ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
प्रविष्टि तिथि:
29 OCT 2020 4:20PM by PIB Bhubaneshwar
ଆଜି ଦେଶର, ଗୁଜରାଟ ମାଟିର ଜଣେ ମହାନ ପୁତ୍ର ଆମ ସମସ୍ତଙ୍କଠାରୁ ବହୁ ଦୂରକୁ ଚାଲି ଯାଇଛନ୍ତି । ଆମ ସମସ୍ତଙ୍କର ପ୍ରିୟ, ଶ୍ରଦ୍ଧେୟ କେଶୁଭାଇ ପଟେଲ ମହାଶୟଙ୍କ ନିଧନରେ ମୁଁ ଦୁଃଖିତ, ସ୍ତବ୍ଧ। କେଶୁଭାଇଙ୍କ ବିୟୋଗ ମୋ ପାଇଁ ଜଣେ ପିତୃତୁଲ୍ୟ ବ୍ୟକ୍ତିଙ୍କ ଯିବା ଭଳି। ତାଙ୍କ ନିଧନ ମୋ ପାଇଁ ଏପରି କ୍ଷତି, ଯାହା କେବେ ପୂରଣ ହୋଇ ପାରିବ ନାହିଁ । ପ୍ରାୟ 6 ଦଶକର ସାର୍ବଜନୀନ ଜୀବନ ଏବଂ ଅଖଣ୍ଡ ଭାବେ ଗୋଟିଏ ଲକ୍ଷ୍ୟ - ରାଷ୍ଟ୍ରଭକ୍ତି, ରାଷ୍ଟ୍ର ହିତ।
କେଶୁଭାଇ ଏକ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଗୋଟିଏ ପଟେ ବ୍ୟବହାରରେ ସୌମ୍ୟତା, ଏବଂ ଅନ୍ୟ ପଟେ ନିଷ୍ପତ୍ତି ନେବାରେ ଦୃଢ ଇଚ୍ଛା ଶକ୍ତି ତାଙ୍କର ବହୁତ ବଡ଼ ବିଶେଷତ୍ଵ ଥିଲା । ସେ ନିଜ ଜୀବନର ପ୍ରତ୍ୟେକ କ୍ଷଣ ସମାଜର ପ୍ରତ୍ୟେକ ବର୍ଗର ସେବା ପାଇଁ ସମର୍ପିତ କରି ଦେଇଥିଲେ। ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଗୁଜରାଟର ବିକାଶ ପାଇଁ ଥିଲା, ତାଙ୍କର ପ୍ରତ୍ୟେକ ନିଷ୍ପତ୍ତି ପ୍ରତ୍ୟେକ ଗୁଜରାଟୀକୁ ସଶକ୍ତ କରିବା ପାଇଁ ଥିଲା।
ଏକ ବହୁତ ସାଧାରଣ କୃଷକ ପରିବାରରୁ ଆସିଥିବା ଆମର କେଶୁଭାଇ, କୃଷକଙ୍କର, ଗରିବଙ୍କ ଦୁଃଖକୁ ବୁଝିଥିଲେ, ସେମାନଙ୍କ କଷ୍ଟକୁ ବୁଝିଥିଲେ। କୃଷକଙ୍କ କଲ୍ୟାଣ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଜଣେ ବିଧାୟକ ଭାବେ, ଜଣେ ସାଂସଦ ଭାବେ, ମନ୍ତ୍ରୀ ଅବା ପୁଣି ମୁଖ୍ୟମନ୍ତ୍ରୀ ଭାବେ କେଶୁଭାଇ ତାଙ୍କ ଯୋଜନା ଗୁଡିକରେ, ନିଜର ନିଷ୍ପତ୍ତିରେ କୃଷକଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ । ଗାଁ, ଗରିବ, କୃଷକଙ୍କ ଜୀବନକୁ ସହଜ କରିବା ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି, ରାଷ୍ଟ୍ରଭକ୍ତି ଏବଂ ଜନ ଭକ୍ତିର ଯେଉଁ ଆଦର୍ଶକୁ ନେଇ ସେ ନିଜ ଜୀବନସାରା ଚାଲିଥିଲେ, ତାହା ପିଢି ପରେ ପିଢିକୁ ପ୍ରେରଣା ଯୋଗାଇବ।
