କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରଷୋତ୍ତମ ରୂପାଲାଙ୍କ ଦ୍ୱାରା 10 ହଜାର କୋଟି ଟଙ୍କାର ‘ଏନ୍‌ସିଡିସି ଆୟୁଷ୍ମାନ ସହକାର’ ପାଣ୍ଠି ଆରମ୍ଭ

• ଏହି ଅର୍ଥ ଦ୍ୱାରା ସମବାୟ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯିବ
• ସମବାୟ ସଂସ୍ଥା ଏହି ଯୋଜନାର ଉପଯୋଗ କରି ଗ୍ରାମୀଣ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ

Posted On: 19 OCT 2020 3:43PM by PIB Bhubaneshwar

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଆଜି ଆୟୁଷ୍ମାନ ସହକାରନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର୍ଯ୍ୟ ପାଇଁ ଅର୍ଥ ଯୋଗାଇ ଦେବ ।

ଆଜି ଏ ସଂପର୍କରେ ଘୋଷଣା କରି ଶ୍ରୀ ରୂପାଲା କହିଛନ୍ତି ଯେ ଏନ୍‌ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ 10 ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ । ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି । ଏହାକୁ ପୂରଣ କରିବା ପାଇଁ ଏନ୍‌ସିଡିସି ଏକ ଯୋଜନା ପ୍ରସ୍ତୁତ କରିଛି । କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳରେ କୃଷି ଓ କୃଷକ କଲ୍ୟାଣ କାର୍ଯ୍ୟକ୍ରମକୁ ସୁଦୃଢ କରିବେ । ଶ୍ରୀ ରୂପାଲା କହିଛନ୍ତି ଯେ ଆୟୁଷ୍ମାନ ସହକାର ଯୋଜନା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟକ୍ରମକୁ ବୈପ୍ଳବିକ ରୂପ ଦେବ । କୃଷକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣ ସୁବିଧା ଯୋଗାଇ ଦେବାକୁ ସମବାୟ ସଂସ୍ଥାଗୁଡିକ ଆଗେଇ ଆସିବାକୁ ସେ ମଧ୍ୟ ଏହି ଅବସରରେ ଆହ୍ୱାନ ଜଣାଇଛନ୍ତି ।

ଏହି ଅବସରରେ ଏନ୍‌ସିଡିସିର ପରିଚାଳନା ନିର୍ଦେଶକ ସନ୍ଦୀପ ନାୟକ କହିଛନ୍ତି ଯେ ଦେଶରେ ଏବେ ପ୍ରାୟ 52ଟି ହସ୍ପିଟାଲ ସମବାୟ ସଂସ୍ଥା ଦ୍ୱାରା ଚାଲିଛି । ଏସବୁ ହସ୍ପିଟାଲରେ ମୋଟ ଶଯ୍ୟାସଂଖ୍ୟା 5 ହଜାରରୁ ଅଧିକ । ଏନ୍‌ସିଡିସି ଯେଉଁ ପାଣ୍ଠି ଋଣ ଆକାରରେ ଯୋଗାଇବ ସମବାୟ ସଂସ୍ଥାଗୁଡିକ ତାହାକୁ ନେଇ ସ୍ୱାସ୍ଥ୍ୟସେବାରେ ବିନିଯୋଗ କଲେ ଗ୍ରାମାଞ୍ଚଳରେ କୃଷକ ଓ ଅନ୍ୟାନ୍ୟ ଲୋକେ ବିଶେଷ ଉପକୃତ ହେବେ । ଏନ୍‌ସିଡିସିର ଯୋଜନା 2017 ଜାତୀୟ ସ୍ୱାସ୍ଥ୍ୟ ନୀତି ସହ ଅଙ୍ଗୀଭୂତ ହୋଇଛି । ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଣ୍ଠି ବିନିଯୋଗ, ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ନୂଆ ଟେକ୍ନୋଲଜିର ସୁବିଧା ଲାଭ, ମାନବ ସମ୍ବଳର ବିକାଶ, ମେଡିକାଲ ସୁବିଧା ଅଧିକରୁ ଅଧିକ ଯୋଗାଣ ଏବଂ ଚାଷୀଙ୍କୁ ସ୍ୱଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି ଯୋଜନାର ପୂର୍ଣ୍ଣାଙ୍ଗ ରୂପରେଖରେ ହସ୍ପିଟାଲ, ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା, ନର୍ସିଂ ଶିକ୍ଷା, ପାରାମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟବୀମା, ଆୟୁଷ ଭଳି ସାମଗ୍ରିକ ସ୍ୱାସ୍ଥ୍ୟସେବା ଆଦି ଅନ୍ତର୍ଭୁକ୍ତ । ଆୟୁଷ୍ମାନ ସହକାର ଯୋଜନାରେ ଯେଉଁ ଋଣ ଯୋଗାଣ ପାଣ୍ଠି ବ୍ୟବସ୍ଥା କରାଯାଇଛି ତାହାକୁ ବିନିଯୋଗ କରି ସମବାୟ ସଂସ୍ଥାମାନେ ଚଳାଉଥିବା ହସ୍ପିଟାଲରେ ଡାକ୍ତରୀ ଓ ଆୟୁଷ ଶିକ୍ଷାର ବ୍ୟବସ୍ଥା କରିପାରିବେ ।

