ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ଉତ୍ତର ପୂର୍ବାଞ୍ଚଳ ବିଦ୍ୟୁତ ବ୍ୟବସ୍ଥାର ଉନ୍ନତି ସଂକ୍ରାନ୍ତ ସଂଶୋଧିତ ଖର୍ଚ୍ଚ ଆକଳନ କ୍ୟାବିନେଟରେ ଅନୁମୋଦିତ

ନୂଆ ବ୍ୟବସ୍ଥାରେ 6ଟି ରାଜ୍ୟର ଆନ୍ତଃପ୍ରାଦେଶିକ ବିଦ୍ୟୁତ ପରିବହନ ଓ ଆବଣ୍ଟନ ବ୍ୟବସ୍ଥା ସୁଦୃଢ ହେବ

Posted On: 16 DEC 2020 3:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଉତ୍ତର ପୂର୍ବାଞ୍ଚଳ ବିଦ୍ୟୁତ ବ୍ୟବସ୍ଥାର ଉନ୍ନତି ସଂକ୍ରାନ୍ତ ସଂଶୋଧିତ ଖର୍ଚ୍ଚ ଆକଳନକୁ ଅନୁମୋଦନ କରିଛି । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ଶକ୍ତି ବ୍ୟବସ୍ଥା ଉନ୍ନୟନ ପ୍ରକଳ୍ପ (ଏନ୍‌ଇଆରପିଏସ୍‌ଆଇପି) ପାଇଁ 6700 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଉତ୍ତର ପୂର୍ବାଞ୍ଚଳର ଆର୍ଥିକ ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ; କାରଣ ଏହାଦ୍ୱାରା ଆନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ଆବଣ୍ଟନ ବ୍ୟବସ୍ଥା ସୁଦୃଢ ହୋଇପାରିବ ।

ଏହି ଯୋଜନାଟି ରାଷ୍ଟ୍ରାୟତ୍ତ ପାୱାରଗ୍ରୀଡ ଦ୍ୱାରା କାର୍ଯ୍ୟକାରୀ ହେଉଛି । ପାୱାରଗ୍ରୀଡ କେନ୍ଦ୍ର ଉର୍ଜ୍ଜା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଏହା ସହିତ ଉତ୍ତର ପୂର୍ବାଞ୍ଚଳର 6ଟି ଯଥା ରାଜ୍ୟ ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରା ସହଯୋଗଭିତ୍ତିରେ  କାର୍ଯ୍ୟ କରୁଛନ୍ତି । ଏ ସମସ୍ତ ରାଜ୍ୟ ଏହି ଯୋଜନାର ପ୍ରତ୍ୟକ୍ଷ ହିତାଧିକାରୀ । 2021 ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଏହାର ମାଲିକାନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରଗୁଡିକଙ୍କ ଅଧୀନରେ ରହିବ ।

ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଲା ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରକୁ ପୂରଣ କରିବା ଓ ଆନ୍ତଃରାଜ୍ୟ ବିଜୁଳି ପରିବହନ ତଥା ଆବଣ୍ଟନ ଭିତ୍ତିଭୂମିକୁ ସୁଦୃଢ କରିବା । କହିବା ବାହୁଲ୍ୟ ଯେ ବିଜୁଳି ବା ଶକ୍ତି ବିନା ଅର୍ଥନୈତିକ ବିକାଶ ଏକ ପ୍ରକାର ଅସମ୍ଭବ  । ତେଣୁ ଏହି ପ୍ରକଳ୍ପ ସହିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ ଓ ଭାଗ୍ୟ ଯୋଡି ହୋଇ ରହିଛି କହିଲେ ଚଳେ । ଏହା କାର୍ଯ୍ୟକାରୀ ହେବା ପରେ ସଂପୃକ୍ତ ରାଜ୍ୟଗୁଡିକରେ ବିଶ୍ୱସ୍ତ ପାୱାରଗ୍ରୀଡ ମିଳିବ ଏବଂ ଉଚ୍ଚମାନର ବିଜୁଳି 24 ଘଣ୍ଟା ଉପଲବ୍ଧ ହେବ । ଏହାର ସୁଯୋଗ ସବୁ ବର୍ଗର ଖାଉଟି ଓ ହିତାଧିକାରୀ ପାଇବେ । ଏହାଦ୍ୱାରା ଉତ୍ତର ପୂର୍ବାଞ୍ଚଳର ମୁଣ୍ଡପିଛା ବିଜୁଳି ବ୍ୟବହାର ବଢିବ ଏବଂ ଏହା ସେ ଅଞ୍ଚଳର ଅର୍ଥନୈତିକ ବିକାଶରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକମାନଙ୍କୁ ବହୁ ସଂଖ୍ୟାରେ ନିୟୋଜିତ କରୁଛି । ଏହା ଫଳରେ ଉଭୟ କୁଶଳୀ ଓ ଅଣକୁଶଳୀ ଲୋକଙ୍କ ପାଇଁ ବେଶ୍‌ ଭଲ ନିଯୁକ୍ତି ସୁବିଧା ସୃଷ୍ଟି ହୋଇଛି । ଆହୁରି ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଅତିରିକ୍ତ ଲୋକଶକ୍ତିର ଆବଶ୍ୟକତା ପଡିବ । ଫଳରେ ଉତ୍ତର ପୂର୍ବାଞ୍ଚଳରେ ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁବିଧା ସୃଷ୍ଟି ହେବ । ଛଅଟି ଯାକ ରାଜ୍ୟରେ ଏହା ନିଯୁକ୍ତି ସୁବିଧା ସୃଷ୍ଟି କରିପାରିବ ।

ପୃଷ୍ଠଭୂମି

କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଉର୍ଜ୍ଜା ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରକଳ୍ପଟି 2014ରେ ଅନୁମୋଦନ ଲାଭ କରିଥିଲା । ଏଥିପାଇଁ ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ଭାରତ ସରକାର ପ୍ରତିବର୍ଷ ବଜେଟରେ ମଧ୍ୟ ଏ  ବାବଦରେ ବ୍ୟୟ ବରାଦ କରୁଛନ୍ତି । ବିଶ୍ୱବ୍ୟାଙ୍କ ଓ ଶକ୍ତି ମନ୍ତ୍ରଣାଳୟ 50:50 ଅନୁପାତରେ ଏହି ପ୍ରକଳ୍ପ ପାଇଁ ଅର୍ଥ ଯୋଗାଇ ଦେଉଛନ୍ତି । ପ୍ରକଳ୍ପ ନିର୍ମାଣ ପରେ ଏହାର ଦକ୍ଷତା ନିର୍ମାଣ ପାଇଁ ଯେଉଁ ଅର୍ଥର ଆବଶ୍ୟକତା ପଡିବ ତାହା ମୂଳ ବ୍ୟୟ ଅଟକଳରେ ନାହିଁ । ଏ ବାବଦରେ ମୋଟ 89 କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି । ସେ ବାବଦ ସମସ୍ତ ଅର୍ଥ ଭାରତ ସରକାର ବହନ କରିବେ ।

 

**********



(Release ID: 1681283) Visitor Counter : 47