ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁ ପ୍ରଯୁକ୍ତି ଶିଖର ସମ୍ମିଳନୀ ଉଦଘାଟିତ

ସୂଚନା ଯୁଗରେ ଗତି ଅପେକ୍ଷା ଗୁଣବତ୍ତା ଅଧିକ ଗୂରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ : ପ୍ରଧାନମନ୍ତ୍ରୀ

Posted On: 19 NOV 2020 12:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ ବେଙ୍ଗାଲୁରୁ ପ୍ରଯୁକ୍ତି ସମ୍ମିଳନୀର ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଏବଂ ବୈଷୟିକ ସମିତି, କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା, ଜୈବ ପ୍ରଯୁକ୍ତି ବିଦ୍ୟା ଓ ଷ୍ଟାର୍ଟଅପ ଭିନ ଗ୍ରୁପ, ସପ୍ଟୱେୟାର ଟେକ୍ନୋଲଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ଏବଂ ଏମଏମ ଆକ୍ଟିଭ ସାଇନ୍ସ ଟେକ କମ୍ୟୁନିକେସନ୍ସ ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି । ଚଳିତ ବର୍ଷ ଶିଖର ସମ୍ମିଳନୀର ବିଷୟ ରଖାଯାଇଛି ଦି ନେକ୍ସଟ ଇଜ୍ ନାଓ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଇଟି, ଦୂର ସଂଞ୍ଚାର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ ୟେଦ୍ୟୁରାପ୍ପା ଏହି ଅବସରରେ ଉପସ୍ଥିତ ଥିଲେ ।

ଆଜି ଡିଜିଟାଲ ଇଣ୍ଡିଆ କେବଳ ସରକାରୀ ପଦକ୍ଷେପରେ ସୀମିତ ହୋଇ ରହିନାହିଁ ବରଂ ଏହା ବିଶେଷ କରି ଗରିବ ଓ ବଞ୍ଚିତ ଏବଂ ସରକାରରେ ଯେଉଁମାନେ ଅଛନ୍ତି ସେମାନଙ୍କର ଏକ ଜୀବନଧାରାରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଯୋଗୁ ଆମ ଦେଶର ବିକାଶରେ ଏକ ମାନବୀୟ ଦିଗ ଉନ୍ମୋଚିତ ହୋଇଛି । ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଯୋଗୁ ନାଗରିକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହ ଏହାର ସୁଫଳ ସର୍ବଜନବିଦିତ ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଡିଜିଟାଲ ଓ ବୈଷୟିକ ସମାଧାନ ସରକାର କେବଳ ସୃଷ୍ଟି କରିନାହାନ୍ତି ବରଂ ଏହା ସମସ୍ତ ଯୋଜନାର ଅଂଶ ବିଶେଷ ହୋଇପାରିଛି । ସେ ପୁଣି କହିଛନ୍ତି ଯେ, ସରକାର ବୈଷୟିକ ମଡେଲ ପ୍ରଶାସନରେ ଉପଯୋଗ କରିବା ଫଳରେ ଏହା କୋଟି କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ସହ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତକୁ ସଫଳତାର ସହ କାର୍ଯ୍ୟକାରୀ କରାଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଉପଯୁକ୍ତ ଓ ଶୀଘ୍ର ସହାୟତା ଲକଡାଉନ କାଳରେ ପାଇପାରିଛନ୍ତି । ଏହି ସଫଳତାର କେହି ସମକକ୍ଷ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ତଥ୍ୟ ବିଶ୍ଳେଷଣକୁ ଆଧାର କରି ଦକ୍ଷତା ସହ ସେବା ଯୋଗାଇ ଦେଇ ପାରିଛନ୍ତି । ବୈଷୟିକ ଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ଯୋଗୁ ଯୋଜନା ଗୁଡିକ ଫାଇଲ ମଧ୍ୟରେ ସୀମାବଦ୍ଧ ନହୋଇ ଦ୍ରୁତ ଗତିରେ ଜନସାଧାରଣଙ୍କ ବିକାଶରେ ସହାୟକ ହୋଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମେ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଇ ଦେଇଛୁ । ଟୋଲବୁଥ ଗୁଡିକୁ ଗତିଶୀଳ କରିବା ସହ ଖୁବ କମ ସମୟ ମଧ୍ୟରେ ବିଶାଳ ଜନସଂଖ୍ୟାଙ୍କ ମଧ୍ୟରେ ଟୀକାକରଣ ପାଇଁ ଆମକୁ ସାହସ ମିଳିଛି ।