ଜାତୀୟ ଡିଜିଟାଲ ହେଲ୍ଥ ମିଶନ ଯାହା 2020 ଅଗଷ୍ଟ 15 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସେହି ଢାଞ୍ଚାରେ ଏନ୍‌ସିଡିସିର ଆୟୁଷ୍ମାନ ସହକାର ଯୋଜନା କାର୍ଯ୍ୟ କରିବ । ଏହାଦ୍ୱାରା ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ସମ୍ଭବ ହୋଇପାରିବ । ଦେଶର ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାମାନଙ୍କର ଦୃଢ ଉପସ୍ଥିତି ରହିଛି । ଏହିସବୁ ସଂସ୍ଥା ସ୍ୱାସ୍ଥ୍ୟସେବା ଯୋଗାଣ ହାତକୁ ନେଲେ ଏହା ସଫଳ ହୋଇପାରିବ ।

ଯେକୌଣସି ସମବାୟ ସମିତି ନିଜର ବାଇ-ଲ’  ଅନୁସାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗାଇ ଦେବାକୁ ଯୋଗ୍ୟ ବିବେଚିତ ହେବେ । ସେମାନଙ୍କୁ ଏନ୍‌ସିଡିସି ପକ୍ଷରୁ ଋଣ ଅର୍ଥ ଯୋଗାଇ ଦିଆଯିବ । ଏହି ଅର୍ଥ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଜରିଆରେ କିମ୍ବା ସିଧାସଳଖ ସଂପୃକ୍ତ ସଂସ୍ଥାକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏ କ୍ଷେତ୍ରରେ ସଂପୃକ୍ତ ସମବାୟ ସଂସ୍ଥା  ଅନ୍ୟାନ୍ୟ ସୂତ୍ରରୁ ଚାହିଁଲେ ଅନୁଦାନ ଓ ସବ୍‌ସିଡି କିପରି ପାଇବେ ତାହାର ମଧ୍ୟ ବ୍ୟବସ୍ଥା ରହିଛି ।

ଆୟୁଷ୍ମାନ ସହକାର ଯୋଜନାରେ ହସ୍ପିଟାଲର ମରାମତି, ଜୀର୍ଣ୍ଣୋଦ୍ଧାର, ଆଧୁନିକୀକରଣ, ସଂପ୍ରସାରଣ, ନୂଆ ହସ୍ପିଟାଲ ପ୍ରତିଷ୍ଠା, ସ୍ୱାସ୍ଥ୍ୟସେବା ଯୋଗାଣ, ସ୍ୱାସ୍ଥ୍ୟ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ ଆଦି ଅନ୍ତର୍ଭୁକ୍ତ ।

ଏହି ବ୍ୟବସ୍ଥାରେ ନିମ୍ନଲିଖିତ ବିଷୟବସ୍ତୁମାନ ରହିଛି ।

(1) ହସ୍ପିଟାଲ ବା ମେଡିକାଲ/ ଆୟୁଷ/ ଦନ୍ତ/ ନର୍ସିଂ/ ଫାର୍ମାସି/ ପାରାମେଡିକାଲ/ ଫିଜିଓଥେରାପି କଲେଜମାନ ୟୁଜି ଏବଂ ପିଜି କାର୍ଯ୍ୟକ୍ରମ ଚଳାଇବା ପାଇଁ ଏହି ଋଣ ନେଇପାରିବେ ।

