଏହି କ୍ଷତିପୂରଣ ନିୟମ ଲାଗ ହେବ ନାହିଁ ।
(11) ଖାଉଟି ସେବା ପାଇଁ କଲ୍ ସେଣ୍ଟର
- ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ଏକ କେନ୍ଦ୍ରୀକୃତ ୨୪ ଘଣ୍ଟିଆ ଟୋଲ ଫ୍ରି କଲ୍ ସେଣ୍ଟର ଖୋଲିବେ ।
- ବିଦ୍ୟୁତ ଯୋଗାଣକାରୀଙ୍କୁ ସମସ୍ତ ସେବା ଜଣେ ସାଧାରଣ ଖାଉଟି ସଂପର୍କ ପରିଚାଳକ (ସିଆରଏମ୍) ବ୍ୟବସ୍ଥା ଦ୍ୱାରା ଯୋଗାଇ ଦେବାକୁ ହେବ ।
(12) ଆପତ୍ତି ଅଭିଯୋଗ ସମାଧାନ ବ୍ୟବସ୍ଥା
- ଉଭୟ ଖାଉଟି ଓ ପ୍ରଜୁ୍ୟମରଙ୍କ ପ୍ରତିନିଧି ଖାଉଟି ଅଭିଯୋଗ ଦୂରୀକରଣ ମଞ୍ଚ (ସିଜିଆରଏଫ୍)ର ଅନ୍ତର୍ଭୁକ୍ତ ହେବେ ।
- ଏହି ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ବହୁସ୍ତରୀୟ କରାଯାଇ ଅଧିକ ସରଳ କରାଯାଇଛି । ଏଥିରେ ଖାଉଟିଙ୍କ ପ୍ରତିନିଧି ସଂଖ୍ୟା 1ରୁ 4କୁ ବଢାଇ ଦିଆଯାଇଛି ।
- କେତେ ସମୟ ମଧ୍ୟରେ ମଞ୍ଚର କେଉଁ କେଉଁ ସ୍ତରରେ କି ପ୍ରକାର ଅଭିଯୋଗଗୁଡିକର ସମାଧାନ ହୋଇପାରିବ ଏବଂ ଏହା କେତେ ସମୟ ମଧ୍ୟରେ ସମ୍ଭବ ହେବ ତାହାକୁ ଲାଇସେନ୍ସଧାରୀ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରିବାକୁ ପଡିବ । ଅଭିଯୋଗ ନିରାକରଣ ପାଇଁ ସର୍ବାଧିକ ସମୟସୀମା 45 ଦିନ ଧାର୍ଯ୍ୟ କରାଯାଇଛି ।
(13) ସାଧାରଣ ନିୟମ
- ଆବେଦନପତ୍ର ଦାଖଲ, ଏହାର ତଦାରଖ, ବିଲ୍ ପେମେଣ୍ଟ, ଉତ୍ଥାପିତ ଅଭିଯୋଗର ସ୍ଥିତି ନିର୍ଦ୍ଧାରଣ ଆଦି ବିଭିନ୍ନ ସେବା ପାଇଁ ଖାଉଟିଙ୍କୁ ଅନ୍ଲାଇନ ଆକ୍ସେସ ମିଳିବ । ଏଥିପାଇଁ ସଂପୃକ୍ତ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଙ୍କୁ ନିଜର ୱେବସାଇଟ, ୱେବ ପୋର୍ଟାଲ, ମୋବାଇଲ ଆପ୍ ଏବଂ ବିଭିନ୍ନ ନିର୍ଦ୍ଧାରିତ ଦପ୍ତରରେ ଅଞ୍ଚଳଭିତ୍ତିରେ ବ୍ୟବସ୍ଥା ଯୋଗାଇ ଦେବାକୁ ହେବ ।
- ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଆବେଦନପତ୍ର ଦାଖଲ, ବିଲ୍ ପେମେଣ୍ଟ ଆଦି ସେବା ଯୋଗାଣ ପାଇଁ ଆବଣ୍ଟନକାରୀ କଂପାନୀକୁ ତାଙ୍କ ଘରକୁ ଯାଇ ଆବଶ୍ୟକ ସେବା ଓ ସହାୟତା ଯୋଗାଇ ଦେବାକୁ ପଡିବ ।
- ନିର୍ଦ୍ଧାରିତ ବିଜୁଳି ବିଭ୍ରାଟ ବା କାଟ ସଂକ୍ରାନ୍ତ ସବିଶେଷ ତଥ୍ୟ ଉପଭୋକ୍ତାଙ୍କୁ ଯୋଗାଇ ଦେବାକୁ ହେବ । ଅକସ୍ମାତ ବିଜୁଳି ବିଭ୍ରାଟ କିମ୍ବା ନିର୍ଦ୍ଧାରିତ କାଟ୍ ପାଇଁ ଏସ୍ଏମ୍ଏସ୍ କିମ୍ବା ଯେକୌଣସି ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଖାଉଟିଙ୍କ ପାଖକୁ ତୁରନ୍ତ ଏସ୍ଏମ୍ଏସ୍ ବା ସୂଚନା ପଠାଇବାକୁ ପଡିବ । କେତେ ସମୟ ମଧ୍ୟରେ ଶକ୍ତି ପୁନର୍ବାର ଯୋଗାଇ ଦିଆଯିବ ତାହାକୁ ମଧ୍ୟ ଶକ୍ତି ଯୋଗାଣକାରୀ ସଂସ୍ଥାଙ୍କୁ ଉଲ୍ଲେଖ କରିବାକୁ ହେବ ।
(ରିଲିଜ ଆଡି: 1682494)
ପରିଦର୍ଶକ କାଉଣ୍ଟର : 619