କ୍ୟାବିନେଟ

ଟେଲିକମ୍‌ ମନ୍ତ୍ରଣାଳୟର ପବ୍ଲିକ ୱାଇଫାଇ ନେଟୱାର୍କ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟର ମୋହର

• ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ ସର୍ବସାଧାରଣଙ୍କୁ ୱାଇଫାଇ ସେବା ଯୋଗାଇବ

Posted On: 09 DEC 2020 3:47PM by PIB Bhubaneshwar

ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ (ପିଡିଏଓଏସ୍‌) ଦ୍ୱାରା ସର୍ବସାଧାରଣ ୱାଇଫାଇ ନେଟୱାର୍କ ବ୍ୟବସ୍ଥା ସ୍ଥାପନ କରିବାକୁ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି । ଏହି ନେଟୱାର୍କ ବ୍ୟବସ୍ଥା ମାଧ୍ୟମରେ ପବ୍ଳିକ ଡାଟା ଅଫିସମାନ ସର୍ବସାଧାରଣଙ୍କୁ ସାରା ଦେଶରେ ୱାଇଫାଇ ସେବା ଯୋଗାଇବେ । ଦେଶରେ ସର୍ବସାଧରଣ ୱାଇଫାଇ ନେଟୱାର୍କ ମାଧ୍ୟମରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣକୁ ବ୍ୟାପକ ଏବଂ ତ୍ୱରାନ୍ୱିତ କରିବା ଉଦେଶ୍ୟରେ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । ଏହି ସର୍ବସାଧାରଣ ୱାଇଫାଇ ନେଟୱାର୍କରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି ଦେବାକୁ ପଡିବ ନାହିଁ ।

ଏହି ପ୍ରସ୍ତାବ ଦ୍ୱାରା ଦେଶରେ ପବ୍ଳିକ ୱାଇଫାଇ ନେଟୱାର୍କର ଅଭିବୃଦ୍ଧି ପ୍ରୋତ୍ସାହିତ ହେବ ଏବଂ ଏହାଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାର ପ୍ରସାର ବଢିବ । ଏହା ମଧ୍ୟ ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ।

ପ୍ରସ୍ତାବର ମୁଖ୍ୟାଂଶ

ଏହି ପବ୍ଲିକ ୱାଇଫାଇ ଆକ୍‌ସେସର ନାମ ରହିବ ‘ପିଏମ୍‌-ବାଣୀ’ । ଏହି ‘ପିଏମ୍‌-ବାଣୀ’ ବ୍ୟବସ୍ଥାଟି ବିଭିନ୍ନ ଅପରେଟରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ସେବା ଯୋଗାଇବେ ସେମାନଙ୍କର ତାଲିକା ତଳେ ଦିଆଯାଇଛି ।

  • ପବ୍ଲିକ ଡାଟା ଅଫିସ (ପିବିଓ)- ଏହା କେବଳ ‘ବାଣୀ’ ଅନୁକୂଳ ୱାଇଫାଇ ଆକ୍‌ସେସ ପଏଣ୍ଟ ପ୍ରତିଷ୍ଠା କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ଏବଂ ଉପଭୋକ୍ତାଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବ ।
  • ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର (ପିଡିଓଏ)- ପବ୍ଲିକ ଡାଟା ଅଫିସଗୁଡିକର ସମାହାରରେ ଏହି ପିଡିଓଏ ଗଠିତ ହେବ । ଏହା ଅନୁମତି ପ୍ରଦାନ ଓ ହିସାବପତ୍ର ରଖିବା କାର୍ଯ୍ୟ କରିବ ।
  • ଆପ୍‌ ପ୍ରୋଭାଇଡର- ଏହା ପଞ୍ଜୀକୃତ ବ୍ୟବହାରକାରୀଙ୍କ ପାଇଁ ଏକ ଆପ୍‌ ବିକଶିତ କରିବ ଏବଂ ଏହି ଆପ୍‌ ଆଖପାଖ ଅଞ୍ଚଳରେ ‘ବାଣୀ’ ଅନୁକୂଳ ୱାଇଫାଇ ହଟସ୍ପଟ୍‌କୁ ସଂଯୋଗ କରି ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସେବା ଯୋଗାଇଦେବ ।
  • ସେଣ୍ଟ୍ରାଲ ରେଜିଷ୍ଟ୍ରି- ଏହା ଆପ୍‌ ପ୍ରଦାନକାରୀ, ପିଡିଓଏ ଏବଂ ପିଡିଓମାନଙ୍କ ସବିଶେଷ ତଥ୍ୟ  ରଖିବ । ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ରୀୟ ରେଜିଷ୍ଟ୍ରି ସି-ଡଟ୍‌ ଦ୍ୱାରା ପରିଚାଳିତ ହେବ

