କ୍ୟାବିନେଟ

ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଭାରତ-ଆମେରିକା ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

Posted On: 16 DEC 2020 3:31PM by PIB Bhubaneshwar

ବିଜୁଳି ଶକ୍ତି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ଜଡିତ ବିଷୟରେ ତଥ୍ୟ ଆଦାନ ପ୍ରଦାନ ପାଇଁ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣାପତ୍ରକୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଂଜୁରି ମିଳିଛି । ଭାରତର କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ସିଇଆରସି) ଆମେରିକାର ଫେଡରାଲ ଏନର୍ଜି ରେଗୁଲେଟରି କମିଶନ (ଏଏଫ୍‌ଇଆରସି) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

ଦୁଇପକ୍ଷ ବିଦ୍ୟୁତ କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ପୂରଣ ପାଇଁ ସୂଚନା ଆଦାନପ୍ରଦାନ କରିବାକୁ ଏହି ଭାବୀ ବୁଝାମଣାପତ୍ର ଉଦ୍ଦିଷ୍ଟ । ଏହା ସ୍ୱାକ୍ଷରିତ ହେଲେ ଉଭୟ ପକ୍ଷ ବିଜୁଳି ଶକ୍ତି କ୍ଷେତ୍ରରେ ନିଜ ନିଜର ସଫଳତା, ଅଭିଜ୍ଞତା ଓ ଅନ୍ୟାନ୍ୟ ତଥ୍ୟାବଳୀ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିପାରିବେ । ଏହି ବୁଝାମଣାପତ୍ର ମଧ୍ୟ ବିଦ୍ୟୁତ କ୍ଷେତ୍ରର ନିୟାମକ ଓ ନୀତି ନିର୍ଦ୍ଧାରଣ ବ୍ୟବସ୍ଥାରେ ଉନ୍ନତି ଆଣି ସାମଗ୍ରିକ ଶକ୍ତି ବଜାରକୁ ସୁଦକ୍ଷ କରିପାରିବ । ଏହା ମଧ୍ୟ ଗ୍ରୀଡର ବିଶ୍ୱସନୀୟତାକୁ ବଢାଇବାରେ ସହାୟକ ହେବ ।

ଏହି ବୁଝାମଣାପତ୍ରରେ ଯେଉଁସବୁ ବିଷୟ ସ୍ଥାନ ପାଇବ ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

(1) ଏହା ମାଧ୍ୟମରେ ଉର୍ଜ୍ଜା ସଂକ୍ରାନ୍ତ ପ୍ରସଙ୍ଗକୁ ଉଭୟପକ୍ଷ ଦ୍ୱାରା ଚିହ୍ନଟ କରାଯିବ ।

(2) ଏ କ୍ଷେତ୍ରରେ ଯଦି କିଛି ସମ୍ଭାବ୍ୟ ଉନ୍ନୟନ କାର୍ଯ୍ୟ ଥାଏ ସେଥିପାଇଁ ତଥ୍ୟର ଆଦାନପ୍ରଦାନ କରାଯାଇ ନିୟାମକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ହେବ ।

(3) ଦୁଇପକ୍ଷ ନିଜ ନିଜ ଦେଶକୁ ଅପରପକ୍ଷଙ୍କୁ ନିମନ୍ତ୍ରଣ କରିବା ସହ ନିଜ ନିଜର କାର୍ଯ୍ୟ ପରିସର ବୁଲି ଦେଖାଇବା ଏବଂ ଅଭିଜ୍ଞତା ହାସଲ କରିବା ପାଇଁ ଭ୍ରମଣ ସୁବିଧା ସୃଷ୍ଟି କରିବେ । ଉଭୟ ପକ୍ଷ ସେମିନାର, ଆଲୋଚନାଚକ୍ର ଓ ପରିଦର୍ଶନରେ ଭାଗ ନେବେ ଏବଂ ଏଥିପାଇଁ ପ୍ରତିନିଧି ବିନିମୟ କରିବେ ।

(4) ଉଭୟ ପକ୍ଷ ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ତାହାକୁ ସ୍ଥାନୀୟ ଶକ୍ତି କ୍ଷେତ୍ରରେ ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେବେ ।

(5) ଶକ୍ତି କ୍ଷେତ୍ରରେ ବୈଷୟିକ ଓ ପରିଚାଳନାଗତ ବିକାଶ ପାଇଁ ବାସ୍ତବ ଦ୍ୱିପାକ୍ଷିକ ସ୍ୱାର୍ଥ ଜଡିତ ନୀତିରେ ଉଭୟ ପକ୍ଷ ପରସ୍ପରକୁ ସହଯୋଗ କରିବେ ।

**********



(Release ID: 1681282) Visitor Counter : 226