ମହାମାରୀ କାଳରେ ପ୍ରଯୁକ୍ତି କ୍ଷେତ୍ର ଯେଭଳି ନମନୀୟତା ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଦେଶରେ ଗୋଟିଏ ଯୁଗରେ ବୈଷୟିକ ଜ୍ଞାନର ଯେତିକି ଉପଯୋଗ ହୋଇନଥିଲା ମାତ୍ର ଅଳ୍ପ କିଛି ମାସ ମଧ୍ୟରେ ତାହା କିପରି ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ତାହା ଉପରେ ଆଲୋକପାତ କରିଥିଲେ । ଯେ କୌଣସି ଜାଗାରୁ କାମ କରିବା ବର୍ତ୍ତମାନ ଏକ ଧାରାରେ ପଡିଯାଇଛି ଓ ଏହା ବଳବତ୍ତର ମଧ୍ୟ ରହିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଅଧିକ ପ୍ରୟୋଗ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ଯୁଗର ସଫଳତା ବର୍ତ୍ତମାନ ଅତୀତରେ ପରିଣତ ହୋଇଛି । ଆମେ ବର୍ତ୍ତମାନ ସୂଚନା ଯୁଗର ମଧ୍ୟ ଭାଗରେ ଅଛେ । ସେ କହିଛନ୍ତି ଯେ, ଶିଳ୍ପ ଯୁଗରେ ପରିବର୍ତ୍ତନ ଖୁବ ମନ୍ଥର ହୋଇଥିବାବେଳେ ସୂଚନା ଯୁଗରେ ଏହା ଦୃତ ହୋଇଛି । ଶିଳ୍ପ ଯୁଗରେ କିଏ ଆଗକୁ ଯିବ ତାହାକୁ ମହତ୍ୱ ଦିଆଯାଉଥିବା ବେଳେ ବର୍ତ୍ତମାନ ସୂଚନା ଯୁଗରେ କିଏ ସବୁଠାରୁ ଭଲ ପ୍ରଦର୍ଶନ କରିପାରିବ ତାହା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଯେ କେହି ଯେ କୌଣସି ସମୟରେ କିଛି ଜିନିଷ ତିଆରି କରିପାରିବ, ଯାହାକି ବଜାରର ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସୂଚନା ଯୁଗରେ ଭାରତ ଏକ ଅନନ୍ୟ ସ୍ଥାନରେ ରହିଛି । ଭାରତର ଉତ୍ତମ ମେଧା ଓ ବିଶାଳ ବଜାର ରହିଛି । ଆମର ସ୍ଥାନୀୟ ବୈଷୟିକ ସମାଧାନ ସୂତ୍ର ବିଶ୍ୱବ୍ୟାପୀ କାର୍ଯ୍ୟକ୍ଷମ ହେବାର କ୍ଷମତା ରଖିଛି । ସରକାରଙ୍କର ନୀତିଗତ ନିଷ୍ପତି ଉଦ୍ଭାବନ ଓ ପ୍ରଯୁକ୍ତି ବିଦ୍ୟା ସପକ୍ଷରେ ରହିଛି । ନିକଟରେ ଆଇଟି ଶିଳ୍ପର ଅସୁବିଧା ଲାଘବ କରିବା ପାଇଁ ନିଷ୍ପତିମାନ ନିଆଯାଇଛି । ପ୍ରଯୁକ୍ତି ଶିଳ୍ପରେ ଭାରତ ସରକାର ସବୁବେଳେ ଭାଗିଦାରିତାକୁ ପସନ୍ଦ କରିଛନ୍ତି । ଯେପରି ଭବିଷ୍ୟତ ପାଇଁ ଏକ ସୁରକ୍ଷିତ ଭାରତ ଗଠିତ ହେବ ସେହି ଅନୁସାରେ ନୀତି ନିର୍ଦ୍ଧାରଣ କରାଯାଇଛି ।

ଯେ କୌଣସି ସାମଗ୍ରୀର ସଫଳତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ୟୁପିଆଇ, ନ୍ୟାସନାଲ ଡିଜିଟାଲ ହେଲଥ ମିଶନ, ସ୍ୱାମୀତ୍ୱ ଯୋଜନା ଇତ୍ୟାଦି ଏ ଦିଗରେ ଗୋଟିଏ ଗୋଟିଏ ବଳିଷ୍ଠ ପଦକ୍ଷେପ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି । ତେବେ ତଥ୍ୟର ସୁରକ୍ଷା ଏବଂ ସାଇବର ସୁରକ୍ଷା କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ପ୍ରୟୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଦେଶର ଯୁବଗୋଷ୍ଠୀ ଏକ ମଜବୁତ ସାଇବର ସୁରକ୍ଷା ସମାଧାନ ପାଇଁ ବିରାଟ ଭୂମିକା ଗ୍ରହଣ କରିପାରିବେ ଓ ସାଇବର ଏବଂ ଭାଇରସ ଆକ୍ରମଣରୁ ଡିଜିଟାଲ ବସ୍ତୁଗୁଡିକୁ ସୁରକ୍ଷା ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୈବ ବିଜ୍ଞାନ ଓ ଇଂଜିନିୟରିଂ ଭଳି କ୍ଷେତ୍ରରେ ଉଦ୍ଭାବନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭାବନ ବିକାଶର ଚାବିକାଠି ହୋଇଥିବାବେଳେ ଭାରତରେ ଆମ ଯୁବଶକ୍ତିର ମେଧା ଓ ଉତ୍ସାହ ଏ ଦିଗରେ ଖୁବ ସହାୟକ ହେବ । ଆମ ଯୁବଗୋଷ୍ଠୀଙ୍କର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୀମ ଦକ୍ଷତା ରହିଛି ।  ସେମାନଙ୍କୁ ଏ ଦିଗରେ ନିୟୋଜିତ କରିବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ । ଆମର ଆଇଟି କ୍ଷେତ୍ର ଆମକୁ ଗର୍ବିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି ।

 

****************



(Release ID: 1674039) Visitor Counter : 227