(2) ଯୋଗ ୱେଲନେସ ସେଣ୍ଟର ପାଇଁ ଏହି ପାଣ୍ଠିରୁ ଋଣ ନେଇହେବ ।

(3) ଆୟୁର୍ବେଦ, ଏଲୋପ୍ୟାଥି, ୟୁନାନି, ସିଦ୍ଧ, ହୋମିଓପ୍ୟାଥି ଏବଂ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । ଯେଉଁମାନେ ବୟସ୍କମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ବା ଚିକିତ୍ସା ପାଇଁ ଔଷଧ ପ୍ରଦାନ ଆଦି ସେବା କରୁଛନ୍ତି ସେଭଳି ସଂସ୍ଥା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର, ମାନସିକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ମୋବାଇଲ କ୍ଳିନିକ ସେବା, ହେଲ୍‌ଥ କ୍ଳବ ଓ ଜିମ୍‌ ଆଦି ଯଦି ସମବାୟ ଭିତ୍ତିରେ କାର୍ଯ୍ୟ କରୁଥାଏ ସେମାନେ ମଧ୍ୟ ଏହି ପାଣ୍ଠିରୁ ଋଣ ନେଇପାରିବେ ।

(4) ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସଂସ୍ଥା, ଟ୍ରମା ସେଣ୍ଟର, ଆୟୁଷ ଔଷଧ ପ୍ରସ୍ତୁତକାରୀ, ଡ୍ରଗ ଟେଷ୍ଟିଂ ଲ୍ୟାବ, ଦନ୍ତ ଚିକିତ୍ସା କେନ୍ଦ୍ର, ଚକ୍ଷୁ ଚିକିତ୍ସା କେନ୍ଦ୍ର, ଲାବରେଟୋରୀ ସେବା ଯୋଗାଣକାରୀ ସଂସ୍ଥା ଓ ଡାଇଗ୍ନୋଷ୍ଟିକ ସେବା ଯୋଗାଉଥିବା ସଂସ୍ଥା ମଧ୍ୟ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।

(5) ବ୍ଳଡ ବ୍ୟାଙ୍କ ଓ ଟ୍ରାନ୍ସଫ୍ୟୁଜନ ସଂସ୍ଥା, ପଞ୍ଚକର୍ମ, ଠୋକଣମ୍‌, କ୍ଷାରସୂତ୍ର ଚିକିତ୍ସା କେନ୍ଦ୍ର ଏବଂ ରେଜିମେଣ୍ଟାଲ ଥେରାପି ପ୍ରଦାନ କରୁଥିବା ୟୁନାନି କେନ୍ଦ୍ର ମଧ୍ୟ ଋଣ ସୁବିଧା ପାଇପାରିବେ ।

(6) ସେହିଭଳି ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ କେନ୍ଦ୍ର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର, ଟେଲି ମେଡିସିନ ଓ ଦୂରଦୂରାନ୍ତରେ ମେଡିକାଲ ସେବା ଯୋଗାଉଥିବା ସଂସ୍ଥା, ଲଜିଷ୍ଟିକ ହେଲ୍ଥ ଓ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନକାରୀ ସଂସ୍ଥା, ସୂଚନା ଓ ଯୋଗାଯୋଗ ଟେକ୍ନୋଲଜି ସଂକ୍ରାନ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଏବଂ ଆଇଆରଡିଏ ଦ୍ୱାରା ମାନ୍ୟତାପ୍ରାପ୍ତ ସ୍ୱାସ୍ଥ୍ୟ ବୀମାକାରୀ ସଂସ୍ଥା ଏହାର ମଧ୍ୟ ସୁଯୋଗ ନେଇପାରିବେ ।

(7) ଏନ୍‌ସିଡିସି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଯେଉଁ ସଂସ୍ଥାକୁ ଯୋଗ୍ୟ ବୋଲି ବିବେଚିତ କରିବ ସେ ମଧ୍ୟ ଏହି ଋଣ ପାଇପାରିବ ।

ଏହି ଯୋଜନାରେ ପରିଚାଳନାଗତ ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟକାରୀ ପୁଞ୍ଜି ଓ ମାର୍ଜିନ ମନିର ବ୍ୟବସ୍ଥା ରହିଛି । ଯେଉଁ ସମବାୟ ସମିତିରେ ମହିଳା ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନଙ୍କ ପାଇଁ ଋଣ ଉପରେ 1 ଶତାଂଶ ସୁଧ ରିଆତିର ବ୍ୟବସ୍ଥା ରହିଛି ।

ଏନ୍‌ସିଡିସି 1963ରେ ସଂସଦର ଏକ ଆଇନ ବଳରେ ଦେଶରେ ସମବାୟ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ବିକାଶ ପାଇଁ ଗଠିତ ହୋଇଥିଲା । ସେବେଠାରୁ ଏ ଯାଏଁ ଏହି ସଂସ୍ଥା 1.60 ଲକ୍ଷ କୋଟି ଟଙ୍କା ବିଭିନ୍ନ ସମବାୟ ସଂସ୍ଥାକୁ ଋଣ ଆକାରରେ ଯୋଗାଇ ଦେଇଛି ।

 

**********

 



(Release ID: 1665931) Visitor Counter : 253