ଲକ୍ଷ୍ୟ

ପିଡିଓ ଓ ପିଡିଓଏ ପାଇଁ ପଞ୍ଜୀକରଣର କୌଣସି ଆବଶ୍ୟକତା ନାହିଁ । ତେବେ ଆପ୍‌ ପ୍ରୋଭାଇଡରମାନଙ୍କୁ ଟେଲିକମ୍‌ ମନ୍ତ୍ରଣାଳୟରେ ପଞ୍ଜୀକୃତ ହେବାକୁ ପଡିବ । ଏଥିପାଇଁ ଏକ ଅନ୍‌ଲାଇନ ରେଜିଷ୍ଟ୍ରେସନ ପୋର୍ଟାଲ ଖୋଲାଯାଇଛି । ଏହାର ଠିକଣା ହେଲା- SARALSANCHAR; https://saralsanchar.gov.in । ଏହି ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଆବେଦନର 7ଦିନ ମଧ୍ୟରେ ଅନୁମତି ପ୍ରଦାନ କରାଯିବ ।

ବ୍ୟାପାର ବାଣିଜ୍ୟକୁ ସୁଗମ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ବ୍ୟବସାୟ ଅନୁକୂଳ ହେବ ବୋଲି ଆଶା କରାଯାଇଛି । କରୋନା ମହାମାରୀ କାଳରେ ଏକ ସ୍ଥିର ଓ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ (ଡାଟା) ସର୍ଭିସର ଆବଶ୍ୟକତା ବିଶେଷ ଅନୁଭୂତ ହୋଇଥିଲା । ଦେଶର ଯେଉଁସବୁ ସ୍ଥାନରେ 4ଜି ମୋବାଇଲ ସେବା ନ ଥିଲା,  ସେସବୁ ଅଞ୍ଚଳର ଲୋକେ ଏହି ବ୍ରଡବ୍ୟାଣ୍ଡ ସେବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ଏବେ ସେ ସବୁ ଅଞ୍ଚଳରେ ଆଉ ଅସୁବିଧା ରହିବ ନାହିଁ । ପବ୍ଳିକ ୱାଇଫାଇ ସେବା ଫଳରେ ସବୁ  ଅଞ୍ଚଳକୁ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ ।

ଦେଶରେ ସର୍ବସାଧାରଣ ୱାଇଫାଇ ବ୍ୟବସ୍ଥାରେ ବ୍ରଡବ୍ୟାଣ୍ଡ ସେବାର ସଂପ୍ରସାରଣ ପଦକ୍ଷେପ ପଛରେ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟପୂରଣ ଉଦ୍ଦେଶ୍ୟ ନିହିତ । ଏହାର ଲାଭ ସୁଦୂର ପ୍ରସାରୀ ହେବା ନିଶ୍ଚିତ । ପବ୍ଳିକ ୱାଇଫାଇ ହଟସ୍ପଟ ବ୍ୟବହାର କରି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଲାଇସେନ୍ସ ଫି’ର ଆବଶ୍ୟକତା ନ ଥିବାରୁ ଦେଶରେ ଏହାର ପ୍ରସାର ତ୍ୱରିତ ଓ ବ୍ୟାପକ ହେବ । ଏହାଦ୍ୱାରା ଦେଶର କୋଣଅନୁକୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରିବ । ବ୍ରଡବ୍ୟାଣ୍ଡର ଉପଲବ୍‌ଧତା ଓ ବ୍ୟବହାର ଫଳରେ ଲୋକଙ୍କ ଆୟ ବଢିବ, ନିଯୁକ୍ତି ସୁବିଧା ସୃଷ୍ଟି ଅଧିକ ହେବା ସହ ଲୋକଙ୍କ ଜୀବନର ମାନ ବୃଦ୍ଧି ପାଇବ ଏବଂ ସର୍ବୋପରି ଏହା ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ସୁଗମ କରିବ ।

**********



(Release ID: 1679534) Visitor Counter : 297