କେଶୁଭାଇ ଗୁଜରାଟର ରଙ୍ଗ-ରଙ୍ଗ ଏବଂ ଜନ-ଜନଙ୍କ ସହିତ ପରିଚିତ ଥିଲେ। ସେ ଜନସଂଘ ଏବଂ ବିଜେପିକୁ ଗୁଜରାଟର ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚାଇଥିଲେ, ପ୍ରତ୍ୟେକ ଅଞ୍ଚଳରେ ଏହାକୁ ସୁଦୃଢ କରିଥିଲେ। ମୋର ମନେ ଅଛି, ଜରୁରୀକାଳୀନ ସମୟରେ କେଶୁଭାଇ କିପରି ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଘର୍ଷ କରିଥିଲେ, ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ।
କେଶୁଭାଇ ମୋ ପରି ଅନେକ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବହୁତ କିଛି ଶିକ୍ଷା ଦେଇଥିଲେ, ସର୍ବଦା ମାର୍ଗଦର୍ଶନ କରୁଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୁଁ ତାଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲି। ଯେତେବେଳେ ମଧ୍ୟ ଗୁଜୁରାଟ ଯିବା ପାଇଁ ସୁଯୋଗ ପାଉଥିଲି, ମୁଁ ମଧ୍ୟ ତାଙ୍କ ଆଶୀର୍ବାଦ ନେବାକୁ ଯାଉଥିଲି।
କିଛି ସପ୍ତାହ ପୂର୍ବରୁ, ସୋମନାଥ ଟ୍ରଷ୍ଟର ଭର୍ଚୁଆଲ୍ ବୈଠକ ସମୟରେ ମଧ୍ୟ ମୁଁ ତାଙ୍କ ସହ ବହୁତ ସମୟ ଆଲୋଚନା କରିଥିଲି ଏବଂ ସେ ବହୁତ ଖୁସି ଥିବା ଦେଖା ଯାଉଥିଲେ। କରୋନାର ଏହି ସମୟରେ, ମୁଁ ମୋ ଫୋନରେ ତାଙ୍କ ସହ ଅନେକ କଥାବାର୍ତ୍ତା କରିଥିଲି, ମୁଁ ତାଙ୍କୁ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲି। ପ୍ରାୟ 45 ବର୍ଷର ଘନିଷ୍ଠ ସଂପର୍କ, ସଂଗଠନ ହେଉ, ସଂଘର୍ଷ ହେଉ, ବ୍ୟବସ୍ଥାର ବିଷୟ ହେଉ, ଆଜି ଏକ ସଙ୍ଗେ ଅନେକ ଘଟଣା ମୋ ସ୍ମୃତି ପଟ୍ଟରେ ଆସି ଯାଉଛି।
ଆଜି ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ମୋ ଭଳି ବହୁତ ଦୁଃଖିତ । ମୋର ସମବେଦନା କେଶୁଭାଇଙ୍କ ପରିବାର ସହିତ, ତାଙ୍କ ଶୁଭଚିନ୍ତକଙ୍କ ସହିତ ଅଛି। ଦୁଃଖର ଏହି ସମୟରେ, ମୁଁ ତାଙ୍କ ପରିବାର ସହିତ ନିରନ୍ତର ସମ୍ପର୍କରେ ଅଛି।
ମୁଁ ଇଶ୍ଵରଙ୍କୁ ପ୍ରାର୍ଥନା କରୁଛି ଯେ କେଶୁଭାଇଙ୍କୁ ତାଙ୍କ ପାଦ ତଳେ ସ୍ଥାନ ଦିଅନ୍ତୁ, ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତି !!!
**********
(रिलीज़ आईडी: 1668687)
आगंतुक पटल : 241
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam